Categories
ଆଜିର ଖବର ଜାତୀୟ ଖବର

ଏହି ରାଜ୍ୟରେ ଲାଗୁ ହେବ ‘ଟୁ ଚାଇଲ୍ଡ ପଲିସି’!: ଦୁଇରୁ ଅଧିକ ସନ୍ତାନ ରଖିଥିଲେ ଉପୁଜିବ ଏଭଳି ସମସ୍ୟା

ନୂଆଦିଲ୍ଲୀ: ଆସନ୍ତାକାଲି ହେଉଛି ଅନ୍ତରାଷ୍ଟ୍ରୀୟ ଜନସଂଖ୍ୟା ଦିବସ। ଏହି ଉପଲକ୍ଷେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟାନାଥ ଏକ ବଡ ଘୋଷଣା କରିପାରନ୍ତି। ଉତ୍ତରପ୍ରଦେଶରେ “ଟୁ ଚାଇଲ୍ଡ ପଲିସି” ର ଘୋଷଣା କରିପାରନ୍ତି। ତେଣୁ ଏଥିପାଇଁ ଉତ୍ତରପ୍ରଦେଶ ରାଜ୍ୟ ଆଇନ ଆୟୋଗ ଦ୍ଵାରା ପ୍ରସ୍ତାବିତ ଜନସଂଖ୍ୟା ନିୟନ୍ତ୍ରଣ ବିଧେୟକର ପ୍ରଥମ ଡ୍ରାଫ୍ଟ ଜାରି କରିଛନ୍ତି। ଏଥିରେ ଦୁଇରୁ ଅଧିକ ସନ୍ତାନ ରଖିଥିବା ବ୍ୟକ୍ତିଙ୍କୁ ସରକାରୀ ଚାକିରୀ ଏବଂ ସରକାରୀ ଯୋଜନାରୁ ବଞ୍ଚିତ ରଖିବାକୁ ନିର୍ଦ୍ଦେଶ ହୋଇଛି।

ଏହାସହିତ ସ୍ଥାନୀୟ ନିର୍ବାଚନ ଲଢିବା ପାଇଁ ମଧ୍ୟ ସୁଯୋଗ ମିଳିବ ନାହିଁ। ସରକାରୀ ଚାକିରୀ ପାଇଁ ଆବେଦନ କରିବା ଉପରେ ମଧ୍ୟ କଟକଣା ଲାଗିବ। ରାସନ କାର୍ଡରେ କେବଳ ୪ ଜଣ ସଦସ୍ୟଙ୍କୁ ରାସନ ମିଳିବା ପାଇଁ ପ୍ରବଧାନ ରହିବ। ଯେଉଁମାନେ ଦୁଇରୁ ଅଧିକ ସନ୍ତାନ ରଖିଛନ୍ତି, ସେମାନଙ୍କର ପଦୋନ୍ନତି ଲାଗିବା ନେଇ ଡ୍ରାଫ୍ଟରେ ଉଲ୍ଲେଖ ଅଛି।

ଡ୍ରାଫ୍ଟ ଅନୁଯାୟୀ, ଯଦି ରାଜ୍ୟରେ ଏହି ନିୟମ ଲାଗୁ ହୁଏ, ତେବେ ଏକ ବର୍ଷ ଭିତରେ ସରକାରୀ କର୍ମଚାରୀମାନେ, ସ୍ଥାନୀୟ ନିର୍ବାଚନରେ ନିର୍ବାଚିତ ପ୍ରତିନିଧୀମାନଙ୍କୁ ଏହାର ଶପଥ ପତ୍ର ଦେବାକୁ ପଡିବ। ସେମାନେ ସମସ୍ତେ ଦୁଇରୁ ଅଧିକ ସନ୍ତାନ ନକରିବା ପାଇଁ ଶପଥ ପତ୍ର ଦେବେ। ଯଦି ଏହାର ଉଲ୍ଲଂଘନ କରନ୍ତି, ତେବେ ସରକାରୀ କର୍ମଚାରୀଙ୍କ ପଦୋନ୍ନତି ବନ୍ଦ ହୋଇପାରେ ଏବଂ ନିର୍ବାଚିତ ପ୍ରତିନିଧିମାନଙ୍କ ପାଇଁ ନିର୍ବାଚନ ରଦ୍ଦ ହୋଇପାରେ।

ଅନୁରୂପ ଭାବେ, ଯେଉଁ ବ୍ୟକ୍ତି ଏହି ନିୟମର ପାଳନ କରନ୍ତି, ସେମାନଙ୍କୁ ଅନେକ ପ୍ରକାରର ସରକାରୀ ସୁବିଧା ଉପଲବ୍ଧ ହେବା ନେଇ ଡ୍ରାଫ୍ଟରେ ଉଲ୍ଲେଖ ଅଛି। ସେମାନଙ୍କୁ ରାଷ୍ଟ୍ରୀୟ ପେନସନ ଯୋଜନା ଅନୁଯାୟୀ ଚାକିରୀ ସମୟରେ ଅତିରିକ୍ତ ଦରମା ବୃଦ୍ଧି, ଜମି କିମ୍ବା ଘର କିଣିବା ପାଇଁ ସବସିଡି ବ୍ୟବସ୍ଥା ଇତ୍ୟାଦି କରାଯିବ ବୋଲି ଡ୍ରାଫ୍ଟରେ ଉଲ୍ଲେଖ ଅଛି।