Categories
ବିଶେଷ ଖବର ରାଜ୍ୟ ଖବର

ଚାଷୀଙ୍କ ଉତ୍ପାଦନ ଖର୍ଚ୍ଚ ହ୍ରାସ ପାଇଁ ବ୍ୟବହାର ହେବ ଉନ୍ନତ ଜ୍ଞାନ କୌଶଳ

ଭୁବନେଶ୍ୱର: ଚାଷୀମାନଙ୍କର ଆୟବୃଦ୍ଧି ଓ ଆର୍ଥିକ ବିକାଶ ଦିଗରେ ମତ୍ସ୍ୟ ଓ ପ୍ରାଣୀସଂପଦର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଥିବା ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣିତ ସମସ୍ତ ଯୋଜନାର ସଫଳ ରୂପାୟନ ଦିଗରେ ବିଭାଗୀୟ ଅଧିକାରୀମାନେ ଅଧିକ ତତ୍ପରତା ପ୍ରକାଶ କରିବାକୁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଆଜି କୃଷି ଭବନଠାରେ ଆୟୋଜିତ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ଅଗ୍ରଗତି ସଂପର୍କରେ ବିଶଦ ଭାବେ ସମୀକ୍ଷା କରି କହଲେ ଯେ ରାଜ୍ୟ ସରକାର ଚାଷୀମାନଙ୍କ ଆୟ ବୃଦ୍ଧିର ଲକ୍ଷ୍ୟ ରଖିଥିବାବେଳେ ଯୋଜନାଗୁଡ଼ିକ ଧାର୍ଯ୍ୟ ସମୟରେ ଠିକ୍‌ ଭାବରେ କାର୍ଯ୍ୟକାରୀ ହୋଇପାରିଲେ ଉତ୍ପାଦନ ବଢ଼ିବା ସହିତ ଚାଷୀମାନଙ୍କର ରୋଜଗାର ବୃଦ୍ଧି ପାଇବ ।

ଉନ୍ନତ ଜ୍ଞାନକୌଶଳ ଓ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଦ୍ୱାରା ଉତ୍ପାଦିତ ଦ୍ରବ୍ୟର ମୂଲ୍ୟ ହ୍ରାସ ପାଇବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିବା ସହିତ ଜିଲ୍ଲା ନୋଡାଲ ଅଧିକାରୀ ଏବଂ ସ୍କିମ୍‌ ଅଧିକାରୀମାନେ ନିୟମିତ କ୍ଷେତ୍ର ପରିଦର୍ଶନ କରି ଯୋଜନାର ସଫଳ ରୂପାୟନ ଦିଗରେ ତଦାରଖ କରିବା ଉପରେ ଗୁରୁତ୍ୱ ଦେଇଥିଲେ ।

ବାୟୋଫ୍ଲକ୍‌ ଏବଂ ରାସ ପଦ୍ଧତି ଆଦି ନୂତନ ପଦ୍ଧତିରେ ମାଛଚାଷ ଦ୍ୱାରା ବହୁଳ ସଫଳତା ମିଳୁଥିବା ଦୃଷ୍ଟିରୁ କ୍ଷେତ୍ର ଅଧିକାରୀଙ୍କୁ ଏ ସଂପର୍କରେ ପ୍ରଶିକ୍ଷଣ ଦେବାର ଆବଶ୍ୟକତା ରହିଛି ବୋଲି ସେ ପରାମର୍ଶ ଦେଇଥିଲେ। ଯୋଜନାର କାର୍ଯ୍ୟକାରିତାରେ ସ୍ୱଚ୍ଛତା ବଜାୟ ରଖିବା ସହ କାର୍ଯ୍ୟକ୍ରମଗୁଡ଼ିକୁ ତ୍ୱରାନ୍ୱିତ କରିବା ନିମନ୍ତେ ଗୋ-ସୁଗମ ପୋର୍ଟାଲର ପ୍ରଚଳନ କରାଯାଇଥିବାବେଳେ ଏହାକୁ ତ୍ରୁଟିଶୂନ୍ୟ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ବୈଠକର ସୂଚନା ଅନୁଯାୟୀ ରାଜ୍ୟରେ ୨୦୨୨-୨୩ ବର୍ଷରେ ଅଦ୍ୟାବଧି ୩୦୩୫ଟି ବାୟୋଫ୍ଲକ୍‌ ଟ୍ୟାଙ୍କ ପ୍ରତିଷ୍ଠା କରାଯାଇଛି । ସେହିପରି ୪୨୮୩ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଦ୍ୱାରା ୩୯୫୦ ହେକଫର ଗ୍ରାମ ପଞ୍ଚାୟତ ପୋଖରୀ ରେ ମାଛ ଚାଷ କରାଯାଇଛି । ଏଥି ସହି ଫ୍ଲାଗ୍‌ସିପ୍‌ ଯୋଜନାଗୁଡ଼ିକୁ ଅଧିକ ଫଳପ୍ରଦ ଭାବରେ କାର୍ଯ୍ୟକାରୀ କରିବା ପାଇଁ ମାର୍ଗଦର୍ଶିକାରେ ଆବଶ୍ୟକ ସଂଶୋଧନ କରାଯାଇଛି। ଏତଦ୍‌ବ୍ୟତୀତ ବୈଠକରେ ମତ୍ସ୍ୟ ପୋଖରୀ ଯୋଜନା, ଫାର୍ମପଣ୍ଡରେ ମାଛଚାଷ କରୁଥିବା ଚାଷୀଙ୍କୁ ଇନ୍‌ପୁଟ୍‌ ସହାୟତା ଏବଂ ସାମୁଦି୍ରକ ମତ୍ସ୍ୟ ଉତ୍ପାଦନ ଆଦି ବିଷୟରେ ସମୀକ୍ଷା ହୋଇଥିଲା ।

ଏଥି ସହିତ ବୈଠକରେ ପ୍ରାଣୀସଂପଦ ବିକାଶ ନିର୍ଦ୍ଦେଶାଳୟ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଯୋଜନାଗୁଡ଼ିକର ଅଗ୍ରଗତି ସଂପର୍କରେ ସମୀକ୍ଷା ହୋଇଥିଲା । ଘର ଅଗଣା କୁକୁଡ଼ା ପାଳନ ମାଧ୍ୟମରେ ରାଜ୍ୟର ରକ୍ତହୀନତା ଓ ଅପପୁଷ୍ଟି ପ୍ରଭାବିତ ପରିବାର ବର୍ଗଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି।

ବଜେଟ ଅର୍ଥକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ବ୍ୟୟ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ବୈଠକରେ ଡିପ୍‌ ଲିଟର ପଦ୍ଧତିରେ ୫୦୦ ବ୍ରଏଲର କୁକୁଡ଼ା ପାଳନ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ମାଧ୍ୟମରେ ୧୦୦୦ ବ୍ରଏଲର କୁକୁଡ଼ା ପାଳନ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଛେଳି ପାଳନ ଆଦି ଯୋଜନାର ଅଗ୍ରଗତି ସଂପର୍କରେ ସମୀକ୍ଷା କରାଯାଇଥିଲା।

ବୈଠକରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, ପ୍ରାଣୀପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡ. ୟେଦୁଲ୍ଳା ବିଜୟ, ମତ୍ସ୍ୟ ନିର୍ଦ୍ଦେଶକ ଶ୍ରୀ ସ୍ମୃତିରଞ୍ଜନ ପ୍ରଧାନଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ, ସମସ୍ତ ଜିଲ୍ଲାର ସିଡ଼ିଭିଓ, ଜିଲ୍ଲା ମତ୍ସ୍ୟ ଅଧିକାରୀମାନେ ଯୋଗଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଠଗଡ଼ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଦ୍ୱାରା ଆଠଗଡ଼ ବସଷ୍ଟାଣ୍ଡର ନିର୍ମାଣ କାର୍ଯ୍ୟକୁ ଯଥାଶୀଘ୍ର ଶେଷ କରି ଯାତ୍ରୀମାନଙ୍କ ନିମନ୍ତେ ଲୋକାର୍ପିତ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି। ଲୋକସେବା ଭବନଠାରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଛନ୍ତି।

ବସଷ୍ଟାଣ୍ଡର ବାକିଥିବା ସିଭିଲ, ଇଲେକ୍‌ଟି୍ରକାଲ୍‌ ଏବଂ ଜନସ୍ୱାସ୍ଥ୍ୟ କାର୍ଯ୍ୟକୁ ସଂପୂର୍ଣ୍ଣ କରିବା ନିମନ୍ତେ ବକେୟା ଅର୍ଥରାଶିକୁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଦ୍ୱାରା ସେପେଫମ୍ବର ୨୦ ତାରିଖ ସୁଦ୍ଧା ପ୍ରଦାନ କରିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥି ସହିତ ଟେଣ୍ଡରରେ ସାମିଲ ହୋଇଥିବା କାର୍ଯ୍ୟ ବ୍ୟତୀତ ବସଷ୍ଟାଣ୍ଡରେ ଅଗ୍ନିନିର୍ବାପକ ବ୍ୟବସ୍ଥା, କାର୍ଯ୍ୟାଳୟର ଆସବାବପତ୍ର, ସିସିଟିଭି ଏବଂ ଜେନେରେଟର ଆଦି ବ୍ୟବସ୍ଥାର ଅତିରିକ୍ତ କାର୍ଯ୍ୟ ନିମନ୍ତେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଦ୍ୱାରା ଅତିରିକ୍ତ ବ୍ୟୟରାଶି ସେପେଫମ୍ବର ୨୦ ତାରିଖ ସୁଦ୍ଧା ପ୍ରଦାନ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ବୈଠକର ସୂଚନା ଅନୁଯାୟୀ ନବନିର୍ମିତ ବସଷ୍ଟାଣ୍ଡର ଯାତ୍ରୀମାନଙ୍କ ନିମନ୍ତେ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ପ୍ରଦାନ, ଜଗୁଆଳି ବ୍ୟବସ୍ଥା ଏବଂ ବସଷ୍ଟାଣ୍ଡର ରକ୍ଷଣାବେକ୍ଷଣ କାର୍ଯ୍ୟଭାର ସେପେଫମ୍ବର ୨୦ ତାରିଖ ସୁଦ୍ଧା ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ବସଷ୍ଟାଣ୍ଡ ନିର୍ମାଣ ଯୋଗୁ ଉଚ୍ଛେଦ ଏବଂ ସ୍ଥାନାନ୍ତରିତ ହୋଇଥିବା ଦୋକାନୀମାନଙ୍କୁ ଉପଯୁକ୍ତ ଭାବରେ ଥଇଥାନ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।

ବୈଠକରେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଦୀପ୍ତେଷ କୁମାର ପଟ୍ଟନାୟକ, ବାଣିଜ୍ୟ ଓ ପରିବହନ ବିଭାଗର ଅର୍ଥ ପରାମର୍ଶଦାତା ତଥା ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ପ୍ରଭାତ କୁମାର ଜେନା, ଚାରବାଟିଆ ରାସ୍ତା ଓ ଗୃହ ନିର୍ମାଣ ଡିଭିଜନ୍‌ର ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ମହାନ୍ତି, ଆଠଗଡ଼ ଉପଜିଲ୍ଲାପାଳ ଶ୍ରୀ ହେମନ୍ତ କୁମାର ସ୍ୱାଇଁଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।