Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ପ୍ରଥମ ଥର ପାଇଁ ସମ୍ ହସ୍ପିଟାଲ୍‌ରେ ରକ୍ତ କର୍କଟ ରୋଗୀଙ୍କ ଶରୀରରେ ଷ୍ଟେମ୍ ସେଲ୍ ପ୍ରତ୍ୟାରୋପଣ

ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ଥର ପାଇଁ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଜଣେ ଲିମ୍ଫୋମା ରୋଗୀଙ୍କ ଶରୀରରେ ସଫଳତାର ସହ ଅଟୋଲଗସ୍ ଷ୍ଟେମ୍ ସେଲ୍ ପ୍ରତ୍ୟାରୋପଣ କରାଯାଇଛି।

ଜଟିଳ ବୋନ୍‌ମ୍ୟାରୋ ପ୍ରତ୍ୟାରୋପଣ ଦ୍ୱାରା ଓ ଅତ୍ୟାଧୁନିକ କ୍ରାଇଓପ୍ରିଜରଭେସନ୍ ପ୍ରକ୍ରିୟାରେ ଜଣେ ୩୩ ବର୍ଷୀୟ ଲିମ୍ଫୋମା (ଏକ ପ୍ରକାର ରକ୍ତ କର୍କଟ ରୋଗ)ରେ ପୀଡ଼ିତ ଥିବା ଯୁବକଙ୍କର ସଫଳ ଚିକିତ୍ସା କରାଯାଇଥିବା ସୋମବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ହସ୍ପିଟାଲ୍‌ର କ୍ଲିନିକାଲ ହେମାଟୋଲୋଜି ଏବଂ ହେମାଟୋ ଅଙ୍କୋଲୋଜି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ପ୍ରିୟଙ୍କା ସାମଲ।

ଷ୍ଟେମ୍ ସେଲ୍ ପ୍ରତ୍ୟାରୋପଣ ପ୍ରକ୍ରିୟା ବ୍ୟବହାର କରିବାରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ହେଉଛି ଓଡ଼ିଶାର ପ୍ରଥମ ହସ୍ପିଟାଲ୍। ଯଦିଓ ସମ୍‌ରେ ୨୦୧୮ରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି ତେବେ ପ୍ରଥମ ଥର ପାଇଁ ଜଣେ ଲିମ୍ଫୋମା ରୋଗୀଙ୍କ ଶରୀରରେ କ୍ରାଇଓପ୍ରିଜରଭେସନ୍ ଜରିଆରେ ଷ୍ଟେମ୍ ସେଲ୍ ପ୍ରତ୍ୟାରୋପଣ କରାଯାଇଛି ବୋଲି ପ୍ରଫେସର ସାମଲ କହିଛନ୍ତି।

ଯଦିଓ କୋଭିଡ ମହାମାରୀ ଯୋଗୁଁ ଅନେକ ମାସ ଧରି ବିଭିନ୍ନ ସ୍ୱାସ୍ଥ୍ୟସେବାରେ ବ୍ୟାହତ ହୋଇଥିଲା ତଥାପି ଗତ ୧୮ ମାସ ମଧ୍ୟରେ ମାଇଲୋମା ଏବଂ ଲ୍ୟୁକୋମିଆ ଭଳି ରକ୍ତ ଜନିତ କ୍ୟାନ୍‌ସର ଥିବା ୨୫ ଜଣ ରୋଗୀଙ୍କ ଶରୀରରେ ଏହି ଡାକ୍ତରଖାନାରେ ଷ୍ଟେମ୍ ସେଲ୍ ପ୍ରତ୍ୟାରୋପଣ କରାଯାଇଥିବା ପ୍ରଫେସର ସାମଲ କହିଛନ୍ତି। ଏହି ପ୍ରକ୍ରିୟାରେ ଚିକିତ୍ସିତ ହୋଇଥିବା ସମସ୍ତ ରୋଗୀ ବର୍ତମାନ ପର୍ଯ୍ୟନ୍ତ ସୁସ୍ଥ ଅଛନ୍ତି।

ଏହି ପ୍ରତ୍ୟାରୋପଣ ଟିମ୍ ନିରନ୍ତର ଗୁଣାବତା ତଦାରଖ କରିବା ସହ କ୍ରାଇଓପ୍ରିଜରଭେସନ୍ ପ୍ରକ୍ରିୟାରେ ଚିକିତ୍ସା କରିଥିଲେ। କ୍ରାୟୋପ୍ରିଜରଭେସନ୍ ଏଭଳି ଏକ ପ୍ରକ୍ରିୟା ଯେଉଁଥିରେ ଶରୀରର ସେଲ୍ ଏବଂ ଟିସ୍ୟୁଗୁଡ଼ିକ ମାଇନସ୍ ୮୦ ଡିଗ୍ରୀ ସେଲ୍‌ସିୟସ୍ ଭଳି ଅତି କମ୍ ତାପମାତ୍ରାରେ ଭବିଷ୍ୟତରେ ବ୍ୟବହାର ପାଇଁ ସଂରକ୍ଷିତ କରି ରଖାଯାଇଥାଏ। ଶରୀରର କୋଷିକାଗୁଡ଼ିକ ଦୁଇ କିମ୍ବା ତିନି ଦିନ ପାଇଁ ବ୍ୟବହାର ଯୋଗ୍ୟ ମାତ୍ର ଏହି ପ୍ରକ୍ରିୟାରେ ଅନେକ ମାସ ପର୍ଯ୍ୟନ୍ତ ଏହା ସଂରକ୍ଷିତ କରି ରଖାଯାଇପାରେ ବୋଲି ସେ କହିଛନ୍ତି।
ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେନ୍‌ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଟ୍ରାନ୍ସଫ୍ୟୁସନ ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର ଗିରିଜା ନନ୍ଦିନୀ କାନୁନ୍‌ଗୋ ଏବଂ ହେମାଟୋଲୋଜି ଆଇସିୟୁର ଇନ୍‌ଚାର୍ଜ ଡାକ୍ତର ସନ୍ତୋଷ କୁମାର ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରକ୍ରିୟା ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ପ୍ରଫେସର ସାମଲ କହିଥିଲେ ଯେ ଷ୍ଟେମ୍ ସେଲ୍ ପ୍ରତ୍ୟାରୋପଣରେ କୌଣସି ଅସ୍ତ୍ରୋପଚାରର ଆବଶ୍ୟକତା ପଡ଼ି ନଥାଏ। ଷ୍ଟେମ୍ ସେଲ୍ ଗୁଡ଼ିକ ବୋନ୍‌ମ୍ୟାରୋରେ ଥାଏ ଏବଂ ଶରୀରର ପୁରୁଣା ଏବଂ କ୍ଷୟ ପାଇଥିବା ରକ୍ତକଣିକା ଗୁଡ଼ିକ ସ୍ଥାନରେ ନୂତନ ରକ୍ତକଣିକା ସୃଷ୍ଟି କରେ। ଷ୍ଟେମ୍ ସେଲ୍ ସୃଷ୍ଟି ପ୍ରକ୍ରିୟାରେ ସମସ୍ୟା ସୃଷ୍ଟି ହେଲେ ରକ୍ତ କର୍କଟ ଭଳି ରୋଗ ଦେଖାଦେଇଥାଏ ବୋଲି ସେ କହିଥିଲେ।
ଏହି ଚିକିତ୍ସା ପ୍ରକ୍ର୍ରିୟାରେ ରକ୍ତକର୍କଟ ଆକ୍ରାନ୍ତ ବ୍ୟକ୍ତିଙ୍କ ଶରୀରରେ ଅଧିକ ଶକ୍ତି ବିଶିଷ୍ଟ କେମୋଥେରାପି ପ୍ରୟୋଗ କରି ଶରୀରର ସମସ୍ତ ଷ୍ଟେମ୍ ସେଲ୍‌କୁ ନଷ୍ଟ କରିଦିଆଯିବା ପରେ ଉତମ ବୋନ୍‌ମ୍ୟାରୋ ସେଲ୍‌କୁ ଶରୀର ମଧ୍ୟକୁ ପ୍ରବେଶ କରାଇ ଦିଆଯାଏ। ଏହାକୁ ଅଟୋଲୋଗସ ଷ୍ଟେମ୍ ସେଲ୍ ପ୍ରତ୍ୟାରୋପଣ କୁହାଯାଏ। ଯେତେବେଳେ ଏହି ଷ୍ଟେମ୍ ସେଲ୍‌କୁ ଅନ୍ୟ ଜଣେ ବ୍ୟକ୍ତିଙ୍କ ଠାରୁ ଗ୍ରହଣ କରି ରୋଗୀ ଠାରେ ବ୍ୟବହାର କରାଯାଏ ଏହାକୁ ଆଲୋଜେନିକ ପ୍ରତ୍ୟାରୋପଣ ବୋଲି କୁହାଯାଇଥାଏ।

ପ୍ରଫେସର ସାମଲ କହିଲେ ଯେ ସମ୍ ହସ୍ପିଟାଲ ପ୍ରତ୍ୟାରୋପଣ ଉପଯୋଗୀ ସମସ୍ତ ରକ୍ତକର୍କଟ ରୋଗୀଙ୍କୁ ଏହି ସୁବିଧା ଯୋଗାଇବାକୁ ପ୍ରସ୍ତୁତ।

ଏହି ପ୍ରକ୍ରିୟାରେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି କ୍ରାୟୋପ୍ରିଜରଭେସନ୍ ବ୍ୟବସ୍ଥାରେ ସଂଗୃହୀତ ଷ୍ଟେମ୍ ସେଲ୍ ଗୁଡ଼ିକୁ ଭବିଷ୍ୟତରେ ବ୍ୟବହାର ନିମନ୍ତେ ସୁରକ୍ଷିତ କରି ରଖିବା। ଡିପାର୍ଟମେଂଟ ଅଫ୍ ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ଏହି ଦାୟିତ୍ୱ ତୁଲାଇଥାଏ ବୋଲି ବିଭାଗର ମୁଖ୍ୟ ପ୍ରଫେସର କାନୁନ୍‌ଗୋ କହିଥିଲେ। ଏଥିପାଇଁ ଅତ୍ୟନ୍ତ ଉଚ୍ଚସ୍ତରର ଉତ୍କର୍ଷ ଓ ଦାୟିତ୍ୱବଦ୍ଧତା ଆବଶ୍ୟକ ହୋଇଥାଏ ବୋଲି ସେ କହିଥିଲେ।

ପ୍ରଫେସର ସାମନ୍ତସିଂହାର କହିଥିଲେ ଯେ ଡାକ୍ତରଖାନାର ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍‌, ଲ୍ୟାବ ହେମାଟୋଲୋଜି, ମାଇକ୍ରୋବାଇଓଲୋଜ ିଓ ଆଇସିୟୁ ଆଦି ବିଭାଗଗୁଡ଼ିକର ମିଳିତ ଉଦ୍ୟମରେ ଏହି ଷ୍ଟେମ୍ ସେଲ୍ ପ୍ରତ୍ୟାରୋପଣ କରାଯାଇପାରୁଛି ଓ ଏହା ସମସ୍ତଙ୍କ ନିମନ୍ତେ ଉପଲବ୍ଧ କରିବା ନିମନ୍ତେ ଖର୍ଚ୍ଚ ମଧ୍ୟ କମ୍ ରଖାଯାଉଛି।

ଡଃ ସିଂହ ଏହି ପ୍ରକ୍ରିୟାର ସଫଳତା ନିମନ୍ତେ ନର୍ସିଂ ଷ୍ଟାଫ ଓ ପାରାମେଡିକ୍ ମାନଙ୍କର ଦାୟିତ୍ୱବଦ୍ଧତା ଓ ସହଯୋଗକୁ ଶ୍ରେୟ ଦେଇଥିଲେ।