Categories
ଆଜିର ଖବର ରାଜ୍ୟ ଖବର

ଗାଁ ଠୁ ସହର ପର୍ଯ୍ୟନ୍ତ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ବଢ଼ୁଛି ଜନଭାଗିଦାରୀ

ନୂଆଦିଲ୍ଲୀ: ବର୍ତ୍ତମାନ ସୁଦ୍ଧା ୬ କୋଟିରୁ ଅଧିକ ଲୋକଙ୍କ ଅଂଶଗ୍ରହଣ ସହ ସାରା ଦେଶରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନାର ସହିତ ଆଗେଇ ଚାଲିଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ନେଇ ଓଡ଼ିଶାରେ ମଧ୍ୟ ସାଧାରଣ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ଦେଖିବାକୁ ମିଳିଛି। ଓଡ଼ିଶାର ସହରାଞ୍ଚଳରେ ବିଭିନ୍ନ ୱାର୍ଡ ଏବଂ ଗ୍ରାମାଞ୍ଚଳର ପଞ୍ଚାୟତରେ ସଂକଳ୍ପଯାତ୍ରାର ସଚେତନତା ରଥକୁ ଭବ୍ୟ ସ୍ୱାଗତ କରାଯାଉଛି। ଖୁବଶୀଘ୍ର ଯାତ୍ରାରେ ଓଡ଼ିଶାର ୧ କୋଟିରୁ ଅଧିକ ଲୋକଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି। ଯାତ୍ରା ରହଣୀ ସ୍ଥଳରେ କେନ୍ଦ୍ର ସରକାରଙ୍କ ପ୍ରମୁଖ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଉଛି।

ଏଥିସହିତ ସରକାରୀ ଯୋଜନାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀଙ୍କର ପଞ୍ଜୀକରଣ ମଧ୍ୟ କରାଯାଉଛି। ଘର ପାଖରେ ସରକାରୀ ଯୋଜନାର ଲାଭ ପାଇବାର ସୁବିଧା ପହଞ୍ଚି ଥିବାରୁ ଓଡ଼ିଶାର ବିଭିନ୍ନ ପଞ୍ଚାୟତ ଓ ପୌରାଞ୍ଚଳ ୱାର୍ଡରେ ସ୍ଥାନୀୟ ମହିଳା ଓ ପୁରୁଷମାନେ ସଂକଳ୍ପ ଯାତ୍ରାର ସଚେତନତା ରଥକୁ ପାରମ୍ପରିକ ଢଙ୍ଗରେ, ଘଣ୍ଟଘଣ୍ଟା, ହୁଳହୁଳି ଓ ବାଦ୍ୟ ବଜାଇ ସ୍ୱାଗତ କରୁଥିବା ଦେଖାଯାଇଛି। କିଛି ସ୍ଥାନରେ ଲୋକମାନେ ଗାଁ ବାହାରକୁ କିଛି ଦୂର ପର୍ଯ୍ୟନ୍ତ ଯାଇ ସଂକଳ୍ପ ଯାତ୍ରାର ସଚେତନତା ରଥକୁ ପାଛୋଟି ଆଣୁଛନ୍ତି। ନିକଟରେ ଏହାର ଉଦାହରଣ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ତହସିଲ ଅନ୍ତର୍ଗତ ରାଲେଗଡ଼ା ପଞ୍ଚାୟତରେ। ପଞ୍ଚାୟତକୁ ଯିବା ପାଇଁ ଝୁଲା ପୋଲ ପାର ହେବାକୁ ପଡ଼ୁଥିବା କାରଣରୁ ବିକଶିତ ଭାରତ ସଂକଳ୍ପ ଯାତ୍ରା ରଥ ସେଠାକୁ ଯାଇପାରିନଥିଲା। ଏଥିପାଇଁ ସ୍ଥାନୀୟ ଲୋକ ଓ ମହିଳାମାନେ ୨ କିଲୋମିଟର ରାସ୍ତା ଅତିକ୍ରମ କରି ଆସି ସଂକଳ୍ପ ଯାତ୍ରା ଗାଡ଼ି ପାଖରେ ପହଞ୍ଚି ଥିଲେ।

ଅନ୍ୟପକ୍ଷରେ ରାଜ୍ୟର ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସଂକଳ୍ପ ଯାତ୍ରା ରଥ ପହଞ୍ଚିବା ପରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ସଚେତନତା ବାହନରେ ଲାଗିଥିବା ଏଲଇଡି ସ୍କ୍ରିନ୍‌ରେ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରସାରଣ କରାଯାଇ ଲୋକଙ୍କୁ ସଚେତନ କରାଯାଉଛି। ସ୍ଥାନୀୟ ଜନ ପ୍ରତିନିଧି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଆଶା, ଅଙ୍ଗନୱାଡ଼ି କର୍ମୀ, ବିଭିନ୍ନ ଯୋଜନାର ନୋଡାଲ ଅଧିକାରୀ, ବ୍ୟାଙ୍କ ଓ ଡାକ ବିଭାଗର କର୍ମଚାରୀ, ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ, କୃଷି ବିଭାଗ କର୍ମଚାରୀମାନେ ଯାତ୍ରା ରହଣୀ ସ୍ଥଳରେ ଉପସ୍ଥିତ ରହି ସାଧାରଣ ଲୋକଙ୍କୁ ସଚେତନ କରିବା ସହ ସେମାନଙ୍କୁ ସରକାରୀ ଯୋଜନାରେ ସାମିଲ କରୁଛନ୍ତି । ଘର ପାଖରେ ମୌଳିକ ସୁବିଧାସୁଯୋଗ ପାଇବାର ଅବସର ଜୁଟିଥିବାରୁ ଯାତ୍ରାରେ ଅଧିକରୁ ଅଧିକ ଲୋକଙ୍କ ଭାଗିଦାରୀ ଦେଖିବାକୁ ମିଳୁଛି । ସଂକଳ୍ପ ଯାତ୍ରାର ସଚେତନତା ରଥ ଗୋଟିଏ ପଞ୍ଚାୟତରୁ ଅନ୍ୟ ପଞ୍ଚାୟତକୁ ଯିବା ସହିତ କେନ୍ଦ୍ର ସରକାରଙ୍କ ପିଏମ ଆବାସ, ଉଜ୍ଜ୍ୱଳା, ବୀମା ଯୋଜନା, ଗରିବ କଲ୍ୟାଣ ଅନ୍ନ ଯୋଜନା, କୃଷି ବିଭାଗ, ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ପ୍ରମୁଖ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରୁଛି । ଯାତ୍ରା ରହଣୀ ସ୍ଥଳରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆୟୋଜିତ ଶିବିରରେ ଲୋକମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ଯକ୍ଷ୍ମା, ମଧୁମେହ, ଉଚ୍ଚରକ୍ତଚାପ, ସିକଲ୍‌ ସେଲ୍‌ ଏନିମିଆ ଭଳି ରୋଗ ପାଇଁ ଆବଶ୍ୟକ ଚିକିତ୍ସା ପରାମର୍ଶ ଦିଆଯାଉଛି । ଆବଶ୍ୟକ ସ୍ଥଳେ ଲକ୍ଷଣଯୁକ୍ତ ରୋଗୀଙ୍କୁ ଉଚ୍ଚତର ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଉଛି । ଏହି ସ୍ୱାସ୍ଥ୍ୟ ଶିବିରରେ ମଧ୍ୟ ବହୁ ସଂଖ୍ୟାରେ ଲୋକ ଅଂଶଗ୍ରହଣ କରିବା ସହ ସ୍ୱାସ୍ଥ୍ୟ କ୍ଷେତ୍ରର ଯୋଜନାର ସୁବିଧା ପାଇବା ଲାଗି ନିଜର ପଞ୍ଜୀକରଣ କରାଉଛନ୍ତି । ଡାକ ବିଭାଗ ଓ ବ୍ୟାଙ୍କ ପକ୍ଷରୁ ମିଳୁଥିବା ସଞ୍ଚୟ ଓ ବୀମା ଯୋଜନା ସମ୍ପର୍କରେ ଲୋକମାନେ ଅବଗତ ହେଉଥିବା ମଧ୍ୟ ଦେଖାଯାଇଛି । ମାତୃ ଓ ଶିଶୁ ବିକାଶ ଯୋଜନା, ପୋଷଣ ଯୋଜନା ଆଦି ସହ ଜଡ଼ିତ ଖାଦ୍ୟ ପ୍ରଦର୍ଶନୀ ମଧ୍ୟ ଆୟୋଜନ କରାଯାଉଛି । ସାଧାରଣ ହିତାଧିକାରୀମାନେ ସେମାନଙ୍କର ଅନୁଭୂତି ପ୍ରକାଶ କରୁଛନ୍ତି । କିଛି ସ୍ଥାନରେ ସାଂସ୍କୃତିକ କାର୍ଯକ୍ରମ ପରିବେଷଣ ମଧ୍ୟ କରାଯାଉଛି । ଏଥିସହିତ ବିକଶିତ ଭାରତ ଗଠନ ପାଇଁ ସଂକଳ୍ପ ଶପଥ ପାଠ ମଧ୍ୟ କରାଯାଉଛି । ଏଥିରେ ବିପୁଳ ଜନଭାଗିଦାରୀ ଦେଖିବାକୁ ମିଳୁଛି ।

Categories
ଆଜିର ଖବର ରାଜ୍ୟ ଖବର

ଗୋପାଳପୁର ଗ୍ରାମପଞ୍ଚାୟତରେ ତାଲା ପକାଇ ଧାରଣା ବସିଲେ ଯୋଗ୍ୟ ହିତାଧିକାରୀ

ରଣପୁର: ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଗୋପାଳପୁର ଗ୍ରାମପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କ ନାମ ନଥିବାରୁ ଅସନ୍ତୋଷର ବାତାବରଣ ଖେଳି ଯାଇଛି। କିଛି ଦିନ ତଳେ ନୟାଗଡ ଜିଲ୍ଲା ରଣପୁର ବ୍ଲକର ବିଭିନ୍ନ ପଞ୍ଚାୟତର ଯୋଗ୍ୟ ହିତାଧିକାରୀ ମାନଙ୍କ ନାମ ତାଲିକାରେ ନଥିବାରୁ ବ୍ଲକ ପରିସରରେ ଧାରଣାରେ ବସିଥିଲେ।

ଆଜି ରଣପୁର ବ୍ଲକର ଗୋପାଳପୁର ଗ୍ରାମପଞ୍ଚାୟତରେ ଯୋଗ୍ୟ ହିତାଧିକାରୀମାନେ ମେଳି ହୋଇ ଗୋପାଳପୁର ଗ୍ରାମ ପଞ୍ଚାୟତରେ ତାଲା ପକାଇବା ସହ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଭେଟି ଗୋପାଳପୁର ସରପଞ୍ଚଙ୍କୁ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଇଛନ୍ତି। ଗୋପାଳପୁର ଗ୍ରାମପଞ୍ଚାୟତ ପୁରୁଷ ମହିଳାମାନେ ଧାରଣା ବସିଥିଲେ। ପ୍ରାୟ ୪୫୦ ଜଣ ଯୋଗ୍ୟ ହିତାଧିକାରୀଙ୍କ ନାମ ଥିବା ସ୍ଥଳେ ୧୫୮ ଜଣଙ୍କ ନାମ ତାଲିକାରେ ଆସିଛି ଏବଂ ଯେଉଁ ମାନଙ୍କର ନାମ ତାଲିକାରେ ନାହିଁ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଯେଉଁ ମାନଙ୍କ ନାମ ତାଲିକାରେ ନାହିଁ, ସେମାନେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ସେମାନଙ୍କ ନାମକୁ ସରକାରୀ ସ୍ତରରେ ଯାଞ୍ଚ କରାଯାଇ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରକାଶ କରନ୍ତୁ ବୋଲି ଗ୍ରାମବାସୀମାନେ ଦାବି କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରଣପୁର ବ୍ଲକ କାର୍ଯ୍ୟାଳୟକୁ ଘେରିଲେ ଶହ ଶହ ସଂଖ୍ୟକ ହିତାଧିକାରୀ

ରଣପୁର: ଗତକାଲି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସମ୍ଭବ୍ୟ ତାଲିକା ପ୍ରକାଶ ପାଇବା ପରେ କିଛି ଯୋଗ୍ୟ ହିତାଧିକାରୀ ସେଥିରୁ ବାଦ ପଡ଼ିଥିବା ଦେଖିବାକୁ ମିଳିଥିଲା। ଯାହାକୁ ନେଇ ଆଜି ନୟାଗଡ ଜ଼ିଲ୍ଲା ରଣପୁର ବ୍ଲକର ବଳଭଦ୍ର ପୁର, ବାଉଁଶ ଗଡ଼, ତାଳକଣି, ଖତିଆ, ଦର୍ପନାରାୟଣ ପୁର ଓ ନରସିଂହ ପୁର ଗ୍ରାମ ପଞ୍ଚାୟତର ଶହ ଶହ ସଂଖ୍ୟକ ଯୋଗ୍ୟ ହିତାଧିକାରୀ ରଣପୁର ବ୍ଲକ ସମୁଖରେ ଧାରଣାରେ ବସିବା ସହ ପ୍ରତିବାଦ କରିଥିଲେ।

ତେବେ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଆବାସ ଯୋଜନାରୁ ବଞ୍ଚିତ ହିତାଧିକାରୀମାନଙ୍କୁ ରଣପୁର ବିଡ଼ିଓ ବୁଝାସୁଝା କରିଵା ସହ ଖୁବ ଶୀଘ୍ର ସେମାନଙ୍କ ନାମ ଆବାସ ଯୋଜନାରେ ସାମିଲ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି।

ତେବେ ଘଟଣା ସ୍ଥଳରେ ବିଜେପିର ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ ବ୍ଲକ ପରିସରରେ ପହଞ୍ଚି ହିତାଧିକାରୀମାନଙ୍କ ସହ ଆଲୋଚନା କରିବା ସହ ତୁରନ୍ତ କିପରି ଯୋଗ୍ୟ ହିତାଧିକାରୀ ମାନେ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ ସେ ସମ୍ପର୍କରେ ରଣପୁର ବିଡ଼ିଓଙ୍କ ସହ ଆଲୋକପାତ କରିଥିଲେ।

ରଣପୁର ବ୍ଲକରେ ମୋଟ ୬୨୬୨ ଜଣ ଯୋଗ୍ୟ ହିତାଧିକାରୀ ଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୩୮୨୫ ଜଣ ହିତାଧିକାରୀଙ୍କ ନାମ ଆସିଥିବା ବେଳେ ଖୁବଶୀଘ୍ର ଅନ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରେ ସାମିଲ କରାଯିବ ବୋଲି ରଣପୁର ବିଡ଼ିଓ ଜ୍ୟୋତି ପ୍ରକାଶ ସେଠି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଖୁବ ଶୀଘ୍ର ପିଏମ ଆବାସ ଯୋଜନାରେ ଓଡ଼ିଶାର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଘର: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଖୁବ ଶୀଘ୍ର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାର ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ବାଟ ଫିଟିଛି ବୋଲି ଗୁରୁବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ଓ ରାଜ୍ୟର ବିଭାଗୀୟ ମନ୍ତ୍ରୀଙ୍କ ସହ ଏ ସମ୍ପର୍କୀତ ଏକ ବୈଠକରେ ଯୋଗ ଦେବା ପରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏହି ବୈଠକରେ କେନ୍ଦ୍ର ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂହ, ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଏବଂ ବିଭାଗୀୟ ମନ୍ତ୍ରଣାଳୟର କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକ ପରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଶାରେ କ୍ରିୟାନ୍ୱୟନ ହେଉଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିପରି ଭାବରେ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରିବ ସେ ଦିଗରେ ଆଲୋଚନା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ସବୁ ଗରିବଙ୍କ ମୁଣ୍ଡ ଉପରେ ସମ୍ମାନର ସହ ପକ୍କା ଘର ପ୍ରଦାନ କରିବାର ଲକ୍ଷ୍ୟ ରଖିଛନ୍ତି। ୨୦୨୨-୨୩ ଆର୍ଥିକ ବର୍ଷରେ ଭାରତ ସରକାର ପିଏମ୍ ଗ୍ରାମୀଣ ଓ ସହରୀ ଆବାସ ଯୋଜନା ପାଇଁ ୪୮ ହଜାର କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ସେଥିମଧ୍ୟରୁ ଓଡ଼ିଶାର ଭାଗ ରହିଛି ପ୍ରାୟ ୭ ହଜାର କୋଟି ଟଙ୍କା। ଏଥିପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସେ କହିଛନ୍ତି ପିଏମ ଆବାସ ଯୋଜନା ପୋର୍ଟାଲରେ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ପ୍ରାୟ ୮ ଲକ୍ଷ ଘର ଯୋଡ଼ାଯିବ। ଏହା ବ୍ୟତିତ ଫନୀରେ କ୍ଷତିଗ୍ରସ୍ତ ଅଞ୍ଚଳ ପାଇଁ ଲକ୍ଷାଧିକ ଘର ପ୍ରଦାନ କରାଯିବ। ଏସବୁକୁ ମିଶାଇଲେ ଆଗାମୀ ଦିନରେ ଓଡ଼ିଶାରେ ପ୍ରାୟ ୧୦ ଲକ୍ଷ ଘର ନିର୍ମାଣ କରାଯିବାର ଯୋଜନା ରହିଛି । ସେହିପରି ଭୂମିହୀନଙ୍କୁ ପକ୍କା ଘର ଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ବିଶେଷ ପ୍ରାଥମିକତା ଦେଉଛନ୍ତି। ପିଏମ୍ ଆବାସ୍ ଯୋଜନାରେ ଉଭୟ ଗାଁ ଓ ସହର ପାଇଁ ଅଧିକରୁ ଅଧିକ ଘର ନିର୍ମାଣ ପାଇଁ ଅର୍ଥ ମିଳିଲେ ରାଜ୍ୟର ଗରିବ, ପଛୁଆ ଓ ଆଦିବାସୀ ଅଞ୍ଚଳର ଅଧିବାସୀମାନେ ଉପକୃତ ହେବେ।

୨୦୧୮ରେ ଆବାସ ପ୍ଲସ ପୋର୍ଟାଲ ଖୋଳାଯାଇଥିବା ବେଳେ ରାଜ୍ୟ ସରକାର ଯୋଗ୍ୟ ହିତାଧିକାରୀଙ୍କ ସଠିକ୍ ତାଲିକା ପ୍ରଦାନ କରିପାରିନଥିଲେ। ପରବର୍ତ୍ତୀ ସମୟରେ ଓଡ଼ିଶାରେ ଫୋନୀ ବାତ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ତା’ ପରେ ମଧ୍ୟ ରାଜ୍ୟ ସରକାରଙ୍କୁ ଦିଆଯାଇଥିବା ତାଲିକାରେ ତ୍ରୁଟି ଦେଖାଯିବା ସହ ଘର ନିର୍ମାଣରେ ଅନିୟମିତତା ଅଭିଯୋଗ ଆସିଥିଲା। ଭାରତ ସରକାର ମଧ୍ୟ ଏ ଦିଗରେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଥିଲେ। ଆଜି ଏ ସବୁ ବିଷୟକୁ ନେଇ ବୈଠକରେ ବିସ୍ତୁତ ଆଲୋଚନା କରାଯାଇଛି। ଭାରତ ସରକାର ଟଙ୍କା ପଠାଉଥିଲେ ମଧ୍ୟ ପିଏମ ଘର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରୁନାହିଁ। ଆବାସ ପ୍ଲସ ପୋର୍ଟାଲରେ ଓଡ଼ିଶା ସରକାରଙ୍କ ବିଭାଗୀୟ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ନିଜସ୍ୱ ଜିଲ୍ଲାରେ କୌଣସି ଗୃହ ଆବଣ୍ଟନ କରାଯାଇନାହିଁ। ପିଏମ ଆବାସ ଯୋଜନା ଅନ୍ତର୍ଗତ ନାମାଙ୍କନ ପ୍ରକ୍ରିୟା ଠାରୁ ଆରମ୍ଭ କରି ଯୋଗ୍ୟ ହିତାଧିକାରୀ ଚୟନ, ଅନ୍ୟାନ୍ୟ ଅନୁଷଙ୍ଗିକ ପ୍ରକ୍ରିୟା ତଥା ସ୍ୱଚ୍ଛ ଓ ପାରଦର୍ଶୀ ଉପାୟରେ ଏହି ଯୋଜନାର କ୍ରିୟାନ୍ୱୟନ ସହ ଅଧା ନିର୍ମାଣ ହୋଇ ପଡ଼ି ରହିଥିବା ଘରକୁ ଶୀଘ୍ର ସମ୍ପୂର୍ଣ୍ଣ କରିବା ଦିଗରେ ଅନୁଷ୍ଠିତ ବୈଠକ ଫଳପ୍ରଦ ହୋଇଛି।

ଅପରପକ୍ଷରେ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂହ ରାଜ୍ୟ ସରକାରଙ୍କୁ ସ୍ୱଚ୍ଛତାର ସହ ହିତାଧିକାରୀ ଚୟନ କରିବା, ଆବାସ ପ୍ଲସ ପୋର୍ଟାଲରେ ସଠିକ୍ ତଥ୍ୟ ପ୍ରଦାନ କରିବା, ଯୋଜନାର ତଦାରଖ ଏବଂ ଅନିୟମିତତାରେ ସମ୍ପୃକ୍ତ ଥିବା ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେବଳ ଭାରତ ସରକାରଙ୍କ ଲୋଗୋ ଲଗାଇବା ପାଇଁ ପରାମର୍ଶ ଦେଇଛନ୍ତି।

ଉଲ୍ଲେଖନୀୟ ଯେ, ଗତ ୫ ତାରିଖରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆବାସ ପ୍ଲସ ଓ୍ୱିଣ୍ଡୋ ଖୋଲାଯାଇ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ଓଡ଼ିଶାକୁ ସୁଯୋଗ ଦେବାକୁ ମନ୍ତ୍ରୀ ଗିରିରାଜ ସିଂହଙ୍କୁ ଭେଟି ଏ ସମ୍ପର୍କୀତ ଏକ ଚିଠି ପ୍ରଦାନ କରିବା ସହ ଅନୁରୋଧ କରିଥିଲେ।

Categories
ଆଞ୍ଚଳିକ

ତୁମୁରାପୁଟ ପଞ୍ଚାୟତରେ ଅଫିସର ରାଜ: ମଧୁବାବୁ ପେନସନ ଯୋଜନାରୁ ବଞ୍ଚିତ ଅନେକ ଯୋଗ୍ୟ ହିତାଧିକାରୀ

ସୀତାରାମ ଅଗ୍ରୱାଲ

ବାଣପୁର: ଦେଶ ସ୍ୱାଧୀନ ହେବାର ୭୩ ବର୍ଷ ବିତିଗଲାଣି କିନ୍ତୁ ଆଜି ବି ଏପରି ଗରିବ ଅସହାୟ ବ୍ୟକ୍ତିମାନେ ଅଛନ୍ତି ଯେଉଁମାନେ କି ସରକାରୀ କର୍ମଚାରୀଙ୍କ ଆକ୍ରୋଶର ଶିକାର ହୋଇ ନିଜ ଅଧିକାର ପାଇବାରୁ ବଞ୍ଚିତ ହେଉଛନ୍ତି। ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ତୁମୁରାପୁଟ ଗ୍ରାମ ପଞ୍ଚାୟତରେଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ଉକ୍ତ ପଞ୍ଚାୟତର ପାଖାପାଖି ୧୫ ଜଣ ବୟସ୍କ ବ୍ୟକ୍ତି ମଧୁବାବୁ ପେନସନ ଯୋଜନାରୁ ଆଜି ପର୍ଯ୍ୟନ୍ତ ବଞ୍ଚିତ ଥିବାବେଳେ ଆଜି ପୂର୍ବାହ୍ନରେ ସମସ୍ତେ ବାଣପୁର ବି.ଡ଼ି.ଓ ଙ୍କୁ ଏ ବିଷୟ ନେଇ ଲିଖିତ ଅଭିଯୋଗ ଜଣାଇଛନ୍ତି।

ଅଭିଯୋଗ ଅନୁଯାୟୀ, ସେମାନେ ବିଗତ ଦୁଇ ବର୍ଷରୁ ଉର୍ଦ୍ଧ୍ଵ ହେଲାଣି ବାରମ୍ବାର ମଧୁବାବୁ ପେନସନ ଯୋଜନା ପାଇଁ ଫର୍ମ ଆବେଦନ କରୁଛନ୍ତି। ଏପରିକି କରୋନା କାଳରେ ମଧ୍ୟ ଅନଲାଇନରେ ପୁଣି ଫର୍ମ ଆବେଦନ କରିଛନ୍ତି। ଏବଂ ତାହାର ଏକକିତା ନକଲ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦେବାର ମାସ ମାସ ବିତିଯାଇଥିଲେ ମଧ୍ୟ ସେ ଜାଣିଶୁଣି ଫର୍ମ ଗୁଡିକୁ ପକାଇ ରଖୁଛନ୍ତି। ଏଠି ପ୍ରଶ୍ନ ଉଠୁଛି ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ କାହା ଇଙ୍ଗିତରେ କାମ କରୁଛନ୍ତି? କଣ ପାଈଁ ଯୋଗ୍ୟ ଗରିବ ହିତାଧିକାରୀଙ୍କୁ ସେମାନଙ୍କ ହକରୁ ବଞ୍ଚିତ ରଖୁଛନ୍ତି? ଅନୁରୂପ ଭାବେ ଅଭିଯୋଗକାରିଗଣ ମାନେ ସରପଞ୍ଚଙ୍କ ନାମରେ ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି।

ତେବେ ଏ ନେଇ ବାଣପୁର ବି.ଡ଼ି.ଓ ଶୁଭଶ୍ରୀ ତ୍ରିପାଠୀଙ୍କ ସହ ଯୋଗାଯୋଗ କରିବାରୁ ସେ ଗ୍ରାମବାସୀଙ୍କ ଠୁ ଆଜି ଉକ୍ତ ଅଭିଯୋଗ ପତ୍ର ଗ୍ରହଣ କରିବା ସହ ସଙ୍ଗେ ସଙ୍ଗେ ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଯେତେ ଶୀଘ୍ର ହେବ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ସେମାନଙ୍କ ଭତ୍ତା ପ୍ରଦାନ କରିବା ଦିଗରେ ଯଥାସମ୍ଭବ ଚେଷ୍ଟା କରିବେ ବୋଲି ବି.ଡ଼ି.ଓ କହିଛନ୍ତି। ଯଦି ପଞ୍ଚାୟତ ଅଧିକାରୀ ଆକ୍ରୋଶମୂଳକ ଭାବେ ଭତ୍ତା କରେଇଦେଉନଥିବେ ତେବେ ମାନନୀୟା ବି.ଡ଼ି.ଓ ତାଙ୍କ ଉପରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ଦେଖିବା ବାକି ରହିଲା।