Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ମୋଟା କମାଇବାକୁ ଚାହୁଁଛନ୍ତି କି? ତେବେ ସକାଳୁ ପିଅନ୍ତୁ ଏହି ସବୁ ପାନୀୟ

ଭୁବନେଶ୍ବର: ଫିଟ୍‌ ରହିବା ପାଇଁ କିଏ ନ ଚାହାନ୍ତି। ସମେସ୍ତ ପତଳା ଓ ସୁଢଳ ରହିବାକୁ ଚାହାନ୍ତି। ମୋଟାପାକୁ ନେଇ ଏବେ ଯୁବପିଢି ବ୍ୟସ୍ତ ଓ ବିବ୍ରତ। ଆଜିକାଲିର ଖାଇବା ପିଇବା ଓ ଜୀବନଶୈଳୀ ଯୋଗୁଁ ଓଜନ ବୃଦ୍ଧି ହୋଇଛି। ଥରେ ମୋଟା ହୋଇଗଲେ ଏହାକୁ କମାଇବା ବହୁତ କଷ୍ଟ। ତେବେ ଆପଣ ଯଦି ମୋଟାପାକୁ ନେଇ ଚିନ୍ତିତ ଅଛନ୍ତି ତେବେ ଆପଣ କିଛି ପାନୀୟ ପିଇ ନିଜକୁ ମୋଟାରୁ ପତଳା କରିପାରିବେ। ଏହି ପାନୀୟ ଗୁଡିକ ଶରୀରର ମେଟାବଲିଜିମ୍‌କୁ ବଢାଇ ଓଜନ କମ୍‌ କରିବାରେ ସାହାଯ୍ୟ କରିଥାଏ। ତେବେ ଆସନ୍ତୁ ଜାଣିବା ସେହି ଡ୍ରିଙ୍କ୍‌ଗୁଡିକ ସମ୍ପର୍କରେ।

ଗ୍ରୀନ୍‌ ଟି: ଗତ କିଛି ଦଶକ ଧରି ଗ୍ରୀନ୍‌ ଟି ବେଶ୍‌ ଲୋକପ୍ରିୟ ହୋଇପାରିଛି। ଏଥିରେ ଆଣ୍ଟିଅକ୍ସିଡେଣ୍ଟ ରହିଥାଏ। ଯାହା ଦ୍ବାରା ମେଟାବଲିଜିମ୍‌ କରାଇଥାଏ। ତେବେ ଏଥିରେ ଆପଣ ଚିନିର ଉପଯୋଗ ନ କରି ଏହାର ସ୍ବାଦ ବଢାଇବା ପାଇଁ ଲେମ୍ବୁ ରସ ଓ ମହୁ ମିଶାଇ ପିଇ ପାରିବେ। ଏହା ଓଜନ ହ୍ରାସ ପାଇଁ ବେଶ୍‌ ସହାୟକ ହେବ।

ଲେମ୍ବୁ ପାଣି: ଯଦି ଆପଣ ଆପଣଙ୍କ ଦିନକୁ ଗ୍ଲାସେ ଲେମ୍ବୁ ପାଣିରୁ ଆରମ୍ଭ କରିବେ ତେବେ ଏହା ଆପଣଙ୍କୁ ବହୁତ ଫାଇଦା ଦେବ। ଏହା ଶରୀରର ମେଟାବଲିଜମ୍‌କୁ ବଢାଇ ମୋଟାପାକୁ କମ୍‌ କରିଥାଏ। ଏହି ପାନୀୟରେ ଆଣ୍ଟିଅକ୍ସିଡେଣ୍ଟ  ସହ ପୌଷ୍ଟିକ ଫାଇବର ମଧ୍ୟ ରହିଥାଏ। ଯାହା ପେଟରେ ଥିବା ଚର୍ବିକୁ ତରଳାଇବାରେ ସାହାଯ୍ୟ କରିଥାଏ। ଆପଣ ଏଥିରେ ମହୁ ମିଶାଇ ପିଇ ପାରିବେ।

ଜୁଆଣି ପାଣି: ଜୁଆଣି ପାଣି ଆପଣଙ୍କୁ ହଜମ କ୍ରିୟାରେ ବେଶ୍‌ ସାହାଯ୍ୟ କରିଥାଏ। ଏହା ଦ୍ବାରା ପାଚନ ଶକ୍ତି ବୃଦ୍ଧି ପାଇଥାଏ। ଆପଣ ଗୋଟିଏ ଗ୍ଲାସ ପାଣିରେ ଏକ ଚାମଚ ଭଜା ଜୁଆଣିକୁ ପକାଇ ରାତିସାରା ଭିଜାନ୍ତୁ। ଏହାକୁ ସକାଳେ ଛାଣି ପିଅନ୍ତୁ। ଏହାଦ୍ବାରା ଆପଣ ଓଜନକୁ ନିୟନ୍ତ୍ରଣ କରିପାରିବେ।

ଧନିଆ ପାଣି: ଧନିଆ ଶରୀରରେ ମେଟାବଲିଜିମ୍‌କୁ ବଢାଇବା ସହିତ ହଜମ କ୍ରିୟାରେ ସାହାଯ୍ୟ କରିଥାଏ। ଏହାକୁ ରାତି ସାରା ଭିଜେଇ ସକାଳେ ଛାଣି ଖାଲିପେଟରେ ପିଇବା ଦ୍ବରା ଏହାର ଫାଇଦା ମିଳିଥାଏ।

ଜୀରା ପାଣି: ଭାରତୀୟ ମସଲାରେ ଜୀରା ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ମସଲା। ଜୀରା ପାଚନ ଶକ୍ତିକୁ ବଢାଇବା ସହିତ ପେଟର ଚର୍ବିକୁ ତରଳାଇବାରେ ସାହାଯ୍ୟ କରିଥାଏ। ଏହା ଭୋକକୁ କମାଇବା ସହିତ ଓଜନ ହ୍ରାସରେ ବହୁତ ସାହାଯ୍ୟ କରିଥାଏ। ଏକ ଗ୍ଲାସ୍‌ ପାଣିରେ ଏକ ଚାମଚ ଜୀରାକୁ ପକାଇ ରାତିସାରା ଭିଜାନ୍ତୁ। ସକାଳୁ ଏହାକୁ ଛାଣି ଖାଲିପେଟରେ ପିଅନ୍ତୁ। ଦେଖିବେ ଏହା ଦ୍ବାରା ଆପଣ ଆପଣଙ୍କ ଓଜନକୁ ନିୟନ୍ତ୍ରଣ କରିପାରିବେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ମୋବାଇଲ୍ ଫୋନ୍‌ର ଅତ୍ୟଧିକ ବ୍ୟବହାର ଯୋଗୁଁ ଯୁବପିଢ଼ି ଏକାଗ୍ରତା ହରାଉଛନ୍ତି: ଡାକ୍ତର ଅଶୋକ ମହାପାତ୍ର

ଭୁବନେଶ୍ୱର: ମୋବାଇଲ୍ ଫୋନ୍‌ର ବହୁଳ ବ୍ୟବହାର ଫଳରେ ଯୁବପିଢ଼ିଙ୍କ ମଧ୍ୟରେ ଏକାଗ୍ରତାର ଘୋର ଅଭାବ ଦେଖାଦେଉଛି। ଶରୀର ପାଇଁ ମଧ୍ୟ ଏହା କ୍ଷତିକାରକ ସାବ୍ୟସ୍ତ ହେଉଛି। ନିଜ ଘର ଠାରୁ ୫୦ ମିଟର ଦୂରରେ ମୋବାଇଲ ଟାୱାର ରହିବା ଉଚିତ୍। ନଚେତ୍ ଏହାର କୁପ୍ରଭାବ ମଣିଷ ଶରୀର ଉପରେ ପଡିବ ବୋଲି କହିଛନ୍ତି ବିଶିଷ୍ଟ ନ୍ୟୁରୋସର୍ଜନ୍ ତଥା ସୋଆ କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର।

ଅତ୍ୟଧିକ ମୋବାଇଲ୍ ବ୍ୟବହାରରୁ ବିରତ ରହିବା ନିମନ୍ତେ ଯୁବପିଢ଼ି ଯୋଗାଭ୍ୟାସକୁ ଗୁରୁତ୍ୱ ଦିଅନ୍ତୁ ବୋଲି ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ମଙ୍ଗଳବାର ଏହି ଉପଦେଶ ଦେଇଛନ୍ତି ପ୍ରଫେସର ମହାପାତ୍ର।

ଅଷ୍ଟମ ଆର୍ନ୍ତଜାତିକ ଯୋଗ ଦିବସ ଉପଲକ୍ଷେ ସୋଆ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଫେସର ମହାପାତ୍ର କହିଛନ୍ତି ଯେ ଜୀବନରେ ମାନସିକ ଓ ଶାରୀରିକ ସନ୍ତୁଳନ ରକ୍ଷା ନିମନ୍ତେ ଯୋଗାଭ୍ୟାସର ଆବଶ୍ୟକତା ରହିଛି। ମନରେ ଏକାଗ୍ରତା ଆଣିବା ନିମନ୍ତେ ଯୋଗାଭ୍ୟାସ କରିବା ଉଚିତ୍। ଯୋଗ ହିଁ ଆତ୍ମା ସହ ପରମାତ୍ମାର ମିଳନ କରାଇଥାଏ ବୋଲି ସେ କହିଛନ୍ତି।

ସୋଆ ଏନଏସଏସ, ୱେଲନେସ ସେଂଟର ଓ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏସ୍‌-ଭ୍ୟାସ ବିଶ୍ୱବିଦ୍ୟାଳୟର କୁଳାଧିପତି ଡକ୍ଟର ଏଚ୍‌.ଆର୍‌. ନଗେନ୍ଦ୍ର ଭର୍ଚୁଆଲୀ ଯୋଗ ଦେଇ ଯୋଗାଭ୍ୟାସ ଉପରେ ତଥ୍ୟ ରଖିଥିଲେ। ସେହିପରି ଭୁବନେଶ୍ୱର ସ୍ଥିତ ରାମକୃଷ୍ଣ ମିଶନ୍‌ର ସମ୍ପାଦକ ସ୍ୱାମୀ ଆତ୍ମ ପ୍ରଭା ନନ୍ଦ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଯୋଗାଭ୍ୟାସର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଏଥି ସହିତ ସ୍କୁଲ ଓ କଲେଜ ପାଠ୍ୟକ୍ରମରେ ଯୋଗକୁ ଅନ୍ତର୍ଭୁକ୍ତ କରିବା ସପକ୍ଷରେ ସେ ମତ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ସୋଆ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଯୋଗ ଦେଇ କହିଥିଲେ ଯେ ବର୍ତମାନ ସୁସ୍ଥ ଜୀବନଯାପନ କରିବା ଏକ ପ୍ରକାର ଆହ୍ୱାନ ହୋଇ ଉଠୁଥିବା ବେଳେ ସୁସ୍ଥତା ନିମନ୍ତେ ଯୋଗାଭ୍ୟାସ ଅତ୍ୟନ୍ତ ଆବଶ୍ୟକ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହିଶୁର ଠାରେ ଅଷ୍ଟମ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ସାମିଲ ହୋଇ ଯୋଗାଭ୍ୟାସର ଗୁରୁତ୍ୱ ଏବଂ ଚଳିତ ବର୍ଷର ପ୍ରସଙ୍ଗ “ମାନବତା ପାଇଁ ଯୋଗ” ସମ୍ବନ୍ଧରେ ବକ୍ତବ୍ୟ ରଖିବା ସହ ସେଠାରେ ଉପସ୍ଥିତ ଥିବା ସମସ୍ତଙ୍କ ସହ ଯୋଗାଭ୍ୟାସରେ ସାମିଲ ହୋଇଥିଲେ। ସୋଆରେ ଆୟୋଜିତ କାର୍ଯ୍ୟକ୍ରମର ପ୍ରାରମ୍ଭରୁ ପ୍ରଧାନମନ୍ତ୍ରୀଙ୍କର ଏହି କାର୍ଯ୍ୟକ୍ରମକୁ ଲାଇଭ୍ ଷ୍ଟ୍ରିମିଂ ଯୋଗେ ଛାତ୍ରଛାତ୍ରୀ ଦେଖିଥିଲେ। ଏଥି ସହିତ ସୋଆର ଯୋଗ ପ୍ରଶିକ୍ଷକ ଅଖିଳଚନ୍ଦ୍ର ରଣା ଛାତ୍ରଛାତ୍ରୀ ଓ ଉପସ୍ଥିତ ବିଶ୍ୱବିଦ୍ୟାଳୟର ବରିଷ୍ଠ ଅଧିକାରୀ ଓ କର୍ମକର୍ତ୍ତାମାନଙ୍କୁ ଯୋଗାଭ୍ୟାସ କରାଇଥିଲେ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏନ୍‌ଏସ୍‌ଏସ୍‌ର ଆଂଚଳିକ ନିର୍ଦ୍ଦେଶିକା ସରିତା ପଟେଲ ଓ ସୋଆ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌) ଡିନ୍ ପ୍ରଫେସର ବିଜୟ କୁମାର ସାହୁ ଉପସ୍ଥିତ ଥିଲେ।

ସୋଆ ଆଉଟ୍‌ରିଚ୍ ପ୍ରୋଗ୍ରାମର ନିର୍ଦ୍ଦେଶକ ତଥା ଏନ୍‌ଏସ୍‌ଏସ୍‌ର ସଂଯୋଜକ ପ୍ରଫେସର ନଚିକେତା କେ. ଶର୍ମା ସ୍ୱାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଦୀର୍ଘ ଦୁଇମାସ ଧରି ଜାରୀ ରହିଥିବା ଭର୍ଚୁଆଲ୍ ଯୋଗ ଶିବିର ସମ୍ପର୍କରେ ପ୍ରଫେସର ଶର୍ମା ବିସ୍ତୃତ ତଥ୍ୟ ରଖିଥିଲେ। କାର୍ଯ୍ୟକ୍ରମ ଶେଷରେ ଏନ୍‌ଏସ୍‌ଏସ୍‌ର ପ୍ରୋଗ୍ରାମ ଅଫିସର ତଥା ଆଇଏଏସ୍‌ର ପ୍ରଫେସର ସରୋଜ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ଏପ୍ରିଲ୍ ୨୧ ତାରିଖରୁ ଆରମ୍ଭ ହୋଇଥିବା ଏହି ୬୦ – ଦିନିଆ ଆଭାସୀ ଯୋଗ ଶିବିରକୁ ସୋଆ କୁଳପତି ପ୍ରଫେସର ମହାପାତ୍ର ଉଦ୍‌ଘାଟିତ କରିଥିଲେ। ପ୍ରତ୍ୟହ ସକାଳ ୬ଟାରୁ ଗୁଗୁଲ ମିଟ୍‌ରେ ଯୋଗ ଶିକ୍ଷକ ଅଖିଳଚନ୍ଦ୍ର ରଣାଙ୍କ ଦ୍ୱାରା ସାଧାରଣ ଯୋଗ ପ୍ରୋଟୋକଲ୍ ଜରିଆରେ ଅନୁଷ୍ଠିତ ହେଉଥିଲା। ଏଥିସହିତ ମେ ୧୪ ତାରିଖରେ ଆଇଟିଇଆର୍‌ରେ ଅନୁଷ୍ଠିତ ହୋଇଥିଲା “କାଉଂଟ ଡାଉନ ଟୁ ଯୋଗ ଦିବସ”। ଏଥିରେ ପ୍ରାୟ ୨୫୦ ଏନଏସ୍‌ଏସ୍ ସ୍ୱେଚ୍ଛାସେବୀ, ଫ୍ୟାକଲ୍ଟି ଯୋଗ ଦେଇ ଯୋଗାସନ ଓ ପ୍ରାଣାୟମ କରିଥିଲେ।

ଆଇଟିଇଆର ଏନଏସ୍‌ଏସ୍ ତରଫରୁ ଯୋଗ ଦିବସ ଉପଲକ୍ଷେ ଏକ ପ୍ରବନ୍ଧ ପ୍ର୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥିଲା। ଜୁନ୍ ୮ ତାରିଖରୁ ସକାଳ ୮ରୁ ୮.୪୫ ନିୟମିତ ଯୋଗାଭ୍ୟାସ ସହିତ ୮.୪୫ ରୁ ୮.୫୫ ପର୍ଯ୍ୟନ୍ତ “ଗୀତା ଉପରେ କଥାମୃତ ପ୍ରବଚନ ମାଳା” କୁଳପତି ପ୍ରଫେସର ମହାପାତ୍ରଙ୍କ ଦ୍ୱାରା ସମ୍ପାଦିତ ହୋଇଥିଲା। ଏଥିରେ ପ୍ରତିଦିନ ୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଭାଗ ନେଉଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଉରକେଲାରେ ଟିକା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଯୁବପିଢ଼ି: ଆଜି ୩,୮୦୦ ଜଣ ନେଲେ ସୁରକ୍ଷା କବଚ

ରାଉରକେଲା: ରାଉରକେଲା ସହରରେ ମଙ୍ଗଳବାର ଦିନ ୧୮ରୁ ୪୪ ବର୍ଷ ବର୍ଗର ବ୍ୟକ୍ତିଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯାଇଛି। ଏହି ଟିକା ନେବା ବେଳେ ଯୁବପିଢ଼ିଙ୍କ ମଧ୍ୟରେ ବିଶେଷ ଉତ୍ସାହ ଦେଖିବାକୁ ମିଳିଥିଲା। ଟିକାଦାନ କେନ୍ଦ୍ରରେ ଶୃଙ୍ଖଳିତ ବ୍ୟବସ୍ଥା ପାଇଁ ଅନେକ ହିତାଧିକାରୀ ସ୍ଥାନୀୟ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି। ବିଶେଷକରି କୋଭିଡ୍ ବିରୋଧରେ ଏହି ସୁରକ୍ଷା କବଚ ଲାଗି ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି।

ରାଉରକେଲା ପାଇଁ ରାଜ୍ୟ ସରକାରଙ୍କ କୋଟାରୁ ଟିକା ଆସିବା ସୂଚନା ମିଳିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଟିକାଦାନ ଲାଗି ନୂତନ ସୂଚୀ ପ୍ରସ୍ତୁତ କରାଯାଇଥିଲା। ଏଥିରେ ପ୍ରଥମ ଥର ପାଇଁ ୧୮ରୁ ୪୪ ବର୍ଷ ବର୍ଗ ପାଇଁ ଟିକା ଦେବାର ଘୋଷଣା କରାଯାଇଥିଲା। ଯେଉଁ ବ୍ୟକ୍ତିମାନେ ଅନଲାଇନ ପଞ୍ଜୀକରଣ କରି ସ୍ଲଟ୍ ପାଇଥିଲେ ସେମାନେ ନିର୍ଦ୍ଧାରିତ କେନ୍ଦ୍ରକୁ ଆସି ଟିକା ନେଇଛନ୍ତି।

କୋଭିଡ୍ ଟିକାଦାନ ପାଇଁ ରାଉରକେଲାରେ ୮ଟି କେନ୍ଦ୍ର କରାଯାଇଛି। ମଙ୍ଗଳବାର ଦିନ ମୋଟ ୩୮୦୦ ବ୍ୟକ୍ତିଙ୍କୁ ଟିକା ଦିଆଯାଇଛି। ପ୍ରତି କେନ୍ଦ୍ରରେ ୫୦୦ ଜଣଙ୍କୁ ଟିକା ଦେବା ପାଇଁ ପ୍ରଶାସନ ଲକ୍ଷ୍ୟ ରଖିଥିଲା। ଟିକାଦାନର ନୂତନ ସୂଚୀ ଅନୁଯାୟୀ ବର୍ତ୍ତମାନ ୧୮ରୁ ୪୪ ବର୍ଗର ବ୍ୟକ୍ତିଙ୍କୁ ମଙ୍ଗଳବାର, ଗୁରୁବାର ଓ ଶନିବାର ଟିକା ଦିଆଯାଉଛି। ସେହିପରି ୪୫ ପ୍ଲସ୍‌ଙ୍କ ପାଇଁ ବୁଧବାର, ଶୁକ୍ରବାର ଓ ସୋମବାର ଧାର୍ଯ୍ୟ କରାଯାଇଛି। ସେମାନଙ୍କୁ କେବଳ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଉଛି। ଏହି ବର୍ଗ ପାଇଁ ଆଗୁଅ । ପଞ୍ଜୀକରଣର ଆବଶ୍ୟକତା ନାହିଁ। ସେମାନେ ସିଧାସଳଖ ନିକଟସ୍ଥ ଟିକାକରଣ କେନ୍ଦ୍ରରେ ପହଞ୍ଚି ପଞ୍ଜୀକରଣ କରିବାକୁ ପ୍ରଶାସନ ସୂଚନା ଦେଇଛି।