Categories
Hockey Worldcup23 ବିଶେଷ ଖବର

ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବଙ୍କ ରାଉରକେଲା ଗସ୍ତ: ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟର କଲେ ସମୀକ୍ଷା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି.କେ. ପାଣ୍ତିଆନ ରାଉରକେଲା ଗସ୍ତରେ ଆସି ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ସହିତ ରାଉରକେଲା ବିମାନ ବନ୍ଦର ଏବଂ ବିଭିନ୍ନ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି। ଏହି ସଚିବସ୍ତରୀୟ ଟିମରେ କ୍ରୀଡ଼ା ଏବଂ ଯୁବ ସେବା ବିଭାଗର ସଚିବ ଆର୍ ଭିନିଲକ୍ରୀଷ୍ଣା ଏବଂ ଇଡକୋର ପରିଚାଳନା ନିର୍ଦ୍ଦେଶକ ଭୁପେନ୍ଦ୍ର ସିଂ ପୁନିଆ ମଧ୍ୟ ରାଉରକେଲା ଆସିଥିଲେ।

ଏହି ଟିମ୍ ରାଉରକେଲାରେ ବିପିୟୁଟି କ୍ୟାମ୍ପସରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ଅନୁଧ୍ୟାନ କରିଥିଲେ। ଉଭୟ ମୁଖ୍ୟ ଓ ଅଭ୍ୟାସ ପଡିଆର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଷ୍ଟାଡିଅମର ଦୁଇଟି ଯାକ ପିଚ୍‌ ଓ ହାଇମାସ୍କ ଲାଇଟ ଯାଂଚ ପରେ ଖେଳ ପାଇଁ ଲାଇସେନ୍‌ସ ମିଳିଛି।

ଉଲେଖନୀୟ ଯେ, ପୁରୁଷ ହକି ବିଶ୍ବକପର ୨୦ଟି ମ୍ୟାଚ ରାଉଲକେଲାରେ ଖେଳାଯିବ। ପ୍ରଥମ ମ୍ୟାଚ ଆସନ୍ତା ଜାନୁୟାରୀ ୧୩ ତାରିଖରେ ଭାରତ ଓ ସ୍ପେନ ମଧ୍ୟରେ ଅନୁଷ୍ଠିତ ହେବ। ଏହାପୂର୍ବରୁ ଆସନ୍ତା ୨୪ ତାରିଖରୁ ତିନୋଟି ଅଭ୍ୟାସ ମ୍ୟାଚ ଖେଳାଯିବ। ଏହି ଅଭ୍ୟାସ ମ୍ୟାଚ ସମୟରେ ଯଦି କିଛି ତ୍ରୁଟିଥିବା ନେଇ ଜଣାପଡେ ତେବେ ଭିତ୍ତିଭୂମିକୁ ଦୃଢ଼ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ। ଏହାସହ ରାଉରକେଲା ବିମାନ ବନ୍ଦରର କାର୍ଯ୍ୟଶେଷ ହୋଇଛି ଏବଂ ଖୁବଶୀଘ୍ର ଆବଶ୍ୟକୀୟ ଲାଇସେନ୍ସ ମିଳିବା ନେଇ ଶ୍ରୀ ମହାପାତ୍ର ଆଶାବ୍ୟକ୍ତ କରିଛନ୍ତି।

ଉଡାଣ ଯୋଜନାରେ ଖେଳାଳି ମାନଙ୍କ ପାଇଁ ୪ଟି ବିମାନ ଉଡାଣ ସୁବିଧା ମିଳିବ। ଗୋଟିଏ ବର୍ଷ ମଧ୍ୟରେ ଏଭଳି ଏକ ବିଶ୍ବସ୍ତରୀୟ ଷ୍ଟାଡିୟମ ନିର୍ମାଣ କରାଯାଇଛି। ଏଥିନିମନ୍ତେ ରାଜ୍ୟ ସରକାରଙ୍କୁ ସମସ୍ତ ସହଯୋଗ ପ୍ରଦାନ କରିଥିବାରୁ ସୁନ୍ଦରଗଡ ଓ ରାଉଲକେଲା ବାସୀଙ୍କୁ ମୁଖ୍ୟଶାସନ ସଚିବ ଓ ୫-ଟି ସଚିବ ଧନ୍ୟବାଦ ଦେଇଛନ୍ତି।

ରାଉରକେଲାରେ ପ୍ରଥମ ଥର ପାଇଁ ହକି ବିଶ୍ୱକପ ହେବାକୁ ଯାଉଛି। ତେଣୁ ହକି ମ୍ୟାଚ ଦେଖିବା ଲାଗି ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଦର୍ଶକ ରାଉରକେଲାକୁ ଆସିବେ। ତେଣୁ ଦର୍ଶକମାନଙ୍କ ଗାଡ଼ିଗୁଡ଼ିକୁ ସୁବିଧାରେ ରଖିବା ପାଇଁ ଷ୍ଟାଡିୟମ ଚାରିପଟେ ଆଧୁନିକ ପାର୍କିଂ ସ୍ଥଳ କରାଯାଉଛି। ତା’ଛଡ଼ା ଷ୍ଟାଡିୟମ ଭିତରେ ପାନୀୟ ଜଳ ଏବଂ ଶୌଚାଳୟ ଆଦି ସୁବିଧା କରାଯାଉଛି। ଯେଉଁ ଦର୍ଶକମାନେ ଷ୍ଟାଡିୟମ ବାହାରେ ରହିଥିବେ ସେମାନଙ୍କ ପାଇଁ ବିଭିନ୍ନ ସ୍ଥାନରେ ଏଲଇଡି ଲଗାଇବାର ବ୍ୟବସ୍ଥା କରାଯାଉଛି।

ଏହି ଗସ୍ତ ସମୟରେ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର ମହାପାତ୍ରଙ୍କ ସହିତ ଜିଲ୍ଲା ପ୍ରଶାସନ ଏବଂ ରାଉରକେଲା ମହାନଗର ନିଗମର ବରିଷ୍ଠ ଅଧିକାରୀମାନେ ଯୋଗ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ, ୨୦୨୩ ପୁରୁଷ ହକି ବିଶ୍ୱକପ ଓଡ଼ିଶାରେ ଖେଳାଯିବ। ଏହି ବିଶ୍ୱକପ୍ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ସହିତ ରାଉରକେଲାରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ହେବାକୁ ଯାଉଛି। ଏହି କ୍ରୀଡ଼ା ଭିତ୍ତିଭୂମି ଭାରତର ସବୁଠୁ ବଡ଼ ହକି ଷ୍ଟାଡିୟମର ରୂପ ନେବାକୁ ଯାଉଛି। ଏହି ଷ୍ଟାଡିୟମରେ ଏକାସାଙ୍ଗରେ ୨୦ ହଜାରରୁ ଅଧିକ ଦର୍ଶକ ବସି ଖେଳ ଉପଭୋଗ କରିପାରିବେ।

Categories
ବିଶେଷ ଖବର ରାଜ୍ୟ ଖବର

ଖୁବ ଶିଘ୍ର ଭୁବନେଶ୍ବରରୁ ରାଉରକେଲା ଉଡିବ ବିମାନ, ମୁଖ୍ୟ ଶାସନ ସଚିବ କଲେ ସମୀକ୍ଷା

ରାଉରକେଲା : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ମହାପାତ୍ର ରାଉରକେଲା ଗସ୍ତରେ ଆସି ୨୦୨୩ରେ ଖେଳା ଯିବାକୁ ଥିବା ପୁରୁଷ ବିଶ୍ୱକପ ହକି ଲାଗି ସମୀକ୍ଷା ବୈଠକ କରିଛନ୍ତି। ବିଭିନ୍ନ ବିଭାଗର ଅଧିକାରୀଙ୍କ ସହିତ ହକି ଷ୍ଟାଡିୟମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହ ବିଭିନ୍ନ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟ ଶାସନ ସଚିବ ସମୀକ୍ଷା କରିବା ପରେ ଗଣାମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ, ୨୦୨୩ରେ ଭୁବନେଶ୍ୱର ଓ ରାଉରକେଲାରେ ପୁରୁଷ ବିଶ୍ଵକପ ହକି ଖେଳାଯିବ। ଏଥିପାଇଁ ରାଉରକେଲାଠାରେ ଦେଶର ସର୍ବ ବୃହତ୍ ହକି ଷ୍ଟାଡିୟମ ନିର୍ମାଣ କରାଯାଉଛି। ଏଠାରେ ୨୦ ହଜାର ଦର୍ଶକ ଏକାସାଙ୍ଗରେ ବସି ଖେଳ ଉପଭୋଗ କରିପାରିବେ।

ଏହି ଷ୍ଟାଡିୟମ ନିର୍ମାଣ କାମର ନିୟମିତ ଅଗ୍ରଗତି ସମୀକ୍ଷା କରାଯାଉଛି। ଷ୍ଟାଡିୟମକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକର ମଧ୍ୟ ଉନ୍ନତିକରଣ କରାଯାଉଛି। ଖୁବଶୀଘ୍ର ମୁଖ୍ୟ ଷ୍ଟାଡିୟମର ଗ୍ୟାଲେରୀ ଏବଂ ଖେଳାଳିମାନଙ୍କ ଅଭ୍ୟାସ ପାଇଁ ଥିବା ପଡ଼ିଆ ପ୍ରସ୍ତୁତ ହୋଇଯିବ। ସେଠାରେ ବିଶ୍ୱକପ ପୂର୍ବରୁ ଅଭ୍ୟାସ ମ୍ୟାଚଗୁଡ଼ିକ ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି। ବିପିୟୁଟି କ୍ୟାମ୍ପସରେ ଖେଳାଳିମାନଙ୍କ ରହିବା ପାଇଁ ବିଶେଷ ବ୍ୟବସ୍ଥା କରାଯାଉଛି।

ପୁରୁଷ ବିଶ୍ଵକପ ହକିକୁ ଦୃଷ୍ଟିରେ ରଖି ସ୍ମାର୍ଟ ସିଟି ରାଉରକେଲାରେ ଅନେକ ଉନ୍ନୟନମୂଳକ କାମ ଚାଲିଛି। ବିଶେଷକରି ପାର୍କଗୁଡ଼ିକର ବିକାଶ ଓ ଅନ୍ୟାନ୍ୟ ସୌନ୍ଦର୍ଯ୍ୟକରଣ କାମ କରାଯାଉଛି। ନିର୍ଦ୍ଧାରିତ ସମୟ ପୂର୍ବରୁ କାମ ସାରିବା ପାଇଁ ମୁଖ୍ୟ ଶାସନ ସଚିବ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସେହିପରି ରାଉରକେଲା ବିମାନ ବନ୍ଦରରେ ମଧ୍ୟ ବିଭିନ୍ନ ପ୍ରକାରର ଭିତ୍ତିଭୂମି ନିର୍ମାଣ କାମ ଚାଲିଛି। ଅକ୍ଟୋବର ସୁଦ୍ଧା ନିର୍ମାଣ କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଛନ୍ତି। ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ଭୁବନେଶ୍ୱରରୁ ରାଉରକେଲାକୁ ସିଧାସଳଖ ବିମାନ ଚଳାଚଳ କରିପାରିବ। ପୁରୁଷ ବିଶ୍ୱକପ ହକି ବେଳେ ଖେଳାଳିମାନେ ବିମାନ ଯୋଗେ ରାଉରକେଲାରେ ପହଞ୍ଚି ପାରିବେ।

ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ବ୍ରାହ୍ମଣୀ ନଦୀରେ ଚାଲିଥିବା ଦ୍ଵିତୀୟ ସେତୁ ନିର୍ମାଣ ଓ ଆପ୍ରୋଚ ରୋଡର ମଧ୍ୟ ସମୀକ୍ଷା କରିଥିଲେ। ଜୁନ୍ ଶେଷ ସୁଦ୍ଧା ଆପ୍ରୋଚ ରୋଡ କାମ ସାରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ। ଏହାଦ୍ଵାରା ବ୍ରାହ୍ମଣୀ ପୋଲ ଉପରେ ଯେଉଁ ଟ୍ରାଫିକ ସମସ୍ୟା ଦେଖାଯାଉଥିଲା ତାହା ଦୂର ହୋଇପାରିବ ବୋଲି ସେ କହିଥିଲେ।

ଏହି ସମୀକ୍ଷା ବୈଠକରେ ସୁନ୍ଦରଗଡ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, ରାଉରକେଲା ଏସପି ମୁକେଶ କୁମାର ଭାମୁ, ପାନପୋଷ ଉପଜିଲ୍ଲାପାଳ ଦୌଲତ ଚନ୍ଦ୍ରାକର, ରାଉରକେଲା ମହାନଗର ନିଗମର ଡେପୁଟି କମିଶନର ସୁଧାଂଶୁ କୁମାର ଭୋଇ,ରାଉରକେଲା ତହସିଲଦାର ଚନ୍ଦ୍ରକାନ୍ତ ମଲ୍ଲିକ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।