Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱର ଠାରେ “ରାଜ୍ୟସ୍ତରୀୟ ଯୁବ ମହୋତ୍ସବ- ୨୦୨୩”ର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଆ ଯୁବ ସମାଜର ଆବଶ୍ୟକତା ହେଉଛି ସମ୍ମାନ ଓ ସ୍ୱାଭିମାନର ସହ ସ୍ୱାବଲମ୍ବୀ ହେବା ଏବଂ ଏହି ସ୍ୱାବଲମ୍ବୀ ହେବା ପାଇଁ ପରିଶ୍ରମ କରିବା ଦରକାର ବୋଲି ଶନିବାର ଭୁବନେଶ୍ୱର ଠାରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଏବଂ ନେହେରୁ ଯୁବ କେନ୍ଦ୍ର ସଂଗଠନ ଦ୍ୱାରା ଆୟୋଜିତ  “ରାଜ୍ୟସ୍ତରୀୟ ଯୁବ ମହୋତ୍ସବ – ୨୦୨୩”କୁ ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଯୁବଗୋଷ୍ଠୀଙ୍କ ଭାବନାକୁ ସଠିକ୍ ଦିଗରେ ପ୍ରେରିତ କରିବା ଏବଂ ସେମାନଙ୍କ ମଧ୍ୟରେ ସାଂସ୍କୃତିକ ବିବିଧତାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯୁବକମାନଙ୍କ ଉତ୍ସାହ, ସାହସ, ସୃଜନଶୀଳତା ସମାଜକୁ ଅନୁପ୍ରାଣିତ କରିବା ସହ ଦିଗଦର୍ଶନ ଦେଇଥାଏ। ଆମର ଜାତି, ସମାଜ, ଭାଷାକୁ ଅକ୍ଷୁର୍ଣ୍ଣ ରଖିବା ଭଳି ଭାବନା ଯୁବକଙ୍କ ମନରେ ତିଆରି କରିବାକୁ ପଡିବ। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନାରେ ଆରମ୍ଭ ହୋଇଥିବା ମାଇ ଭାରତ ସଂଗଠନ ବିକଶିତ ଭାରତର ନିର୍ମାଣରେ ଯୁବଶକ୍ତିଙ୍କ ଏକଜୁଟ କରିବାର ବଡ ସୁଯୋଗ ଦେଇଛି।

ଭାରତ @୨୦୪୭ କଥାବସ୍ତୁ ଉପରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଛାତ୍ରଛାତ୍ରୀ ଏବଂ ଯୁବକ ଯୁବତୀଙ୍କୁ ବିକଶିତ ଭାରତ ପାଇଁ ପଞ୍ଚ ପ୍ରଣର ସଂକଳ୍ପ ପାଠ କରାଇଥିଲେ କେନ୍ଦ୍ରମନ୍ତ୍ରୀ। ସେ କହିଛନ୍ତି ଯେ ଆଜିର ଯୁବପିଢିଙ୍କ କାନ୍ଧରେ ହିଁ ଦେଶ ଚରମ ବୈଭବକୁ ପହଞ୍ଚିବ। ଏଥିପାଇଁ ଆମକୁ ଦାସତ୍ୱ ଓ ବିଦେଶୀ ମାନସିକତାକୁ ଦୂର କରିବାକୁ ହେବ। ଦେଶର କଳା, ସଂସ୍କୃତି ଓ ପରମ୍ପରାକୁ ନେଇ ଗର୍ବ କରିବାକୁ ହେବ। ଦେଶର ଏକତା ଓ ଅଖଣ୍ଡତାକୁ ଯେଭଳି କ୍ଷତି ନପହଞ୍ଚିବ, ସେଥିପାଇଁ ଆଗଭର ହେବାକୁ ପଡିବ। ନାଗରିକ ଭାବେ କେବଳ ଅଧିକାର ନୁହେଁ ବରଂ ସମାଜର କର୍ତ୍ତବ୍ୟ ଓ ଦାୟିତ୍ୱ ନେବା ପାଇଁ ପଡିବ। ଦାୟିତ୍ୱ ନେଲେ ହିଁ ୧୦ ଜଣଙ୍କ ଅଧିକାର ସୁରକ୍ଷିତ ରହିବ। ଚାକିରି କରିବା ପାଇଁ ନୁହେଁ, ଚାକିରି ଦେବା ପାଇଁ ପ୍ରସ୍ତୁତ ହେବା ପାଇଁ ପଡ଼ିବ। ଏଥିପାଇଁ ନିଜ ନିଜ ଢଙ୍ଗରେ ଯୋଜନା କରିବା ସହ ବଡ ଭାବିବା ଓ ବଡ ସ୍ୱପ୍ନ ଦେଖିବା ଦରକାର। ପରିଶ୍ରମୀ ଓ ବୁଦ୍ଧିମତା ଓଡ଼ିଆ ପିଲାମାନେ ନିଜ ବିଷୟରେ ନୁହେଁ ବରଂ ପରିବାର ଓ ସମାଜ ପାଇଁ ଚିନ୍ତା କରିଥାଏ। ସାଧାରଣ ପରିବାରର ପିଲା ମାନେ ଏବେ ଅପାର ସମ୍ଭାବନାର ହିମାଳୟ ପର୍ବତର ଶିଖର ଛୁଇଁଛନ୍ତି।

ସାମାନ୍ୟ ଘର ପିଲାମାନେ ତଥା ବଲାଙ୍ଗୀରର ଓ୍ୱିଙ୍ଗ୍ କମାଣ୍ଡର ନିଖିଲ ରଥ ମିଶନ ‘ଗଗନଯାନ’ର ଅଂଶ ହୋଇଛନ୍ତି। ଓଡ଼ିଆ ବୈଜ୍ଞାନିକ ସୁସ୍ମିତା ମହାନ୍ତିଙ୍କ ନାଁ ଫୋର୍ବ୍ସ ପତ୍ରିକାରେ ସ୍ଥାନ ପାଇଛି। ଓଡ଼ିଆ ତଥା ଶ୍ରୀଜଗନ୍ନାଥ ସଂସ୍କୃତିକୁ ନେଇ ଗବେଷଣା କରୁଥିବା ପ୍ରତୀକ ପଟ୍ଟନାୟକ ହୁଅନ୍ତୁ ଉଦ୍ୟୋଗୀ ମିନୁଶ୍ରୀ ମଧୁସ୍ମିତା ହୁଅନ୍ତୁ କିମ୍ବା ଓ୍ୱିକିପଡିଆରେ ସମ୍ପାଦନା କରୁଥିବା ସଂଗ୍ରାମ ସେନାପତି ହୁଅନ୍ତୁ ସମସ୍ତେ ନିଜ ବଳରେ ଆଗକୁ ବଢିଛନ୍ତି। ଯାଜପୁର ଜିଲ୍ଲା କୋରେଇ ଅଞ୍ଚଳର ଦେବବ୍ରତ, ସ୍ମୃତିରଞ୍ଜନ, ରଶ୍ମିରଞ୍ଜନ, ଶୁଭକାନ୍ତ ଓ ଜ୍ଞାନରଞ୍ଜନ କରୋନା ସମୟରେ ଲୋକମାନେ କୋଭିଡ୍ ପରୀକ୍ଷା ନ କରୁନଥିବା ବେଳେ ଏହାର ସମାଧାନ ଚିନ୍ତା କରି ସେମାନେ ଏକ ଭିଡିଓ ତିଆରି କରି ସମାଜରେ ସଚେତନତା ସୃଷ୍ଟି କରିଥିଲେ।

୨୦୩୬ରେ ଓଡ଼ିଶା ଭାଷା ଭିତ୍ତିକ ରାଜ୍ୟ ଭାବେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ। ୨୦୪୭ ସୁଦ୍ଧା ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂରଣ କରିବ। ଆଗାମୀ ୨୦୩୬ ଓ ୨୦୪୭ ପାଇଁ ଗାଁରୁ ରାଜ୍ୟ ପର୍ଯ୍ୟନ୍ତ ମୋର ଦାୟିତ୍ୱ କଣ, ତା’ ଉପରେ ବିଚାର କରି ଯୁବବର୍ଗମାନେ କାର୍ଯ୍ୟ କରିବା ଆବଶ୍ୟକ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ରାଜ୍ୟସ୍ତରୀୟ ଯୁବ ମହୋତ୍ସବରେ ଚିତ୍ରାଙ୍କନ, କବିତା ଲେଖନୀ, ବକ୍ତୃତା ଏବଂ ସାଂସ୍କୃତିକ କାର୍ଯକ୍ରମ ବ୍ୟତିତ ମୋବାଇଲ ଫଟୋଗ୍ରାଫି ଭଳି ନୂଆ ପ୍ରତିଯୋଗିତା ଯୋଡାଯାଇଥିବାରୁ ଶ୍ରୀ ପ୍ରଧାନ ଖୁସିବ୍ୟକ୍ତ କରିଥିଲେ। ସେ କହିତିୱେ  ଓଡ଼ିଶାର କଳା, ସଂସ୍କୃତିର ଅପାର ପ୍ରୟୋଗଶାଳା, ଅପାର ଭଣ୍ଡାର। ରାଜ୍ୟସ୍ତରୀୟ ଯୁବ ମହୋତ୍ସବ ମାଧ୍ୟମରେ ଯେଉଁ ବିଜେତାମାନେ ଦିଲ୍ଲୀରେ ଜାତୀୟ ସ୍ତରରେ ଭାଗନେବେ,  ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି।

Categories
ଜୀବନ ଶୈଳୀ ବିଶେଷ ଖବର ସଂସ୍କୃତି

ବଦଳୁଥିବା ସମ୍ପର୍କର ପରିଭାଷା: ଲିଭ୍‌-ଇନ୍‌-ରିଲେସନ୍‌ସିପ୍‌

ଭୁବନେଶ୍ବର: ଲିଭ୍-ଇନ୍‌-ରିଲେସନ୍‌ସିପ୍‌କୁ ନେଇ ଆଜିର ଯୁବ ସମାଜ ବେଶ୍‌ ସକାରାତ୍ମକ। ରାଇଟ୍‌ ଟୁ ଲାଇଫ୍‌ରେ ସେମାନେ ସ୍ଵାଧୀନ ଭାବେ ନିଜ ଲାଇଫ୍‌ ସହ ବଞ୍ଚିବାରେ ମସ୍‌ଗୁଲ୍‌। ତେବେ ଭାରତ ପରି ଏକ ସଂସ୍କୃତିସମ୍ପନ୍ନ ଦେଶରେ ଏହି ସମ୍ପର୍କକୁ ନେଇ ଏବେବି ଦ୍ଵିଧା ରହିଛି। ପାରମ୍ପରିକ ବିଧିବ୍ୟବସ୍ଥା ତଥା ଆମ ଭାରତୀୟ ସାମାଜିକ ବ୍ୟବସ୍ଥା ଏହି ସମ୍ପର୍କକୁ ଏବେବି ଭିନ୍ନ ଚକ୍ଷୁରେ ଦେଖୁଛି। ଭାରତରେ ସମ୍ପର୍କକୁ ନେଇ ଏକ ଭିନ୍ନ ସଂଜ୍ଞା ନିରୂପଣ କରାଯାଇଥାଏ। ବିଶେଷକରି ପୁଅ ଝିଅର ସର୍ମ୍ପକକୁ ଏଠି ଏକ ମାପକାଠି ଭିତରେ ରଖାଯାଇଥାଏ।

ସୁପ୍ରିମ୍‌କୋର୍ଟଙ୍କ ଦ୍ଵାରା ଲିଭ୍-ଇନ୍‌-ରିଲେସନ୍‌ସିପ୍‌କୁ ଗ୍ରହଣ କରାଯିବା ପରେ ବି ଭାରତୀୟ ସମାଜରେ ଏହାକୁ ସଠିକ୍‌ ରୂପେ ଗ୍ରହଣ କରାଯାଇପାରୁନାହିଁ। ବର୍ତ୍ତମାନର ଯୁବପିଢି ଆଉ ସେ ପୁରୁଣାକାଳିଆ ସଂସ୍କୃତିକୁ ଅନ୍ଧ ଭାବେ ଆପଣେଇବାକୁ ଚାହେଁନାହିଁ। ଏବେର ଯୁବସମାଜ ଜଣକୁ ସଂପୂର୍ଣ୍ଣ ଆପଣେଇବା ଆଗରୁ ଉଭୟ ଉଭୟଙ୍କୁ ପରଖିବାକୁ ପସନ୍ଦ କରୁଛନ୍ତି। ତେବେ ଏହା ଏବେକାର ନିୟମ ନୁହେଁ। ଭାରତରେ ବହୁ ଆଦିବାସୀ ତଥା ଜନଜାତି ସମୁଦାୟରେ ଏହାର ପ୍ରଭାବ ବହୁଳ ଦେଖିବାକୁ ମିଳେ। ସେମାନେ ବିବାହ ପୂର୍ବରୁ ଉଭୟ ଉଭୟଙ୍କୁ ପସନ୍ଦ କରନ୍ତି ଓ ତା’ପରେ ନିଜର ଜୀବନସାଥୀ ବାଛନ୍ତି।  ତା ପରେ ସେମାନେ ତା’ ସହ ଜୀବନ ସାରା ରହି ପାରିବେ କି ନା ସେ ନେଇ ଆରାମରେ ନିଷ୍ପତ୍ତି ନିଅନ୍ତି ।

ତେବେ ଆଜିର ଏଇ ଲିଭ୍‌–ଇନ୍‌–ରିଲେସନ୍‌ସିପ୍‌ରେ ଆଇନତଃ ଏକାଠି ରହିବାର କୌଣସି କଣ୍ଟ୍ରାକ୍ଟରେ ଦସ୍ତଖତ ନ କରି ମଧ୍ୟ ଏକାଠି ରହି ଉଭୟ ଉଭୟଙ୍କୁ ଜାଣିବାର ସୁଯୋଗ ରହିଛି। ଏବଂ ଯଦି କୌଣସି କାରଣବଶତଃ ମନୋମାଳିନ୍ୟ ହୁଏ ଏବଂ ସମାଧାନର ବାଟ ନ ବାହାରେ ତେବେ ସେମାନେ କୋର୍ଟର ଦ୍ଵାରସ୍ଥ ନ ହୋଇ ସେମାନେ ସ୍ଵଇଚ୍ଛାରେ ପରସ୍ପରଠୁ ଅଲଗା ହୋଇ ରହିପାରିବେ। ଏଥିରେ କୌଣସି ପ୍ରକାରର ଧରାବନ୍ଧା ନିୟମ ନ ଥାଏ। କେହି କାହାର ସ୍ଵାଧୀନତା ଉପରେ ହସ୍ତକ୍ଷେପ କରନ୍ତି ନାହିଁ।

ସୁପ୍ରିମକୋର୍ଟରେ ଇନ୍ଦିରା ଶର୍ମା ବନାମ ଭି କେ ଭି ଶର୍ମା ମାମଲାରେ ଏଇ ଲିଭ ଇନ ରିଲେଶନସିପ୍‌କୁ ନେଇ ସୁପ୍ରିମ୍‌କୋର୍ଟ  ଏକାଠି ରହିବାର ସବୁଠୁ ସହଜ ସମ୍ପର୍କ ବୋଲି ଦର୍ଶାଯାଇଥିଲା। ବିବାହିତ ବ୍ୟକ୍ତି ଏବଂ ଜଣେ ଅବିବାହିତ ମହିଳାଙ୍କ ମଧ୍ୟରେ ସହାବସ୍ଥାନ ଏବଂ ଜଣେ ଅବିବାହିତ ବ୍ୟକ୍ତି ସହ ଜଣେ ବିବାହିତ ମହିଳାଙ୍କ ସହାବସ୍ଥାନକୁ ଯଦିଓ ଜଟିଳ ସମ୍ପର୍କର ଆାଖ୍ୟା ଦିଆଯାଇଛି ତଥାପି ଏନେଇ ସୁପ୍ରିମକୋର୍ଟ କୌଣସି ପ୍ରକାରର ଦଣ୍ଡବିଧାନର ପ୍ରାବଧାନ କରିନାହାନ୍ତି। ଜାଣିଶୁଣି ଜଣେ ଅବିବାହିତ ମହିଳା ଏବଂ ଜଣେ ବିବାହିତ ପୁରୁଷ ମଧ୍ୟରେ ସମ୍ପର୍କକୁ ନେଇ ଆଇନତଃ ଦଣ୍ଡବିଧାନ ପ୍ରଣୟନ କରାଯାଇଛି।

ତେବେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ନାରୀଟିଏ ଯେଉଁ ପ୍ରକାର ସମ୍ପର୍କରେ ଥାଉ ନା କାହିଁକି ଭାରତୀୟ କୋର୍ଟ ଅନୁଚ୍ଛେଦ ୧୨୫ ଅନୁଯାୟୀ  ନାରୀଙ୍କ ପାଇଁ ଭରଣପୋଷଣର ବ୍ୟବସ୍ଥା କରାଯାଇଛି ।  ସେହିପରି ନାରୀ ଯେଉଁ ସମ୍ପର୍କରେ ରହିଲେ ମଧ୍ୟ ଘରୋଇ ହିଂସା ଆଇନ ଲାଗୁ ହୋଇପାରିବାର ପ୍ରାବଧାନ ରହିଛି। ସେହିପରି ତାଙ୍କଠାରୁ ଜନ୍ମିତ ସନ୍ତାନ ମଧ୍ୟ ଆଇନତଃ ବୈଧ ଏବଂ ଦାୟିତ୍ଵ ଉଭୟ ନେବାକୁ ବାଧ୍ୟତାମୂଳକ କରିଛନ୍ତି କୋର୍ଟ।

ଆମେ ଆମ ସମ୍ପର୍କକୁ କିପରି ରଖିବା ତାହା ସମ୍ପୂର୍ଣ୍ଣ ଭାବରେ ଆମ ଉପରେ ନିର୍ଭର କରେ। ପ୍ରଚଳିତ ବିଧିବ୍ୟବସ୍ଥାରେ ସର୍ମ୍ପକକୁ ସ୍ଵୀକାର କରିବା ପାଇଁ ବାଧ୍ୟ କରାଯାଇଥାଏ। କିନ୍ତୁ ଏହି ଲିଭ୍‌-ଇନ୍‌-ରିଲେସନ୍‌ସିପ୍‌ରେ ସର୍ମ୍ପକ ପାଇଁ କୌଣସି ପ୍ରକାରର ବାଧ୍ୟବାଧ୍ୟକତା ନାହିଁ। ସମ୍ପର୍କ ସହ ନୈତିକତାକୁ ଆମେ ପ୍ରାଧାନ୍ୟ ଦେଇ ପାରିଲେ ଆମ ପାଇଁ ସବୁ ପ୍ରକାର ସମ୍ପର୍କ ସହଜମୟ ହୋଇପାରିବ।

ତେବେ ଲିଭ-ଇନ-ରିଲେଶନସିପରେ ଏକାଠି ରହିବାକୁ ହେଲେ ଏକ ବିସ୍ତୃତ ବୁଝାମଣାର ଆବଶ୍ୟକତା ରହିଛି, ଯାହା ଆମ ଭାରତରେ ପ୍ରାୟତଃ ଦେଖା ଯାଉନାହିଁ। ତଥାପି ସବୁ ସମ୍ପର୍କରେ କିଛି ସକାରାତ୍ମକ ଓ ନକରାତ୍ମକ ପ୍ରଭାବ ରହିଛି। ଯେହେତୁ ଆମର ଯୁବପିଢି ଏହାର ସକାରାତ୍ମକତାକୁ ଆପଣେଇବାକୁ ଆଗଭର ହେଉଛନ୍ତି ସେଥିପାଇଁ ସମାଜ ଏହାକୁ ଧୀରେଧୀରେ ଆପଣେଇ ନେବ ବୋଲି ଆଶା କରାଯାଉଛି।