Categories
ଆଜିର ଖବର ରାଜ୍ୟ ଖବର

ନେଭାର କାର୍ଯ୍ୟକାରିତା ନେଇ ସମୀକ୍ଷା କଲେ କାର୍ଯ୍ୟକାରୀ ବାଚସ୍ପତି

ଭୁବନେଶ୍ୱର: ଆଜି କାର୍ଯ୍ୟକାରୀ ବାଚସ୍ପତି ରଜନୀକାନ୍ତ ସିଂହ ବିଧାନସଭାସ୍ଥିତ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ବିଧାନସଭାର କମ୍ପୁ୍ୟଟରୀକରଣ ବ୍ୟବସ୍ଥା ଓ ନ୍ୟାସ୍‌ନାଲ ଇ-ବିଧାନ (ନେଭା)ର କାର୍ଯ୍ୟକାରିତା ନେଇ ସମୀକ୍ଷା କରିଥିଲେ। ଏହି ସମୀକ୍ଷା ବୈଠକରେ ଓଡ଼ିଶା ବିଧାନସଭା ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ପେପରଲେସ୍‌ ପ୍ରଣାଳୀକୁ ଅଧିକ କ୍ରିୟାଶୀଳ କରିବା ଉଦ୍ଦେଶ୍ୟରେ ବିଧାନସଭା ଗୃହର ସମସ୍ତ ସଦସ୍ୟମାନଙ୍କ ଟେବୁଲ୍‌ରେ କମ୍ପୁ୍ୟଟର ବ୍ୟବସ୍ଥା କରାଯିବା ପାଇଁ ସ୍ଥିର କରାଯାଇଛି।

ଆସନ୍ତା ଏକ ମାସ ମଧ୍ୟରେ ଏହି କାର୍ଯ୍ୟର ସମସ୍ତ ପ୍ରକ୍ରିୟା ଶେଷ କରିବା ପାଇଁ ସମୀକ୍ଷା ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏଥି ପାଇଁ ପୂର୍ତ୍ତ ବିଭାଗର ଆର୍‌ ଆଣ୍ଡ ବି ଡିଭିଜନ୍‌-୧ର ଅଧିକ୍ଷଣ ଯନ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଛି।

ବୈଠକରେ ବିଧାନସଭା ସଚିବ ଦାଶରଥୀ ଶତପଥୀ, ଓକାକ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଜାତୀୟ ସୂଚନା କେନ୍ଦ୍ର, ଭୁବନେଶ୍ୱରର ବୈଷୟିକ ନିର୍ଦ୍ଦେଶକ, ଆର୍‌ ଆଣ୍ଡ ବି ଡିଭିଜନ୍‌ର ଅଧିକ୍ଷଣ ଯନ୍ତ୍ରୀ ଏବଂ ବିଧାନସଭାର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଘୋଷଣା ହେବ ଓଡିଶାର ଶ୍ରେଷ୍ଠ ବିଧାୟକ, ବସିଲା ଚୟନ କମିଟର ପ୍ରଥମ ବୈଠକ

ଭୁବନେଶ୍ବର: ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ବିଧାନସଭାସ୍ଥିତ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଶ୍ରେଷ୍ଠ ବିଧାୟକ ଚୟନ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି।

ବୈଠକରେ ଚୟନ କମିଟିର ସଦସ୍ୟ ଭାବେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂହ, କଂଗ୍ରେସ ଦଳର ବରିଷ୍ଠ ବିଧାୟକ ଶ୍ରୀ ନରସିଂହ ମିଶ୍ର, ପୂର୍ବତନ ବିଧାୟକ ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ, ପୂର୍ବତନ ବିଧାୟକ ଶ୍ରୀ ନଗେନ୍ଦ୍ର କୁମାର ପ୍ରଧାନ ଏବଂ ବରିଷ୍ଠ ସାମ୍ବାଦିକ ଶ୍ରୀ ଶ୍ରୀରାମ ଦାଶ ଉପସ୍ଥିତ ଥିଲେ।

ପ୍ରକାଶଯୋଗ୍ୟ ଯେ କୋଭିଡ୍‌ ସଂକ୍ରମଣ ପାଇଁ ଗତ ତିନିବର୍ଷ ଧରି ଏ ବାବଦରେ କୌଣସି ବୈଠକ ଅନୁଷ୍ଠିତ ହୋଇନଥିଲା। ଚଳିତ ବର୍ଷ ୨୦୧୭ରୁ ୨୦୨୧ ପର୍ଯ୍ୟନ୍ତ ୫ ବର୍ଷର ଶ୍ରେଷ୍ଠ ବିଧାୟକଙ୍କୁ ଚୟନ କରାଯିବ। ପ୍ରତିବର୍ଷ ଓଡ଼ିଶା ବିଧାନସଭା ପକ୍ଷରୁ ୩ଟି ବର୍ଗରେ ଏହି ସମ୍ମାନ ପ୍ରଦାନ କରାଯାଇଥାଏ।

ପଣ୍ଡିତ ନୀଳକଣ୍ଠ ସମ୍ମାନରେ ବର୍ତ୍ତମାନର ବିଧାୟକ, ଉତ୍କଳଗୌରବ ମଧୁସୂଦନ ସମ୍ମାନରେ ପୂର୍ବତନ ବିଧାୟକ ଏବଂ ଉତ୍କଳମଣି ଗୋପବନ୍ଧୁ ପ୍ରତିଭା ସମ୍ମାନରେ ନବନିର୍ବାଚିତ ବିଧାୟକଙ୍କୁ ସମ୍ମାନିତ କରାଯାଇଥାଏ। ରାଜ୍ୟ ପ୍ରତି ଥିବା ଦାୟିତ୍ୱବୋଧ ଓ ନିଷ୍ଠା ସହ ବିଧାନସଭା ଗୃହକାର୍ଯ୍ୟରେ ବିଧାୟକଙ୍କର ଉଲ୍ଲେଖନୀୟ ପ୍ରଦର୍ଶନଆଧାରରେ ଚୟନ କମିଟି ଶ୍ରେଷ୍ଠ ବିଧାୟକଙ୍କୁ ମନୋନୀତ କରିଥାନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବିଧାନସଭାରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଶ୍ରାଦ୍ଧଦିବସ ପାଳିତ

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ପରିସରରେ ଓଡ଼ିଶାର ବରପୁତ୍ର ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଶ୍ରାଦ୍ଧଦିବସ ଆଜି ପୂର୍ବାହ୍ନରେ ପାଳିତ ହୋଇଯାଇଛି । ଓଡ଼ିଶା ବିଧାନସଭାର ଉପବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂହ, ରାଜ୍ୟ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବରିଷ୍ଠ ବିଧାୟକ ଶ୍ରୀ ପ୍ରଫୁଲ୍ଲ ସାମଲ, ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତପଥୀ, ନିର୍ଦ୍ଦେଶକ (ଗବେଷଣା) ଶ୍ରୀ କୃପାସିନ୍ଧୁ ମିଶ୍ର ପ୍ରମୁଖ ପାରଳା ମହାରାଜାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାର୍ଘ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

ଭାଷାଭିତ୍ତିକ ସ୍ୱତନ୍ତ୍ର ଓଡ଼ିଶା ଗଠନରେ ପାରଳା ମହାରାଜାଙ୍କ ଅବଦାନ ଅତୁଳନୀୟ। ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ସେ ଜଣେ ମୁଖ୍ୟ ପୁରୋଧା ଥିଲେ। ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ଭାବରେ ରାଜ୍ୟର ଶିକ୍ଷା, ସ୍ୱାସ୍ଥ୍ୟ ଓ କୃଷିର ବିକାଶ ପାଇଁ ସେ ଅନେକ ଉତ୍ତମ ପଦକ୍ଷେପ ଗ୍ରହଣ କରିଥିଲେ । ରାଜାଙ୍କ ଜନ୍ମ ପ୍ରଜାମାନଙ୍କ ସେବା ପାଇଁ ବୋଲି ସେ କହୁଥିଲେ।

ଏହି ବାକ୍ୟରୁ ସେ ଜଣେ ଅତ୍ୟନ୍ତ ପ୍ରଜାବତ୍ସଳ ରାଜା ଥିଲେ ବୋଲି ସ୍ପଷ୍ଟ ପ୍ରମାଣିତ ବୋଲି ଅତିଥିମାନେ ପ୍ରକାଶ କରିଛନ୍ତି। ଉପନିର୍ଦ୍ଦେଶକ (ଗବେଷଣା) ଶ୍ରୀ ଶିବପ୍ରସାଦ ପଟ୍ଟନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଶାଶ୍ୱତୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନର କଣ୍ଠଶିଳ୍ପୀମାନେ ପାରଳା ମହାରାଜାଙ୍କ ଜୀବନୀ ଉପରେ ପର୍ଯ୍ୟବେଷିତ ସୁମଧୁର ସଂଗୀତ ପରିବେଷଣ କରିଥିଲେ।