Categories
ଆଜିର ଖବର ରାଜ୍ୟ ଖବର

ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବ ସାମ୍ବାଦିକଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗୋପାଳପୁର ଥାନା ନିକଟସ୍ଥ ରେଉ ସାହିର ଏକ ତାଲାବନ୍ଦ ଘରୁ ଜଣେ ଯୁବ ସାମ୍ବାଦିକଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇଛି।

ଘଟଣାରୁ ପ୍ରକାଶ ଯେ, ମୃତ ସାମ୍ବାଦିକ ଜଣକ ବେଲଗୁଣ୍ଠା ବ୍ଳକ ଗାଙ୍ଗପୁର ଥାନା ଅନ୍ତର୍ଗତ ଖଇରପୁଟି ଗ୍ରାମର ଜଗନ୍ନାଥ ନାୟକ। ସେ ଉକ୍ତ ବ୍ଳକର ଦୈନିକ ଖବରକାଗଜ ‘ସମୟ’ର ପ୍ରତିନିଧି ରୂପେ କାର୍ଯ୍ୟରତ ଅଟନ୍ତି। ଏତଦବ୍ୟତୀତ ସେ ସୋରଡ଼ା ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଭାବେ କାର୍ଯ୍ୟରତ। ଏହି କିଛି ମାସ ହେବ ଗୋପାଳପୁର ବେଳାଭୂମିରେ ଏକ ଫାଷ୍ଟଫୁଡ୍ ଦୋକାନ ଆରମ୍ଭ କରି ଏହିଠାରେ ଏକ ଭଡ଼ା ଘରେ ରହୁଥିଲେ। କିନ୍ତୁ ଗତ ମଙ୍ଗଳବାର ଦିନ ତାଙ୍କର ଭାଇ ପୁର୍ଣ୍ଣ ଚନ୍ଦ୍ର ନାୟକ ଭାଇକୁ ମିଶିବା ପାଇଁ ଆସି ଦେଖିଲା ବେଳକୁ ଘର ବାହାରେ ତାଲା ପଡିଛି ଓ ସେ ବ୍ୟବହାର କରୁଥିବା ମୋଟରସାଇକେଲକୁ ଅନ୍ୟ ଜଣେ ଲୋକ ଧରି ବୁଲୁଥିବା ସମୟରେ ସେ ଲୋକ ଠାରୁ ଭାଇ ବିଷୟରେ ଜାଣିବାକୁ ଚାହିଁବାରୁ ତାଙ୍କ ଭାଇ କେଉଁ ଆଡେ ବୁଲିବାକୁ ଯାଇଥିବା ଜାଣିବା ପରେ ପୁର୍ଣ୍ଣ ଚନ୍ଦ୍ର ଗାଁ କୁ ଚାଲିଯାଇଥିଲେ।

ପୁଣି ଗତକାଲି ଭାଇ ସହ କଥା ହେବାପାଇଁ ତାଙ୍କର ମୋବାଇଲ ଫୋନକୁ କଲ୍ କରିଥିଲେ। କିନ୍ତୁ କିଛି ଜବାବ ନମିଳିବାରୁ ସେ ପୁଣି ଗୋପାଳପୁର ଆସି ଉକ୍ତ ବାହାର ଝରକା ପଟେ ଦେଖିଲା ବେଳକୁ ଘର ଭିତରୁ ଦୁର୍ଗନ୍ଧ ବାହାରୁଥିବା ଜାଣି ଗୋପାଳପୁର ଥାନାରେ ଅଭିଯୋଗ କରିଥିଲେ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ଘର ଭିତରକୁ ଯାଇ ଦେଖିଲା ବେଳକୁ ଅନ୍ୟ ଏକ କୋଠରୀରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଗନ୍ନାଥଙ୍କ ମୃତ ଦେହ ପଡ଼ିଛି ଓ ତାଙ୍କ ପାଖରେ ଏକ ବଡ଼ ପଥର ଓ ଗୋଟିଏ ଲୁହା ରଡ୍ ପଡ଼ିଛି। ଏହି ଭଳି ସମ୍ବେଦନଶୀଳ ପରିସ୍ଥିତି ଅନୁଭବ କରି ବ୍ରହ୍ମପୁର ଏସ୍ ପି ଡଃ ସର୍ବଣା ବିବେକ ଏମ୍ କନିଷି ଅତିରିକ୍ତ ତହସିଲଦାର ଓ ବଡଡାକ୍ତରଖାନାର ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରକ୍ତ ଜୁଡୁବୁଡୁ ଅବସ୍ଥାରେ ବନ୍ଦ କୋଠରୀରୁ ମୃତ ଦେହ ଉଦ୍ଧାର

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: କବିସୂର୍ଯ୍ୟ ନଗର ସହର କନକ ପାଟଣା ସାହିର ଏକ ଘରୁ ଆଜି ସକାଳୁ ସନ୍ଦେହ ଜନକ ମୃତ ଦେହ ଉଦ୍ଧାର ହୋଇଛି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତ ଦେହ ଉଦ୍ଧାର ହୋଇଛି।

ମୃତକଙ୍କ ନାମ ଯୁଧିଷ୍ଠିର ବେହେରା ଓ ତାଙ୍କର ନିଜ ଘର ପାଟପୁର ଥାନା ଅନ୍ତର୍ଗତ ପୋଡାମାରୀ ଅଞ୍ଚଳ ଜନକାପଲୀ ଗ୍ରାମର ବୋଲି ଜଣାପଡିଛି। ମୃତ ଯୁଧିଷ୍ଠିର ଜଣେ ରାଜମିସ୍ତ୍ରୀ। ସ୍ତ୍ରୀ କାମାକ୍ଷୀ ବେହେରା ସହ ଦୁଇଟି ପୁଅଙ୍କୁ ଧରି ସେ ସେଠାରେ ରହୁଥିଲେ।

ସ୍ତ୍ରୀ କାମାକ୍ଷୀ ଓ ପୁଅ କହିବା ଅନୁଯାୟୀ ପ୍ରତ୍ୟେକ ଦିନ ଭଳି ସେ ମିସ୍ତ୍ରୀ କାମକୁ ଯାଉଥିଲେ ଓ ଗତକାଲି ଦେହ ଅସୁସ୍ଥ ଥିବା ହେତୁ କାମକୁ ନଯାଇ ଘରେ ବିଶ୍ରାମ ନେଇଥିଲେ। ଆଜି ସକାଳେ ସ୍ତ୍ରୀ କାମକ୍ଷୀ କିଛି ଟଙ୍କା ଆଣିବା ପାଇଁ କାହା ଘରକୁ ଯାଇଥିଲା। ଏହି ସମୟରେ ପୁଅ ଦେଖିଲା ଯେ ବାପା ଖଟରେ ନଶୋଇ ତଳେ ଶୋଇଛନ୍ତି ଓ ତଳେ ରକ୍ତ ଭାସୁଛି।

ସଙ୍ଗେ ସଙ୍ଗେ ପୁଅ ଯାଇ ମାଁ କୁ ଡାକି କହିଲା ପରେ ମାଁ ଓ ସାହିର କିଛି ଲୋକ ଘଟଣାସ୍ଥଳରେ ପହଞ୍ଚି ଦେଖିଲା ବେଳକୁ ଯୁଧିଷ୍ଠିରର ମୃତ୍ୟୁ ଘଟିଛି। ଖବର ପାଇ କବିସୂର୍ଯ୍ୟ ନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ସନ୍ଦେହ ଜନକ ଭାବେ ମୃତ୍ୟୁକୁ ନେଇ ତଦନ୍ତ ଆରମ୍ଭ କରିଛି।