Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରକ୍ତ କର୍କଟକୁ ଅଧିକ ମାତ୍ରାରେ ପରାସ୍ତ କରୁଛନ୍ତି ଶିଶୁ: ପ୍ରଫେସର ସାମଲ

ଭୁବନେଶ୍ୱର: ଦେଶରେ ରକ୍ତ କର୍କଟ ରୋଗ ବୃଦ୍ଧି ପାଉଥିବା ବେଳେ ଶିଶୁମାନେ ମଧ୍ୟ ଅଧିକ ମାତ୍ରାରେ ଏଭଳି ଜଟିଳ ବ୍ୟାଧୀରେ ପୀଡ଼ିତ ହେଉଛନ୍ତି। ୧ ବର୍ଷରୁ ୧୦ବର୍ଷ ବୟସର ଶିଶୁ ରକ୍ତ କର୍କଟ ଅର୍ଥାତ୍ ଲ୍ୟୁକେମିଆରେ ପୀଡ଼ିତ ହେଉଛନ୍ତି। ତେବେ ଠିକ୍ ସମୟରେ ରୋଗର ଚିହ୍ନଟ ଏବଂ ଉପଯୁକ୍ତ ଚିକିତ୍ସା ଦ୍ୱାରା ରକ୍ତ କର୍କଟକୁ ପରାସ୍ତ କରାଯାଇ ପାରୁଛି। ଶିଶୁମାନଙ୍କ କ୍ଷେତ୍ରରେ ଏଭଳି ଦୁଃରାଧ୍ୟ ବ୍ୟାଧିକୁ ପରାଜିତ କରିବାର ମାତ୍ରା ଢ଼େର ଅଧିକ। ଶିଶୁମାନଙ୍କ ମଧ୍ୟରେ ଲ୍ୟୁକେମିଆ ସଂଖ୍ୟା ଯଦିଓ ବୃଦ୍ଧି ପାଉଛି ତେବେ ଉପଯୁକ୍ତ ଚିକିତ୍ସା ଦ୍ୱାରା ୮୦ ରୁ ୯୦ ପ୍ରତିଶତ ଶିଶୁ ଏହି ଜଟିଳ ରୋଗକୁ ପରାଜିତ କରିପାରୁଛନ୍ତି ବୋଲି କହିଛନ୍ତି ବିଶିଷ୍ଟ ରକ୍ତକର୍କଟ ବିଶେଷଜ୍ଞ ପ୍ରଫେସର (ଡାକ୍ତର) ପ୍ରିୟଙ୍କା ସାମଲ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର କ୍ଲିନିକାଲ୍ ହେମାଟୋଲଜି, ହେମାଟୋ-ଅଙ୍କୋଲଜି, ବୋନ୍ ମ୍ୟାରୋ ଟ୍ରାନ୍ସପ୍ଲାଂଟ ଏବଂ ସେଲ୍ୟୁଲାର ଥେରାପି ବିଭାଗ ପକ୍ଷରୁ ବୁଧବାର ଆୟୋଜିତ ବିଶ୍ୱ ରକ୍ତ କର୍କଟ ଦିବସ ପରିପ୍ରେକ୍ଷୀରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ବିଭାଗୀୟ ମୁଖ୍ୟ ପ୍ରଫେସର ସାମଲ କହିଛନ୍ତି ଯେ ପ୍ରଦୂଷଣ, ବିକୀରଣ ଏବଂ ରାସାୟନିକ ସାରର ବ୍ୟବହାର ଯୋଗୁଁ ରକ୍ତ କର୍କଟ ଭଳି ସ୍ୱାସ୍ଥ୍ୟ ସମସ୍ୟା ବୃଦ୍ଧି ପାଉଛି। ପ୍ରତ୍ୟେକ ବର୍ଷ ୮୦ ହଜାରରୁ ୧ ଲକ୍ଷ ଲୋକ ନୂତନ ଭାବେ ଏହି ରୋଗରେ ପୀଡ଼ିତ ହେଉଛନ୍ତି। ଏମାନଙ୍କ ମଧ୍ୟରୁ ବର୍ଷକୁ ମୃତ୍ୟୁ ସଂଖ୍ୟା ପ୍ରାୟ ୭୦ ହଜାର ବୋଲି ପ୍ରଫେସର ସାମଲ କହିଛନ୍ତି।

ଦୀର୍ଘ ଦିନ ଧରି ଜ୍ୱର ରହିବା, ଶରୀରରେ ହେମୋଗ୍ଲୋବିନ୍‌, ଟୋଟାଲ୍ ଲ୍ୟୁକୋସାଇଟ୍ କାଉଂଟ (ଟିଏଲ୍‌ସି), ପ୍ଲେଟେଲେଟ କମିଯିବା, କଳା ଦାଗ ସୃଷ୍ଟି ହେବା ଏବଂ ରକ୍ତସ୍ରାବ ଭଳି ସମସ୍ୟା ଦେଖାଦେଲେ ତୁରନ୍ତ ରକ୍ତ ନମୁନା ପରୀକ୍ଷା କରାଇବା ସହ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ। ସେହିପରି ଶିଶୁମାନଙ୍କ କ୍ଷେତ୍ରରେ ୮ ରୁ ୧୦ ଦିନ ଜ୍ୱର ଲାଗି ରହିବା ସହ ଶରୀରରେ ପୀଡ଼ା ହେଲେ ରକ୍ତ ପରୀକ୍ଷା ଓ ଚିକିତ୍ସା କରାଇନେବା ଉଚିତ୍ ବୋଲି ପ୍ରଫେସର ସାମଲ କହିଛନ୍ତି।

ରକ୍ତ କର୍କଟର ଚିକିତ୍ସା ନିମନ୍ତେ ବୋନ୍ ମ୍ୟାରୋ ଟ୍ରାନ୍ସପ୍ଲାଂଟ, ହାପ୍‌ଲୋ ଟ୍ରାନ୍ସପ୍ଲାଂଟ ଏବଂ ସିମରିକ୍ ଆଂଟିଜେନ୍ ରିସେପ୍ଟର ଟି ସେଲ (କାର ଟି) ଥେରାପି ଭଳି ଅତ୍ୟାଧୁନିକ ଚିକିତ୍ସା ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଉପଲବ୍ଧ ଥିବା ପ୍ରଫେସର ସାମଲ କହିଛନ୍ତି। ଆୟୋଜିତ କାର୍ଯ୍ୟକ୍ରମରେ ସୋଆର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ପଦ୍ମଶ୍ରୀ ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ରକ୍ତ କର୍କଟ ଭଳି ସମସ୍ୟାକୁ ଏଡ଼ାଇବା ଏବଂ ଏହି ରୋଗରେ ପୀଡ଼ିତ ଥିବା ବ୍ୟକ୍ତିମାନଙ୍କୁ ଚିକିତ୍ସା ପଦ୍ଧତି ସହ ପ୍ରାଣାୟାମ୍ ଏବଂ ପ୍ରାକୃତିକ ଉପାୟ ଅବଲମ୍ବନ କରି ଜୀବନ ଶୈଳୀରେ ପରିବର୍ତନ ଆଣିବା ପାଇଁ ପରାମର୍ଶ ଦେଇଥିଲେ।

କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର, ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌-୨ର ମେଡିକାଲ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ରାଜେଶ କୁମାର ଲେଙ୍କା ଓ ମେଡିସିନ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ସମୀର ରଞ୍ଜନ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସମ୍ ହସ୍ପିଟାଲ୍‌ର ଗୋଟିଏ ଛାତ ତଳେ ରକ୍ତ କର୍କଟ ଚିକିତ୍ସା ପାଇଁ ସମସ୍ତ ପ୍ରକାର ସେବା ଉପଲବ୍ଧ ବୋଲି କହିଥିଲେ।

ପ୍ରଫେସର ସାମନ୍ତସିଂହାର କହିଥିଲେ ଯେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ରକ୍ତ କର୍କଟ ରୋଗୀଙ୍କ ଚିକିତ୍ସା ନିମନ୍ତେ କ୍ଲିନିକାଲ୍ ହେମାଟୋଲଜି ବିଭାଗ ସହିତ ବ୍ଲଡ ସେଂଟର ଆଣ୍ଡ ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍‌, ପାଥୋଲଜି, ବାୟୋକେମିଷ୍ଟ୍ରୀ, କ୍ରିଟିକାଲ୍ କେୟାର ବିଭାଗ ଏବଂ ଲ୍ୟାବ ହେମାଟୋଲଜି, ଜେନେଟିକ୍‌ସ ଆଣ୍ଡ ମଲିକ୍ୟୁଲାର ଲ୍ୟାବ, ବୋନ ମ୍ୟାରୋ ଟ୍ରାନ୍ସପ୍ଲାଂଟ ୟୁନିଟ, ନର୍ସିଂ ବିଭାଗ, ଇନ୍‌ଫେକ୍ସନ୍ କଂଟ୍ରୋଲ ୟୁନିଟ ମିଳିତ ଭାବେ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ପ୍ରଦାନ କରୁଛନ୍ତି। ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ ହେଉଛି ଏକ ମାତ୍ର ହସ୍ପିଟାଲ ଯେଉଁଠାରେ କି ଗୋଟିଏ ଛାତ ତଳେ ଏ ସମସ୍ତ ସ୍ୱାସ୍ଥ୍ୟ ସେବା ଉପଲବ୍ଧ ବୋଲି ପ୍ରଫେସର ସାମନ୍ତସିଂହାର କହିଛନ୍ତି।

କାର୍ଯ୍ୟକ୍ରମରେ ନର୍ସିଂ ସୁପରିନ୍‌ଟେଣ୍ଡେଂଟ ମୀନତି ମିଶ୍ର ଏବଂ ଡିଜିଏମ୍ ପୁଷ୍ପାଞ୍ଜଳୀ ରାଉତ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ କାର୍ଯ୍ୟକ୍ରମରେ ରକ୍ତ କର୍କଟକୁ ପରାସ୍ତ କରିଥିବା ବ୍ୟକ୍ତିମାନଙ୍କୁ ସମ୍ମାନିତ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଟିକା କେବଳ କୋଭିଡରୁ ନୁହେଁ ବରଂ କର୍କଟ ରୋଗରୁ ମଧ୍ୟ ରକ୍ଷା କରିଥାଏ!, ଅଧ୍ୟୟନରେ ପ୍ରକାଶିତ

ନୂଆଦିଲ୍ଲୀ: ସାଧାରଣତଃ ରକ୍ତ କର୍କଟରେ ପୀଡିତ ଲୋକଙ୍କ ପ୍ରତିରକ୍ଷା ପ୍ରଣାଳୀ ଅତ୍ୟନ୍ତ ଦୁର୍ବଳ ଅଟେ। ଏହି କାରଣରୁ, ସେମାନେ କୋଭିଡରେ ସହଜରେ ଶିକାର ହୁଅନ୍ତି ଏବଂ ଶୀଘ୍ର ଅସୁସ୍ଥ ହୁଅନ୍ତି। ଏଥିସହ, ଅନେକ କର୍କଟ ଚିକିତ୍ସା ଅଛି, ଯାହା ରୋଗୀମାନଙ୍କରେ କୋଭିଡ୍ -19 ଟୀକାକରଣ ପରେ SARS-CoV-2 ବିରୁଦ୍ଧରେ କୌଣସି ଆଣ୍ଟିବଡି ଉତ୍ପାଦନକୁ ଅନୁମତି ଦେଇଥାଏ। ଅନ୍ୟ ପଟେ, ଟୀକାକରଣଟି କୋଷଗୁଡ଼ିକୁ ସକ୍ରିୟ କରିପାରେ, ଯାହା ଦୀର୍ଘକାଳୀନ ପ୍ରତିରକ୍ଷା ପ୍ରତିକ୍ରିୟା ପାଇଁ ଦାୟୀ।

ଫ୍ରିବର୍ଗଣ୍ଡର LMU ମ୍ୟୁନିଖର ମେଡିକାଲ୍ ସେଣ୍ଟର-ୟୁନିଭରସିଟିର ବାୟରୋଲୋଜିଷ୍ଟ୍ ପ୍ରଫେସର ଓଲିଭର୍ ଟି କେପଲରର ଡକ୍ଟର ଏଣ୍ଡରିୟା କେପଲର-ହଫକେମେୟର ଏବଂ ଡକ୍ଟର ଖ୍ରୀଷ୍ଟାଇନ୍ ଗ୍ରୀଲ୍ ଙ୍କ ନେତୃତ୍ୱରେ ଏକ ଟିମ୍ ଅନେକ ମାସ ଧରି ରୋଗୀଙ୍କ ପ୍ରତିରକ୍ଷା ପ୍ରତିକ୍ରିୟା ଅଧ୍ୟୟନ କରିବା ପରେ ଏକ ବିବରଣୀ ସାର୍ବଜନୀନ କରିଥିଲେ। ଏହା କର୍କଟ ରୋଗୀଙ୍କ ଉପରେ କରାଯାଇଥିଲା, ଯେଉଁମାନେ ରକ୍ତ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ ଏବଂ ଯେଉଁମାନେ ତିନୋଟି ଡୋଜ୍ କରୋନା ଟିକା ନେଇଥିଲେ। ଫଳାଫଳ ଦର୍ଶାଏ ଯେ, କରୋନା ଟୀକାକରଣ ଏହି ରୋଗୀମାନଙ୍କୁ SARS-CoV2 ଦ୍ଵାରା ସୃଷ୍ଟି ହୋଇଥିବା ଗୁରୁତର ରୋଗରୁ ରକ୍ଷା କରିଥାଏ।

ଅଧ୍ୟୟନରୁ ଜଣାପଡିଛି ଯେ, ଯେଉଁ ରୋଗୀମାନେ ଆଣ୍ଟିବଡି ତିଆରି କରିପାରନ୍ତି, ସେମାନେ ମଧ୍ୟ ଉଚ୍ଚମାନର ଆଣ୍ଟିବଡି ଉତ୍ପାଦନ କରିପାରିବେ। ଦ୍ୱିତୀୟ ଟୀକାକରଣ ପରେ ଉତ୍ପାଦିତ ଆଣ୍ଟିବଡିଗୁଡିକ SARS-CoV-2 ର ବିଭିନ୍ନ ଭାରିଏଣ୍ଟକୁ ନିଷ୍କ୍ରିୟ କରିଥାଏ। ଟୀକାକୃତ ଲୋକଙ୍କ ତୁଳନାରେ ଏହି ରୋଗୀମାନଙ୍କ କ୍ଷେତ୍ରରେ ଏହି କ୍ଷମତା ବହୁତ ଅଧିକ। କୋଭିଡ୍ -19 ଟୀକାକରଣ ବିଭିନ୍ନ ପ୍ରକାରର ରକ୍ତ କର୍କଟ ରୋଗୀଙ୍କ କ୍ଷେତ୍ରରେ ବହୁ ପରିମାଣରେ ‘ନ୍ୟୁଟ୍ରଲାଇଜିଂ ଆଣ୍ଟିବଡି’ ଅନ୍ତର୍ଭୁକ୍ତ କରି ଆଣ୍ଟିଭାଇରାଲ୍ ପ୍ରତିରୋଧକ ଶକ୍ତି ସୃଷ୍ଟି କରିପାରେ। ଫଳସ୍ୱରୂପ, ବି-ସେଲ୍ ଲିମ୍ଫୋମା କିମ୍ବା ଏକାଧିକ ମାଇଲୋମା ରୋଗୀଙ୍କ ପାଇଁ ବାଧା ବିନା ଏକାଧିକ ଟିକା ଡୋଜ ସୁପାରିଶ କରାଯାଇପାରେ।

Categories
ଆଜିର ଖବର ଜୀବନ ଶୈଳୀ ରାଜ୍ୟ ଖବର ସ୍ବାସ୍ଥ୍ୟ

ନିୟମିତ ରକ୍ତ ଦାନ ହୃଦଘାତ ଏବଂ କର୍କଟ ରୋଗର ଆଶଙ୍କାକୁ କମ୍ କରିଥାଏ: ବିଶେଷଜ୍ଞ

ଭୁବନେଶ୍ୱର: ନିୟମିତ ରକ୍ତଦାନ ଦ୍ୱାରା ମାନସିକ ସ୍ୱାସ୍ଥ୍ୟ ଉନ୍ନତ ହେବା ସହିତ ହୃଦୟ ସବୁବେଳେ ସୁସ୍ଥ ଓ ସତେଜ ରହିଥାଏ। ରକ୍ତଦାନ ଫଳରେ ହୃଦଘାତ ଏବଂ କର୍କଟ ରୋଗ ହେବାର ଆଶଙ୍କା ମଧ୍ୟ କମିଯାଏ। ରକ୍ତଦାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଜଣେ ଦାତା ତିନିରୁ ଚାରିଜଣଙ୍କ ଜୀବନ ରକ୍ଷା କରିଥାଏ ବୋଲି ଆଜି ବିଶ୍ୱ ରକ୍ତଦାତା ଦିବସ ଅବସରରେ ଏମ୍ସ ଭୁବନେଶ୍ୱରରେ ଅନୁଷ୍ଠିତ ସ୍ୱତନ୍ତ୍ର ସଚେତନତାମୂଳକ କାର୍ଯ୍ୟକ୍ରମରେ ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ବିଶେଷଜ୍ଞମାନେ ମତ ଦେଇଛନ୍ତି ଯେ ସ୍ବେଚ୍ଛାକୃତସ୍ ରକ୍ତଦାତା, ବିଶେଷକରି ନିୟମିତ ଦାତା, ରକ୍ତଦାନ ଦ୍ୱାରା ଏଚ୍.ଆଇ.ଭି, ହେପାଟାଇଟିସ୍ ଜୀବାଣୁ ଏବଂ ଅନ୍ୟାନ୍ୟ ରକ୍ତ ସଂକ୍ରମଣକୁ ରୋକିବାରେ ପ୍ରଥମ ଧାଡ଼ିର ଯୋଦ୍ଧା ପାଲଟନ୍ତି।  ସ୍ୱେଚ୍ଛାସେବୀ ଦାତାମାନେ ମଧ୍ୟ ସୁରକ୍ଷିତ ରକ୍ତର ମହତ୍ତ୍ୱ ଜାଣନ୍ତି, ଫଳରେ ସେମାନେ ଉତ୍ତମ ସ୍ୱାସ୍ଥ୍ୟ ବଜାୟ ରଖନ୍ତି, ଯାହା ରକ୍ତଦାନ ଉଦ୍ଦେଶ୍ୟରେ ରକ୍ତ ଉପାଦାନଗୁଡ଼ିକର ସର୍ବୋଚ୍ଚ ମାତ୍ରା ପାଇଁ ଆବଶ୍ୟକ । ସେହିଭଳି, ରକ୍ତର ଆବଶ୍ୟକତାକୁ ପୂରଣ କରିବା ନିମନ୍ତେ ପର୍ଯ୍ୟାପ୍ତ ସୁସ୍ଥ ସ୍ବେଚ୍ଛାସେବୀ ଦାତାଙ୍କ ସନ୍ତୁଳନ ବଜାୟ ରଖିବା ନିହାତି ଆବଶ୍ୟକ । ଏହି ଅବସରରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରକ୍ତଦାନ ନିମନ୍ତେ ଆଗେଇ ଆସିବାକୁ ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିମାନେ ଆହ୍ୱାନ ଦେଇଥିଲେ।

ଏହି ଦିବସ ପାଳନ ଅବସରରେ ଏମ୍ସ ଭୁବନେଶ୍ୱର ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ବିଭାଗ ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏମ୍ସ ନର୍ସିଂ ଅଧିକାରୀ ଏବଂ ଛାତ୍ରଛାତ୍ରୀଙ୍କ ସମେତ ୫୦ ରୁ ଅଧିକ ରକ୍ତଦାତା ରକ୍ତ ଦାନ କରିଥିଲେ।

ରକ୍ତ କର୍କଟ (କ୍ଲିନିକାଲ୍ ହେମାଟୋଲୋଜି) ବିଭାଗର ଡକ୍ଟର ପ୍ରବୋଧ ଦାସ, ହସ୍ପିଟାଲ ପ୍ରଶାସନ ବିଭାଗର ଡକ୍ଟର (ମେଜର) ମୁକୁନ୍ଦ ଚନ୍ଦ୍ର ସାହୁ, ସିଏମଏଫଏମ ବିଭାଗର ଡକ୍ଟର ଵିନୋଦ ପାତ୍ର, ଆନାଟୋମୀ ବିଭାଗର ଡକ୍ଟର ପ୍ରଭାସ ରଂଜନ ତ୍ରିପାଠୀ, ଟ୍ରାନ୍ସଫ୍ୟୁସନ ମେଡିସିନ୍ ବିଭାଗର ଡକ୍ଟର ସୋମନାଥ ମୁଖାର୍ଜୀଙ୍କ ସମେତ ଡକ୍ଟର ଅଂଶୁମାନ ସାହୁ, ଡକ୍ଟର  ଦେବାଶିଷ ମିଶ୍ର, ଡକ୍ଟର ପ୍ରିୟମାଧବ ବେହେରା ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ ଯେ କାର୍ଲ ଲ୍ୟାଣ୍ଡଷ୍ଟାଇନ୍ରଙ୍କ ଜନ୍ମଦିନରେ ପ୍ରତିବର୍ଷ ୧୪ ଜୁନକୁ ବିଶ୍ୱ ରକ୍ତଦାତା ଦିବସ ଭାବେ ପାଳନ କରାଯାଏ। ଏବିଓ ବ୍ଲଡ୍ ଗ୍ରୁପ୍ ସିଷ୍ଟମ୍ ଆବିଷ୍କାର ପାଇଁ ଲ୍ୟାଣ୍ଡଷ୍ଟାଇନଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା।