Categories
ଆଞ୍ଚଳିକ

ବାଣପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ରଜତ ଜୟନ୍ତୀ ଉଦଯାପନୀ ଦିବସରେ ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ତିନି ଦିବସ ବ୍ୟାପି ଅନୁଷ୍ଠିତ ରଜତ ଜୟନ୍ତୀ ସମାରୋହ ଆଜି ଉଦଯାପିତ ହୋଇଯାଇଛି। ଉକ୍ତ ଉଦଯାପନୀ ଦିବସରେ ମୁଖ୍ୟ ଅତିଥିଭାବେ କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ଇଂ ବିଶ୍ୱେଶ୍ୱର ଟୁଡୁ ଯୋଗଦେଇଥିଲେ।

ଏହି ଅବସରରେ ବିଦ୍ୟାଳୟ ପରିଚାଳନା ସମିତି ସଭପତି ରାଜକିଶୋର ଭୋପାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ବକ୍ତା ଭାବେ ଶିକ୍ଷା ବିକାଶ ସମିତି ଓଡିଶା ସଭାପତି ଡଃ କିଶୋର ଚନ୍ଦ୍ର ମହାନ୍ତି ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଭାରତୀୟ ପର୍ଯ୍ୟଟନ ବିକାଶ ନିଗମ ଅଧ୍ୟକ୍ଷ ଡା ସମ୍ବିତ ପାତ୍ର ଏବଂ ବାଣପୁର ତହସିଲଦାର ଟି. ପଦ୍ମନାଭ ଦୋରା ଯୋଗଦେଇଥିଲେ। ମୁଖ୍ୟ ଅତିଥି ନିଜ ଅଭିଭାଷଣରେ ପାଶ୍ଚାତ୍ୟ ସଭ୍ୟତା ଓ ସଂସ୍କୃତିକୁ ପଛରେ ପକାଇ ନିଜ ସଭ୍ୟତାକୁ ଆପଣାଇବାକୁ କହିଥିଲେ।

ବିଦ୍ୟାଳୟରେ ଗୁରୁଜୀ ଗୁରୁମା ମାନେ ବିଦ୍ୟାର ଶିକ୍ଷାଦିଅନ୍ତି କିନ୍ତୁ ଭଲ ମଣିଷ ହେବାକୁ ହେଲେ ନିଜ ପରିବାରର ସବୁଠାରୁ ଅଧିକ ଦାଇତ୍ୱ। ତେଣୁ ପିଲା ମାନଙ୍କୁ ଭଲ ମଣିଷ ହେବାକୁ ଶିକ୍ଷା ଦେବାପାଇଁ ଅତିଥି ମାନେ ଉପସ୍ଥିତ ଅଭିଭାବକମାନଙ୍କୁ ଉପଦେଶ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ପିଲା ମାନଙ୍କୁ ଈଶ୍ୱର ବିଶ୍ୱାସୀ ହେବା ପାଇଁ ମୁଖ୍ୟ ଅତିଥି ପ୍ରେରଣା ଦେଇଥିଲେ।

ସମସ୍ତ ଅତିଥି ମାନେ ନିଜର ଅଭିଭାଷଣ ରଖିବା ସହ ରାଷ୍ଟ୍ର ଗଠନ ଦିଗରେ ସରସ୍ବତୀ ଶିଶୁ ମନ୍ଦିରର ଭୂମିକା ବିଷୟରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ।

ଏହି ଅବସରରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ, ପୂର୍ବତନ ଛାତ୍ରଛାତ୍ରୀ, ଅଭିଭାବକ, ବୁଦ୍ଧିଜୀବୀ ଏବଂ ସ୍ଥାନୀୟ ଜନସାଧାରଣ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ପରିଚାଳନା ସମିତି ସମ୍ପାଦକ ଆଇନଜୀବୀ ଶ୍ୟାମସୁନ୍ଦର ମିଶ୍ର ଧନ୍ୟବାଦ ଅର୍ପଣ କରିଥିବାବେଳେ ପ୍ରଧାନ ଆଚାର୍ଯ୍ୟ ଅବିନାଶ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ରଜତ ଜୟନ୍ତୀ ସମାରୋହକୁ ଉଦଘାଟନ କଲେ ଛତିଶଗଡ ରାଜ୍ୟପାଳ

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଭଗବତୀ ବିହାରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ତିନିଦିନ ଧରି ପାଳନ ହେବାକୁ ଥିବା ରଜତ ଜୟନ୍ତୀ ସମାରୋହ ଆଜି ଉଦଘାଟିତ ହୋଇଯାଇଛି। ସକାଳେ କଳସ ଓ ମଶାଲ ଶୋଭାଯାତ୍ରା ମା’ଭଗବତୀ ମନ୍ଦିରରୁ ବାହାରି ବିଦ୍ୟାଳୟରେ ପହଁଚିଲା ପରେ ଅପରାହ୍ନରେ ଗାୟତ୍ରୀ ମହାଯଂଜ୍ଞ, ଏବଂ ଶାରୀରିକ ଓ ରଙ୍ଗମଞ୍ଚ ଅନୁଷ୍ଠିତ ହୋଇଥିଲା।

ଆଜିର ଉଦଘାଟନ ଉତ୍ସବର ସଭା ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରାଜକିଶୋର ଭୋପାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବାବେଳେ ମୁଖ୍ୟ ଅତିଥି ଭାବେ ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ ଶିକ୍ଷା ବିକାଶ ସମିତି ସଭାପତି କୁଳମଣି ମିଶ୍ର, ସମ୍ମାନିତ ଅତିଥି ଭାବେ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଯୋଗ ଦେଇଥିବା ବେଳେ ବିଶିଷ୍ଟ ଅତିଥି ଭାବେ ଗୁଜୁରାଟ ବାନପ୍ରସ୍ତ ସାଧକ ଆଶ୍ରମ ସଚିବ ସ୍ୱାମୀ ମୁକ୍ତାନନ୍ଦଜୀ ପରିବ୍ରାଜକ ଯୋଗ ଦେଇଥିଲେ।

ମୁଖ୍ୟବକ୍ତାଙ୍କ ଅଭିଭାଷଣରେ ଅଭିଭାବକମାନେ ନିଜ ମନର କଥାକୁ ପିଲା ଉପରେ ଲଦି ଦିଅନ୍ତୁ ନାହିଁ ବୋଲି କହିଥିଲେ। ପିଲାର ମସ୍ତିକ ଧାରଣ କ୍ଷମତାଠାରୁ ଅଧିକ ବୋଝ ନ ଲଦି ପିଲା ଉପରେ ଭରସା ରଖନ୍ତୁ। ଏହି ବିଦ୍ୟାମନ୍ଦିରରେ ଖାଲି ବିଦ୍ୟା ଅଧ୍ୟୟନ କରାଯାଇ ନଥାଏ ସଂସ୍କୃତି ଓ ପରମ୍ପରାକୁ ରକ୍ଷା କରିବାକୁ ମଧ୍ୟ ପିଲା ମାନଙ୍କୁ ଶିକ୍ଷା ଦିଆଯାଏ।

ମୁଖ୍ୟ ଅତିଥି ମହାମହିମ ରାଜ୍ୟପାଳ ଭାରତର ସଂସ୍କୃତିକୁ ସାରା ବିଶ୍ୱ ଆଜି ଗ୍ରହଣ କରିଛି ବୋଲି କହିଥିଲେ। ଭାରତର ସଂସ୍କୃତି ଯୁଦ୍ଧ ନୁହେଁ ସର୍ବଦା ଶାନ୍ତିର ବାର୍ତ୍ତାଦିଏ। ଭାରତୀୟ ଦର୍ଶନ ହେଉଛି ବସୁଧେୟିବ କୁଟୁମ୍ବକମ। ତେଣୁ ଏହି ଦର୍ଶନରେ ଅନୁପ୍ରାଣିତ ହେବାକୁ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ବାଣପୁର ମାଟି ହେଉଛି ଏକ ବୀର ମାଟି, ଏହାର ଐତିହ୍ୟ ବହୁ ପ୍ରାଚୀନ, ଏ ଜାତି ହେଉଛି ସ୍ୱାଭିମାନର ଜାତି। ଏହାକୁ ରକ୍ଷା କରିବା ଦାୟିତ୍ୱ ହେଉଛି ପିଲା ମାନଙ୍କର। ମୋ ମା, ମୋ ମାଟି, ମୋ ଭାଷା ଓ ମୋ ଦେଶକୁ ରକ୍ଷା କରିବାକୁ ମହାମହିମ ରାଜ୍ୟପାଳ ଶ୍ରୀ ହରିଚନ୍ଦନ ଆହ୍ୱାନ ଦେଇଥିଲେ।

ଏହି ଅବସରରେ ବାଣପୁର ଅଂଚଳର ବିଭିନ୍ନ ବର୍ଗ ଯଥା ଶିକ୍ଷାବିତ, ଡାକ୍ତର ଏବଂ ସମାଜସେବୀଙ୍କୁ ଉପଢୌକନ ଦେଇ ମହାମହିମ ରାଜ୍ୟପାଳ ସମ୍ବର୍ଦ୍ଧିତ କରିଥିଲେ।  ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ରାଜ୍ୟପାଳଙ୍କ ଆଗରେ ପାଇକ ଆଖଡ଼ାର କଳା କୌଶଳ ପ୍ରଦର୍ଶନ କରିଥିବାରୁ ରାଜ୍ୟପାଳ ଖୁସି ବ୍ୟକ୍ତ କରିଥିଲେ।

ବିଦ୍ୟାଳୟ ପରିଚାଳନା କମିଟି ସମ୍ପାଦକ ଆଇନଜୀବୀ ଶ୍ୟାମସୁନ୍ଦର ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ପ୍ରଧାନଆଚାର୍ଯ୍ୟ ଅବିନାଶ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।