Categories
ବିଶେଷ ଖବର

ରାଜଗାଙ୍ଗପୁରରେ ରେଲ୍ ଓଭରବ୍ରିଜ ନିର୍ମାଣ ହେବ ତ୍ବରାନ୍ବିତ: ଆବଶ୍ୟକ ଜମି ସିଧାସଳଖ ଲୋକଙ୍କ ଠାରୁ କିଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି

ଭୁବନେଶ୍ଵର: ସୁନ୍ଦରଗଡ ଜିଲ୍ଲାର ରାଜଗାଙ୍ଗପୁର ଠାରେ ଏକ ରେଲ ଓଭରବ୍ରିଜ ନିର୍ମାଣ ପାଇଁ ଜମି ଅଧିଗ୍ରହଣ କରା ନ ଯାଇ ସିଧା ସଳଖ ଲୋକଙ୍କ ଠାରୁ ରାଜ୍ୟ ସରକାର ସିଧାସଳଖ ଜମି କିଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି।

ସୂଚନାଯୋଗ୍ୟ ଯେ ଗତ ମାର୍ଚ୍ଚ ମାସ ୧୧, ୧୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ସୁନ୍ଦରଗଡ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର‌୍ୟ୍ୟକ୍ରମ ସମୀକ୍ଷା କରିବା ସହିତ ଲୋକଙ୍କ ଅଭିଯୋଗ ମଧ୍ୟ ଶୁଣିଥିଲେ। ଏହି ଗସ୍ତ ସମୟରେ ଜିଲ୍ଲାର ରାଜଗାଙ୍ଗପୁର ଠାରେ ଏକ ରେଲ ଓଭରବ୍ରିଜ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ସମସ୍ୟା ସଂପର୍କରେ ସେ ଅବଗତ ହୋଇଥିଲେ।

ଏହା ସଂପର୍କରେ ସେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବା ପରେ, ଜଙଈ ପାଇଁ ଆବଶ୍ୟକ ଜମିକୁ ସିଧାସଳଖ ରାଜ୍ୟ ସରକାର କିଣିନେଇ ନିର୍ମାଣ କାମକୁ ତ୍ବରାନ୍ବିତ କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥିଲେ। ଏହି ରେଲ ଓଭରବ୍ରିଜଟି ସୁନ୍ଦରଗଡ ଜିଲ୍ଲାର ସୋନାଖାନ୍ ଓ କାଂଶବାହାଲ ଷ୍ଟେସନ ମଧ୍ୟରେ ରାଜଗାଙ୍ଗପୁର ମୌଜାରେ ନିର୍ମାଣ କରାଯିବ।

Categories
ବିଶେଷ ଖବର

୫-ଟି ସଚିବଙ୍କ ଗସ୍ତ ପରେ ରାଜଗାଙ୍ଗପୁର ଓଭର ବ୍ରିଜ ନିର୍ମାଣ ପ୍ରକିୟା ତ୍ୱରାନ୍ୱିତ

ସୁନ୍ଦରଗଡ଼: ରାଜଗାଙ୍ଗପୁର ଲେବେଲ କ୍ରସିଂ ଠାରେ ହେଉଥିବା ଓଭର ବ୍ରିଜ୍ ନିର୍ମାଣ (ROB Project) ପ୍ରକିୟା ତ୍ୱରାନ୍ୱିତ ହୋଇଛି। ନିର୍ମାଣ କାର୍ଯ୍ୟ ନିମନ୍ତେ ବର୍ତ୍ତମାନ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି।

ସୋନାଖାନ ଓ କାନସବାହାଲ ମଧ୍ୟରେ ଥିବା ଏହି ପ୍ରକଳ୍ପ ୨୦୧୮ ମସିହାରେ ଆରମ୍ଭ ହୋଇଥିଲା ମାତ୍ର ଜମି ଅଧିଗ୍ରହଣ ଜନିତ ସମସ୍ୟା ଥିବାରୁ ୨୦୨୨ ରେ ଏହାର ଟେଣ୍ଡର ବାତିଲ କରାଯାଇଥିଲା।

ପ୍ରକାଶ ଥାଉ କି ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫ଟି ସଚିବ ଭି. କେ. ପାଣ୍ଡିଆନ୍ ଙ୍କ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ ସମୟରେ ସେ ରାଜଗାଙ୍ଗପୁରର ଏହି ବ୍ରିଜ ନିର୍ମାଣ ସ୍ଥାନ ମଧ୍ୟ ପରିଦର୍ଶନ କରିଥିଲେ ଓ ନିର୍ମାଣ କାର୍ଯ୍ୟ ର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ ଏବଂ ଏହାର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ କହିଥିଲେ। ୫-ଟି ସଚିବ ଙ୍କ ଏହି ଗସ୍ତ ସମୟରେ ଜନସାଧାରଣ ମାନେ ତାଙ୍କୁ ଭେଟି ଥିଲେ ଏବଂ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରାଯିବାକୁ ୫-ଟି ସଚିବଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ।

Categories
ଆଞ୍ଚଳିକ

ଆଦିବାସୀଙ୍କ ଜମି ସୁରକ୍ଷା ଆନ୍ଦୋଳନକୁ ପ୍ରଫୁଲ ଓ ନିରଞ୍ଜନଙ୍କ ଦୃଢ ସମର୍ଥନ

ଭୁବନେଶ୍ୱର : ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀର ଆଦିବାସୀ ଲୋକମାନଙ୍କର ରାଜଭବନ ସମ୍ମୁଖରେ ନିଜର ଜମି ସୁରକ୍ଷା ପାଇଁ ଚାଲିଥିବା ଆନ୍ଦୋଳନ ଚତୁର୍ଥ ଦିନରେ ପହଚିଛି । ଏକ ବିଶାଳ ରାଲି ମାଷ୍ଟରକ୍ୟାଣ୍ଟିନ ଛକଠାରୁ ଆରମ୍ଭ ହୋଇ ଲୋୟର ପିଏମ୍‌ଜି, ବିଧାନସଭା ସମ୍ମୁଖ ପର୍ଯ୍ୟନ୍ତ ଯାଇଥିଲା ।

ଆଦିବାସୀଙ୍କ ନିଜର ଜମିର ସୁରକ୍ଷା ଏବଂ ହକ୍ ପାଇଁ ବିଶେଷକରି ଓସିଏଲ୍ କର୍ତ୍ତୃପକ୍ଷଙ୍କର ଜୋର ଜବରଦସ୍ତ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ବିଶିଷ୍ଟ ସମାଜସେବୀ ତଥା ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାୟ ଉପସ୍ଥିତ ରହି ଆଦିବାସୀଙ୍କ ଆନ୍ଦୋଳନକୁ ଦୃଢ ସମର୍ଥନ କରି କମ୍ପାନୀ କର୍ତ୍ତୃପକ୍ଷଙ୍କ ବିରୋଧରେ ବିଶଦ୍‌ଗାର କରିଥିଲେ । ସେହିପରି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ସବୁଦିନ ପାଇଁ ଆପଣମାନଙ୍କ ସାଥୀରେ ଅଛି ଏବଂ ଆପଣମାନଙ୍କ ସବୁ ସମସ୍ୟା ସମ୍ପର୍କରେ ମୁଁ ଜଡ଼ିତ ରହିବି, ସାହାଯ୍ୟ କରିବି ବୋଲି ଦୃଢ ପ୍ରତିଶ୍ରୁତି ଦେଇଥିଲେ ।

Categories
ବିଶେଷ ଖବର ବ୍ୟବସାୟ

ମିଶନଶକ୍ତି ମା’ଙ୍କୁ ଜୀବିକା: ମାଣ୍ଡିଆ ଓ ଅନ୍ୟାନ୍ୟ ପୁଷ୍ଟିଶସ୍ୟରୁ ତିଆରି ହେଉଛି ସୁଆଦିଆ ଜଳଖିଆ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ଖୋଲିଲା ପ୍ରଥମ ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟର। ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ଏବଂ ମିଶନଶକ୍ତି ବିଭାଗ ଆନୁକୂଲ୍ୟରେ ରାଜଗାଙ୍ଗପୁରଠାରେ ଶନିବାର ଦିନ ଏହି ଟିଫିନ୍ ସେଣ୍ଟର ଖୋଲିଛି। ସ୍ଥାନୀୟ ଡାକୁୱା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଏହାର ପରିଚାଳନା ଦାୟିତ୍ୱ ଦିଆଯାଇଛି। ମିଶନଶକ୍ତି ମା’ମାନେ ପୁଷ୍ଟିଶସ୍ୟରୁ ବିଭିନ୍ନ ସୁଆଦିଆ ଖାଦ୍ୟ ପ୍ରସ୍ତୁତ କରିବା ସହ ଏହାକୁ ବିକ୍ରି କରି ଭଲ ଦି’ ପଇସା ରୋଜଗାର କରିପାରିବେ।

ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟର ଖୋଲିବା ଅବସରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ପୁଷ୍ଟିଶସ୍ୟରୁ ଇଡଲି, ବରା, ପକଡ଼ି, ପୁରି, ଗୁଲାବଜାମୁନ୍, ଖିରି ଆଦି ଖାଦ୍ୟ ପ୍ରସ୍ତୁତ କରିଥିଲେ। ଏହି ଖାଦ୍ୟକୁ ସ୍ଥାନୀୟ ଜନସାଧାରଣ ଏବଂ ଉପସ୍ଥିତ ଅତିଥିମାନ ପ୍ରଶଂସା କରିଥିଲେ। ରାଜଗାଙ୍ଗପୁର ଭଳି ଜିଲ୍ଲାର ବିଭିନ୍ନ ସ୍ଥାନରେ ୮୧ଟି ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟର ଏବଂ ମିଲେଟ୍ ଆଉଟଲେଟ୍ ଖୋଲିବାକୁ ପ୍ରଶାସନ ଲକ୍ଷ୍ୟ ରଖିଛି। ଏହାର ପରିଚାଳନା ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଆବଶ୍ୟକ ତାଲିମ୍ ଦିଆଯାଉଛି।
ଅନେକ ଛାତ୍ରଛାତ୍ରୀ, ଯୁବପିଢ଼ି, ଶ୍ରମଜୀବୀମାନେ ଜଳଖିଆ ପାଇଁ ବିଭିନ୍ନ ଦୋକାନ ଉପରେ ନିର୍ଭର କରୁଥିଲେ। ଏବେ ସେମାନଙ୍କ ପାଇଁ ମିଲେଟ୍ ଶକ୍ତି ଟିଫିନ ସେଣ୍ଟର ବିଶେଷ ସହାୟକ ହେବ। କାରଣ ସେମାନେ, ଏହି କେନ୍ଦ୍ରରୁ ମାଣ୍ଡିଆ ଏବଂ ଅନ୍ୟାନ୍ୟ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ପୁଷ୍ଟିକର ତଥା ରୁଚିକର ଜଳଖିଆ ପାଇପାରିବେ।

‘‘ପୁଷ୍ଟିଶସ୍ୟରୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବା ସମ୍ପର୍କରେ ଆମକୁ ତାଲିମ୍ ଦିଆଯାଇଥିଲା। ଆମ ଗୋଷ୍ଠୀର ୧୩ ଜଣ ସଦସ୍ୟ ତାଲିମ୍ ନେଇଥିଲୁ। ଏବେ ପୁଷ୍ଟିଶସ୍ୟରୁ ବିଭିନ୍ନ ସୁଆଦିଆ ଖାଦ୍ୟ ପ୍ରସ୍ତୁତ କରି ବିକ୍ରି କରିବୁ। ଏଥିରୁ ଯାହା ରୋଜଗାର ହେବ ସେଥିରେ ଆମେ ଆମ ଘର ଚଳାଇବୁ। ଆମ ପାଇଁ ଏହା ନୂଆ କାମ ହୋଇଥିଲେ ମଧ୍ୟ ଆମେ ଏହାକୁ ଆଗ୍ରହର ସହ କରୁଛୁ’’ କହିଛନ୍ତି ଡାକୁୱା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସମ୍ପାଦିକା ଚିତ୍ରଲେଖା ଗୌଡ଼।

ଓଡ଼ିଶା ପୁଷ୍ଟିଶସ୍ୟ ମିଶନର ଆଞ୍ଚଳିକ ସଂଯୋଜକ ରାମଚନ୍ଦ୍ର ତୁଷ କହିଛନ୍ତି ଯେ, ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ହେଉଥିବା ଖାଦ୍ୟର ଚାହିଦା ବଢ଼ିବାରେ ଲାଗିଛି। ଏହିସବୁ ଖାଦ୍ୟକୁ ଲୋକପ୍ରିୟ କରିବା ପାଇଁ ଏବଂ ପୁଷ୍ଟିକର ଗୁଣ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିବା ଲାଗି ଟିଫିନ୍ ସେଣ୍ଟ ଖୋଲାଯାଉଛି। ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଭଳି ସେଣ୍ଟର ଖୋଲାଯିବ। ରାଉରକେଲାରେ ଏକ ମିଲେଟ୍ କାଫେ ଖୋଲିବାକୁ ଯୋଜନା ରହିଛି।

ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାର ସର୍ବାଧିକ ୧୧ଟି ବ୍ଲକରେ ବର୍ତ୍ତମାନ ମାଣ୍ଡିଆ ସହିତ ବିଭିନ୍ନ ପୁଷ୍ଟିଶସ୍ୟ ଚାଷ କରାଯାଉଛି। ଚଳିତ ବର୍ଷ ୫,୨୩୦ ହେକ୍ଟର ଜମିରେ ୧୬ ହଜାରରୁ ଅଧିକ ଚାଷୀ ପୁଷ୍ଟିଶସ୍ୟ ଚାଷ କରିଛନ୍ତି। ଏବର୍ଷ ୨୪ ହଜାର ୬୦୦ କୁଇଣ୍ଟାଲ ପୁଷ୍ଟିଶସ୍ୟ ଅମଳ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ମାଣ୍ଡିଆ ସହିତ ବିଭିନ୍ନ ପୁଷ୍ଟିଶସ୍ୟରେ ପ୍ରଚୁର ପୋଷଣ ଶକ୍ତି ରହିଛି। ତେଣୁ ଏହି ପୁଷ୍ଟିଶସ୍ୟକୁ ଚାଷଜମିରୁ ଲୋକଙ୍କ ଖାଦ୍ୟ ଥାଳି ପର୍ଯ୍ୟନ୍ତ ନେବା ପାଇଁ ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ସୁନ୍ଦରଗଡ଼ ଜିଲ୍ଲାରେ ୧୧ଟି ବ୍ଲକ ଭିତରୁ ୭ଟି ବ୍ଲକରେ ପୁଷ୍ଟିଶସ୍ୟ ଚାଷ ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ଆର୍ଥିକ ସହାୟତା ଯୋଗାଇ ଦେଉଛି। ସେହିପରି ବିଭିନ୍ନ ସ୍ଥାନରେ ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟର ପାଇଁ ଡିଏମଏଫ ଆର୍ଥିକ ସହାୟତା ଯୋଗାଇ ଦେଉଛି।

ରାଜଗାଙ୍ଗପୁରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ୱାସନ ଆଞ୍ଚଳିକ ଅଧିକାରୀ ରମଣୀ ରଞ୍ଜନ ନାୟକ, ଝାଡ଼ଖଣ୍ଡ ରାଜ୍ୟ ଜୀବିକା ପ୍ରକଳ୍ପ ଅଧିକାରୀ ଶୁଭକାନ୍ତ ନାୟକ, ବ୍ଲକ କୃଷି ଅଧିକାରୀ ହେମନ୍ତ କୁମାର ଜେନା, ବ୍ଲକ ଉପ କୃଷି ଅଧିକାରୀ ଆଶିଷ ଦାସ, ଓଡ଼ିଶା ପୁଷ୍ଟିଶସ୍ୟ ମିଶନର ଜିଲ୍ଲା ସଂଯୋଜକ ପ୍ରଣମେଶ କର ପ୍ରମୁଖ ଉପସ୍ଥିତ ଥିଲେ।