Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ଆସନ୍ତାକାଲି ପବିତ୍ର ଅକ୍ଷୟ ତୃତୀୟା, ଆରମ୍ଭ ହେବ ରଥକାମ ସହିତ ଚନ୍ଦନ ଯାତ୍ରା

ପୁରୀ: ଆସନ୍ତାକାଲି ପବିତ୍ର ଅକ୍ଷୟ ତୃତୀୟା। ଏହିଦିନ ସମସ୍ତ କାର୍ଯ୍ୟର ଶୁଭାରମ୍ଭ କରାଯାଇଥାଏ। ସେଥିପାଇଁ ଏହି ପବିତ୍ର ଦିନରେ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହେବ। ଏଥିସହିତ ଆସନ୍ତାକାଲି ଚନ୍ଦନ ଯାତ୍ରାର ମଧ୍ୟ ଆରମ୍ଭ କରାଯିବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସମସ୍ତ ପ୍ରସ୍ତୁତି କରାଯାଇଛି।

ରଥ ଖଳାରେ ଆସନ୍ତାକାଲି ତିନୋଟି ୧୨ ଫୁଟିଆ କାଠ ରଖାଯାଇ ପୂଜାର୍ଚ୍ଚନା ପରେ ବିଶ୍ଵକର୍ମା ମହାରଣା ସୁନା ଓ ରୂପା କୁରାଢ଼ୀ ସ୍ପର୍ଶ କରି ତିନି ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିବେ। ପ୍ରଥମେ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ଚଳନ୍ତି ପ୍ରତିମା ବିମାନରେ ବିଜେ କରିବେ । ବିମାନରେ ଯିବା ସମୟରେ ରଥଖଳାରେ ତିନୋଟି ଆଜ୍ଞାମାଳ ତିନି କାଠରେ ଲାଗି କରାଯିବ। ପରେ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହେବ। ବିମାନରେ ଚଳନ୍ତି ପ୍ରତିମା ନରେନ୍ଦ୍ର ପୁଷ୍କରିଣୀରେ ବିଜେ କରିବା ପରେ ଦିନ ଚାପ ଓ ରାତି ଚାପ ଅନୁଷ୍ଠିତ ହେବ ।

Categories
ବିଶେଷ ଖବର ସଂସ୍କୃତି

ରଥ ଖଳାରୁ : ଅନ୍ତିମ ପର୍ଯ୍ୟାୟରେ ରଥ ନିର୍ମାଣ କାର୍ଯ୍ୟ

ସମୀକ୍ଷା ବ୍ୟୁରୋ

ପୁରୀ: ଆଉ ଦିନ କେଇଟା ପରେ ମହାପ୍ରଭୁଙ୍କର ପବିତ୍ର ଘୋଷ ଯାତ୍ରା । ଏଥିପାଇଁ ପ୍ରସ୍ତୁତି ପୂରା ଜୋରସୋର୍‌ରେ ଚାଲିଛି । ସ୍ନାନଯାତ୍ରାରେ ମହପ୍ରଭୁ ସ୍ନାନ ସାରି  ଜ୍ବରରେ ପୀଡ଼ିତ ହୋଇ ଅଣସର ଘରେ ରହିଥିବାବେଳେ ତାଙ୍କୁ ଓଷୁଅ ଲାଗି ହୋଇଛି । ଧୀରେ ଧୀରେ ମହାପ୍ରଭୁ ସୁସ୍ଥ ହେଉଛନ୍ତି । ସୁସ୍ଥ ହେବା ପରେ ମହାପ୍ରଭୁ ଭାଇ ଭାଉଣୀଙ୍କୁ ସାଙ୍ଗରେ ଧରି ନଅ ଦିନ ଲାଗି ରଥରେ ମାଉସୀ ଘରକୁ ଯାତ୍ରା କରିବେ। ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ପ୍ରସ୍ତୁତି ସମ୍ପର୍କରେ ଆମର ଏକ ସ୍ବତନ୍ତ୍ର ପ୍ରସ୍ତୁତି ।

ଗତକାଲି ତିନି ରଥର ତାଗ ବାଡିଆ ଶେଷ ହୋଇ ପଟା ବଡିଆ ଆରମ୍ଭ ହୋଇଥିଲା। ଆଜି ରଥର ମଧ୍ୟ ଭରକୁ ଛାଡି ଚାରିପଟ ପଟା ପଡିବା କାମ ଚାଲିଛି । ମଝି ଅଂଶ ସିଂହାସନ ପାଇଁ ଜଗତ ପୃଷ୍ଠ ସେଣି ପଡିଲା ପରେ ପଟା ପଡିବ ।

ତିନି ରଥର ପୋଟଳ ପଡି ତା’ ଉପରେ ପାରାଭାଡି ଉଠି ଖପୁରୀ ଲାଗି ଶେଷ ହୋଇଛି । କେବଳ କଳସ ଓ ଓଲଟ ଶୁଆ ଲାଗିବା ବାକି ଅଛି । ସେଗୁଡିଙ୍ଗ ରଙ୍ଗ ହେବା ପରେ ଲାଗି ହେବ ।

ତିନି ରଥର ଦୁଇଟି ଲେଖାଏଁ ‘ଦୁଆର ଘଡା’ ପ୍ରସ୍ତୁତି ସରି ରଙ୍ଗ ହେବା ପାଇଁ ରଥ ଖଳାକୁ ଆସିଥିଲା । ସେଥିରେ ପ୍ରାଇମର ଦିଆଯାଇଛି । ଆଜି ପ୍ରତି ରଥର ଦୁଇଟି ଲେଖାଏଁ ‘ଦୁଆର ଘଡା’ ଶେଷ ହୋଇଛି ।

ଗତକାଲି ରଥଚାଳିରେ ଆାସାବାଡିରେ ‘ଗୁଣ୍ଠିଆ‘ କାମ ଚାଲିଛି । ପ୍ରତି ରଥ ପାଇଁ ଦୁଇଟି ଲେଖାଏଁ ଆସାବାଡି ଗୁଣ୍ଠିଆ ଆବଶ୍ୟକ ହୋଇଥାଏ । ଏହି ଆସାବାଡିରେ ଅର୍ଦ୍ଧଚନ୍ଦ୍ରାକାର ପରି ଲାଗିଥାଏ । ରଥରେ ଘୋଡା ବନ୍ଧା ସେଟ୍‌ ହେଲାବେଳେ ଭୋଇ ସେବକ ଓ ମହାରଣା  ସେବକ ମାନେ ଘୋଡା ବେକରେ ଠେସ ଦେଇ ଘୋଡାକୁ ଠିକ୍‌ରେ ସାଇଜ କରି ରଥରେ ଫିଟିଙ୍ଗ୍‌ କରନ୍ତି ।

ତିନି ରଥରେ ଦଣ୍ଡା ଦେହରେ ଫିଟିଙ୍ଗ ହୋଇଥିବା ପଟାଗୁଜେର ରୂପକାର ସେବକ ସିଂହବିରାଳ, ଗଜ ବିରାଳ, ନର ବିରାଳ ଓ ଗଜସିଂହ ଖୋଦେଇ କାମ ସହ ରଥ ଚକ, ଦଣ୍ଡା ଇତ୍ୟାଦିରେ ରଙ୍ଗ କାର୍ଯ୍ୟ କରୁଛନ୍ତି ।

ଶ୍ରୀମନ୍ଦିର ନୂତନ କାର୍ଯ୍ୟାଳୟ ତଳେ ଚିତ୍ରକାର ସେବକମାନେ ରଥ ପାର୍ଶ୍ବଦେବୀ, କଳସ ଇତ୍ୟାଦିରେ ରଙ୍ଗ କାର୍ଯ୍ୟ ଜାରି ରଖିଛନ୍ତି।

ଦରଜୀ ସେବକମାନେ ଶ୍ରୀମନ୍ଦିର କାର୍ଯ୍ୟାଳୟ ଉପର ମହଲାରେ ରଥକନା କଟିଙ୍ଗ ଏବଂ ରଥକନାରେ ଜରୀ ଫିତା ସିଲାଇ ସହ ରଥ ଘେର ସିଲାଇ କାମ ଆରମ୍ଭ କରିଛନ୍ତି ।

ଦୋଳ ଦେବୀ ଅସ୍ଥାୟୀ ଶାଳେର ଓଝା ସେବକମାନେ ଏଲ କ୍ଲାମ୍‌ ଧୂଳିଦଣ୍ଡା ବିଡିଆ କଣ୍ଟା ପ୍ରସ୍ତୁତିରେ ଲାଗିବା ସହ ରଥ ଦଣ୍ଡାରେ ଫିଟିଙ୍ଗ ହୋଇଥିବା କୋଣ ଗୁଜ ଗୁଡିକରେ ଧୂଳି ଦଣ୍ଡା କଣ୍ଟା ବାଡୋଉଛନ୍ତି ।

ତେବେ ରଥ ଖଳାରେ କାମ ଆରମ୍ଭ ପୂର୍ବରୁ ରଥ ନିର୍ମାଣରେ ସମ୍ପୃକ୍ତ ସେବକମାନଙ୍କ ଥର୍ମାଲ୍‌ ସ୍କ୍ରିନିଂ କରାଯାଇଥିଲା ।