ଭୁବନେଶ୍ବର: ପ୍ରଖ୍ୟାତ ସାହିତ୍ୟିକ ତଥା ପଦ୍ମଭୂଷଣ ରମାକାନ୍ତ ରଥଙ୍କର ପରଲୋକ ଘଟିଛି। ତାଙ୍କ ବିୟୋଗରେ ଓଡିଆ ସାହିତ୍ୟ ଜଗତରେ ବଡ କ୍ଷତି ଘଟିଯାଇଛି। ତାଙ୍କ ପରଲୋକ ନେଇ ଓଡିଶା ସାହିତ୍ୟକମାନେ ସେମାନଙ୍କ ସାମାଜିକ ଗଣମାଧ୍ୟମରେ ଶୋକ ପ୍ରକାଶ କରିଛନ୍ତି। ଜାଣନ୍ତୁ କେଉଁ ସାହିତ୍ୟିକ ତଥା ବିଶିଷ୍ଠ ବ୍ୟକ୍ତି କଣ କହିଛନ୍ତି।
ଦାସ ବେନହୁର– ଲୁଚିଗଲା ଗୋଟାଏ ଚଳମାନ ଦୀର୍ଘ କବିତା। ଶ୍ରୀରାଧାରୁ ଶ୍ରୀପଳାତକ।
ଯେତେ କୋଠରି ତିଆରିଲେ ବି ସପ୍ତମ ଋତୁ ଶେଷକଥା। ଖୁବ୍ କମ୍ ଜାଣିଥିବେ ମାଟିରେ ଚଳାଏ ପାଣି ଭିତରେ ଜହ୍ନକୁ ବି ଧରିନେଇ ସେ ଗପ ଲେଖିପାରନ୍ତି। ଶବ୍ଦର ମହୁଫେଣା ଗଢ଼ି ଅନାୟାସରେ ଝୁଲେଇ ଦିଅନ୍ତି ଭାବବୃକ୍ଷର ଶାଖା ପ୍ରଶାଖାରେ। ମୁଖ୍ୟ ଶାସନ ସଚିବ, ସାହିତ୍ୟ ଅକାଦେମି ସଭାପତି, ପଦ୍ମଭୂଷଣ ଫଳକ କବିବୋଧ ଉପରକୁ ଡେଇଁ ନଥିଲା କେବେ।
ନିରୋଳାରେ କବିତାର ଲୋଡ଼ାପଣ ରହିଥିଲା ଶେଷ ଶଯ୍ୟା ଯାଏ।
ସମସ୍ତେ ଯିବେ।
ଦେହ ଯିବ। କବି ରମାକାନ୍ତ ଯିବେ କୁଆଡ଼େ?
ଲଣ୍ଠନ ଲିଭିବ ନାହିଁ।
ପ୍ରଣାମ ସାର୍।
ଓଁ ଶାଂତିଃ ଶାଂତିଃ ଶାଂତିଃ।
ପ୍ରଦ୍ୟୁମ୍ନ ଶତପଥୀ- ସାମ୍ପ୍ରତିକ ସମୟର ଜନାଦୃତ ସାରସ୍ଵତ ସାଧକ ତଥା ପ୍ରାକ୍ତନ ମୁଖ୍ୟ ଶାସନ ସଚିବ ପଦ୍ମଭୂଷଣ ରମାକାନ୍ତ ରଥ ଆଜି ୮୭ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ଇଂରାଜୀ ଭାଷା ସାହିତ୍ୟ ର ଛାତ୍ର , ଅଥଚ ଓଡ଼ିଆ ଭାଷା ସାହିତ୍ୟ କୁ ତାଙ୍କର ଅନେକ ଅବଦାନ । ୧୯୫୭ରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ ଓ ମୁଖ୍ୟ ଶାସନ ସଚିବ ଭାବେ ସେବା ନିବୃତ ଶ୍ରୀଯୁକ୍ତ ରଥ କେନ୍ଦ୍ର ସାହିତ୍ୟ ଏକାଡେମୀ ର ସଭାପତି ହୋଇଥିଲେ । ତାଙ୍କର ସୃଷ୍ଟି “କେତେ ଦିନ ର”,”ସପ୍ତମ ଋତୁ”,”ସଚିତ୍ର ଅନ୍ଧାର”,”ଶ୍ରୀରାଧା” ଓଡ଼ିଆ ସାରସ୍ଵତ ଭଣ୍ଡାର ର ଅମୂଲ୍ୟ ସମ୍ପଦ । ଶୁଭ ଜନ୍ମ ଦିନ ର ଶୁଭାଵସରରେ ଶୁଭାଭିନନ୍ଦନ ସହ ଶୁଭକାମନା ଜଣାଉଛି,ବନ୍ଦେ ଉତ୍କଳ ଜନନୀ, ଶୁଭ ସକାଳ ବନ୍ଧୁ ବର୍ଗ ।
ସଂଜୟ ଭଟ୍ଟ- ପଦ୍ମ ଭୂଷଣ ରମାକାନ୍ତ ରଥଙ୍କ ଦେହାନ୍ତ (!) ପଦ୍ମ ଭୂଷଣ ରମାକାନ୍ତ ରଥ ଓଡ଼ିଆ ସାହିତ୍ୟର ଜଣେ ଶ୍ରେଷ୍ଠ କବି ଓ ଆଧୁନିକତାର ପ୍ରତୀକ ଥିଲେ। ସେ ୧୩ ଡିସେମ୍ବର ୧୯୩୪ରେ କଟକରେ ଜନ୍ମ ନେଇଥିଲେ ଓ ଭାରତୀୟ ପ୍ରଶାସନିକ ସେବାରେ ମୁଖ୍ୟ ସଚିବ ପଦବୀ ପର୍ୟ୍ୟନ୍ତ କାର୍ୟ୍ୟ କରିଥିଲେ। ସେ ଇଂରାଜୀରେ ରେଭେନ୍ସା କଲେଜରୁ ସ୍ନାତକୋତ୍ତର ଶିକ୍ଷା ଗ୍ରହଣ କରିଥିଲେ।
ତାଙ୍କର କବିତା ସଂକଳନ ‘ଶ୍ରୀରାଧା’ ଭାରତୀୟ ସାହିତ୍ୟରେ ଏକ କ୍ଲାସିକ ସୃଷ୍ଟି ଭାବେ ବହୁ ପରିଚିତ ଓ ଏହା ପାଇଁ ସେ ୧୯୯୨ରେ ସରସ୍ୱତୀ ସମ୍ମାନରେ ସମ୍ମାନିତ ହୋଇଥିଲେ। ଏହି କାବ୍ୟଗ୍ରନ୍ଥ ଇଂରାଜୀ ସହିତ ଆଠଟି ଭାରତୀୟ ଭାଷାରେ ଅନୁଦିତ ହୋଇଛି।
କବିତା ସଂଗ୍ରହ ‘ସପ୍ତମ ଋତୁ’ ପାଇଁ ସେ ୧୯୭୮ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଓ ‘ସଚିତ୍ର ଅନ୍ଧାର’ ପାଇଁ ୧୯୮୪ରେ ଶାରଳା ପୁରସ୍କାର ଲାଭ କରିଥିଲେ। ସେ ଓଡ଼ିଆ ସାହିତ୍ୟରେ ଆଧୁନିକତାର ପ୍ରବର୍ତ୍ତକ ଭାବେ ପରିଚିତ ଓ ତାଙ୍କର କାର୍ୟ୍ୟ ଶାସ୍ତ୍ରୀୟ ଓଡ଼ିଆ ଭାଷାର ସମୃଦ୍ଧିକୁ ବୃଦ୍ଧି କରିଛି।
ତାଙ୍କର କବିତାରେ ଭାବନାର ଗଭୀରତା ଓ ଭାଷାର ସୂକ୍ଷ୍ମତା ବିଶେଷ ରୂପେ ପ୍ରକାଶିତ ହୋଇଛି, ଯାହା ପାଠକମାନଙ୍କୁ ଆକର୍ଷିତ କରିଥାଏ। ତାଙ୍କର ସୃଜନଶୀଳତା ଓଡ଼ିଆ ସାହିତ୍ୟରେ ଏକ ନୂତନ ପଥର ନିର୍ମାଣ କରିଛି, ଯାହା ଆଗାମୀ ପିଢ଼ୀ ପାଇଁ ପ୍ରେରଣାଦାୟକ।
ଇତିରାଣୀ ସାମନ୍ତ- ସକାଳ… କେଉଁଦିନ, କେଉଁ ଖବର ନେଇକି ଆସିବ ଆମ ପାଖକୁ; ତା’ କେବଳ ସେଇ ସକାଳକୁ ଜଣା। ଆଜିର ସକାଳ ଭାରି ଦୁଃଖ ଦାୟକ ମୋ ପାଇଁ, ସାହିତ୍ୟ ଜଗତ ପାଇଁ, ଓଡିଶା ପାଇଁ। ଓଡ଼ିଆ ବାଣୀ ଭଣ୍ଡାର, ଭାରତୀୟ ସାହିତ୍ୟର ଯୁଗପୁରୁଷ ସ୍ରଷ୍ଟା ପଦ୍ମଭୂଷଣ କବି ରମାକାନ୍ତ ରଥ ଇହଲୀଳା ସମ୍ବରଣ କରିଛନ୍ତି। ଯଦିଓ ମର୍ତ୍ତ୍ୟକୁ ଆସି ମର ଶରୀର ତ୍ୟାଗ କରିଛନ୍ତି; ସ୍ରଷ୍ଟା କିନ୍ତୁ ଯୁଗଯୁଗପାଇଁ ଅମର ରହିବେ।
ସ୍ରଷ୍ଟା ରମାକାନ୍ତ ରଥଙ୍କୁ ମୋର ତଥା କାଦମ୍ବିନୀର ଗଭୀର ଶ୍ରଦ୍ଧାଞ୍ଜଳି
ଅମୀୟ ପାଣ୍ଡବ– ପ୍ରଥିତଯଶା ସାହିତ୍ୟିକ, ସର୍ବୋଚ୍ଚ ଶିଖରକୁ ଯାଇ ବି ଆଜୀବନ ନିରହଙ୍କାର ହୋଇ ବଞ୍ଚିଥିବା ମୋର ଅନ୍ୟତମ ପ୍ରିୟ ମଣିଷ ରମାକାନ୍ତ ରଥ ଆଜି ବାହୁଡିଗଲେ। ଆପଣଙ୍କ ସହ ବିତାଇଥିବା ସେଇ ସବୁ ସମୟ, ଚିରକାଳ ସତେଜ ରହିବ ସାର୍। ଅକ୍ଷର ବାର୍ଷିକ ଉତ୍ସବର ନିମନ୍ତ୍ରଣ କାର୍ଡ ପାଇ, ଶେଷ ଯାଏ ମଞ୍ଚ ତଳେ ଜଣେ ଶ୍ରୋତା ଭାବେ ବସି ରହିବା ମୋର ଆଜି ଯାଏ ମନେ ଅଛି ସାର୍।
ଗୁଜୁରାଟ ଗଣହତ୍ୟାକୁ ନେଇ ଆପଣଂକ କବିତା ଏବେ ବି ମୋତେ ପ୍ରେରିତ କରେ, ସାହିତ୍ୟର ସ୍ୱରକୁ ପ୍ରଖର କରିବାକୁ …. ଗଭୀର ଶ୍ରଦ୍ଧାଂଜଳି
ଶତ୍ରୁଜିତ- ୨୦୨୩ ମସିହା ଡିସେମ୍ବର ୧୦ ତାରିଖ। ଓଡ଼ିଶା ସରକାରଙ୍କ ଦ୍ବାରା ଆୟୋଜିତ “ଅକ୍ଷର ପୁସ୍ତକ ମେଳା”ର ଶେଷଦିନ। କିଛି ବହି କିଣି, ବନ୍ଧୁମାନଙ୍କୁ ଭେଟି କବି ବନ୍ଧୁ ଦିଗମ୍ବର ବିଶ୍ବାଳଙ୍କ ସହିତ ମେଳା ପରିସର ବାହାରକୁ ଆସିବା ବେଳେ ଠିକ୍ ସଭା ସ୍ଥଳ ପାଖରେ ଦେଖିଲି ବରେଣ୍ୟ ରମାକାନ୍ତ ରଥ ବସିଛନ୍ତି। ପାଖରେ କିଛି ବହି ଅଛି। ମେଳା ବାହାରେ ଏମିତି ନିରବରେ ରମାକାନ୍ତ ସାର୍ ବସିଥିବା ଦେଖି ପାଖକୁ ଯାଇ ନମସ୍କାର ହେଲି।
ସେତିକି ବେଳେ ନଜର ପଡିଗଲା ବହିଗୁଡ଼ିକ ରମାକାନ୍ତ ରଥଙ୍କ ଇଂରାଜୀ ଅନୁଦିତ କବିତା ପୁସ୍ତକ । ମତେ ଟିକିଏ ଆଶ୍ଚର୍ୟ୍ୟ ଲାଗିଲା। ପଚାରିଲାରୁ ପାଖରେ ଛିଡା ହୋଇଥିବା ଭଦ୍ର ବ୍ୟକ୍ତି ( ବହିଟି କିଣି ଘରକୁ ଆଣିବା ପରେ ଜାଣିଲି ସେ ହିଁ ଏହି ବହିର ସମ୍ପାଦକ ଜିତେନ୍ଦ୍ର ନାଥ ମିଶ୍ର, ଭାରତୀୟ ବିଦେଶ ସେବାର ଅବସରପ୍ରାପ୍ତ ଅଧିକାରୀ ତଥା ପର୍ତ୍ତୁଗାଲ ଓ ଲାଓସରେ ଭାରତର ପୂର୍ବତନ ରାଷ୍ଟ୍ରଦୂତ) ଶୁଦ୍ଧ ଇଂରାଜୀରେ ପଚାରିଲେ – Do you want to purchase? ବହିଟି କିଣିବା ପରେ ଏଇ ଫଟୋଟି ଉଠେଇଛି। ବହିରେ ଅଛି ରମାକାନ୍ତ ରଥଙ୍କ ଶ୍ରୀରାଧା, ଶ୍ରୀ ପଳାତକ ଏବଂ ଅନ୍ୟ କେତେକ ସଂକଳନର କିଛି ବଛାବଛା କବିତାର ଅନୁବାଦ। ନୂଆଦିଲ୍ଲୀର ଅଥର୍ସ ପ୍ରେସ ଏହାର ପ୍ରକାଶକ।
ମେଳା ପରିସର ବାହାରେ ରମାକାନ୍ତ ରଥଙ୍କ ଭଳି ବିଶିଷ୍ଟ କବି ଏଭଳି ବସିଥିବା ଏବଂ ତାଙ୍କ ଇଂରାଜୀ ସଂକଳନର ଅନୁବାଦକ ତଥା ସମ୍ପାଦକ ( ସେ ବି ଆମଭଳି ସାଧାରଣ ଲୋକ ନୁହଁନ୍ତି) ନିଜେ ଛିଡ଼ା ହୋଇ ବହି ବିକ୍ରୀ କରିବା ଦୃଶ୍ୟ ମତେ ଏବେବି ସରଳ ଲାଗୁନି।
୨୦୦୭ ମସିହାରେ ତାଙ୍କର ସାକ୍ଷାତକାର ନେଇଥିଲି ପ୍ରଗତିବାଦୀ ପାଇଁ। ଦୁଇଟି ପ୍ରଶ୍ନର ଉତ୍ତର ଦେବାକୁ ଚାହିଁ ନଥିଲେ – ପ୍ରଥମଟି ଜରୁରୀକାଳୀନ ପରିସ୍ଥିତି ସମ୍ପର୍କିତ ଓ ଦ୍ବିତୀୟଟି ଆତ୍ମଜୀବନୀ ଲେଖିବା ସମ୍ପର୍କିତ। ପ୍ରଥମ ପ୍ରଶ୍ନରେ ନିରବ ରହିଥିଲେ। ଦ୍ବିତୀୟ ପ୍ରଶ୍ନରେ କହିଥିଲେ, ଜୀବନର ଏଭଳି କିଛି ଘଟଣା ଅଛି, ଯାହା ଲେଖି ହେବନି। ଯଦି ସବୁକଥା ଲେଖି ପାରିବିନି, ଖଣ୍ଡିତ ଆତ୍ମଜୀବନୀ କାହିଁକି ଲେଖିବି।
ବିଦାୟ ଜଣାଇବି ନାହିଁ ପ୍ରିୟ କବି। ବିଶ୍ଵରେ ସାହିତ୍ୟ ଥିବା ପର୍ୟ୍ୟନ୍ତ ଆପଣ ଥିବେ।
ଗଭୀର ଶ୍ରଦ୍ଧାଞ୍ଜଳି।
ଶରତ ନାୟକ- ରମାକାନ୍ତ ରଥ (୧୩ ଡିସେମ୍ବର ୧୯୩୪ – ୧୬ ମାର୍ଚ୍ଚ ୨୦୨୫) ଓଡ଼ିଆ ସାହିତ୍ୟର ପ୍ରଖ୍ୟାତ ଆଧୁନିକ କବି । ସେ କଟକଠାରେ ୧୯୩୪ ମସିହାରେ ଜନ୍ମଗ୍ରହଣ କରିଥିଲେ। ରେଭେନ୍ସା କଲେଜରୁ ଇଂରାଜୀରେ ଏମ.ଏ. କରିବା ପରେ ୧୯୫୭ରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେଇଥିଲେ। ୧୯୯୨ରେ ଅବସର ଗ୍ରହଣ କରିବା ପୂର୍ବରୁ ସେ ଥିଲେ ଓଡ଼ିଶାର ମୁଖ୍ୟ ଶାସନ ସଚିବ। ତାଙ୍କର ଅନେକ ଗୁଡିଏ କବିତା ସଂକଳନ ମଧ୍ୟରେ- କେତେ ଦିନର (୧୯୬୨), ସନ୍ଦିଗ୍ଧ ମୃଗୟା (୧୯୭୧), ସପ୍ତମ ରତୁ (୧୯୭୭), ସଚିତ୍ର ଅନ୍ଧାର (୧୯୮୨), ଶ୍ରୀରାଧା (୧୯୮୫) ଏବଂ ଶ୍ରେଷ୍ଠ କବିତା (୧୯୯୨), ଇତ୍ୟାଦି ବେଶ୍ ପାଠକୀୟ ଶ୍ରଦ୍ଧା ସାଉଁଟି ପାରିଛି । କେନ୍ଦ୍ର ସାହିତ୍ୟ ଏକାଡେମୀଦ୍ବାରା ୧୯୭୮ ମସିହାରେ ସେ ତାଙ୍କର କବିତା ସଂକଳନ “ସପ୍ତମ ଋତୁ” ପାଇଁ ପୁରସ୍କୃତ ହୋଇଥିଲେ ।
୧୯୮୪ରେ “ସଚିତ୍ର ଅନ୍ଧାର” ପାଇଁ ତାଙ୍କୁ ଶାରଳା ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ୧୯୯୨ ମସିହାରେ ସେ ସରସ୍ୱତୀ ସମ୍ମାନରେ ସମ୍ମାନିତ ହୋଇଥିଲେ । ଏହି କାବ୍ୟଗ୍ରନ୍ଥ ଇଂରାଜୀ ଓ ଆଠଟି ଭାରତୀୟ ଭାଷାରେ ଅନୁଦିତ ହୋଇଛି । ତାଙ୍କର ବିୟୋଗ ଓଡ଼ିଆ ସାହିତ୍ୟରେ ଅପୂରଣୀୟ କ୍ଷତି ସାଧନ କରିଛି।