Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର, ଏଣିକି ସବୁ ଟ୍ରେନରେ ପୁନର୍ବାର ଉପଲବ୍ଧ ହେବ ରନ୍ଧା ଖାଦ୍ୟ

ନୂଆଦିଲ୍ଲୀ: ରେଳ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ଟ୍ରେନରେ ରନ୍ଧା ଖାଦ୍ୟ ପରିବେଷଣର ସୁବିଧାକୁ ପୁନଃ ସ୍ଥାପିତ କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ୮୦ ପ୍ରତିଶତ ଟ୍ରେନରେ ରନ୍ଧା ଖାଦ୍ୟ ଦିଆଯାଉଥିଲା, କିନ୍ତୁ ବର୍ତ୍ତମାନ ଫେବୃଆରୀ ୧୪ ସୁଦ୍ଧା ଶତପ୍ରତିଶତ ଟ୍ରେନରେ ରନ୍ଧା ଖାଦ୍ୟ ଉପଲବ୍ଧ ହେବ।

ଉଲ୍ଲେଖ ଯୋଗ୍ୟ ଯେ, କୋଭିଡ-୧୯ ହେତୁ ଟ୍ରେନରେ ରନ୍ଧା ଖାଦ୍ୟ ଯୋଗାଇବା ସୁବିଧା ବନ୍ଦ ହୋଇଯାଇଥିଲା। ମାର୍ଚ୍ଚ ୨୩ ତାରିଖ ୨୦୨୦ରେ ମହାମାରୀ ହେତୁ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଟ୍ରେନରେ କ୍ୟାଟରିଂ ସେବା ବନ୍ଦ କରାଯାଇଥିଲା। କିନ୍ତୁ ଯେତେବେଳେ କରୋନା ମାମଲାରେ ହ୍ରାସ ଘଟିଲା, ଟ୍ରେନରେ ଖାଦ୍ୟ ଯୋଗାଇବାର ସୁବିଧା ଅଗଷ୍ଟ ୫ ତାରିଖ ୨୦୨୦ରୁ ପୁଣି ଆରମ୍ଭ ହେଲା। ଯାତ୍ରୀମାନଙ୍କ ସୁବିଧା ଏବଂ ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି ଟ୍ରେନରେ ଦିଆଯାଇଥିବା ଖାଦ୍ୟରେ ସୁସ୍ଥ ଉପାଦାନଗୁଡ଼ିକ ଅନ୍ତର୍ଭୁକ୍ତ କରାଯାଇଥିଲା, ଯାହାଦ୍ୱାରା ଯାତ୍ରୀମାନେ ଟ୍ରେନରେ ପୁଷ୍ଟିକର ଖାଦ୍ୟ ପାଇପାରିବେ।

ଇଣ୍ଡିଆନ୍ ରେଲୱେ କ୍ୟାଟରିଂ ଆଣ୍ଡ୍ ଟୁରିଜିମ୍ କର୍ପୋରେସନ୍ ଲିମିଟେଡ୍ (ଆଇଆରସିଟିସି) ହେଉଛି ରେଳ ମନ୍ତ୍ରଣାଳୟର ଏକ ପବ୍ଲିକ୍ ସେକ୍ଟର, ଯାହା ଭାରତୀୟ ରେଳବାଇର ଯାତ୍ରୀମାନଙ୍କୁ ପ୍ରିମିୟମ୍ ସେବା ଯୋଗାଇଥାଏ। ଲକଡାଉନ୍ ପ୍ରତିବନ୍ଧକ କୋହଳ ହେବା ପରେ ଟ୍ରେନରେ ରନ୍ଧା ଖାଦ୍ୟ ସେବା ପୁନଃ ଆରମ୍ଭ କରାଯାଇଛି।

Categories
ଆଜିର ଖବର ଆଞ୍ଚଳିକ

୫୦ ଦିନ ଧରି ବୁଲା ପଶୁପକ୍ଷୀଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଚର୍ଚ୍ଚାରେ ବାଣପୁରର ଦୁଇ ଅନୁଷ୍ଠାନ

ସୀତାରାମ ଅଗ୍ରଓ୍ବାଲ

ବାଣପୁର: କରୋନା ଲାଗି ସାରା ଦେଶ ଏବେ ଲକ୍‌ ଡାଉନ୍‌ ଜାରି ରହିଛି। ଏହି ସମୟରେ ଗରିବ, ଶ୍ରମିକ, ଅସହାୟ, ଭୋକିଲା ପଶୁପକ୍ଷୀ ତଥା ଜୀବଜନ୍ତୁଙ୍କୁ ଖାଦ୍ୟ ଯୋଗାଇବା ପାଇଁ ବହୁ ସ୍ବେଚ୍ଛାସେବୀ ସଙ୍ଗଠନ ଓ ସହୃଦୟ ବ୍ୟକ୍ତି ଆଗେଇ ଆସିଛନ୍ତି। ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ସହରାଞ୍ଚଳରେ। ବାଣପୁରର ଅଗ୍ରଣୀ ଧର୍ମାନୁଷ୍ଠାନ ଶ୍ରୀ ଶ୍ରୀ ରଙ୍କନାଥ ଦେବ ୧0୮ ହନୁମାନ ଚାଳିଶା ଯଜ୍ଞ କମିଟି ଓ ଶ୍ରୀ ଶ୍ରୀ ରଙ୍କନାଥ ଦେବ ଅଷ୍ଟପ୍ରହରୀ ନାମ ଯଜ୍ଞ କମିଟିର ମିଳିତ ଆନୁକୂଲ୍ୟରେ ଲକ ଡାଉନ ପ୍ରଥମରୁ ଆଜି ଯାଏଁ ପାଖାପାଖି ଦୀର୍ଘ  ପଚାଶ ଦିନ ହେଲା ବାଣପୁର ସହରାଞ୍ଚଳରେ ବସ ବାସ କରୁଥିବା ବୁଲା ଗାଇଗୋରୁ, କୁକୁର ଆଦି ପ୍ରାଣୀ ମାନଙ୍କୁ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ରନ୍ଧା ଖାଦ୍ୟ, ରୁଟି ଓ ବିସ୍କୁଟ ବିତରଣ କରାଯାଉଅଛି। କମିଟିର ସଭ୍ୟ ମାନେ ପ୍ରତିଦିନ ଅପରାହ୍ନରେ ସାମାଜିକ ଦୂରତ୍ୱ ରକ୍ଷାକରି  ଖାଦ୍ୟ ରନ୍ଧନ କରିଥାନ୍ତି ଓ ସନ୍ଧ୍ୟାରେ ବାଲଟି ଧରି ବୁଲି ବୁଲି ବାଣପୁର ଏନ.ଏ.ସି ର ବିଭିନ୍ନ ୱାର୍ଡରେ ବୁଲୁଥିବା ଗାଈଗୋରୁ ଓ କୁକୁର ମାନଙ୍କୁ ରନ୍ଧା ଖାଦ୍ୟ, ରୁଟି ଓ  ବିସ୍କୁଟ ଖୁଆଇଥାନ୍ତି।

ଏଥିପାଇଁ ବହୁ ସଭ୍ୟ ବ୍ୟକ୍ତିଗତ ଭାବେ କିଛି କିଛି ଅର୍ଥ ଦେଇ ଉକ୍ତ ମହତ କାମକୁ ଆରମ୍ଭ କରିଥିଲେ। ଦୀର୍ଘ ପଚାଶ ଦିନର ସେବା ପରେ ଗତକାଲି ତଥା ତୃତୀୟ ଫେଜ ଲକ ଡାଉନର ଶେଷ ଦିବସରେ ଉକ୍ତ ସେବା କାର୍ଯ୍ୟକୁ ସମାପ୍ତ କରାଯାଇଅଛି ବୋଲି କମିଟିର ସଭ୍ୟ ଗିରିଧାରୀ ପାତ୍ର ସୂଚନା ଦେଇଛନ୍ତି।

ଏହି ପରିପ୍ରେକ୍ଷୀରେ ଶେଷ ଦିବସରେ ବ୍ୟାପକ ଭାବେ ଖାଦ୍ୟ ରନ୍ଧାଯାଇ ବାଣପୁର ଏନ.ଏ.ସିର ପ୍ରତ୍ୟେକ ୱାର୍ଡ ରେ ଥିବା ପ୍ରାଣୀମାନଙ୍କୁ କମିଟି ତରଫରୁ ବଣ୍ଟନ କରାଯାଇଥଲା ବୋଲି କମିଟିର ସଭ୍ୟ ରାଧାମୋହନ ଅଗ୍ରୱାଲ ସୂଚନା ଦେଇଥିଲେ।

ଅନ୍ତିମ ଦିନରେ ଏନ.ଏ.ସି ର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ନିଆଲ ବ୍ୟକ୍ତିଗତ ଭାବରେ ଉପସ୍ଥିତ ରହି ଉକ୍ତ ସେବା କାର୍ଯ୍ୟରେ ସହଯୋଗ କରିଥିଲେ ଏବଂ କମିଟିର ଏତାଦୃଶ ମହତ କାର୍ଯ୍ୟକୁ ଉଚ୍ଚ ପ୍ରସଂଶିତ କରିବା ସହ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। ଦୀର୍ଘ ପଚାଶ ଦିନର ଏହି ସେବା କାର୍ଯ୍ୟକୁ ସଫଳ କରିବା ଦିଗରେ ବାଣପୁରର କିଛି ସହୃଦୟ ବ୍ୟକ୍ତିଗଣ ଓ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ କରିଥିବା କିଛି କିଛି ସହଯୋଗ ପାଇଁ ସେମାନଙ୍କୁ  ଧନ୍ୟବାଦ ଜଣାଇଥିଲେ କମିଟିର ସଭ୍ୟ ଅଜିତ ଅଗ୍ରୱାଲ। ଏହି ସେବା କାର୍ଯ୍ୟକ୍ରମକୁ ପରିଚାଳନା କରୁଥିଲେ କମିଟିର ସଦସ୍ୟମାନେ ଯଥା ମନୋଜ ପାତ୍ର, ଭବାନୀ ସୂପକାର, ରାକେଶ ଅଗ୍ରୱାଲ, ଆନନ୍ଦ ଅଗ୍ରୱାଲ, ଶିବ କୁମାର ପ୍ରଧାନ, କାମିନୀ ଦେଇ, ସୁନୀଲ ଅଗ୍ରୱାଲ, ଜିତେନ୍ଦ୍ର ସୁବୁଦ୍ଧି, ମାଧବ ସେନାପତି ଓ ବଳରାମ ପ୍ରମୁଖ। ଲକ ଡାଉନ ସମୟରେ ଏପରି ମହତ କାର୍ଯ୍ୟପାଇଁ ଉକ୍ତ ଦୁଇ କମିଟି ଓ ସଭ୍ୟ ମାନଙ୍କ ମଙ୍ଗଳ ଓ ଦୀର୍ଘାୟୁ କାମନା କରିଛନ୍ତି ବାଣପୁର ବାସୀ।