ପ୍ରଦୀପ ସେନାପତି
ଭୁବନେଶ୍ବର: ମୁକ୍ତ ଓ ସ୍ୱଚ୍ଛ ନିର୍ବାଚନ, ମୌଳିକ ଅଧିକାର ଓ ସ୍ୱାଧୀନ ନ୍ୟାୟ ବ୍ୟବସ୍ଥା, ଗଣମାଧ୍ୟମ ଆଜି ଭଳି ଭାରତୀୟ ସମ୍ବିଧାନର ମୌଳିକ ଭିତ୍ତିଭୂମି ଉପରେ ବର୍ତ୍ତମାନ ଅତର୍କିତ ଓ ଯୋଜନାବଦ୍ଧ ଆକ୍ରମଣ ଯୋଗୁ ଦେଶର ଗଣତନ୍ତ୍ର ଆଜି ବନ୍ଦୀ ସଦୃଶ ପ୍ରତୀୟମାନ ହେଉଛି।
କୋଭିଡ଼ ଭଳି ବିଶ୍ୱ ମହାମାରୀ ସମୟରେ ସାହାଯ୍ୟ ଭିକ୍ଷା କରୁଥିବା ଲୋକଙ୍କ ବିରୋଧରେ ରାଜଦ୍ରୋହ ମାମଲା ରୁଜୁ ହେଉଛି। ମହାମାରୀକୁ ପ୍ରତିହତ କରିବାରେ ସରକାର ବ୍ୟବସ୍ଥା ଓ କର୍ତ୍ତୃପକ୍ଷଙ୍କ ଅସଫଳତା ଆଦିକୁ ପ୍ରଚାର ପ୍ରସାର କରୁଥିବା ଖବରକାଗଜ ଓ ସାମାଜିକ ଗଣମାଧ୍ୟମ ସଂସ୍ଥା ଗୁଡ଼ିକ ଉପରେ ପ୍ରତିବନ୍ଧକ ଲଗାଯାଉଛି। ଫଳରେ ଏହା ଗଣତାନ୍ତ୍ରିକ ମୂଲ୍ୟବୋଧ ବ୍ୟବସ୍ଥାକୁ ଆହୁରି ଦୁର୍ବଳ କରୁଛି। ସାରା ବିଶ୍ୱ ଦରବାରରେ ଭାରତ ଧୀରେ ଧୀରେ ଦୃଷ୍ଟି ଆଢୁଆଳକୁ ଚାଲିଯାଉଛି। ଯାହାକି ଅତ୍ୟନ୍ତ ଚିନ୍ତାଜନକ। ୨୦୨୦ ମସିହା ବିଶ୍ୱ ଶାସନ ବ୍ୟବସ୍ଥା ମାନଙ୍କରେ ୧୨୮ରୁ ଭାରତ ୨୯ତମ ସ୍ଥାନରେ ରହିଛି। ସେହିଭଳି ଭି. ତେଲ ଇନ୍ଷ୍ଟିଚ୍ୟୁଟ ଦ୍ୱାରା କରାଯାଇଥିବା ଗଣତାନ୍ତ୍ରିକ ଉଦାରତା ସିଦ୍ଧାନ୍ତ ମାନଙ୍କରେ ଭାରତ ୨୦୨୦ ମସିହାରେ ୦.୫୭ ପଏଣଣ୍ଟରୁ ଖସି ୦.୩୪ ପଏଣ୍ଟରେ ପହଞ୍ଚିଛି ଯାହାକି ଏହି ମାନଙ୍କରେ ସର୍ବାଧିକ ହ୍ରାସ। ‘ଦ୍ରି ଫ୍ରିଡ଼ମ ଅଫ ହାଉସ ରିପୋର୍ଟ-୨୦୨୧’ରେ ଏହିସବୁ କାରଣ ଯୋଗୁଁ ଭାରତ ଆଂଶିକ ଭାବେ ସ୍ୱାଧୀନ ବୋଲି ଦର୍ଶାଯାଇଛି। ୨୦୨୦ ମସିହା ଦି ହ୍ୟୁମାନ ଫ୍ରିଡ଼ମ ଇଣ୍ଡେକ୍ଟରେ ଭାରତ ୧୬୨ରୁ ୧୧୧ତମ ସ୍ଥାନରେ ରହିଛି। ସେହିଭଳି ୱାଲର୍ଡ଼ ପ୍ରେସ୍ ଫ୍ରିଡମ ୨୦୨୧ରେ ଭାରତକୁ ୧୮୦ରୁ ୧୪୨ତମ ସ୍ଥାନରେ ରହିଛି।
ମହାମାରୀ ସମୟରେ ଜଣେ ଲୋକ ନିଜ ଜେଜେବାପାଙ୍କ ପାଇଁ ଅମ୍ଲଜାନ ଆବଶ୍ୟକ ଥିବା ଟୁଇଟ କରିବା ଯୋଗୁଁ ତାଙ୍କ ବିରୋଧରେ ରାଜଦ୍ରୋହ ମାମଲା ରୁଜୁ ହେବା କେତେଦୂର ସମିଚୀନ? ହାଥରସ୍ରେ ହୋଇଥିବା ଗଣଦୁଷ୍କର୍ମ ମାମଲାରେ ପ୍ରତିବାଦ କରି ଅନ୍ଦୋଳନ କରିଥିବା ବିକ୍ଷୋଭକାରୀଙ୍କ ମଧ୍ୟରୁ ୨୨ଜଣଙ୍କ ବିରୋଧରେ ରାଜଦ୍ରୋହ ମାମଲା ରୁଜୁ କରାଯାଇଛି। କାଶ୍ମୀରରେ ୨୧୩ଦିନ ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ବନ୍ଦ ରଖିବା ଏବଂ ସରକାରୀ ବିଧି ବ୍ୟବସ୍ଥାକୁ ଅଙ୍ଗୁଳି ନିର୍ଦ୍ଦେଶ କରି ବିଭିନ୍ନ ଗଣମାଧ୍ୟମରେ କରାଯାଇଥିବା ପୋଷ୍ଟଗୁଡ଼ିକ ପାଇଁ ୫୨ଟି ନୋଟିସ୍ ଜାରି କରାଯାଇଛି, ଯାହାକି ଆଦୌ ଠିକ୍ ନୁହେଁ। ଏହି ସମସ୍ତ ପ୍ରୟାସ କେବଳ ବାକ୍ ସ୍ୱାଧୀନତା ଉପରେ ଅଙ୍କୁଶ ଲଗାଇବା ଛଡ଼ା ଆଉ କିଛି ନୁହେଁ ବୋଲି ମୋର ମତ।
ସେହିପରି ଗଣତାନ୍ତ୍ରିକ ବ୍ୟବସ୍ଥାରେ ନ୍ୟାୟ ବ୍ୟବସ୍ଥାକୁ ପ୍ରଥମେ ସଜାଡ଼ିବାକୁ ପଡ଼ିବ। କେତେକ କ୍ଷେତ୍ରରେ ବିଚାରପତି ମାନଙ୍କ ନିଯୁକ୍ତି ମାସ ମାସ ଏବଂ ବର୍ଷ ବର୍ଷ ଧରି ପଡ଼ିରହିଛି। ଏହା ହେଉଛି ସ୍ୱଚ୍ଛ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ଓ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ? ଅଧିକନ୍ତୁ, ନ୍ୟାୟ ବ୍ୟବସ୍ଥାର ସ୍ୱତନ୍ତ୍ରତାକୁ ମଧ୍ୟ ସନ୍ଦେହ ଦୃଷ୍ଟିରେ ଦେଖାଯାଉଛି। ବାସ୍ତବରେ ଆମେ ସମସ୍ତେ ଚିନ୍ତା କରିବା ଦରକାର, ଆମେ କ’ଣ ସତରେ ଠିକ୍ କାମ କରୁଛୁ? ଆମେ କ’ଣ ସତରେ ନ୍ୟାୟ ବ୍ୟବସ୍ଥାକୁ ଉଦ୍ଧାର କରିପାରିବା? ସତରେ କ’ଣ ଗଣମାଧ୍ୟମ ଆଜି ସ୍ୱାଧୀନ ନା ବିପନ୍ନ? ଏହି ପ୍ରଶ୍ନର ଉତ୍ତର ମୁଁ ଭାରତୀୟଙ୍କ ଉପରେ ଛାଡୁଛି।
ଆଜି ଏହି ପବିତ୍ର ଦିବସରେ ଆମ ସମ୍ମୁଖରେ ଠିଆ ହୋଇଛି ଏକ ବିରାଟ ଆହ୍ୱାନ। ଏକ ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିର ଭାରତ ସମ୍ମୁଖୀନ ହେବ, ଏହା ମୋର ଭବିଷ୍ୟବାଣୀ ଅଟେ। ତାହା ପୁଣି ଆମର ଭାରତମାତା ପାଇଁ। ଆମର ନିରୀହ, ଶାନ୍ତିପ୍ରିୟ ଜନସାଧାରଣ ପଡ଼ୋଶୀ ଦେଶମାନଙ୍କ ସହିତ ରକ୍ତର ବନ୍ଧୁ ବୋଲି ବିବେଚନା କରୁଥିବା ବେଳେ, ସେମାନେ ଶତୃମୁଖା ହୋଇ ରକ୍ତର ହୋଲି ଖେଳିବାକୁ ଭଲ ପାଆନ୍ତି, ସେଥିପାଇଁ ଆମକୁ ସଦାସର୍ବଦା ସଜାଗ ରହିବା ପାଇଁ। ଅଯଥା ବଜେଟ ଖର୍ଚ୍ଚ କରିବାକୁ ପଡୁଛି ଆମର ପ୍ରତିରକ୍ଷା କ୍ଷେତ୍ରରେ। ତେବେ ଆମର ବାସ୍ତବତାର ସ୍ୱପ୍ନ ନିଶ୍ଚିତ ରୂପେ ସାକାର କରିବାକୁ ପଡ଼ିବ ଯେ, ଅଖଣ୍ଡ ଭାରତବର୍ଷ ଆମର ସ୍ୱପ୍ନ। ପାକିସ୍ତାନ ନୁହେଁ, ଚାଇନା ଆମର ଶତୃ। ସେମାନଙ୍କୁ ଦୃଢ ହସ୍ତରେ ଦମନ କରିବା ପାଇଁ ଆମକୁ ପୃଥିବୀର ସାମରିକ ଇତିହାସରେ ନମ୍ବରୱାନ ହେବାକୁ ପଡ଼ିବ ବୋଲି ଏହା ହିଁ ହେବ ଆଜିର ସଂକଳ୍ପ। ଆମର ମାତୃଭୂମି, ମାଆ, ମାଟିକୁ ଗୋଟେପଟେ ପାକିସ୍ତାନ ଦଖଲ କରି ରଖିଥିବା ବେଳେ ଅନ୍ୟପଟେ ଚାଇନା ମଧ୍ୟ ଦଖଲ କରି ଆହୁରି ଆମକୁ ନାଲିଆଖି ଦେଖାଉଛି। ଆମେ ନିରୀହ ବୋଲି ଏହା ଆମର କଣ ଦୁର୍ବଳତା? ଏହାର ସୁଯୋଗରେ, ସେମାନଙ୍କ ଦଖଲରେ ଥିବା ଆମର ପୂର୍ବପୁରୁଷଙ୍କ ପୈତୃକ ସମ୍ପତ୍ତିକୁ କେତେ ଶୀଘ୍ର ଉଦ୍ଧାର କରିପାରିବା ତାହାହିଁ ହେବ ଆଜିର ଦିବସର ପ୍ରତବଦ୍ଧତା।
ଆଜିର ଗଣତନ୍ତ୍ର ଦିବସରେ ସ୍ମରଣ କରିବା ପାଇଁ ଆଜି ଆମେ ବାଧ୍ୟ ହେଉଛେ ଯେ, ପ୍ରକୃତପକ୍ଷେ, ଗତଙ୍କ ସମସ୍ୟା ଘୁଞ୍ଚିବ କେବେ? ଦେଶ ସ୍ୱାଧୀନ ହୋଇଛି ଏହା ସତ୍ୟ, ହେଲେ ସ୍ୱାଧୀନ ହୋଇନି ଅନେକ ଗାଁ ଯେଉଁଠି ମଣିଷର ମୌଳିକ ଅଧିକାର ପ୍ରାପ୍ତ ହୁଏ ତାହା ହିଁ ସ୍ୱାଧୀନତା। ସ୍ୱାଧୀନତାର ଅର୍ଥ ଏହା ନୁହେଁ ଯେ, ଅଭାବ, ଅନାଟନ, ଦୁର୍ଦ୍ଦିନ ଓ ଜରାଜୀର୍ଣ୍ଣ ଅବସ୍ଥାରେ ଗଣଙ୍କ ଜୀବନ ବିତାଇବା, ମୁଣ୍ଡ ଗୁଞ୍ଜିବାକୁ ଆବାସଟିଏ ନଥିବା, ପିନ୍ଧିବା ପାଇଁ ବସ୍ତ୍ରର ଅଭାବ ଦେଖାଦେବା, ଉତ୍ତମ ପାନୀୟ ଜଳରୁ ବଞ୍ଚିତ ହେବା, ଯାତାୟତ ପାଇଁ ଭଲ ରାସ୍ତାଟିଏ ନଥିବା ତଥା ଶିକ୍ଷାରୁ ବଞ୍ôଚତ ହେବା, ଚାଷୀ ଆତ୍ମନିର୍ଭରଶୀଳ ନହେବା, ବେରୋଜଗାରୀଙ୍କୁ କର୍ମନିଯୁକ୍ତି ନ ମିଳିବା ଇତ୍ୟାଦି ଅନେକ ସମସ୍ୟା ଭିତରେ ରହି ଅବହେଳିତ ହୋଇଛି ଅନେକ ଅଞ୍ଚଳ।
ସରକାରଙ୍କ ଅନେକ ଯୋଜନା ଅଛି, କିନ୍ତୁ ଲୋକଙ୍କ ପାଖରେ ସେ ଯୋଜାନଗୁଡ଼ିକ ପହଞ୍ଚାଇପାରୁ ନାହିଁ। ଯଦି କାର୍ଯ୍ୟକାରୀ ହେଉଛି ତାହା କାଗଜ କଲମରେ କେବଳ ମାତ୍ର। ପ୍ରତ୍ୟକ୍ଷ ଭାବରେ ନୁହେଁ, ନିର୍ବାଚନ ପାଖେଇ ଆସିଲେ ଧୋବ ଫରଫର ବାବୁମାନଙ୍କ ମାଦ ଅପହଞ୍ଚ ଗାଁଆ ଗୁଡ଼ିକରେ ପହଞ୍ଚିଯାଆନ୍ତି। ପ୍ରତିଶ୍ରୁତି ଆଉ ପ୍ରତିଶ୍ରୁତିର ବର୍ଷା। ଅମୁକ କରିଦେବୁ, ସମୁକ କରିଦେବୁ, ନମସ୍କାର ବୁଢୀ ମାଉସୀ, ଭତ୍ତା ମିଳୁଛି କି ନାହିଁ? ମଉସା ତୁମର ଆବାସିକ ଘର ହେଲା କି ନାହିଁ? ଏମିତି ଅନେକ ପ୍ରଶ୍ନରେ ନିରୀହ ମଣିଷକୁ କାବୁ କରିଦିଅନ୍ତି। କଳେବଳେ କୌଶଳେ ଭୋଟକୁ ହାତେଇ ଦିଅନ୍ତି। ନିରୀହ ମଣିଷ ଭୋଟ ଦେଇ ତାଙ୍କୁ ନିର୍ବାଚନରେ ଜିତାଇ ଦିଅନ୍ତି। କିନ୍ତୁ ଭୋଟ ପୂର୍ବରୁ କହିଥିବା ପ୍ରତିଶ୍ରୁତିକୁ ଟିକିଏ ମଧ୍ୟ ମନେ ପକାନ୍ତି ନାହିଁ।
ଭୋଟ ପୂର୍ବରୁ ହିଁ ବାବୁଙ୍କ ଦର୍ଶନ ମିଳେ। ମନୁଷଁ କେତେ ଯେ ମୌଳିକ ଅସୁବିଧାରୁ ସମ୍ମୁଖୀନ ହେଉଛି ସରକାର ମଧ୍ୟ ଜାଣିପାରେନାହିଁ ଏବଂ ଯଦି ଜଣେ ନ ଜାଣିଲା ଭଳି ଆଖି ବୁଜିଦିଏ। ଏବେ ବି ଶବଧରି ଅନେକ ଦୂର ଲୋକେ ଚାଲନ୍ତି। କାରଣ ଶବବାହ ଗାଡ଼ି ସେ ଗାଁକୁ ପହଞ୍ôଚ ପାରେନା, ଏବେ ବି ରୋଗ ହେଲେ ଔଷଧ ଟିକକ ଓ ଚିକିତ୍ସା ପାଇଁ ରୋଗୀ ଓ ଗର୍ଭବତୀ ମହିଳାଙ୍କୁ ଖଟରେ ଦୋଳି କରି ବୁହାଯାଇ ଡ଼ାକ୍ତରଖାନାକୁ ନିଆଯିବାର ସମଗ୍ର ବିଶ୍ୱ ଦେଖୁଛି ଆମର ଏଭଳି ଦୟନୀୟ ଅବସ୍ଥାକୁ। ଡ଼ାକ୍ତରଖାନାକୁ ନେବା ବାଟରେ ରୋଗୀ ମୃତ୍ୟୁ ହୋଇ ଯିବାର ନିଜର ମଧ୍ୟ ରହିଛି। ବେଳେ ବେଳେ ଗର୍ଭବତୀ ମହିଳା ବାଟରେ ସନ୍ତାନ ପ୍ରସବ କରୁଥିବାର ଯଥେଷ୍ଟ ପ୍ରମାଣସ୍ୱରୂପ ଆମ ସାମନାରେ ଅଛି।
କେତେକ ସ୍ଥାନରେ ନଈନାଳ ଦେଖାଯାଏ ସେଠରେ ମଧ୍ୟ ପୋଲ ନଥିବାରୁ ଲୋକେ କାଠପୋଲ ତିଆରି କରି ଯାତାୟତ କରନ୍ତି। ତାହା ଯଦି ମଜଭୁତ ନଥାଏ କିମ୍ବା ପୁରୁଣା ହୋଇଥାଏ, ତେବେ ଭାଙ୍ଗିଯିବାର ସମ୍ଭାବନା ଯଥେଷ୍ଟ। ଏଇଥିପାଇଁ ତ ଅକାଳରେ ନିରୀହ ଜୀବନ ଚାଲିଯାଏ। ପୋଲ ନଥିବା ଯୋଗୁଁ ବେଳେବେଳେ ଛାତ୍ରଛାତ୍ରୀ ନଈପାରି ହୋଇ ଅନେକ ଦୂର ଚାଲି ଚାଲି ବିଦ୍ୟାଳୟକୁ ମଧ୍ୟ ଯାଆନ୍ତି। ଏହା ତାଙ୍କ ଜୀବନପ୍ରତି ବିପଦାପନ୍ନ ଅଟେ। ଏହିପରି କ୍ଷେତ୍ରରେ ପ୍ରକୃତ ହିତାଧିକାରୀ ଏହିଭଳି ଅନେକ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି। ଏବେ ବି ଗ୍ରାମାଞ୍ଚଳର ହଜାର ହଜାର ଶିଶୁ ବିଦ୍ୟାଳୟ ଦୁଆର ମାଡ଼ିପାରି ନାହାଁନ୍ତି। ଏଭଳି ଛୁଆଙ୍କୁ ବିଦ୍ୟାଳୟକୁ ଆକୃଷ୍ଟ କରିବାକୁ ସରକାର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଥିଲେ ମଧ୍ୟ କେତେକ କ୍ଷେତ୍ରରେ ବିଫଳ ମଧ୍ୟ ହେବାକୁ ବସିଛି। ଚାଷୀ ଚାଷଜମିରେ ଉତ୍ତମ ଫସଲ ଉତ୍ପାଦନ କରିବାରେ ବିଫଳ ହେଉଛି। କାରଣ ଚାଷୀ କେବଳ ବର୍ଷାଜଳ ଉପରେ ହିଁ ଚାଷ ପାଇଁ ନିର୍ଭର କରିଥାଏ।
ଉପଯୁକ୍ତ ସମୟରେ ନହେଲେ ଫସଲର କ୍ଷତି ଘଟେ। ଜଳସେଚନ ବ୍ୟବସ୍ଥାରେ ଏପର୍ଯ୍ୟନ୍ତ ଆଖିଦୃଶିଆ ଉନ୍ନତି ହୋଇନାହିଁ। ଚାଷୀଙ୍କୁ ଉତ୍ସାହିତ କରିବା ବଦଳରେ ଚାଷୀ ଆଜି ଚାଷ ବହୁଳ ଦେଶରେ ଆତ୍ମହତ୍ୟା କରୁଛନ୍ତି। ଋଣକରି ଚାଷ କରିଥିବା ଚାଷୀ ଶେଷରେ ମାନସିକ ଅଶାନ୍ତିରେ ଗତି କରେ। ଅନେକ ଚାଷଜମି ଆଜି ପଡ଼ିଆ ପଡ଼ିବା କାରଣରୁ ଉତ୍ପାଦନ ଠପ ହୋଇ ଦରମାଦମ ବୃଦ୍ଧି ଅହେତକୁ ସୀମା ଟପିଲାଣି। ତେଣୁ ସରକାର ଗଣଙ୍କ ସମସ୍ୟା ଗୁଡ଼ିକୁ ଆନ୍ତରିକତାର ସହିତ ଅନୁଧ୍ୟାନ କରି ଉଚିତ ପଦେକ୍ଷପ ନେଲେ ସମସ୍ୟା ବହୁଳ ଅଞ୍ଚଳ ଗୁଡ଼ିକର ଅଧିବାସୀଙ୍କ ମୁହଁରେ ହସ ଫୁଟାଇ ପାରିଲେ ଗଣତନ୍ତ୍ରର ମାନ ସୁଦୃଢ ହେବ।
( ରାଜ୍ୟ ସଭାପତି-ଓଡ଼ିଶା ସାମ୍ବାଦିକ ସୁରକ୍ଷା ସଂଗଠନ, ଓଡ଼ିଶା, ମୋ : ୯୪୩୮୪୪୬୫୭୫)