Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କୋଭିଡ କଟକଣା ଭିତରେ ରାଜ୍ୟରୁ ସଂଗୃହିତ ହେଲା ୪ ଲକ୍ଷ ୨୫ ହଜାର ମେଟ୍ରିକ୍‌ ଟନ୍‌ ରବିଧାନ

ଭୁବନେଶ୍ୱର, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ପ୍ୟାକ୍ସ ଏବଂ ଲ୍ୟାମ୍ପସ୍‌ ଜରିଆରେ ରାଜ୍ୟର ୧୪ଟି ଜିଲ୍ଲାରୁ ଅଦ୍ୟାବଧି ୪ ଲକ୍ଷ ୨୫ ହଜାର ମେଟି୍ରକ୍‌ ଟନ୍‌ ରବିଧାନ ସଂଗ୍ରହ କରାଯାଇଛି । ସୋସାଇଟିଗୁଡ଼ିକରେ କୋଭିଡ୍‌ ନିୟମକୁ କଡ଼ାକଡ଼ି ଭାବେ ଅନୁପାଳନ କରି ରବିଧାନ ସଂଗ୍ରହ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏଥି ସହିତ ନାମ ପଂଜୀକରଣ କରିଥିବା ଚାଷୀମାନେ ଯେପରି ସହଜରେ ଓ ସୁବିଧାରେ ମଣ୍ଡିରେ ସେମାନଙ୍କ ଧାନ ବିକି୍ର କରିପାରିବେ ସେଥି ନିମନ୍ତେ ସମସ୍ତ ପଦକ୍ଷେପ ନେବା ପାଇଁ ପ୍ୟାକ୍ସ ଓ କ୍ଷେତ୍ର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।

ଚଳିତ ବର୍ଷ ରବିଧାନ ସଂଗ୍ରହ ପାଇଁ ମୋଟ ୨ ଲକ୍ଷ ୩୨ ହଜାର ୪୦୯ ଜଣ ଚାଷୀ ନାମ ପଂଜୀକରଣ କରିଥିଲେ । ତନ୍ମଧ୍ୟରୁ ଅଦ୍ୟାବଧି ୨ ଲକ୍ଷ ୨୦ ହଜାର ୨୪୩ ଜଣ ଚାଷୀଙ୍କର ଜମିଜମା ବାବଦ ତଥ୍ୟ, ବ୍ୟାଙ୍କ ଆକାଉଣ୍ଟ, ଆଧାର କାର୍ଡ଼, ଜଳସେଚିତ ଜମିର ପରିମାଣ ଇତ୍ୟାଦିର ଯାଞ୍ଚ ପ୍ରକ୍ରିୟା ସରିଛି । ଏଥି ମଧ୍ୟରୁ ଏ ପର୍ଯ୍ୟନ୍ତ ୬୩ ହଜାର ୮୨୭ ଜଣ ଚାଷୀଙ୍କଠାରୁ ମୋଟ ୪ ଲକ୍ଷ ୨୫ ହଜାର ମେଟି୍ରକ୍‌ ଟନ୍‌ ଧାନ କିଣାଯାଇଛି, ଯାହାର ମୂଲ୍ୟ ପ୍ରାୟ ୭୯୩ କୋଟି ଟଙ୍କା ।

ଚଳିତ ରବିରେ ଅଦ୍ୟାବଧି ରାଜ୍ୟର ୧୦୨୦ଟି ଧାନସଂଗ୍ରହ କେନ୍ଦ୍ର ମାଧ୍ୟମରେ ରବିଧାନ ସଂଗ୍ରହ କରାଯାଉଅଛି । ବାଲେଶ୍ୱର, ବରଗଡ଼, ବଲାଙ୍ଗୀର, ବୌଦ୍ଧ, କଟକ, ଝାରସୁଗୁଡ଼ା, କଳାହାଣ୍ଡି, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ପୁରୀ, ରାୟଗଡ଼ା, ସମ୍ବଲପୁର ଏବଂ ସୁବର୍ଣ୍ଣପୁର ଜିଲ୍ଲାରେ ଧାନସଂଗ୍ରହ କରାଯାଉଥିବାବେଳେ ଖୁବ୍‌ଶୀଘ୍ର ଅନ୍ୟ ତିନୋଟି ଜିଲ୍ଲା: କୋରାପୁଟ, ଖୋର୍ଦ୍ଧା ଓ ଯାଜପୁରରୁ ରବିଧାନ ସଂଗ୍ରହ କାର୍ଯ୍ୟ ଆରମ୍ଭ କରାଯିବ । ମଇ ମାସରୁ ଆରମ୍ଭ ହୋଇଥିବା ରବିଧାନ ସଂଗ୍ରହ କାର୍ଯ୍ୟ ଆସନ୍ତା ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଅଦ୍ୟାବଧି ଅଧିକ ଧାନସଂଗ୍ରହ ହୋଇଥିବା ଜିଲ୍ଲା ମଧ୍ୟରେ ବରଗଡ଼ ଜିଲ୍ଲାରେ ୨ ଲକ୍ଷ ୮ ହଜାର ୮୯ ମେଟି୍ରକ୍‌ ଟନ୍‌, ସୁବର୍ଣ୍ଣପୁରରେ ୮୧,୮୨୪ ମେଟି୍ରକ୍‌ ଟନ୍‌, ସମ୍ବଲପୁରରେ ୫୩,୬୩୦ ମେଟି୍ରକ୍‌ ଟନ ଓ କଳାହାଣ୍ଡି ଜିଲ୍ଲାରେ ୫୦,୬୧୦ ମେଟି୍ରକ୍‌ ଟନ୍‌ ଧାନସଂଗ୍ରହ କରାଯାଇଛି ।