Categories
ଆଜିର ଖବର

ମୁଖ୍ୟମନ୍ତ୍ରୀ ‘ମୋହନ ଭାଇ’ଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଭଉଣୀମାନେ, ଜାଣନ୍ତୁ ସେମାନେ କିଏ

ଭୁବନେଶ୍ବର: ଆଜି ପବିତ୍ର ରକ୍ଷା ବନ୍ଧନ ଉତ୍ସବ। ଏହି ଅବସରରେ ରାଜ୍ୟ ଅତିଥି ଭବନରେ ଏକ ଉତ୍ସବର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନରୁ ଝିଅମାନେ ଆସି ମୁଖ୍ୟମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସେମାନଙ୍କ ପାଇଁ ଥିଲେ ଆଦରର ‘ମୋହନ ଭାଇ’ ।

ଝିଅ, ମହିଳା ଓ କୁନି କୁନି ପିଲାମାନେ ଆସି ବନ୍ଦାପନା କରି ମୁଖ୍ୟମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିବା ସହିତ ମିଠା ଖୁଆଇ ଦେଇଥିଲେ। ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆଶୀର୍ବାଦ ଦେଇ ଉପହାର ମଧ୍ୟ ଦେଇଥିଲେ।

ଏହି ଅବସରରେ ଗଣ ମାଧ୍ୟମ ଆଗରେ ନିଜର ମନ୍ତବ୍ୟ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି ପବିତ୍ର ରକ୍ଷା ବନ୍ଧନ ଉତ୍ସବ। ଆଜି ମଧ୍ୟ ଗହ୍ମା ପୂର୍ଣ୍ଣମୀ ପର୍ବ। ଏହି ଅବସରରେ ରାଜ୍ୟର ସବୁ ଭଉଣୀ ମାନଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିବା ସହିତ ସମସ୍ତେ ଯେପରି ସୁରକ୍ଷାର ସହିତ ରହିବେ ସେଥିପାଇଁ ପ୍ରତିଶ୍ରୁତି ଦେଇଥିଲେ। ସେ କହିଥିଲେ ଯେ ଭଉଣୀ ମାନଙ୍କ ପାଇଁ ରାଜ୍ୟ ସରକାର ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି।

ପରିବର୍ତ୍ତନର ଏ ସମୟରେ ସମସ୍ତେ ଯେପରି ଭଲରେ ରହିବେ ସେଥିପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏକ ଶାନ୍ତ, ସ୍ନିଗ୍ଧ ଓ ଆନନ୍ଦମୟ ପରିବେଶ ମଧ୍ୟରେ ସମ୍ପାଦିତ ହୋଇଥିଲା ଆଜିର ରକ୍ଷା ବନ୍ଧନ କାର୍ଯ୍ୟକ୍ରମ। ପ୍ରାୟ ୪୦ ରୁ ଉର୍ଦ୍ଧ୍ବ ସଂସ୍ଥାର ୫୦୦ ରୁ ଅଧିକ ଝିଅ ଓ ମହିଳା ମାନେ ମୁଖ୍ୟମନ୍ତ୍ରୀ ଙ୍କ ହାତ ରେ ରାକ୍ଷୀ ବାନ୍ଧିଥିଲେ।

ପ୍ରଥମେ ଆସିଥିଲେ ମୁଖ୍ୟମନ୍ତ୍ରୀଙ୍କ ନିଜ ଭଉଣୀ ରାସମଣୀ ମାଝୀ। ମୁଖ୍ୟମନ୍ତ୍ରୀଙ୍କୁ ସେ ବନ୍ଦାପନା କରି ମିଠା ଖୁଆଇ ରାକ୍ଷୀ ବାନ୍ଧିଥିଲେ। ଏହାପରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଏବଂ ବରିଷ୍ଠ ନେତ୍ରୀ ପୂର୍ଣ୍ଣିମା କେରକେଟା ମୁଖ୍ୟମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିଥିଲେ। ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ବିଧାୟକ ଶ୍ରୀ ବାବୁ ସିଂହ ଅନ୍ୟ ପ୍ରମୁଖ ନେତା ମାନେ ଉପସ୍ଥିତ ଥିଲେ।

ଯେଉଁ ସଂସ୍ଥାର ପିଲାମାନେ ଆଜି ରକ୍ଷାବନ୍ଧନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ସେମାନେ ହେଲେ ସଫେଇ କର୍ମଚାରୀ(BMC), ବ୍ରହ୍ମପୁରର ଦିବ୍ୟାଙ୍ଗ ଅନୁଷ୍ଠାନ, ମାନସିକ ଅନଗ୍ରସର ପିଲାମାନେ, ଭୁବନେଶ୍ୱର ଏସ. ଓ . ଏସ ଭିଲେଜର ପିଲାମାନେ, ପ୍ରଜାପିତା ବ୍ରହ୍ମକୁମାରୀ, ମହିଳା କର୍ମଜୀବୀ ସାମ୍ବାଦିକ, ମହିଳା ସାମାଜିକ ଅନୁଷ୍ଠାନ, ମହିଳା ଚଳଚ୍ଚିତ୍ର ତାରକା, ଓକିଲ, ବିଜେପି ମହିଳା ମୋର୍ଚ୍ଚା, ସେବିକା ସମିତି, ଦୁର୍ଗା ବାହିନୀ, ମହିଳା କର୍ପୋରେଟର ଏବଂ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ।

ଏହା ସହିତ ତମାଣ୍ଡ, ଧର୍ମ ବିହାର, ପଞ୍ଚସଖା ନଗର, ୟୁନିଟ-୮, ବରମୁଣ୍ଡା, କଳିଙ୍ଗ ବିହାର, ନିଳାଦ୍ରୀ ବିହାର, ଜୟଦେବ ବିହାର, ଭୀମଟାଙ୍ଗି, ଆଦିମାତା କଲୋନୀ, ନିମାପଡ଼ା ଓ ୟୁନିଟ-୩ ପ୍ରଭୃତି ଅଞ୍ଚଳର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀ ଗଣ, ଭୁବନେଶ୍ୱର ତପୋବନ ହାଇ ସ୍କୁଲ, କ୍ୟାପିଟାଲ ଗାର୍ଲସ ହାଇସ୍କୁଲ, ଶିରିପୁର ଆଶ୍ରମ ସ୍କୁଲ, ସାଇ ଇଣ୍ଟରନେସନାଲ ସ୍କୁଲ, ତକ୍ଷଶିଳା,ମଦରସ ସ୍କୁଲ,ଉତ୍କଳ ବିଶ୍ଵବିଦ୍ୟାଳୟ, ରମାଦେବୀ ବିଶ୍ୱବିଦ୍ୟାଳୟ, ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ, ମହର୍ଷି ମହିଳା ମହାବିଦ୍ୟାଳୟ, ଦେବରାୟ ନୟାପଲ୍ଲୀ ମହାବିଦ୍ୟାଳୟ, ରାଜଧାନୀ ମହାବିଦ୍ୟାଳୟ, ରାଜା ମଧୁସୂଦନ ଦେବ ଡ଼ିଗ୍ରୀ ମହାବିଦ୍ୟାଳୟ ଆଦି ର ର ଛାତ୍ରୀ ମାନେ ଯୋଗ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ଧର୍ମ

ଅଗଷ୍ଟ ୧୧ ନା ୧୨ ତାରିଖ, କେବେ ବାନ୍ଧିବେ ରାକ୍ଷୀ? ଜାଣନ୍ତୁ ଶୁଭ ମୂହୁର୍ତ୍ତ

ନୂଆଦିଲ୍ଲୀ: ରକ୍ଷା ବନ୍ଧନ ପର୍ବ ଆସିଲେ ଭାଇ ଓ ଭଉଣୀମାନଙ୍କ ମଧ୍ୟରେ ବହୁତ ଉତ୍ସାହ ବଢିଯାଏ। ଏହି ପର୍ବ ପ୍ରତିବର୍ଷ ଶ୍ରାବଣ ମାସର ପୂର୍ଣ୍ଣିମା ତିଥିରେ ପାଳନ କରାଯାଏ। ପଞ୍ଚାଙ୍ଗ ଅନୁଯାୟୀ, ଏଥର ପୂର୍ଣ୍ଣିମା ତାରିଖ ଦୁଇ ଦିନ ଅର୍ଥାତ୍ ଅଗଷ୍ଟ ୧୧ ଏବଂ ୧୨ ତାରିଖରେ ପଡୁଛି। ଏଭଳି ପରିସ୍ଥିତିରେ ରକ୍ଷା ବନ୍ଧନ ପର୍ବ କେବେ ପାଳନ କରାଯିବ? ଏହି ବିଷୟରେ ବହୁତ ସନ୍ଦେହ ଦେଖାଯାଇଛି….

ପଞ୍ଚାଙ୍ଗ ଅନୁଯାୟୀ, ଶ୍ରାବଣ ମାସର ପୂର୍ଣ୍ଣିମା ତିଥି ଅଗଷ୍ଟ ୧୧ ତାରିଖ ୨୦୨୨ ଦିନ ସକାଳ ୧୦.୩୮ ରୁ ଆରମ୍ଭ ହେବ ଏବଂ ପରଦିନ ଅର୍ଥାତ୍ ଅଗଷ୍ଟ ୧୨ ତାରିଖ ୨୦୨୨ ସକାଳ ୭.୦୫ ରେ ଶେଷ ହେବ। ଏପରି ପରିସ୍ଥିତିରେ ଲୋକମାନେ ସନ୍ଦେହ କରୁଛନ୍ତି ଯେ, ରକ୍ଷା ବନ୍ଧନ ପର୍ବ ଅଗଷ୍ଟ ୧୧ ତାରିଖ କିମ୍ବା ଅଗଷ୍ଟ ୧୨ ତାରିଖରେ ପାଳନ କରାଯିବ। ହିନ୍ଦୁ କ୍ୟାଲେଣ୍ଡରରେ ଅଗଷ୍ଟ ୧୧ ତାରିଖରେ ରକ୍ଷା ବନ୍ଧନ ପାଳନ କରିବାକୁ କୁହାଯାଉଛି, କିନ୍ତୁ ଅଗଷ୍ଟ ୧୧ ତାରିଖରେ ଭଦ୍ରା କାଳର ଛାୟା ହେତୁ କିଛି ଲୋକ ଅଗଷ୍ଟ ୧୨ ତାରିଖରେ ରକ୍ଷା ବନ୍ଧନ ପାଳନ କରିବାକୁ କହୁଛନ୍ତି। ଏପରି ପରିସ୍ଥିତିରେ, ଆସନ୍ତୁ ଜାଣିବା ରକ୍ଷା ବନ୍ଧନର ନିଶ୍ଚିତ ତାରିଖ ଏବଂ ଉଭୟ ଦିନର ଶୁଭ ସମୟ।

ପଞ୍ଚାଙ୍ଗ ଅନୁଯାୟୀ ଶ୍ରାବଣ ପୂର୍ଣ୍ଣିମା ତିଥି ଅଗଷ୍ଟ ୧୧ ତାରିଖ ଦିନ ୧୦.୩୯ ରୁ ଆରମ୍ଭ ହୋଇ ଅଗଷ୍ଟ ୧୨ ତାରିଖ ସକାଳ ୭.୦୫ ରେ ଶେଷ ହେବ। ଅଗଷ୍ଟ ୧୧ ତାରିଖରେ ଭଦ୍ରା କାଳ ସକାଳ ଠାରୁ ରାତି ୦୮.୫୧ ପର୍ଯ୍ୟନ୍ତ ରହିଛି। ହିନ୍ଦୁ ଧର୍ମ ବିଶ୍ୱାସ କରେ ଯେ, ସୂର୍ଯ୍ୟାସ୍ତ ପରେ କୌଣସି ଶୁଭ କାର୍ଯ୍ୟ କରାଯାଏ ନାହିଁ। ସେଥିପାଇଁ ଭଦ୍ରା କାଳରେ କିମ୍ବା ରାତିରେ ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧିହେବ ନାହିଁ। ଅଗଷ୍ଟ ୧୨ ତାରିଖରେ, ସକାଳ ୭.୦୫ ପର୍ଯ୍ୟନ୍ତ ପୂର୍ଣ୍ଣିମା ତିଥି ରହିବ। ଏହି ସମୟରେ ଭଦ୍ରା ନାହିଁ ଏବଂ ଉଦୟତିଥି ମଧ୍ୟ ଅଛି। ସେଥିପାଇଁ କିଛି ଲୋକ ଅଗଷ୍ଟ ୧୨ ତାରିଖରେ ରାକ୍ଷୀ ବାନ୍ଧିବା ଶୁଭ ବୋଲି ବିବେଚନା କରନ୍ତି। ଯଦି ଆପଣ ଅଗଷ୍ଟ ୧୨ ତାରିଖରେ ରାକ୍ଷୀ ବାନ୍ଧିବାକୁ ଚିନ୍ତା କରୁଛନ୍ତି, ତେବେ ସକାଳ ୭.୦୫ ପୂର୍ବରୁ ରାକ୍ଷୀ ବାନ୍ଧନ୍ତୁ।