Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ଯୌତୁକଜନିତ ବଧୂ ହତ୍ୟା ଅଭିଯୋଗ, ସ୍ୱାମୀ ଓ ଶ୍ୱଶୁର ଗିରଫ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ଯୌତୁକ ଜନିତ ହତ୍ୟା ଘଟଣା ସାମ୍ନାକୁ ଆସିଛି। ଜଣେ ବଧୂଙ୍କୁ ଯୌତୁକ ନିମନ୍ତେ ସ୍ୱାମୀ, ଶାଶୁ ଓ ଶ୍ୱଶୁର ମିଶି ମାରିଦେଇଥିବାର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ କରିଛନ୍ତି ବଧୂଙ୍କ ଭାଇ ପୁରି ଜିଲ୍ଲା କୃଷ୍ଣପ୍ରସାଦ ଥାନା ଅଞ୍ଚଳର ଗୋପାଳକୃଷ୍ଣ ପଣ୍ଡା।

ଅଭିଯୋଗ ମୁତାବକ ଗୋପାଳଙ୍କ ସାନ ଭଉଣୀ ସ୍ଵାଗତିକା ପଣ୍ଡା ଜୁନ ୨୦୨୦ ରେ ବାଲୁଗାଁ ଅଞ୍ଚଳର ପ୍ରିତମ ହୋତାଙ୍କୁ ବିବାହ କରିଥିଲେ। ବିବାହ ପରେ ସ୍ଵାଗତିକାକୁ ସ୍ୱାମୀ ପ୍ରିତମଙ୍କ ସମେତ ଶାଶୁ ଶ୍ୱଶୁର ବାରମ୍ବାର ଯୌତୁକଜନିତ ନିର୍ଯ୍ୟାତନା ଦେଇଆସୁଥିଲେ। ତେବେ ଗତକାଲି ସଂନ୍ଧ୍ୟାରେ ଗୋପାଳ ତାଙ୍କ ଭଉଣୀ ସ୍ଵାଗତିକାଙ୍କ ସହ କଥା ହେବା ନିମନ୍ତେ ତାଙ୍କୁ ଏବଂ ତାଙ୍କ ସ୍ୱାମୀ, ଶାଶୁ ଓ ଶ୍ୱଶୁରଙ୍କୁ ଫୋନ କରିଥଲେ ସୁଦ୍ଧା କେହି ଫୋନ ଉଠାଇନଥିଲେ। ଏବଂ ସେ ରାତିରେ ସମ୍ପର୍କୀୟଙ୍କ ଠାରୁ ଜାଣିବାକୁ ପାଇଥିଲେ ଯେ, ତାଙ୍କ ଭଉଣୀଙ୍କ ମର ଶରୀର ବାଲୁଗାଁ ମେଡିକାଲରେ ପଡ଼ିଛି।

ତେବେ ଏହା ଏକ ଯୋଜନାବଦ୍ଧ ହତ୍ୟା ବୋଲି ଗୋପାଳ ଅଭିଯୋଗ କରିଛନ୍ତି। ଖବର ପାଇ ବାଲୁଗାଁ ଏସଡିପିଓ, ଆଇଆଇସି ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ କେସ ନମ୍ବର ୧୭୨/୨୨ ରେ ଦଫା ୩୦୨, ୩୦୪ (ଖ) ରେ ମାମଲା ରୁଜୁ କରି ପ୍ରାଥମିକ ପର୍ଯ୍ୟାୟରେ ସ୍ୱଗତିକାଙ୍କ ସ୍ୱାମୀ ଓ ଶ୍ୱଶୁରଙ୍କୁ ଗିରଫ କରିଛନ୍ତି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ବାଲୁଗାଁ ଆଇଆଇସି କହିଛନ୍ତି।