Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ରଜପର୍ବ ଉପଲକ୍ଷେ ସୋଆ ପକ୍ଷରୁ ରଜ ପିଠା ପ୍ରତିଯୋଗିତା ଆୟୋଜିତ

ଭୁବନେଶ୍ୱର: ଓଡ଼ିଶାର ଗଣପର୍ବ ରଜ ଉପଲକ୍ଷେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ (ଏସ୍‌ଏଚ୍‌ଏମ୍‌) ପକ୍ଷରୁ ରଜ ପିଠା ପ୍ରତିଯୋଗିତା ସୋମବାର ଆୟୋଜିତ ହୋଇଯାଇଛି।

ଏହି ପ୍ରତିଯୋଗିତାରେ ମହିଳାମାନେ ବିଭିନ୍ନ ପିଠା ପ୍ରସ୍ତୁତ କରିବା ନିମନ୍ତେ ଏସ୍‌ଏଚ୍‌ଏମ୍‌ରେ ସୋମବାର ସକାଳେ ପହଂଚି ପିଠା ପ୍ରସ୍ତୁତ ଆରମ୍ଭ କରିଥିଲେ। ଅନ୍ୟ ପିଠା ପ୍ରତିଯୋଗିତା ଭଳି ଘରୁ ପ୍ରସ୍ତୁତ କରିଥିବା ପିଠା ନ ଆଣି ଏଠାରେ ହିଁ ନିଜର ରୋଷେଇ କଳା ଦେଖାଇଥିଲେ ମହିଳାମାନେ। ମୋଟ ୧୬ ଜଣ ମହିଳା ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ବେଳେ ୮ଟି ଗ୍ରୁପ୍ ମାଧ୍ୟମରେ ସେମାନେ ବିଭିନ୍ନ ପ୍ରକାର ପିଠା ପ୍ରସ୍ତୁତ କରିଥିଲେ।

ବିଭିନ୍ନ ପ୍ରକାରର ପୋଡପିଠା ଯେପରିକି ଚାଉଳ ପୋଡପିଠା, ଖିର ପୋଡପିଠା, ବିରି ପୋଡପିଠା, ତ୍ରିରଙ୍ଗା ପୋଡ ପିଠା, ମହୁଲ ପୋଡ ପିଠା, ଚନ୍ଦ୍ରକାନ୍ତି, ସୁଜି ସିଝା ମଣ୍ଡା ପିଠା, ପୁରଦିଆ ମଣ୍ଡା, ସୁଜି କାକରା, ଗୁଡ଼ ଓ ଚିନି ଆରିଷା, ପାଳୁଅ ମଣ୍ଡା ପିଠା, ତ୍ରିରଙ୍ଗା ପୋଡ ପିଠା, ଭୋଗେଇ ଭଳି ୨୪ ପ୍ରକାର ପିଠା ମହିଳାମାନେ ପ୍ରସ୍ତୁତ କରିଥିଲେ।

ଏହି ମହିଳାମାନଙ୍କର ରୋଷେଇ ଦକ୍ଷତାକୁ ପରଖିବା ପାଇଁ ବିଚାରକ ଭାବେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟର ପୂର୍ବତନ ଅଧ୍ୟକ୍ଷା ଆର୍ଯ୍ୟା କୁମାରୀ ପାଣିଗ୍ରାହୀ, ସ୍ୱାମୀ ବିବେକାନନ୍ଦ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟର ଅଧ୍ୟକ୍ଷ ପିତାମ୍ବର ବିଶ୍ୱାଳ ଓ ରୋଜିସ୍ କିଚେନ୍‌ର ପରିଚାଳନା ନିର୍ଦ୍ଦେଶିକା ସରୋଜା ଚୌଧୁରୀ ବିଚାରକ ଭାବେ ଯୋଗ ଦେଇ ଖାଦ୍ୟ ପରୀକ୍ଷା କରିଥିଲେ।

ପ୍ରତିଯୋଗୀମାନଙ୍କ ମଧ୍ୟରୁ ଜ୍ୟୋସ୍ନା ମିଶ୍ର ଓ ମୀନା ପାଣିଗ୍ରାହୀ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ନିହାରିକା ତ୍ରିପାଠୀ ଓ ମାନସୀ ବରାଳ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ଶୁଭଶ୍ରୀ ପଟ୍ଟନାୟକ ଓ ମାନସୀ ଓଝା ତୃତୀୟ ସ୍ଥାନ ଗ୍ରହଣ କରିଥିଲେ।
ପ୍ରିତଯୋଗିତାରେ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।

ଏହି ଅବସରରେ ବିଚାରକମାନେ ପ୍ରତିଯୋଗୀମାନଙ୍କୁ ସେମାନଙ୍କ ପ୍ରଚେଷ୍ଟା ନିମନ୍ତେ ପ୍ରଶଂସା କରିଥିଲେ। ଏସ୍‌ଏଚ୍‌ଏମ୍‌ର ଡିନ୍ ପ୍ରଫେସର ଅନୁପ କୁମାର ସାମନ୍ତରାୟ ପିଠା ପ୍ରତିଯୋଗିତା ଭଳି ଆଗାମୀ ଦିନରେ ମିଠା ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯିବ ବୋଲି ସୂଚନା ଦେଇଥିଲେ। ଶେଷରେ ଏସ୍‌ଏଚ୍‌ଏମ୍ ପକ୍ଷରୁ ପ୍ରଫେସର ସୁଶାନ୍ତ କୁମାର ଚଇନି ଧନ୍ୟବାଦ ଅର୍ପଣ କରିଥିଲେ।

ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଏସ୍‌ଏଚ୍‌ଏମ୍ ପକ୍ଷରୁ ରଜ ପିଠା ବିକ୍ରୀ ହେବାର ଯୋଜନା ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଦୋଳିରେ ଝୁଲିଲେ, ପୋଡପିଠା ଖାଇ ରଜ ପାଳନ କଲେ ଜଟଣୀ ବିଧାୟକ ସୁର ରାଉତରାୟ

ଭୁବନେଶ୍ୱର, ଆଜି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ନିରାଡମ୍ବରରେ, ସାଂକେତିକ ଭାବେ କୋଭିଡ ଆଇନ ଅନୁସାରେ ରଜ ଉତ୍ସବ ପାଳନ କରିଛନ୍ତି । ସେ ପ୍ରଥମେ ଭୁବନେଶ୍ୱର ସ୍ଥିତ ପାନ୍ଥନିବାସ ଏବଂ ପରେ ଭୁବନେଶ୍ୱର ଉପକଣ୍ଠ ସ୍ଥିତ ମଦନପୁର ଠାରେ ପିଲାଙ୍କ ସହ ରଜପର୍ବ ପାଳନ କରିଥିଲେ । ନିଜେ ଦୋଳି ଖେଳିବା ସହ ଛୋଟ ପିଲାମାନଙ୍କୁ ଦୋଳି ଖେଳାଇଥିଲେ ।

ସେ କହିଥିଲେ କରୋନାର ଯନ୍ତ୍ରଣା ଭିତରେ ପବିତ୍ର ରଜ ପର୍ବକୁ କେବଳ ସାଂକେତିକ ଭାବରେ ପାଳନ କରାଯାଉଛି । ଯେଉଁଠି ୫୦ଟି ଦୋଳି ଲାଗିବା କଥା ସେଥି ଗୋଟିଏ ଦୋଳି ଲଗାଇ ପର୍ବଟିକୁ କେବଳ ପାଳନ କରାଯାଉଛି । ରାଉତରାୟ କହିଥିଲେ ରଜ ତିନିଦିନିକୁ ଓଡ଼ିଶାର ପୁରପଲ୍ଲୀର ସାଧାରଣ ଲୋକ ଯେଉଁ ଯାକଜମକରେ ପାଳନ କରିଥାନ୍ତେ ସେଥିରେ କରୋନା ବାଧକ ସାଜିଛି ।

ସେ କହିଥିଲେ ଏହି ପର୍ବର ପ୍ରଥମ ଦିନ ଶୁଖିଲା ଖଇ, ଉଖୁଡ଼ା, ମୁଆଁ ଦ୍ୱିତୀୟ ଦିନ ପିଠାପଣା ଏବଂ ତୃତୀୟ ଦିନ ଆମିଷ ଭୋଜନ କରାଯାଏ । କରୋନା ମହାମାରୀ ଥିବାରୁ ଲୋକେ ଏ ପର୍ବକୁ ଅନ୍ତରରେ ଏବଂ ହୃଦୟରେ ମନେ ପକେଇ ପାଳନ କରନ୍ତୁ ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଛେନୁ ପଟ୍ଟନାୟକ, ଲିଙ୍ଗରାଜ ସାହୁ, ପ୍ରକାଶ ମିଶ୍ର, ଗୀତାଞ୍ଜଳି ବେହେରା, ବ୍ରଜବନ୍ଧୁ ବଳିଆରସିଂ, ସୌମ୍ୟରଞ୍ଜନ ପଟ୍ଟନାୟକ, ତାପସ ବିଦ୍ୟାଧର, ବିକ୍ରମ ପଣ୍ଡା, ବିମଳ ବେହେରା ଓ ବିକ୍ରମ ସୁନ୍ଦରରାୟ ପ୍ରମଖୁ ଅଂଶଗ୍ରହଣ କରିଥିଲେ ।

Categories
ଆଞ୍ଚଳିକ

ସଙ୍ଗରୋଧ କେନ୍ଦ୍ରରେ ପାଳିଲେ ରଜ :ପ୍ରବାସୀଙ୍କୁ ରଜପିଠା ସହ ନୂଆବସ୍ତ୍ର ଉପହାର ଦେଲେ ସରପଞ୍ଚ

ରମେଶ ମହାନ୍ତି

ଜଗତସିଂହପୁର : କରୋନା ମହାମାରୀ ପାଇଁ ଫିକା ପଡିଛି ଓଡିଆଙ୍କ ମୁଖ୍ୟପର୍ବ ରଜ।ଜଗତସିଂହପୁର ଜିଲ୍ଲାରେ ଦୁଇଦିନିଆ ସଟ୍‌ ଡାଉନ୍‌ ଯୋଗୁଁ ସବୁଆଡେ ଖାଁଖାଁ ଲାଗୁଥିବା ବେଳେ ରଜମୌଜରେ ଡୋରିବନ୍ଧା ହୋଇଛି।ତଥାପି ସଙ୍ଗରୋଧ କେନ୍ଦ୍ରରେ ଥିବା ଅନ୍ତେବାସୀମାନେ ଯେପରି ଦୁଃଖୀ ନହେବେ ସେଥିପାଇଁ ସେମାନଙ୍କୁ ସରପଞ୍ଚ ଦେଇଛନ୍ତି ରଜଭେଟି।ସ୍ୱତନ୍ତ୍ର ଖାଦ୍ୟପେୟ ସାଙ୍ଗକୁ ନୂଆବସ୍ତ୍ର ଦେଇ ରଜ ପାଳିଲେ ସରପଞ୍ଚ।ଏଭଳି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗରାମ ପଞ୍ଚାୟତରେ।

ଉକ୍ତ ଗରାମ ପଞ୍ଚାୟତର ଭଗବତୀ ଉଚ୍ଚ ବିଦ୍ୟାଳୟ ଠାରେ କୋଭିଡ-୧୯ ପାଇଁ ସଙ୍ଗରୋଧ କେନ୍ଦ୍ର କରାଯାଇଛି। ପହିଲି ରଜ ଉପଲକ୍ଷେ ସଙ୍ଗରୋଧ କେନ୍ଦ୍ରରେ ଥିବା ସମସ୍ତ ଅନ୍ତେବାସୀ ମାନଙ୍କ ପାଇଁ ସରପଞ୍ଚ ବନଜା ବାସିନୀ ଦାସ ସ୍ୱତନ୍ତ୍ର ଖାଦ୍ୟପେୟର ବନ୍ଦୋବସ୍ତ କରିବା ସହ ନୂଆବସ୍ତ୍ର ଉପହାର ଦେଇ ସମ୍ବର୍ଦ୍ଧିତ କରାଯାଇଥିବା ଦେଖିବାକୁ ମିଳିଛି।

ସରପଞ୍ଚଙ୍କ ଏପରି ଉଲ୍ଲେଖନୀୟ ଅବଦାନକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀମାନେ ପ୍ରଶଂସା କରିଥିବା ବେଳେ ଅନ୍ତେବାସୀମାନେ  ଖୁସିବ୍ୟକ୍ତ କରିଥିଲେ।ଏହି କାର୍ଯ୍ୟକ୍ରମରେ ତିର୍ତ୍ତୋଲ ବ୍ଲକ ବିଜେଡି ସଭାପତି ଗଙ୍ଗାଧର ବିଶ୍ୱାଳ, ଉକ୍ତ ପଞ୍ଚାୟତର ପୂର୍ବତନ ସରପଞ୍ଚ କିଶୋର କୁମାର ସାହୁ, ସମିତି ସଭ୍ୟା ପ୍ରିୟଙ୍କା ସ୍ୱାଇଁ,ନିକୁଞ୍ଜ କିଶୋର ଶତପଥୀ, ବିଶ୍ୱଜିତ ତାରେଣିଆ, ଯଶୋବନ୍ତ ସାହୁ, ଚିତ୍ତରଞ୍ଜନ ନାୟକ, ପ୍ରଭାତ କୁମାର ବିଶ୍ବାଳ ପ୍ରମୁଖ ସାମିଲ୍ ହୋଇଥିଲେ।