Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ବାଣପୁରରେ ଅକ୍ଷୟ ତୃତୀୟା: ରଥକାଠ ଅନୁକୂଳ, ଚନ୍ଦନଯାତ୍ରା ଆରମ୍ଭ

ସୀତାରାମ ଅଗ୍ରୱାଲ

ବାଣପୁର: ଓଡିଶାର କୃଷିଭିତ୍ତିକ ପର୍ବ ଅକ୍ଷୟ ତୃତୀୟା ଖୋର୍ଦ୍ଧା ଜିଲ୍ଲାର ସର୍ବଧର୍ମ ସମନ୍ଵୟର ପୀଠ ବାଣପୁରଠାରେ କୃଷକ ଭାଇଙ୍କ କୃଷି କ୍ଷେତ୍ରରେ ଅକ୍ଷି ମୁଠି ଅନୁକୂଳ ହେବା ସହିତ ଦେବା ଦେବୀଙ୍କ ପୀଠରେ ଆନନ୍ଦ ଉଲ୍ଲାସର ସହିତ ରଥ କାଠ ଅନୁକୂଳ ଏବଂ ଜୀଉମାନଙ୍କର ଚନ୍ଦନଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆରାଧ୍ୟ ଠାକୁର ଶ୍ରୀ ଶ୍ରୀରଙ୍କନାଥ ଦେବଙ୍କ ପୀଠରେ ସମସ୍ତ ନୀତିକାନ୍ତି ସହିତ ଦେଉଳ ପୁରୋହିତଙ୍କ ଦ୍ଵାରା ରଥ ଖଳାଠାରେ ତିନୋଟି ଫାସିକାଠକୁ ରଖାଯାଇ ତିନି ବାଡ଼ରୁ ଆଜ୍ଞାମାଳ ଅଣାଯିବା ପରେସ୍ଥାପନ କରାଯାଇ ହୋମ ସରିବା ପରେବିଶ୍ଵକର୍ମାଙ୍କ ଦ୍ଵାରା ରଥ ଅନୁକୂଳ କରାଯାଇଥିଲା।

ପରେ ଧୂପ ହୋଇ ମଦନମୋହନ ରାମକୃଷ୍ଣଙ୍କୁ ଚନ୍ଦନ କୁଣ୍ଡରେ ସ୍ଥାପନ କରାଯାଇ ଶୀତଳ ମଣୋହି ଓ ଆଳତି ପରେ ପହୁଡ଼ ହୋଇଥିଲା।

ସେହିପରି ଶ୍ରୀ ଶ୍ରୀଦକ୍ଷେଶ୍ଵର ଭଗବତୀଙ୍କ ପୀଠରେ ମଧ୍ୟ ସମସ୍ତ ନୀତିକାନ୍ତି ପରେ ପରିଚ୍ଛା ସାଆନ୍ତ ଶ୍ରୀ ଶ୍ରୀ ଗୋପୀନାଥ, ଚନ୍ଦ୍ରଶେଖର ଏବଂ ମା’ ଭଗବତୀଙ୍କୁ ଧୂପ ବଡ଼ାଇ ଶୀତଳ ଚନ୍ଦନ ଅର୍ପଣ ପରେ ଚନ୍ଦନ କୁଣ୍ଡରେ ସ୍ଥାପନ କରିଥିଲେ। ବୈଶାଖ ମାସର ପ୍ରଚଣ୍ଡ ରୌଦ୍ରତାପରୁ ନିଜକୁ ଶୀତଳ ରଖିବା ପାଇଁ ଦେବାଦେବୀଙ୍କର ଏହି ମାନବୀୟ ଲୀଳାର ପ୍ରତୀକ ଚନ୍ଦନଯାତ୍ରା ସମଗ୍ର ଓଡ଼ିଶାରେ ଦେବାଦେବୀଙ୍କ ପୀଠମାନଙ୍କ ପରି ବାଣପୁରରେ ମଧ୍ୟ ଅନୁଷ୍ଠିତ ହୋଇ ଆସୁଥିବାର ପରମ୍ପରା କାହିଁ କେଉଁ କାଳରୁ ପ୍ରଚଳିତ ହୋଇଆସୁଛି।

ଶ୍ରୀ ଶ୍ରୀ ଚରଣ ଚକା ଦେବ, ଅନନ୍ତ ସ୍ଵାମୀ, ଉମା ମହେଶ୍ଵର ପରି ପ୍ରତ୍ୟେକ ବୈଷ୍ଣବ ଓ ଶୈବପୀଠମାନଙ୍କରେ ଅନୁଷ୍ଠିତ ହୋଇଥିଲା।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ଶ୍ରୀପଞ୍ଚମୀରେ ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ରଥକାଠ ଅନୁକୂଳ ନୀତି

ପୁରୀ: ଆଜି ବସନ୍ତ ପଞ୍ଚମୀ ଅବସରରେ ଶ୍ରୀକ୍ଷେତ୍ରରେ ରଥକାଠ ଅନୁକୂଳ ନୀତି ଅନୁଷ୍ଠିତ ହୋଇଯାଇଛି। ପରମ୍ପରା ଅନୁଯାୟୀ, ତିନି ରଥ ପାଇଁ ତିନୋଟି କାଠ ରଥଖଳାରେ ପୂଜା ହେବାର ପରମ୍ପରା ରହିଛି। ଗୋଟି ୧୨ ଫୁଟିଆ ଧଉରା କାଠକୁ ପୂଜାର୍ଚ୍ଚନା କରାଯାଇଛି। ଏହି କାର୍ଯ୍ୟ କରିଛନ୍ତି ପୁରୋହିତ, ରାଜଗୁରୁ ଓ ସ୍ରୋତୀୟ ବ୍ରାହ୍ମଣ।

ଶ୍ରୀପଞ୍ଚମୀରେ ରଥକାଠ ଅନୁକୂଳ ହେଉଛି ରଥଯାତ୍ରାର ପ୍ରାରମ୍ଭିକ କାର୍ଯ୍ୟ। ଏହି ପବିତ୍ର ଦିନଠାରୁ ଆରମ୍ଭ ହୁଏ ରଥ କାର୍ଯ୍ୟ। ସେହିପରି ଅକ୍ଷୟ ତୃତୀୟାରେ ଆରମ୍ଭ ହୋଇଥାଏ ରଥ ଅନୁକୂଳ ନୀତି।

Categories
ଫଟୋ ଖବର

ପବିତ୍ର ଅକ୍ଷୟ ତୃତୀୟାରେ ପରଂପରା ଅନୁସାରେ ଆରମ୍ଭ ହୋଇଛି ତିନିଠାକୁରଙ୍କ ରଥ ନିର୍ମାଣ କାର୍ଯ୍ୟ

ପବିତ୍ର ଅକ୍ଷୟ ତୃତୀୟାରେ ପରଂପରା ଅନୁସାରେ ଆରମ୍ଭ ହୋଇଛି ତିନିଠାକୁରଙ୍କ ରଥ ନିର୍ମାଣ କାର୍ଯ୍ୟ

Categories
ଧର୍ମ ବିଶେଷ ଖବର ରାଜ୍ୟ ଖବର

ଆଜି ହେଉଛି ଅକ୍ଷୟ ତୃତୀୟା, ଏହି ପବିତ୍ର ତିଥିରେ ଜଗନ୍ନାଥ ମନ୍ଦିରରେ ପାଳନର ରହିଛି ସ୍ବତନ୍ତ୍ରତା

ଭୁବନେଶ୍ବର, ଅକ୍ଷୟ ତୃତୀୟା ହେଉଛି ଓଡିଶାର ଏକ ବଡ ପର୍ବ। କାରଣ ଏହି ପର୍ବରେ ବିଭିନ୍ନ କାର୍ଯ୍ୟ ଅନୁକୂଳ କରିବା ପାଇଁ ସମସ୍ତେ ଅପେକ୍ଷା କରି ରହିଥାନ୍ତି। ଏହି ତିଥୀରେ ଶ୍ରୀମନ୍ଦିରରେ ମଧ୍ୟ ସ୍ବତନ୍ତ୍ର ରୀତିନୀତି ପାଳିତ ହୋଇଥାଏ।

ଏହି ତିଥିରେ ଶ୍ରୀଜୀଉମାନଙ୍କର ରଥନିର୍ମାଣ ପାଇଁ ଅନୁକୂଳ କରାଯାଏ । ତନ୍ତ୍ରବିଧି ଅନୁସାରେ ମହାକାଳୀ ମନ୍ତ୍ରରେ ପୂଜିତ କୁରାଢି ଲଗାଇ ବନଯୋଗହୋମର ଆଚାଯ୍ୟ ତଥା ଦେଉଳ ପୁରୋହିତ ରଥ ନିର୍ମାଣର ଶୁଭାରମ୍ଭ କରିଥାନ୍ତି । ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥ ପାଇଁ ଉଦ୍ଦିଷ୍ଟ ଗୋଟିଏ ଧଉରା କାଠ ଗଣ୍ଡିରେ କୁରାଢି ସ୍ପର୍ଶ କରାଯାଇଥାଏ ।

ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପରେ ଶ୍ରୀଜୀଉଙ୍କ ଆଜ୍ଞାମାଳ ଚନ୍ଦନଠାକୁରଙ୍କ ସହ ପଟୁଆରରେ ରଥଖଳାକୁ ଆସିଥାଏ । ଏହାକୁ ତିନିଜଣ ପୂଜାପଣ୍ଡା ଆଣିଥାନ୍ତି । ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖସ୍ଥ ରଥଖଳାରେ ଶ୍ରୀମନ୍ଦିର ପୁରୋହିତ, ରାଜଗୁରୁ ଓ ସ୍ତ୍ରୋତୀୟ ବ୍ରାହ୍ମଣମାନେ ବନଯୋଗ ପୂଜା ସମ୍ପାଦନା କରିବାର ବିଧି ରହିଛି । ରୂପକାର, କମାର, ଚିତ୍ରକର, ଭୋଇ, ଅମୀନସେବକମାନଙ୍କ ଉପସ୍ଥିତିରେ ବିଶ୍ୱକର୍ମାଙ୍କ ଶାଢୀବନ୍ଧା ନୀତି ପାଳିତ ହୁଏ ।

ରଥ ସଂହିତା ଓ ଶିଳ୍ପଶାସ୍ତ୍ର ଅବଲମ୍ବନରେ ରଥନିର୍ମାଣ କରାଯାଏ । ଏଥିରେ ୧୧୩୯ ଖଣ୍ଡ କାଠଲାଗିଥାଏ । ସେହି କାଠଗୁଡିକ ହେଲା ଫାସି, ଅସନ, ଧଉରା, ଶିମିଳି, ପାଳଧୂଆ, ମହାନିମ୍ବ, ଗମ୍ଭାରୀ, ମଇ, କଦମ୍ବ, ଦେବଦାରୁ ଇତ୍ୟାଦି । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର କର୍ମଚାରୀ ରଥଖଳାରେ ଉପସ୍ଥିତ ରହି ଏହି କାର‌୍ୟ୍ୟ ସୁରୁଖୁରରେ ହେବାରେ ସାହାଯ୍ୟ କରିଥାନ୍ତି । ବାହାର ଚନ୍ଦନ ଯାତ୍ରାର ଶେଷଦିନ ରଥ ଅଖରେ ଚକ ଲାଗେ ।

ଏହି ଦିନ ଠାରୁ ଶ୍ରୀକ୍ଷେତ୍ରରେ ଚନ୍ଦନ ଯାତ୍ରା ଆରମ୍ଭ ହୁଏ । ଏତଦବ୍ୟତୀତ ଓଡ଼ିଶାର ଅନ୍ୟ ସ୍ଥାନରେ ମଧ୍ୟ ଚନ୍ଦନ ଯାତ୍ରା ପାଳନ କରାଯାଏ । ଚନ୍ଦନଯାତ୍ରା ଶ୍ରୀମନ୍ଦିରରେ ସବୁଠୁ ଅଧିକ ଦିନ ଧରି ପାଳିତ ହେଉଥିବା ଏକ ପର୍ବ । ଏହା ଅକ୍ଷୟ ତୃତୀୟା ଠାରୁ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ (ସ୍ନାନପୂର୍ଣ୍ଣିମାର ପୂର୍ବଦିନ) ପର‌୍ୟ୍ୟନ୍ତ ମୋଟ ୪୨ ଦିନ ଧରି ଅନୁଷ୍ଠିତ ହୋଇଥାଏ । ଏହା ଅକ୍ଷୟ ତୃତୀୟା ଠାରୁ ଜ୍ୟେଷ୍ଠ କୃଷ୍ଣ ଅଷ୍ଟମୀ ପର୍ଯ୍ୟନ୍ତ ୨୧ଦିନ ନରେନ୍ଦ୍ର ପୁଷ୍କରଣୀରେ ବାହାର ଚନ୍ଦନଯାତ୍ରା ରୂପେ ଓ ପରବର୍ତ୍ତୀ ୨୧ଦିନ (ଜ୍ୟୈଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ) ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭିତର ଚନ୍ଦନ ରୂପେ ପାଳିତ ହୋଇଥାଏ ।