Categories
ଆଜିର ଖବର ରାଜ୍ୟ ଖବର

ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀମାନଙ୍କ ସମ୍ମିଳନୀ

ଭୁବନେଶ୍ୱର : ଆଜି ପୂର୍ବାହ୍ନରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀମାନଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଜଳସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଯୋଗଦେଇ କହିଲେ ଯେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀମାନେ ହେଉଛନ୍ତି ଜିଲ୍ଲାସ୍ତରରେ ରାଜ୍ୟ ସରକାରଙ୍କର ମୁଖପାତ୍ର ସଦୃଶ। ସମୟ ଅନୁସାରେ ଲୋକସଂପର୍କର ପରିଭାଷା ବଦଳିଛି। ରାଜ୍ୟ ସରକାର ୫-‘ଟି’ ଆଧାରରେ ନାଗରିକ କୈନ୍ଦ୍ରିକ ସେବା ଯୋଗାଇଦେବା ଉପରେ ଗୁରୁତ୍ୱ ଦେଇଛନ୍ତି।

ବିଭାଗର ଉନ୍ନତି ପାଇଁ ବିଭାଗର କାର୍ଯ୍ୟକୁ ଅଧିକ ଦକ୍ଷତା ଓ ନିଷ୍ଠାର ସହ ସଂପାଦନ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କର ନୈତିକ ଦାୟିତ୍ୱ ଓ କର୍ତ୍ତବ୍ୟ ରହିଛି । ବିଭାଗରେ ଥିବା ପୁରୁଣା ଦୁର୍ଲଭ ଫଟୋ, ପ୍ରମାଣିକ ଚଳଚ୍ଚିତ୍ର, ପୁରୁଣା ଚଳଚ୍ଚିତ୍ରଗୁଡ଼ିକୁ ଆଗାମୀ ପିଢ଼ି ପାଇଁ ସଂରକ୍ଷଣ କରି ରଖିବାର ଆବଶ୍ୟକତା ରହିଛି। ବିଭାଗ ତରଫରୁ ପ୍ରକାଶିତ ହେଉଥିବା ପୁରାତନ ‘ଉତ୍କଳ ପ୍ରସଙ୍ଗ’ ଏବଂ ‘ଓଡ଼ିଶା ରିଭୁ୍ୟ’ର ସଂଖ୍ୟାଗୁଡ଼ିକୁ ଓଡ଼ିଆ ଭର୍ଚୁଆଲ ଏକାଡେମୀ ସହଯୋଗରେ ଡିଜିଟାଇଜେସନ୍‌ କରାଯିବା ବିଭାଗ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା। ସାମାଜିକ ଗଣମାଧ୍ୟମର ବ୍ୟବହାର କରି ଜନସଚେତନତା ଓ ସୂଚନା ବ୍ୟବସ୍ଥାକୁ ବ୍ୟାପକ କରିବାରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀମାନେ ସେମାନଙ୍କର ଭୂମିକାରେ ଅଧିକ କ୍ରିୟାଶୀଳ ହେବାକୁ ସେ ପରାମର୍ଶ ଦେଇଥିଲେ ।

ବିଦ୍ୟାଳୟ ଓ ଗଣଶିକ୍ଷା, ସୂଚନା ଓ ଲୋକସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ କହିଲେ ଯେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀମାନେ ମୁଖ୍ୟତଃ ସରକାରଙ୍କ ଭାବମୂର୍ତ୍ତି ଗଠନର ଦାୟିତ୍ୱ ନିର୍ବାହ କରିଥାନ୍ତି । ଗଣତନ୍ତ୍ର ସରକାରରେ ବହୁ ଲୋକାଭିମୁଖୀ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମର ସଫଳତା ପାଇଁ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀମାନେ ସକି୍ରୟ ଭାବେ କାର୍ଯ୍ୟ କରିବା ସହ ଜିଲ୍ଲାର କଳା, ସଂସ୍କୃତି ବିଭିନ୍ନ ବିଭବ ସଂପର୍କରେ ତଥ୍ୟ ଲୋକଲୋଚନକୁ ଆଣିବା ପାଇଁ ଉଦ୍ୟମ କରନ୍ତୁ ।

ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ କହିଲେ ଯେ ସୂଚନା ପ୍ରଦାନ କ୍ଷେତ୍ରରେ ଆଧୁନିକ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ ମାଧ୍ୟମରେ ସର୍ବଦା ଆଗୁଆ ରହିବା ସାଙ୍ଗକୁ ଦକ୍ଷତାର ସହ ନିୟମିତ ଭାବେ କାର୍ଯ୍ୟ ସଂପାଦନ କରିବାର ଆବଶ୍ୟକତା ରହିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ହେଉଥିବା ବିଭିନ୍ନ ସରକାରୀ କାର୍ଯ୍ୟକ୍ରମଗୁଡ଼ିକର ଏବଂ ବିଭିନ୍ନ ଜନମଙ୍ଗଳ କାର୍ଯ୍ୟକ୍ରମର ସବିଶେଷ ସୂଚନା ବିତରଣ କରିବାରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀମାନଙ୍କର ଦାୟିତ୍ୱ ରହିଥିବାରୁ ସେଗୁଡ଼ିକୁ ଯଥାର୍ଥ ଭାବରେ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ଅତ୍ୟନ୍ତ ଜରୁରୀ।

ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁ୍ୟର ସଂପାଦକ ଡ. ଲେନିନ୍‌ ମହାନ୍ତି କହିଲେ ଯେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଓ ନିଷ୍ପତ୍ତିକୁ ସାମୂହିକ ଭାବେ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ଦିଗରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ସମୟ ସହ ତାଳଦେଇ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀମାନେ ଦକ୍ଷତାର ସହ କାର୍ଯ୍ୟ ସଂପାଦନ କରିବେ ବୋଲି ସେ ଆଶା ପ୍ରକାଶ କରିଥିଲେ।

ବିଭାଗୀୟ ବୈଷୟିକ ଅଧିକାରୀ ସୁରେନ୍ଦ୍ର ନାଥ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।
ଦ୍ୱିତୀୟ ଅଧିବେଶନରେ ପାୱାର ପଏଣ୍ଟ ମାଧ୍ୟମରେ ୫-‘ଟି’ ଓ ‘ମୋ ସରକାର’, ଜିଲ୍ଲାସ୍ତରରେ ପରିଲକ୍ଷିତ ହେଉଥିବା ବିଭିନ୍ନ ସମସ୍ୟା, ବିତ୍ତୀୟ ଶୃଙ୍ଖଳା ବଜାୟ ରଖିବା, ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁ୍ୟ ବିକି୍ରଲବ୍ଧ ଅର୍ଥ ନିୟମିତ ଟ୍ରେଜେରୀରେ ପଇଠ କରିବା, ସୂଚନା ଅଧିକାରୀ ଆଇନର କାର୍ଯ୍ୟକାରିତା, ସାମ୍ବାଦିକ କଲ୍ୟାଣ ଓ ସ୍ୱାସ୍ଥ୍ୟବୀମା, ସାମାଜିକ ଗଣମାଧ୍ୟମର ବ୍ୟବହାର ଆଦି ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା ।

ଏହି ସମ୍ମିଳନୀରେ ଯୁଗ୍ମ ସଚିବ ଶ୍ରୀମତୀ ବିଷ୍ଣୁପ୍ରିୟା ସାହୁ, ସହକାରୀ ବିତ୍ତ ପରାମର୍ଶଦାତା ଶ୍ରୀ ପୃଥ୍ୱୀରାଜ ପାଣି, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ମାନସ ରଞ୍ଜନ ଖୁଣ୍ଟିଆ, ଉପନିର୍ଦ୍ଦେଶକ(ଦକ୍ଷିଣାଞ୍ଚଳ) ଶ୍ରୀ ଗୁରବୀର୍‌ ସିଂ, ଉପନିର୍ଦ୍ଦେଶକ(କେନ୍ଦ୍ରାଞ୍ଚଳ) ଶ୍ରୀ ହେମନ୍ତ କୁମାର ନାୟକ, ଉପନିର୍ଦ୍ଦେଶକ(ଉତ୍ତରାଞ୍ଚଳ) ଶ୍ରୀ ବିଜୟ କୁମାର ମିଶ୍ର, ଉପନିର୍ଦ୍ଦେଶକ ବିଶ୍ୱଜିତ ଦାଶ, ସ୍ମିତା କର, ଡ. ଜ୍ୟୋତିର୍ମତୀ ସାମନ୍ତରାୟ, ସହକାରୀ ନିର୍ଦ୍ଦେଶକ (କ୍ଷେତ୍ର) ସୁଚେତା ପ୍ରିୟଦର୍ଶର୍ୟିନୀ, ବିଭାଗୀୟ ବରିଷ୍ଠ ଅଧିକାରୀ ଏବଂ ସମସ୍ତ ଜିଲ୍ଲାରୁ ଆସିଥିବା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀମାନେ ଯୋଗଦେଇଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶାର ଜଣେ ମନ୍ତ୍ରୀଙ୍କୁ ହେଲା କରୋନା

ଭୁବନେଶ୍ବର: ବିଜେଡିର କେତେକ ବିଧାୟକ ତଥା ସାଂସଦଙ୍କୁ କରୋନା ହେବା ପରେ ଏବେ ଜଣେ ମନ୍ତ୍ରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ସେ ହେଉଛନ୍ତି ଜଳସଂପଦ ତଥା ସୂଚନା ଓ ଲୋକ ସଂପର୍କମନ୍ତ୍ରୀ ରଘୁନନ୍ଦନ ଦାସ।

ସେ କିଛି ଅସୁସ୍ଥ୍ୟତା ଅନୁଭବ କରିବାରୁ କରୋନା ପରୀକ୍ଷା କରାଇଥିଲେ। ଯାହା ପଜେଟିଭ ବୋଲି ରିପୋର୍ଟ ଆସିଛି। ଏହା ଜଣାପଡିବା ପରେ ସେ ଟୁଇଟ ଯୋଗେ ତାଙ୍କ ସଂପର୍ଶରେ ଆସିଥିବା ଲୋକମାନଙ୍କୁ କରୋନା ପରୀକ୍ଷୀ କରାଇବା ପାଇଁ ଅନୁରୋଧ କରିଛନ୍ତି। ମନ୍ତ୍ରୀ ବର୍ତ୍ତମାନ ହୋମ ଆସୋଲେସନରେ ଅଛନ୍ତି।

Categories
ବିଶେଷ ଖବର

ମୋବାଇଲରେ ହେବ ଜଳସେଚନ ସମସ୍ୟା ସମାଧାନ: ୪ଟି ଅନ୍‌ଲାଇନ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କର ଲୋକପ୍ରିୟ ୫-ଟି କାର୍ଯ୍ୟକ୍ରମ ଆଜି ଚାଷୀ ଓ ଜଳସଂପଦ ବିଭାଗକୁ ସିଧାସଳଖ ଯୋଡି ପାରିଛି। ମୋବାଇଲ ଫୋନର ଫଟୋ ଓ ଭିଡିଓ ଜରିଆରେ ଚାଷୀ ଜଳସେଚନ ସମସ୍ୟା ସଂପର୍କରେ ସିଧା ଜଣାଇପାରିବେ ଜଳସଂପଦ ବିଭାଗକୁ।

ଜଳସେଚନ ସମସ୍ୟା ପାଇଁ ଚାଷ କାମ ଛାଡି ଆଉ ଚାଷୀ କୁ ଅଫିସକୁ ଦୌଡିବାକୁ ଦରକାର ହେବ ନାହିଁ। ମୋବାଇଲ ଫଟୋରୁ ହେବ ସମସ୍ୟାର ସମାଧାନ। ଅନ୍‌ଲାଇନ ଅଭିଯୋଗ ପରାଚାଳନା ବ୍ୟବସ୍ଥା “ସେଚ ସମାଧାନ” ଆଜି ଛାଷୀ ଭାଇ ମାନଙ୍କ ପାଇଁ ଏହି ସୁଯୋଗ ଆଣିଛି।

“ସେଚ ସମାଧାନ” ସହିତ ବିଜୁ କୃଷକ ଯୋଜନାରେ ଗୋଷ୍ଠୀ ଉଠାଜଳସଚେନ ପ୍ରକଳ୍ପ ପାଇଁ ଅନ୍‌ଲାଇନ ଆବେଦନ ପ୍ରକ୍ରିୟା, ଶିଳ୍ପସଂସ୍ଥା ମାନଙ୍କ ପାଇଁ ଜଳ ଆବଣ୍ଟନ ଆବେଦନ ପକ୍ରିୟା ଏବଂ ବ୍ୟବସାୟିକ ଓ ଅନ୍ୟ ସଂସ୍ଥା ପାଇଁ ଆବେଦନ ପୋର୍ଟାଲ ଏହିପରି ୪ଟି ଗୋଟି ଅନ୍‌ଲାଇନ ସେବା ବ୍ୟବସ୍ଥାର ଶୁଭାରମ୍ଭ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ସଂପାଦିତ ହୋଇଛି।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ଚାଷୀମାନେ ହେଉଛନ୍ତି ଜଳସଂପଦ ବିଭାଗର ସର୍ବବୃହତ ହିତାଧିକାରୀ। ତେଣୁ ଏହି ଅନ୍‌ଲାଇନ ସେବା ଚାଷୀମାନଙ୍କ ଅଭିଯୋଗର ତୁରନ୍ତ ସମାଧାନ ଦିଗରେ ବିଶେଷ ସହାୟକ ହେବା ସହିତ ବୈଷୟିକ ଜ୍ଞାନକୌଶଳର ବ୍ୟବହାର ଦ୍ବାରା ବିଭାଗକୁ ଅଧିକ ଉତ୍ତରଦାୟୀ ଓ ସ୍ବଚ୍ଛ ସେବା ପ୍ରଦାନରେ ସହାୟକ ହେବ।

ଏହାସହିତ ବିଜୁ କୃଷକ ଯୋଜନାର ଆବେଦନ ପ୍ରକ୍ରିୟାକୁ ମଂଜୁର କରିବାରେ ମଧ୍ୟ ସମୟୋଚିତ ପଦକ୍ଷେପ ନିଆଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସେହିପରି ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟିକ ପ୍ରତିଷ୍ଠାନ ମାନଙ୍କ ପାଇଁ କରାଯାଇଥିବା ଅନ୍ ଲାଇନ ସେବା ମଧ୍ୟ ସେମାନଙ୍କ ପାଇଁ ବିଶେଷ ଉପଯୋଗୀ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିବା ସହିତ ଲୋକଙ୍କୁ ନିଜ ଘର ପାଖରେ ସରକାରୀ ସେବା ଯୋଗାଇବା ପାଇଁ ଥିବା ଲକ୍ଷ୍ୟ ପୂରଣରେ ଏହା ସହାୟକ ହୋଇପାରିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ।ଏହି ସେବା ବିଷୟରେ ବହୁଳ ଜନସଚେତନତା ଊପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ।

ଏହି ଅବସରରେ ଜଳସଂପଦ ବିଭାଗ ପକ୍ଷରୁ ଅନ୍ୟତମ ୫-ଟି ଲକ୍ଷ୍ୟ ଡିଜିଟାଲ ମଷ୍ଟର ରୋଲ୍‌ ପ୍ରସ୍ତୁତି କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ଜଳସଂପଦ ତଥା ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ପ୍ରଶାସନକୁ ଅଧିକ ଦକ୍ଷ ଓ ଉତ୍ତରଦାୟୀ କରିବା ପାଇଁ ଜଳସଂପଦ ବିଭାଗ Digital Technology ଦ୍ବାରା ମୁଖ୍ୟମନ୍ତ୍ରୀଙ୍କ ୫-ଟି ଲକ୍ଷ୍ୟ ପୂରଣ କରିବା ସହିତ ଚାଷୀ ମାନଙ୍କୁ ଉନ୍ନତ ସେବା ଯୋଗାଇଦେବ ବୋଲି ଶ୍ରୀ ଦାସ ପ୍ରକାଶ କରିଥିଲେ।

ଜଳସଂପଦ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଅନୁ ଗର୍ଗ ସ୍ବାଗତ ଭାଷଣ ଦେଇଥିଲେ ଏବଂ ବିଭାଗୀୟ ଯନ୍ତ୍ରୀମୁଖ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, କୃଷି ବିଭାଗର ପ୍ରମୁଖ ସଚିବ, ଶିଳ୍ପ ବିଭାଗର ପ୍ରମୁଖ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ପ୍ରମୁଖ ଉପସ୍ଥିତ ଥିଲେ।

ଆଜି ଲୋକାର୍ପିତ ଅନ୍‌ ଲାଇନ ଅଭିଯୋଗ ପରିଚାଳନା ବ୍ୟବସ୍ଥା ସେଚ ସମାଧାନ ଏକ ଦ୍ବିଭାଷୀୟ ମୋବାଇଲ ଆପ୍‌। ଏହି ପଦ୍ଧତିରେ ଚାଷୀ ଜଳସଂପଦ ବିଭାଗ ଅଫିସକୁ ନ ଆସି ତାଙ୍କ ଅଭିଯୋଗ ଫଟୋ ବା ଭିଡିଓ ମୋବାଇଲ ଜରିଆରେ ପଠାଇଲେ, ତାଙ୍କୁ ଅଭିଯୋଗର ସ୍ଥିତି ସଂପର୍କରେ SMS ଜରିଆରେ ସୂଚନା ଦିଆଯିବ ଏବଂ ସମସ୍ୟାର ସମାଧାନ ପାଇଁ ତ୍ବରିତ ପଦକ୍ଷେପ ଗ୍ରହଣ କରାଯାଇପାରିବ।

ସେହିପରି ବିଜୁ କୃଷକ ବିକାଶ ଯୋଜନାରେ ଗୋଷ୍ଠୀ ଉଠାଜଳସଚେନ ପ୍ରକଳ୍ପ ପାଇଁ ହୋଇଥିବା ଅନ୍ ଲାଇନ୍ ଆବେଦନ ପ୍ରକ୍ରିୟା ଦ୍ବାରା ଚାଷୀମାନେ ସରକାରୀ ଅଫିନ ନ ଆସି, ନିଜ ମୋବାଇଲ ଫୋନ୍‌, କମ୍ପୁଟର କିମ୍ବା ଜନସେବା କେନ୍ଦ୍ରରୁ ଆବେଦନ କରିପାରିବେ।

ସେହିପରି ଶିଳ୍ପ କ୍ଷେତ୍ରକୁ ଜଳ ଆବଣ୍ଟନ ପାଇଁ ଜଳସଂପଦ ବିଭାଗ ତରଫରୁ Go Swift ପୋର୍ଟାଲକୁ ବିକଶିତ କରାଯାଇଛି। ଏହା ଜରିଆରେ ସେମାନେ ଅନ୍‌ ଲାଇନ ଆବେଦନ କରିପାରିବେ। ବାଣିଜ୍ୟିକ ଓ ଅନ୍ୟ ସଂସ୍ଥା ପାଇଁ ଜଳ ଆବେଣ୍ଟନ ପାଇଁ ମଧ୍ୟ ଜଳସଂପଦ ବିଭାଗ ତରଫରୁ ଅନ୍‌ଲାଇନ ପୋର୍ଟାଲ water allocationod.nic.in ବିକଶିତ କରାଯାଇଛି।

ଏହି ପୋର୍ଟାଲ ଜରିଆରେ ଆବେଦନକରୀ ମାନଙ୍କୁ ଜଳର ଆବଣ୍ଟନ, ପରିମାଣ ହ୍ରାସ ବୃଦ୍ଧି ଇତ୍ୟାଦି ବିଷୟରେ ବିଭାଗ ତରଫରୁ ଅବଗତ କରାଯାଇପାରିବ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଜଳସମ୍ପଦ ମନ୍ତ୍ରୀଙ୍କ ଦଳେଇଘାଇ ନଦୀବନ୍ଧ ପରିଦର୍ଶନ ସହ ବନ୍ୟାସ୍ଥିତି ଅନୁଧ୍ୟାନ

ରମେଶ ମହାନ୍ତି

ଜଗତସିଂହପୁର: ଆଜି ରାଜ୍ୟ ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଜଗତସିଂହପୁର ଜିଲ୍ଲା ଗସ୍ତ କରି ଦେବୀ ନଦୀର ସମ୍ବେଦନଶୀଳ ଦଳେଇଘାଇ ନଦୀବନ୍ଧ ପରିଦର୍ଶନ କରି ବନ୍ୟାସ୍ଥିତି ଅନୁଧ୍ୟାନ କରିଥିଲେ।ଜଳସମ୍ପଦ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଓ ଜଗତସିଂହପୁର ଜଳସମ୍ପଦ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ୨୪ ଘଣ୍ଟିଆ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ ମନ୍ତ୍ରୀ ଶ୍ରୀ ଦାସ ଦେବୀ ନଦୀର ଆଳିପିଙ୍ଗଳ ନଦୀବନ୍ଧ ପରିଦର୍ଶନ କରି ଜଳସମ୍ପଦ ବିଭାଗର ଯନ୍ତ୍ରୀ ମାନଙ୍କ ସହିତ ବନ୍ୟା ସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ। ଏହି ଗ୍ରସ୍ତ ସମୟରେ ସୁପରିଣ୍ଟେଣ୍ଡିଙ୍ଗ୍ ଇଂଜିନିୟର ବେଲେଶ୍ୱର ନାଥ ସାହୁ ଓ ଜଗତସିଂହପୁର ଜଳସମ୍ପଦ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରତାପ କୁମାର ଶତପଥୀଙ୍କ ସହ ଜଳସମ୍ପଦ ବିଭାଗର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ଦ୍ଵାରା ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଚେକ୍ ବଣ୍ଟନ ଓ ଏରସମା ଜେ.ଏମ୍.ଏଫ୍.ସି କୋର୍ଟର ଅସ୍ଥାୟୀ ଗୃହ ପରିଦର୍ଶନ

ରମେଶ ମହାନ୍ତି

ଜଗତସିଂହପୁର: ବାଲିକୁଦା -ଏରସମା ବିଧାୟକ ତଥା ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ଦ୍ଵାରା ମଙ୍ଗଳବାର ଦିନ ଏରସମା ବ୍ଲକ ସମ୍ମିଳନୀ କକ୍ଷରେ ଢିଙ୍କିଆ ପଞ୍ଚାୟତର ହିତାଧିକାରୀ ମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚେକ୍ ବଣ୍ଟନ କରାଯାଇଛି। ସୂଚନା ମୁତାବକ ଢିଙ୍କିଆ ପଞ୍ଚାୟତରେ ୨୦୧୫-୧୬ ମସିହା ପାଇଁ ୨୩ଜଣ ହିତାଧିକାରୀଙ୍କୁ ଆବାସ ଯୋଜନାରେ ନାମ ଫଳକ ଲେଖିବା ପାଇଁ ୧ହଜାର ଟଙ୍କା ଲେଖାଏଁ ଓ ୩ଜଣ ହିତାଧିକାରୀଙ୍କୁ ଫାଇନାଲ ବିଲ୍ ବାବଦ ୧୦ହଜାର ଟଙ୍କା ଲେଖାଏଁ ମନ୍ତ୍ରୀ ଶ୍ରୀ ଦାସ ଚେକ୍ ପ୍ରଦାନ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ଏରସମା ବିଡିଓ କୈଳାସ ଚନ୍ଦ୍ର ବେହେରା, ସାଂସଦଙ୍କ ପ୍ରତିନିଧି ପୀତବାସ ଗଚ୍ଛାୟତ ,ବ୍ଲକ୍ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ସଭ୍ୟା ଇତିଶ୍ରୀ ଭୂୟାଁ, ସ୍ବର୍ଣ୍ଣଲତା ସେନାପତି, ଗୀତାଞ୍ଜଳି ସ୍ୱାଇଁଙ୍କ ସମେତ ବ୍ଲକର କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।ଏଥିସହିତ ଜିଲ୍ଲାପାଳ ଓ ମନ୍ତ୍ରୀ ଶ୍ରୀ ଦାସ ଏରସମା ବିଡିଓଙ୍କ ସହିତ ବ୍ଲକ୍ ଅଞ୍ଚଳରେ ଲଗାଣ ବର୍ଷାରେ ବୁଡିରହିଥିବା କେତେକ ଅଞ୍ଚଳ ବୁଲି ଦେଖିବା ସହ ବର୍ଷା ଜନିତ ଜଳ ନିଷ୍କାସନ ସମସ୍ୟା ଓ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରି ଯଥାଶୀଘ୍ର ଏଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପରେ ଜିଲ୍ଲାପାଳଙ୍କ ସହିତ ମନ୍ତ୍ରୀ ଶ୍ରୀ ଦାସ ଏରସମାରେ ପ୍ରତିଷ୍ଠା ହେବାକୁ ଥିବା ସିଭିଲ୍ ଜଜ୍ ଜୁନିୟର୍ ଡିଭିଜନ- ଜେ.ଏମ୍.ଏଫ୍.ସି କୋର୍ଟର ଅସ୍ଥାୟୀ ଗୃହକୁ ପରିଦର୍ଶନ କରି ଜିଲ୍ଲାପାଳଙ୍କ ସହିତ ଏବାବଦରେ ଆଲୋଚନା କରିଥିଲେ।