Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେପି ଛାଡିଲେ ବରିଷ୍ଠ ନେତା ରଘୁନାଥ ମହାନ୍ତି, ବିଜେଡିରେ ଯୋଗଦେବା ନେଇ ଚର୍ଚ୍ଚା

ଭୁବନେଶ୍ବର: ଆଜି ବିଜେପିରୁ ଇସ୍ତଫା ପ୍ରଦାନ କରିଛନ୍ତି ବରିଷ୍ଠ ନେତା ରଘୁନାଥ ମହାନ୍ତି। ସେ ତାଙ୍କର ଇସ୍ତଫା ପତ୍ର ବିଜେପି ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇଦେଇଛନ୍ତି। ସେଥିରେ ସେ ଦଳର ପ୍ରାଥମିକ ସଦସ୍ୟ ପଦବୀରୁ ଇସ୍ତଫା ଦେଲି ବୋଲି ଉଲ୍ଲେଖ କରିଛନ୍ତି। ତେବେ ସେ ଖୁବଶିଘ୍ର ବିଜେଡିରେ ସାମିଲ ହେବେ ବୋଲି ଜଣାପଡିଛି।

ରଘୁନାଥ ବାଲେଶ୍ବର ବସ୍ତା ନିର୍ବାଚନ ମଣ୍ଡଳିରୁ ପାଞ୍ଚଥର ବିଧାୟକ ଭାବେ ନିର୍ବାଚିତ ହୋଇ ଆସିଥିଲେ। ସେ ଜନତା ଦଳରୁ ଦୁଇଥର ଏବଂ ବିଜେଡିରୁ ତିନିଥର ନିର୍ବାଚିତ ହୋଇଛନ୍ତି। ସେ ଦଳର ମୁଖ୍ୟ ସଚେତକ ଏବଂ ବହୁ ବିଭାଗର ମନ୍ତ୍ରୀ ମଧ୍ୟ ରହିଥିଲେ।

ସେ ବଧୂ ନିର୍ଯ୍ୟାତନା ଅଭିଯୋଗରେ ଜେଲ ଯିବା ପରେ ତାଙ୍କୁ ବିଜେଡି ବହିସ୍କାର କରିଦେଲା। ଏହାପରେ ସେ ବିଜେପିରେ ସାମିଲ ହୋଇ 2019ରେ ବିଜେପିରୁ ଲଢେଇ କରି ହାରିଯାଇଥିଲେ।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେଡି ଫେରିବେ ବରିଷ୍ଠ ନେତା ରଘୁନାଥ ମହାନ୍ତି, ବାଲେଶ୍ବର ଲୋକସଭା ପ୍ରାର୍ଥି ହେବା ନେଇ ଚର୍ଚ୍ଚା !!!

ଭୁବନେଶ୍ବର: ସବୁ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ବାଲେଶ୍ବର ପାଇଁ ପ୍ରାର୍ଥୀ ଘୋଷଣା କରି ନାହିଁ ବିଜେଡି। କେଉଁ କାରଣ ପାଇଁ ବିଜେଡି ସେଠାରେ ପ୍ରାର୍ଥୀ ଘୋଷଣା କରୁ ନାହିଁ ତାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ତେବେ ବିଶେଷ ସୁତ୍ର ଅନୁସାରେ ବିଜେପିର ବରିଷ୍ଠ ନେତା ରଘୁ ମହାନ୍ତି କୁଆଡେ ଘର ବାହୁଡା କରିବେ। ଅର୍ଥାତ ସେ ପୁଣି ବିଜେଡି ଫେରିବେ। ଏହାପରେ ତାଙ୍କୁ ଲୋକସଭା ପ୍ରାର୍ଥୀ କରାଯିବ ବୋଲି ରାଜ୍ୟ ରାଜନୀତିରେ ଚର୍ଚ୍ଚା ଚାଲିଛି।

ବିଜେଡିରୁ ଲଗାତର ବାଲେଶ୍ବର ବସ୍ତାରୁ ପାଞ୍ଚଥର ବିଧାୟକ ହୋଇଥିବା ରଘୁ ମହାନ୍ତିଙ୍କ ଦଳରେ ଏକଡା ବଡ ଦବଦବା ରହିଥିଲା। ହେଲେ ପୁଅବୋହୂଙ୍କ ବିବାଦ ପାଇଁ ସେ ଜେଲ ଯିବା ପରେ ବିଜେଡି ତାଙ୍କୁ ଦଳରୁ ବହିସ୍କାର କରିଥିଲା। ପରେ ସେ ବିଜେପିରେ ସାମିଲ ହୋଇ ଗତଥର ଟିକେଟ ପାଇଥିଲେ ମଧ୍ୟ ହାରିଯାଥିଲେ।

ଏଥର ରଘୁ ମହାନ୍ତିଙ୍କୁ ବିଜେପି କୌଣସି ସ୍ଥାନ ପାଇଁ ଟିକେଟ ଦେଇ ନାହିଁ। ଏପଟେ ବିଜେଡି ବାଲେଶ୍ବର ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରି ନାହିଁ। ଫଳରେ ରଘୁନାଥ ପୁଣି ବିଜେଡିକୁ ଫେରି ବାଲେଶ୍ବର ରାଜନୀତିରେ ସକ୍ରିୟ ରହିବେ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଗତଥର ବାଲେଶ୍ବର ଏମପି ପ୍ରାର୍ଥୀ ଥିବା ରବିନ୍ଦ୍ର ଜେନାଙ୍କୁ ବିଜେଡି ଏଥର ଟିକେଟ ଦେଇ ନାହିଁ। ବରଂ ତାଙ୍କ ଧର୍ମପତ୍ନୀ ସୁଭାଶିନୀ ଜେନାଙ୍କୁ ବସ୍ତାର ବିଧାୟକ ପ୍ରାର୍ଥୀ କରିଛି।

ସେଥିପାଇଁ ବାଲେଶ୍ବର ରାଜନୀତିରେ ବର୍ତ୍ତମାନ ରଘୁନାଥ ଫାକ୍ଟର ବଡ ଚର୍ଚ୍ଚାର ପରିସରକୁ ଆସିଛି। ଅନ୍ୟଏକ ସୁତ୍ର ଅନୁସାରେ କୁଆଡେ ରଘୁନାଥ ସାଂସଦ ପ୍ରାର୍ଥୀ ହେବା ଅପେକ୍ଷା ବସ୍ତାରୁ ଲଢେଇ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ଯଦି ଦଳ ତାଙ୍କ କଥାକୁ ବିଚାର କରେ ତେବେ ସୁଭାଶିନୀଙ୍କୁ ବାଲେଶ୍ବର ଲୋକସଭା ପାଇଁ ପ୍ରାର୍ଥୀ କରି ରଘୁନାଥଙ୍କୁ ବସ୍ତା ବିଧାୟକ ପ୍ରାର୍ଥି କରାଯିବ ବୋଲି ଚର୍ଚ୍ଚା ଚାଲିଛି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଏକଦା ଦାମ ରାଉତ ଓ ରଘୁ ମହାନ୍ତି ମଧ୍ୟ ବିଜେପିରେ ମିଶି ଥିଲେ, ଏବେ ସେମାନଙ୍କ ସ୍ଥିତି କଣ?

ଭୁବନେଶ୍ବର: ନିର୍ବାଚନ ପାଖେଇଲେ ଦଳବଦଳ ହେବା ଏକ ଚିରାଚରିତ ପ୍ରଥା ହୋଇ ସାରିଲାଣି। ଏବେ ନିର୍ବାଚନ ପାଖେଇ ଆସୁଥିବାରୁ ଏହି ଦଳ ବଦଳ ପକ୍ରିୟା ଜୋରଦାର ଚାଲିଛି। ତେବେ ସବୁଠାରୁ ଚର୍ଚ୍ଚାର ପରିସରକୁ ଯାହା ଆସିଛି ତାହା ହେଲା ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିବା ନେତାଙ୍କ ଭାଗ୍ୟ। କାରଣ ନିକଟରେ ବିଜେଡିରୁ ବହିସ୍କୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏବଂ ବିଜେଡିର ପୂର୍ବତନ ବିଧାୟକ ଦେବାଶିଷ ନାୟକ ବିଜେପିରେ ଯୋଗ ଦେଇଛନ୍ତି।

ଏକଦା ଏହି ଦୁଇ ନେତା ବିଜେଡିରେ ବେଶ ପ୍ରଭାବଶାଳି ଥିଲେ। ଉଭୟ ମୁଖ୍ୟମନ୍ତ୍ରୀଙ୍କ ପାଖେ ପାଖେ ରହୁଥିଲେ। ନବୀନ ରାଜନୀତିକୁ ଆସିବା ସମୟରୁ ଦେବାଶିଷ ତାଙ୍କର ଅତି ଘନିଷ୍ଠ ଥିଲେ। ସେହିପରି ପ୍ରଦୀପ ମଧ୍ୟ ନବୀନଙ୍କ ନିର୍ବାଚନ ମଣ୍ଡଳି ହିଞ୍ଜିଳି ଦାୟିତ୍ବ ନେଇ ଥିଲେ। ହେଲେ ସମୟ ଚକ୍ରରେ ଉଭୟଙ୍କୁ ବିଜେଡି ବହିସ୍କୃତ କରିଛି। ଏବେ ନିର୍ବାଚନ ଆସୁଥିବାରୁ ସେମାନେ ବିଜେପିରେ ସାମିଲ ହୋଇଛନ୍ତି।

ତେବେ ଗତ 2019 ନିର୍ବାଚନ ପୂର୍ବରୁ ମଧ୍ୟ ଏହିପରି ଘଟଣା ପରିଲକ୍ଷିତ ହୋଇଥିଲା। ସେତେବେଳେ ବିଜେଡିର ଦୁଇ ଟାଣୁଆ ନେତା ରଘୁନାଥ ମହାନ୍ତି ଓ ଦାମୋଦର ରାଉତ ବିଜେପିରେ ସାମିଲ ହୋଇଥିଲେ। ସମୟ ଚକ୍ରରେ ଉଭୟଙ୍କୁ ମଧ୍ୟ ବିଜେଡି ଦଳରୁ ବହିସ୍କାର କରିଥିଲା। ଆଉ ଉଭୟ ସେତେବେଳେ ବିଜେପିରେ ସାମିଲ ହୋଇଥିଲେ।

ଦାମୋଦର ରାଉତଙ୍କୁ ବିଜେପି ଦଳର ପ୍ରଚାର କମିଟର ଅଧ୍ୟକ୍ଷ କରିଥିଲା। ସେତିକି ନୁହେଁ ନିର୍ବାଚନରେ ଲଢେଇ କରିବା ପାଇଁ ବାଲିକୂଦା ଏରସମାରୁ ବିଜେପି ଟିକେଟ ମଧ୍ୟ ଦେଇଥିଲା। ହେଲେ ଦାମୋଦର ଜିତିବା ଦୂରେ ଥାଉ ସେ ତୃତୀୟ ସ୍ଥାନକୁ ଖସି ଆସିଥିଲେ। ସେଠାରେ ରଘୁନନ୍ଦନ ଦାସ ଜିତିଥିବା ବେଳେ ଦ୍ବିତୀୟରେ ଥିଲେ କଂଗ୍ରେସ ପ୍ରାର୍ଥୀ।

ନିଜର ପତିୟାରା ଏବଂ ସାତଥର ବିଧାୟକ ସହ ବହୁବାର ମନ୍ତ୍ରୀ ଥାଇ ମଧ୍ୟ ବିଜେଡି ଛାଡିବା ପରେ ତାଙ୍କର ସ୍ଥିତି ସାଂଘାତିକ ହୋଇଗଲା। ଅନ୍ୟପଟେ ହାରିବା ପରେ ବିଜେପି ତାଙ୍କୁ କଣଠୋସା କରିଦେଲା। ପରିସ୍ଥିତି ଏପରି ହେଲା ଯେ, ସେ ପରବର୍ତ୍ତି ସମୟରେ ବିଜେପିରୁ ଇସ୍ତଫା ମଧ୍ୟ ଦେବାକୁ ବାଧ୍ୟ ହୋଇଥିଲେ। ବର୍ତ୍ତମାନ ବିଜେଡି ତାଙ୍କ ଉପରୁ ନିଲମ୍ବନ ହଟାଇ ଦେଇଥିଲେ ମଧ୍ୟ ସେ ଦଳରେ ଥାଇ ନ ଥିବା ପରି।

ସେହିପରି ରଘୁନାଥ ମହାନ୍ତିଙ୍କ ଏକଦା ବିଜେଡିରେ ଥିଲେ ଅନ୍ୟତମ ପତିୟାରା ଥିବା ନେତା। ଏକାଥରେ ସେ ଥିଲେ ବହୁ ବିଭାଗର ମନ୍ତ୍ରୀ। ତାଙ୍କ ଉପରେ ନବୀନଙ୍କ ଭରସା ବେଶ ଭଲଥିଲା। ହେଲେ ପୁଅ ବୋହୂଙ୍କ ବିବାଦ ନେଇ ଛନ୍ଦି ହୋଇଗଲେ ରଘୁନାଥ। ଶେଷରେ ଜେଲ ଯିବାକୁ ମଧ୍ୟ ପଡିଲା। ରଘୁଙ୍କୁ ବିଜେଡି ବହିସ୍କାର କଲା। ସେ ମଧ୍ୟ ପରବର୍ତ୍ତି ସମୟରେ ବିଜେପିରେ ସାମିଲ ହୋଇ ବସ୍ତାରୁ ଗତ ନିର୍ବାଚନରେ ଲଢେଇ କରିଥିଲେ। ତାଙ୍କ ଅବସ୍ଥା ମଧ୍ୟ ସେଇଆ। ଜିତିବା ଦୂରେ ଥାଉ ତୃତୀୟ ସ୍ଥାନକୁ ଖସି ଆସିଥିଲେ ରଘୁନାଥ।

ଉଭୟ ନେତାଙ୍କର ତାଙ୍କ ନିର୍ବାଚନ ମଣ୍ଡଳିରେ ରହିଥିଲା ବେଶ ଦବଦବା। ହେଲେ ସେମାନଙ୍କୁ ଯେଉଁଦିନ ବିଜେଡି ଦୂରେଇ ଦେଲା, ସେହିଦିନ ଲୋକସବୁ ତାଙ୍କଠାରୁ ଦୂରେଇ ଗଲେ। ଏଥିରୁ ସ୍ପଷ୍ଟ ହେଲା ଯେ, ବିଜେଡି ବିନା ଏମାନଙ୍କର ସ୍ଥିତି ନାହିଁ। ସେମାନେ ଯେତେ ବଡ ବଡ ଦଳରେ ଯୋଗ ଦିଅନ୍ତୁ ପଛେ ନବୀନଙ୍କ ବିନା ଏମାନେ ତିଷ୍ଠିବା ଅସମ୍ଭବ।

ବର୍ତ୍ତମାନ ସେମିତି ବିଜେଡିରେ ଏକଦା ବେଶ ପତିୟାରା ଥିବା ଦୁଇ ନେତା ପ୍ରଦୀପ ଓ ଦେବାଶିଷ ବିଜେପିରେ ଯୋଗ ଦେଇଛନ୍ତି। ଉଭୟଙ୍କୁ ମଧ୍ୟ ବିଜେଡି ବହିସ୍କାର କରିଛି। ଅବଶ୍ୟ ଦେବାଶିଷ ପରବର୍ତ୍ତି ସମୟରେ ଦଳକୁ ଫେରିଛନ୍ତି, ହେଲେ ତାଙ୍କର ଆଉ ପୂର୍ବ ପତିୟାରା ନାହିଁ। ଗତ ନିର୍ବାଚନରେ ଦଳ ଦେବାଶିଷଙ୍କୁ ଟିକେଟ ଦେଇ ନ ଥିଲା।

ଏଥର ଉଭୟ ପ୍ରଦୀପ ପାଣିଗ୍ରାହୀ ଏବଂ ଦେବାଶିଷ ବିଜେପିରେ ମିଶି ନୂଆ ରାଜନୈତିକ କ୍ୟାରିୟର ଆରମ୍ଭ କରିଛନ୍ତି। ଉଭୟ ଟିକେଟ ପାଇବା ପାଇଁ ବଡ ଆଶାରେ ଅଛନ୍ତି। ତେବେ ପ୍ରଶ୍ନ ଉଠୁଛି ଯେ, ଦାମ ଓ ରଘୁଙ୍କ ଅବସ୍ଥା ଯେପରି ହେଲା ସେହିପରି ପ୍ରଦୀପ ଓ ଦେବାଶିଷଙ୍କ ଅବସ୍ଥା ହେବ ନାହିଁ ତ ? ତାଙ୍କର ସ୍ଥାନ ସେହିପରି ତୃତୀୟକୁ ଖସି ଆସିବ ନାହିଁ ତ ?

Categories
ବିଶେଷ ଖବର

ବିପ୍ଲବୀ ସହିଦ୍ ରଘୁ ଓ ଦିବାକର

ବିଶ୍ବବିଜୟୀ ଦାଶ

ମାଟି ମା’କୁ ଇଂରେଜ ଶାସନର ବେଡ଼ିରୁ ମୁକ୍ତ କରିବା ପାଇଁ ପ୍ରାଣବଳି ଦେଇଥିବା ଦୁଇଜଣ ବିପ୍ଲବୀ ସଂଗ୍ରାମୀ ହେଲେ ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ା। ଉଭୟଙ୍କ ନାମ ଓଡ଼ିଶା ଇତିହାସର ସୂର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି। ପରାଧିନ ଭାରତରେ ଓଡ଼ିଶାର ଅଧିକାଂଶ ଗଡ଼ଜାତର ରାଜା ମାନେ, ବ୍ରିଟିଶ୍ ସରକାରର ବାହୁଛାୟା ତଳେ ରହି ପ୍ରଜା-ଶୋଷଣରେ ମାତିଥିଲେ। ଗଡ଼ଜାତରେ ଶାସନ ବୋଲି କିଛି ନଥିଲା। ପ୍ରଜାଙ୍କୁ ବଳପୂର୍ବକ ବେଠି ଖଟାଯାଉଥିଲା, ମାଗଣା ଭେଟି ଦେବାକୁ ପଡ଼ୁଥିଲା।

ବିଚ଼ାର ନାମରେ ପ୍ରହସନ ହେଉଥିଲା, ପ୍ରଜାମାନଙ୍କୁ ରାଜାଙ୍କ ଅତ୍ୟାଚ଼ାରରୁ ରକ୍ଷା କରିବା ପାଇଁ ବିଭିନ୍ନ ପ୍ରଜାମଣ୍ଡଳ ଗଠନ କରି ଆନ୍ଦୋଳନ ଆରମ୍ଭ କରାଯାଇଥିଲା। ରଣପୁର ଅଞ୍ଚଳରେ ପ୍ରଜା ମଣ୍ଡଳକୁ ସଂଗଠିତ କରାଇଥିଲେ ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ା।ଦୁହେଁ ଥିଲେ ଶିକ୍ଷିତ, ସ୍ବାଭିମାନୀ। ରଣପୁର ଗଡ଼ଜାତ ଅନ୍ତର୍ଗତ ବାଦଭୂଇଁ ରେ ଜନ୍ମଗ୍ରହଣ କରିଥିଲେ ରଘୁ ଏବଂ ଗଡ଼ବାଣୀକିଲୋ ଗ୍ରାମରେ ଜନ୍ମଲାଭ କରିଥିଲେ ଦିବାକାର। ରଣପୁର ପ୍ରଜା ମଣ୍ଡଳର ସଂପାଦକ ଓ ସଂଗଠନ ସଂପାଦକ ଥିଲେ ଯଥାକ୍ରମେ ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ା।

ଏହି ଦୁଇ ପ୍ରଚ଼ଣ୍ଡ ଦେଶପ୍ରେମୀ ଯୁବକଙ୍କ ନେତୃତ୍ବରେ ରଣପୁର ପ୍ରଜା ଆନ୍ଦୋଳନ କ୍ରମଶଃ ଶକ୍ତିଶାଳୀ ହୋଇଥିଲା। ନିଜର ଜ୍ଞାନ ବୁଦ୍ଧି ବଳରେ ବିଦ୍ରୋହକୁ ତୀବ୍ର, ଶାଣିତ ଓ କୋଠର କରି ପାରିଥିଲା। ଏତାଦୃଶ୍ୟ ଦେଖି ଇଂରେଜ ସରକାର ଭୟଭୀତ ହୋଇଥିଲେ। ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ା ରାଜା ତଥା ପଲଟିକାଲ ଏଜେଣ୍ଟଙ୍କ ବିଷ ଦୃଷ୍ଟିରେ ପଡ଼ିଥିଲେ।ସେତେବେଳେ ମେଜର ବେଜେଲଗେଟ୍ ଥିଲେ ପୂର୍ବାଞ୍ଚଳ ଗଡ଼ଜାତ ରାଜ୍ୟ ସମୂହର ପଲଟିକାଲ ଏଜେଣ୍ଟ। ସେ ରାଜାଙ୍କ ପକ୍ଷରୁ ପ୍ରଜା ଅତ୍ୟାଚ଼ାରରେ ସାମିଲ ଥିଲେ।

ପରବର୍ତ୍ତି ସମୟରେ ମିଥ୍ୟା ସାକ୍ଷୀ ପ୍ରମାଣ ଯୋଗାଡ଼ କରି ରାଜନୈତିକ ଏଜେଣ୍ଟ ବେଜେଲଗେଟ୍ ଙ୍କ ହତ୍ୟା ଅଭିଯୋଗରେ ରଘୁନାଥ ଓ ଦିବାକରଙ୍କୁ ଗିରଫ କରି ବିହାରର ଭାଗଲପୁର ଜେଲ୍ କୁ ପଠାଯାଇଥିଲା। ଅନେକ କେସ୍ ଲଢ଼ିବା ପରେ ମଧ୍ୟ ରଘୁ-ଦିବାକରଙ୍କ ସପକ୍ଷରେ ଯାଇନଥିଲା।

ଶେଷରେ ରଘୁ-ଦିବାକରଙ୍କୁ ୧୯୪୧ ମସିହା ଅପ୍ରେଲ ୪ ତାରିଖରେ ବିହାରର ଭାଗଲପୁର ଜେଲରେ ଫାଶୀ ଦଣ୍ଡ ଦିଆଯାଇଥିଲା। ଶହିଦ ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ାଙ୍କ ଓଡ଼ିଶା ପ୍ରତି ଅବଦାନ ଅତୁଳନୀୟ। ତାଙ୍କର ବଳିଷ୍ଠ ନେତୃତ୍ବ ଆଗାମୀ ଦିନରେ ଦେଶ ସ୍ବାଧୀନତା ଆଣିବା ପାଇଁ ପ୍ରେରଣା ଯୋଗାଇଥିଲା।

ଆଜିର ଯୁବପିଢ଼ି ରଘୁଦିବାକରଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାର ଆବଶ୍ୟକତା ରହିଛି।ସେମାନଙ୍କର ସଂଗ୍ରାମର ଗାଥା ସର୍ବଦା ଚ଼ିର ସ୍ମରଣୀୟ ହୋଇ ରହିବ। ଆଜି ସହିଦ୍ ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ାଙ୍କ ଶ୍ରାଦ୍ଧବାର୍ଷିକ ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳୀ ଓ କୋଟି କୋଟି ପ୍ରଣାମ।

ଲେଖକ- ବିଶ୍ବବିଜୟୀ ଦାଶ, ବି.ଏସସି,ବି.ଇଡ଼ି (ସ୍ବତନ୍ତ୍ର ଶିକ୍ଷା), ଗମ୍ଭାରିମୁଣ୍ଡା, ବାଣପୁର, ଖୋର୍ଦ୍ଧା, ପିନ୍ – ୭୫୨୦୩୫, ମୋବାଇଲ ନଂ- ୬୩୭୦୨୦୮୪୨୮