Categories
ଆଜିର ଖବର ରାଜ୍ୟ ଖବର

‘ସାହିତ୍ୟ ମାସିକୀ’ କାର୍ଯ୍ୟକ୍ରମରେ କବି ନାରାୟଣ ମୁଦୁଲିଙ୍କ ଚାରୋଟି କବିତା ପୁସ୍ତକ ଲୋକାର୍ପିତ

ଭୁବନେଶ୍ୱର: ପ୍ରତିଟି ସାରସ୍ୱତ ସଂରଚନାର ସମ୍ବେଦନାର ସୂତ୍ରଟିଏ ଥାଏ । କାରୁଣ୍ୟରୁ ଉତ୍ତୀର୍ଣ୍ଣ ସାହିତ୍ୟ ସୃଷ୍ଟି ହୋଇଥାଏ ବୋଲି ବିଶିଷ୍ଟ ସାହିତ୍ୟିକା ଡ. ଅର୍ଚ୍ଚନା ନାୟକ ପ୍ରକାଶ କରିଛନ୍ତି। ଆଜି ସନ୍ଧ୍ୟାରେ ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ଆୟୋଜିତ ‘ସାହିତ୍ୟ ମାସିକୀ’ରେ ଯୋଗଦେଇ ଡ. ନାୟକ ତାଙ୍କ ସାହିତ୍ୟ ଯାତ୍ରା ଉପରେ ବିସ୍ତୃତ ଆଲୋଚନା କରିଛନ୍ତି।

ଜୟଦେବ ଭବନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ‘ମୋ ସୃଜନ ମୋ ଜୀବନ’ଶୀର୍ଷକ ବକ୍ତବ୍ୟ ରଖି ଡ. ନାୟକ କହିଛନ୍ତି ଯେ ସେ ପଞ୍ଚମ ଶ୍ରେଣୀର ଛାତ୍ରୀ ଥିବାବେଳେ ଚିଲ ପାଟିରୁ ମାଛଟିଏ ଖସିଯିବାର ଦୃଶ୍ୟ ଦେଖି ପ୍ରଥମ କବିତା ଲେଖିଥିଲେ। ଦୃଶ୍ୟମାନ ପ୍ରକୃତି ଓ ଗ୍ରାମୀଣ ଚରିତ୍ରମାନେ ତାଙ୍କ ଲେଖାରେ ଉପସ୍ଥାପିତ ହେଉଥିଲେ।

ମାତ୍ର ସତୁରୀ ଦଶକରୁ ତାଙ୍କର ସାରସ୍ୱତ ଧାରା ଶ୍ରୀ ଅରବିନ୍ଦଙ୍କ ଦର୍ଶନରେ ପ୍ରଭାବିତ ହେଲା। ସେ ଇନ୍ଦ୍ରିୟୋତ୍ତର ଚେତନା ଓ ଅଦୃଶ୍ୟ ଜଗତର ଅନୁଭବକୁ ନେଇ ଲେଖାଲେଖି ଜାରି ରଖିଲେ ବୋଲି ଉଲ୍ଲେଖ କରିଥିଲେ । ସେ ତାଙ୍କର ସାରସ୍ୱତ ଅନୁଭବ, ବିଭିନ୍ନ ସ୍ଥାନ ଭ୍ରମଣ ଓ ପାଇଥିବା ସମ୍ମାନ ସଂପର୍କରେ ବର୍ଣ୍ଣନା କରିଥିଲେ।

ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ରକ୍ଷକ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ତରୁଣ କବି ବେଦପ୍ରକାଶ ନାୟକ ‘ଏ ମାସର କବି’ ଭାବେ ଯୋଗଦେଇ କବିତା ପାଠ କରିଥିଲେ । କାର୍ଯ୍ୟକ୍ରମରେ କବି ନାରାୟଣ ମୁଦୁଲିଙ୍କ ‘ମାଟିକବି ପଦାବଳୀ’ ଶିରୋନାମରେ ଚାରୋଟି କବିତା ବହି ଡ. ନାୟକଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। କବି ଶ୍ରୀ ମୁଦୁଲି ମଧ୍ୟ ବକ୍ତବ୍ୟ ରଖିଥିଲେ।

ପରେ ଅଭୟ ନାରାୟଣ ନାୟକ ଓ ନିରୁପମା କରଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ଅଳକା ରାୟ, ରଜନୀକାନ୍ତ ପଟ୍ଟନାୟକ, ଶ୍ୟାମାକିଙ୍କର ମହାନ୍ତି, ଜୟଶ୍ରୀ ପଟ୍ଟନାୟକ, ଅକ୍ଷୟ ପାଳ, ଅଲେଖ ଚରଣ ରାଉତ, ଅଶୋକ କୁମାର ସିଂ, ବିଦୁ୍ୟତପ୍ରଭା ଗନ୍ତାୟତ, ପ୍ରିୟରଞ୍ଜନ ସାହୁ, ଶୈଳେନ୍ଦ୍ର ଜେନା, ଅଂଶୁମାନ ସାହୁ, ମନମୋହନ ମିଶ୍ର,ଅନସୂୟା ବାରିକ, ପୁଷ୍ପଲତା ରଥ, ଚକ୍ରଧର ଦାଶ, ପିତାମ୍ବର ଭୋଇ, ପ୍ରକାଶ ଚନ୍ଦ୍ର ବେହେରା, ବିଷ୍ଣୁପି୍ରୟା ଜେନା ଓ ଅଗ୍ନିବେଶ ମହାପାତ୍ର ପ୍ରମୁଖ କବିତା ପାଠ କରିଥିଲେ।
ଅନୁଷ୍ଠାନର ସଭାପତି ସୂର୍ଯ୍ୟ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଉପସଭାପତି ବିଭୂତି ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ସାହିତ୍ୟ ମାସିକୀ: ରାଜ୍ୟ ବାଲ୍‌ ସାହିତ୍ୟ ପୁରସ୍କାର ବିଜେତା ମାନସ ରଞ୍ଜନ ସାମଲଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଶିଶୁ ସାହିତ୍ୟ କ୍ଷେତ୍ରରେ ନୂତନ ପ୍ରତିଭାମାନଙ୍କ ପ୍ରୋତ୍ସାହନ, ପ୍ରକାଶକମାନଙ୍କ ଦିଗ୍‌ଦର୍ଶନ ନେଇ ଶିଶୁ ସାହିତ୍ୟିକ ମାନସ ରଂଜନ ସାମଲ ଗୁରୁତ୍ୱ ଆରୋପ କରିଛନ୍ତି । ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟର ‘ସାହିତ୍ୟ ମାସିକୀ’ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଷ୍ଟ୍ରୀୟ ବାଲ୍‌ ସାହିତ୍ୟ ପୁରସ୍କାର ବିଜେତା ଶ୍ରୀ ସାମଲ ‘ମୋ ଜୀବନ: ମୋ ସୃଜନ’ ପ୍ରସଙ୍ଗରେ ବକ୍ତବ୍ୟ ରଖି ତାଙ୍କର ଲେଖକୀୟ ଜୀବନର ପ୍ରେରଣା, ପ୍ରଥମ ଲେଖା ପ୍ରକାଶନ, ପତ୍ରିକା ସଂପାଦନା ଓ ପ୍ରକାଶନରେ ସମସ୍ୟା ତଥା ପାଠକୀୟତା ବୃଦ୍ଧି ପାଇଁ ଉଦ୍ୟମ ଇତ୍ୟାଦି ବିଷୟରେ ଆଲୋକପାତ କରିଥିଲେ।

ସେ ତାଙ୍କ ସଂପାଦିତ ‘ଝୁମୁକା’ ଶିଶୁ ପତ୍ରିକାର ବିଭିନ୍ନ ଦିଗ ଉପରେ ମଧ୍ୟ ଉଲ୍ଲେଖ କରିଥିଲେ। ବିଶିଷ୍ଟ ସାହିତି୍ୟକମାନେ ଶିଶୁ ସାହିତ୍ୟ କ୍ଷେତ୍ରରେ ମନୋନିବେଶ କରି ଭବିଷ୍ୟତ ନାଗରିକଙ୍କ ସୃଜନ କୃତିତ୍ୱକୁ ଉତ୍ସାହ ଦେବାକୁ ସେ ଅନୁରୋଧ କରିଥିଲେ।

ଅନୁଷ୍ଠାନ ପକ୍ଷରୁ ଶ୍ରୀ ସାମଲଙ୍କୁ ଅଙ୍ଗବସ୍ତ୍ର ଓ ଉପଢୌକନ ପ୍ରଦାନପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ରକ୍ଷକ ନାୟକ ପୌରୋହିତ୍ୟ କରିଥିବା ବେଳେ ସଭାପତି ସୂର୍ଯ୍ୟ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଡା. ଜୀବନକୃଷ୍ଣ ମିଶ୍ର ବେଦପାଠ କରିଥିଲାବେଳେ ‘ଏ ମାସର କବି’ ଭାବରେ ସ୍ୱାଗତିକା ମିଶ୍ର ସ୍ୱରଚିତ କବିତା ପାଠ କରିଥିଲେ।

ପରେ ଅଭୟ ନାରାୟଣ ନାୟକ ଓ ସ୍ନେହଲତା ଦାସ ଲେଙ୍କାଙ୍କ ଯୁଗ୍ମ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ନନ୍ଦ କିଶୋର ବିଶ୍ୱାଳ, ମୌସୂମୀ ଦାସ, ଶ୍ରୁତକୀର୍ତ୍ତି ତ୍ରିପାଠୀ, ପ୍ରଦୀପ୍ତ ବାରିକ, ମହେନ୍ଦ୍ର କୁମାର ମଲ୍ଲିକ, ପ୍ରବୀଣା ପରିଡ଼ା, ସୁଷମା ଦାଶ, ସତ୍ୟନାରାୟଣ ସିଂହ, ଶୈଳେନ୍ଦ୍ର ଜେନା, ସତ୍ୟରଞ୍ଜନ ପ୍ରହରାଜ, ଚିନ୍ମୟୀ ଜେନା, ଆଭାସ ବରାଳ ଓ ନମିତା ପାଇକରାୟ ପ୍ରମୁଖ କବିତା ପାଠ କରିଥିଲେ। ଅନୁଷ୍ଠାନର ସଦସ୍ୟ ବିଧୁଭୂଷଣ ତି୍ରପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟପାଳଙ୍କ ଦ୍ବାରା ‘ତମିସ୍ରାର ନୀଳଜହ୍ନ’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ରାଜଭବନରେ କବି ଅଶୋକ କୁମାର ପଟ୍ଟନାୟକଙ୍କ ପ୍ରଥମ କବିତା ସଂକଳନ “ତମିସ୍ରାର ନୀଳଜହ୍ନ  ମହାମହିମ ରାଜ୍ୟପାଳ ଗଣେଶୀ ଲାଲଙ୍କ କରକମଳରେ ଉନ୍ମୋଚିତ ହୋଇଯାଇଛି।

ଏହି ଅବସରରେ କବି ଅଶୋକ ପଟ୍ଟନାୟକ, ବରିଷ୍ଠ କବି ରକ୍ଷକ ନାୟକ,  ମହେନ୍ଦ୍ର ନାୟକ ଏବଂ ପ୍ରକାଶକ ମାନମୟୀ ରଥ ଉପସ୍ଥିତ ଥିଲେ। ଏକ ନିରାଡ଼ମ୍ବର ପରିବେଶରେ ଏଭଳି ଏକ ଅଭିନଵ ଉନ୍ମୋଚନରେ ନିଜ ବହିଟିକୁ ଉନ୍ମୋଚିତ ହେବାର ଦେଖି କବି ଅଶୋକ ପଟ୍ଟନାୟକ ନିଜ ଆନନ୍ଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ।