Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପ୍ରକାଶ ପାଇଲା କେନ୍ଦ୍ରର ସ୍କୁଲ ଶିକ୍ଷା ପାଇଁ ପିଜିଆଇ ରିପୋର୍ଟ, ଭିତ୍ତିଭୂମିରେ ଓଡିଶାର ୨୦ ପ୍ରତିଶତ ସୁଧାର

ନୂଆଦିଲ୍ଲୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ‘ନିଶଙ୍କ’ଙ୍କ ମଞ୍ଜୁରି କ୍ରମେ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ଲାଗି ଫରଫରମାନ୍ସ ଗ୍ରେଡିଂ ଇଣ୍ଡେକ୍ସ ବା ପିଜିଆଇ ୨୦୧୯-୨୦ ପ୍ରକାଶ କରାଯାଇଛି। କେନ୍ଦ୍ର ସରକାର ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଆମୂଳଚୁଳ ପରିବର୍ତ୍ତନ ଆଣିବାର ଲକ୍ଷ୍ୟ ନେଇ ୭୦ଟି ମାନଦଣ୍ଡର ଏକ ସେଟ୍ ସହିତ ପ୍ରଦର୍ଶନ ମାନ୍ୟତା ସୂଚକାଙ୍କ ବା ପିଜିଆଇର ପ୍ରାରମ୍ଭ କରିଛନ୍ତି।

ପିଜିଆଇର ଭିତ୍ତିଭୂମି ଓ ସୁବିଧା ଡୋମେନରେ ୧୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ୧୦ ପ୍ରତିଶତ (୧୫ ପଏଣ୍ଟ) କିମ୍ବା ତତୋଧିକ ସୁଧାର ପ୍ରଦର୍ଶନ କରିପାରିଛନ୍ତି। ଆଣ୍ଡାମାନ ଓ ନିକୋବାର ଦ୍ବୀପସମୂହ ଏବଂ ଓଡ଼ିଶା ୨୦ ପ୍ରତିଶତ କିମ୍ବା ତା’ଠାରୁ ଅଧିକ ପ୍ରଦର୍ଶନରେ ସୁଧାର ଆଣିପାରିଛନ୍ତି। ସେହିପରି ପିଜିଆଇର ଇକ୍ୟୁଟି ଡୋମେନରେ ଅରୁଣାଚଳ ପ୍ରଦେଶ, ମଣିପୁର ଓ ଓଡ଼ିଶା ୧୦ ପ୍ରତିଶତ ପ୍ରଦର୍ଶନ ସୁଧାର କରିପାରିଛନ୍ତି।

ଏହି ରିପୋର୍ଟ ଅନୁସାରେ ପଞ୍ଜାବ, ଚଣ୍ଡିଗଡ଼, ତାମିଲନାଡ଼ୁ, ଆଣ୍ଡାମାନ ଓ ନିକୋବାର ଦ୍ବୀପସମୂହ ତଥା କେରଳକୁ ୨୦୧୯-୨୦ ଲାଗି ସର୍ବୋଚ୍ଚ ଗ୍ରେଡ (ଇ++) ମିଳିଛି। ପୂର୍ବ ବର୍ଷ ତୁଳନାରେ ଅଧିକାଂଶ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶ ନିଜର ଗ୍ରେଡିଂରେ ସୁଧାର ଆଣିପାରିଛନ୍ତି।

ଆଣ୍ଡାମାନ ଓ ନିକୋବାର ଦ୍ବୀପସମୂହ, ଅରୁଣାଚଳ ପ୍ରଦେଶ, ମଣିପୁର, ପୁଡ୍ଡୁଚେରୀ, ପଞ୍ଜାବ ଏବଂ ତାମିଲନାଡ଼ୁ ସାମଗ୍ରୀକ ପିଜିଆଇ ସ୍କୋରରେ ୧୦ ପ୍ରତିଶତ ସୁଧାର କରିପାରିଛନ୍ତି, ଅର୍ଥାତ ୧୦୦ କିମ୍ବା ତତୋଧିକ ପଏଣ୍ଟ ହାସଲ କରିଛନ୍ତି। ପିଜିଆଇର କାଯ୍ୟକ୍ଷେତ୍ର (ଡୋମେନ) ଆକ୍ସେସ କ୍ଷେତ୍ରରେ ଆଣ୍ଡାମାନ ଓ ନିକୋବାର ଦ୍ବୀପ ସମୂହ, ଲାକ୍ଷାଦ୍ବୀପ ଓ ପଞ୍ଜାବ ୧୦ ପ୍ରତିଶତ (୮ପଏଣ୍ଟ) କିମ୍ବା ତତୋଧିକ ସୁଧାର ଆଣିପାରିଛନ୍ତି।

ପିଜିଆଇର ଡୋମେନ ଗର୍ଭନାନ୍ସ ପ୍ରୋସେସରେ ୧୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ୧୦ ପ୍ରତିଶତ (୩୬ ପଏଣ୍ଟ) କିମ୍ବା ଏହାଠାରୁ ଅଧିକ ପ୍ରଦର୍ଶନ ସୁଧାର କରିପାରିଛନ୍ତି। ଆଣ୍ଡାମାନ ଓ ନିକୋବାର ଦ୍ବୀପ ସମୂହ, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ମଣିପୁର, ପଞ୍ଜାବ, ରାଜସ୍ଥାନ ଏବଂ ପଶ୍ଚିମବଙ୍ଗ ଅତିକମରେ ୨୦ ପ୍ରତିଶତ (୭୨ ପଏଣ୍ଟ କିମ୍ବା ଅଧିକ) ସୁଧାର ପ୍ରଦର୍ଶନ କରିଛନ୍ତି।

ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକ ଲାଗି ପିଜିଆଇ ପ୍ରଥମ ଥର ୨୦୧୯ରେ ୨୦୧୭-୧୮ ବର୍ଷର ପ୍ରଦର୍ଶନକୁ ଆଧାର କରି ପ୍ରକାଶିତ ହୋଇଥିଲା। ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ଲାଗି ପିଜିଆଇ ୨୦୧୯-୨୦ ହେଉଛି ଏହି ସିରିଜର ତୃତୀୟ ପ୍ରକାଶନ। ପିଜିଆଇ ମାଧ୍ୟମରେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କୁ ବହୁମୁଖୀ କାଯ୍ୟକ୍ରମ କାଯ୍ୟକାରୀ କରିବା ଲାଗି ଅନୁପ୍ରାଣିତ କରିବା ଲାଗି ଲକ୍ଷ୍ୟ ରଖାଯାଇଛି।

ଏହା ଫଳରେ ବହୁ ବାଞ୍ଝିତ ସର୍ବୋତ୍କୃଷ୍ଟ ଶିକ୍ଷା ପରିଣାମ ହାସଲ କରାଯାଇପାରିବ। ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକରେ ଶିକ୍ଷା କ୍ଷେତ୍ରରେ ରହିଥିବା ଅଭାବ ଅସୁବିଧାକୁ ଦର୍ଶାଇବାରେ ପିଜିଆଇ ସହାୟକ ହେବ ଏବଂ ତଦନୁଯାୟୀ କାଯ୍ୟକ୍ରମର ବିଭିନ୍ନ କ୍ଷେତ୍ରକୁ ପ୍ରାଥମିକତା ଦିଆଯିବ। ଯାହାର ଫଳସ୍ବରୂପ ବିଦ୍ୟାଳୟ ଶିକ୍ଷା ପ୍ରଣାଳୀର ସମସ୍ତ ସ୍ତରକୁ ମଜବୁତ କରାଯିବା ସୁନିଶ୍ଚିତ ହୋଇପାରିବ।

Categories
ଜାତୀୟ ଖବର ବିଶେଷ ଖବର

ଶିକ୍ଷକମାନଙ୍କ ପାଇଁ ଖୁସି ଖବର, ଯୋଗ୍ୟତା ପରୀକ୍ଷା ପ୍ରମାଣପତ୍ରର ବୈଧତା ଆଜୀବନ ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ, କେନ୍ଦ୍ର ସରକାର ଶିକ୍ଷକ ଯୋଗ୍ୟତା ପରୀକ୍ଷା ପ୍ରମାଣପତ୍ରର ବୈଧତାକୁ 7 ବର୍ଷରୁ ଆଜୀବନ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ଘୋଷଣା କରିଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତି ପିଛିଲା ଭାବେ 2011 ଠାରୁ ଲାଗୁ ହେବ ବୋଲି ସେ ସୂଚନା ଦେଇଛନ୍ତି ।

ଯେଉଁ ପ୍ରାର୍ଥୀମାନଙ୍କର ଶିକ୍ଷକ ଯୋଗ୍ୟତା ପରୀକ୍ଷା ସାର୍ଟିଫିକେଟର ବୈଧତା ସାତ ବର୍ଷର ଅବଧି ପରେ ଶେଷ ହୋଇଯାଇଛି ଏହାକୁ ପୁନଃ ଆଜୀବନ ବୈଧ କରିବା ନିମନ୍ତେ ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ସୂଚନା ଦେଇଛନ୍ତି ।

ପୋଖରିୟାଲ କହିଛନ୍ତି ଯେ ଶିକ୍ଷା କ୍ଷେତ୍ରରେ କ୍ୟାରିଅର ଗଢ଼ିବା ଲାଗି ଚାହୁଁଥିବା ପ୍ରାର୍ଥୀମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ବୃଦ୍ଧି ଦିଗରେ ଏହା ଏକ ସକାରାତ୍ମକ ପଦକ୍ଷେପ ହେବ।

ବିଦ୍ୟାଳୟରେ ଶିକ୍ଷକ ଭାବେ ନିଯୁକ୍ତି ପାଇବା ପାଇଁ ଶିକ୍ଷକ ଯୋଗ୍ୟତା ପରୀକ୍ଷା ହେଉଛି ଏକ ଜରୁରି ଯୋଗ୍ୟତା । 2011 ରେ ଜାତୀୟ ଶିକ୍ଷକ ପ୍ରଶିକ୍ଷଣ ପରିଷଦ ପକ୍ଷର ଏକ ମାର୍ଗଦର୍ଶିକା ଜାରି କରି କୁହାଯାଇଥିଲା ଯେ ରାଜ୍ୟ ସରକାରଙ୍କ ଦ୍ୱାରା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଆୟୋଜନ କରାଯିବ ଏବଂ ଏହାର ବୈଧତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ତାରିଖ ଠାରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ରହିବ ।