Categories
ଆଜିର ଖବର ସଂସ୍କୃତି

୭୬  ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର: ଚଳିତ ବର୍ଷ ଏପ୍ରିଲ ୧୩ ତାରିଖ ଦିନ  ଭୁବନେଶ୍ୱର ରାଜଧାନୀ ପ୍ରତିଷ୍ଠା ଦିବସ  ପାଳନ ନିମନ୍ତେ ଏକ ଉଚ୍ଚସ୍ତରୀୟ  ପ୍ରସ୍ତୁତି ବୈଠକ ରାଜ୍ୟ ଉନ୍ନୟନ କମିଶନର  ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆଜି ଲୋକ ସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ  ଅନୁଷ୍ଠିତ ହୋଇଯାଇଛି। ବୈଠକର ପ୍ରାରମ୍ଭରେ ଭୁବନେଶ୍ୱର ମହାନଗର ନିଗମ କମିଶନର ରାଜେଶ ପ୍ରଭାକର ପାଟିଲ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନର ଗୁରୁତ୍ୱ ସଂପର୍କରେ  ଆଲୋକପାତ କରିଥିଲେ। ୧୩ ଏପ୍ରିଲ ୧୯୪୮ ରେ  ପ୍ରତିଷ୍ଠା ହୋଇଥିବା ଭୁବନେଶ୍ୱର ରାଜଧାନୀ ଏ ବର୍ଷ ୭୬ତମ ବର୍ଷରେ ପଦାର୍ପଣ କରୁଛି। ଚଳିତ ବର୍ଷ ସାଧାରଣ ନିର୍ବାଚନ-୨୦୨୪ ଦୃଷ୍ଟିରୁ  ଆଦର୍ଶ ଆଚରଣ ବିଧି ବଳବତ୍ତର ରହୁଥିବାରୁ ଏହାକୁ ଅନୁପାଳନ ପୂର୍ବକ କାର୍ଯ୍ୟକ୍ରମକୁ ଯଥା ସମ୍ଭବ ସୀମିତ କରିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ତେବେ  ’ରାଜଧାନୀ ପ୍ରତିଷ୍ଠା ଦିବସକୁ ରାଜଧାନୀ  ଭୁବନେଶ୍ୱରର  ଜନ୍ମୋତ୍ସବ ଭାବେ ମର୍ଯ୍ୟାଦା ସହକାରେ ପାଳନ କରାଯିବାକୁ ବୈଠକରେ ଆଲୋଚନା କରାଯାଇଥିଲା। ନିର୍ବାଚନ ଆଦର୍ଶ ଆଚରଣ ବିଧି ଅନୁପାଳନ ପୂର୍ବକ ରାଜଧାନୀ ପ୍ରତିଷ୍ଠା ଦିବସ ଶାନ୍ତି, ଶୃଙ୍ଖଳାର ସହ ପାଳନ କରିବାକୁ ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ ସମସ୍ତଙ୍କର ସହଯୋଗ କାମନା କରିଥିଲେ।

ପୂର୍ବରୁ ସାଧାରଣତଃ ୩ ଦିନ ଧରି ଏହି ପ୍ରତିଷ୍ଠା ଉତ୍ସବ ପାଳନ କରାଯାଉଥିବା ବେଳେ ନିର୍ବାଚନ ଆଦର୍ଶ ଆଚରଣ ବିଧି ପାଳନ ଦୃଷ୍ଟିରୁ ଏ ବର୍ଷ ଗୋଟିଏ ଦିନ ପାଳନ କରାଯିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି । ରାଜଧାନୀ ପ୍ରତିଷ୍ଠା ଦିବସ ସକାଳେ ବିଧାନସଭା ସୌଧ ସମ୍ମୁଖସ୍ଥ  ରାଜଧାନୀ ପ୍ରତିଷ୍ଠା ଶିଳାନ୍ୟାସ ଫଳକରେ ପୁଷ୍ପମାଲ୍ୟ ଓ ପୁଷ୍ପଗୁଚ୍ଛ ଅର୍ପଣ କରାଯିବ । ଉତ୍ସବର ମୁଖ୍ୟ ଅତିଥି ରାଜଧାନୀ ପ୍ରତିଷ୍ଠା ଦିବସ ପତାକା  ଉତ୍ତୋଳନ କରିବେ । ସଂପ୍ରତି ପ୍ରଚଣ୍ତ ରୌଦ୍ରତାପ ଜାରି ରହିଥିବାରୁ ପ୍ରତିବର୍ଷ  ରାଜଧାନୀ ଫଳକ ସମ୍ମୁଖ ରାସ୍ତାରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ହୋଇଆସୁଥିବା ବେସାମରିକ ପ୍ୟାରେଡ୍ ପ୍ରଦର୍ଶନ ଚଳିତ  ବର୍ଷ ଅନୁଷ୍ଠିତ ହେବ ନାହିଁ । ସେହିଭଳି ଛାତ୍ରଛାତ୍ରୀମାନଙ୍କୁ ସାମିଲ କରାଯାଇ ରାଜଧାନୀ ପ୍ରତିଷ୍ଠା ଦିବସ ଅପରାହ୍ଣରେ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତିଯୋଗିତା ମଧ୍ୟ କରାଯିବ ନାହିଁ ।

କିନ୍ତୁ ସେଦିନ ସଂଧ୍ୟାରେ  ଜୟଦେବ ଭବନରେ  ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହ ଅନୁଷ୍ଠିତ ହେବ ଏବଂ ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ଏହି  ଦିବସ ଉପଲକ୍ଷେ ରାଜଧାନୀର ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ବିଧାନସଭା ସୌଧ ସ୍ଥିତ ଶିଳାନ୍ୟାସ ଫଳକ ସ୍ଥଳକୁ ଆଲୋକମାଳାରେ ସଜ୍ଜିତ କରାଯିବ। ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ରାଜଧାନୀ  ପ୍ରତିଷ୍ଠା ଦିବସ ଉପଲକ୍ଷେ ତୋରଣ କରାଯିବ।

ରାଜଧାନୀ ଶିଳାନ୍ୟାସ ପ୍ରତିଷ୍ଠା ଫଳକ ସ୍ଥଳ ସମେତ ସହରରେ  ଥିବା ବିଭିନ୍ନ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସ୍ଥଳ ପରିସ୍କାର ପରିଚ୍ଛନ୍ନ କରାଯାଇ  ମାଲ୍ୟାର୍ପଣ କରାଯିବ। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ବିଏମସି ଓ  ବିଡିଏର ମିଳିତ ସହଯୋଗରେ ରାଜଧାନୀ ପ୍ରତିଷ୍ଠା ପ୍ରାରମ୍ଭରୁ ଅଦ୍ୟାବଧି ରହିଥିବା ଐତିହ୍ୟ ଏବଂ ପୁରାତନ ସ୍ମୃତି ବହନ କରୁଥିବା ଫଟୋଚିତ୍ରକୁ ସ୍ଥାନିତ କରି ଏକ ଫଟୋ ପ୍ରଦର୍ଶନୀ ଜୟଦେବ ଭବନ ଠାରେ  ଅନୁଷ୍ଠିତ ହେବ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସୂଚନା ଓ ଲୋକସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ, ଓଡ଼ିଆ  ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ କମିଶନର ତଥା ଶାସନ ସଚିବ ସୁଜାତା ଆର. କାର୍ତ୍ତିକେୟନ, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବି.ଡି.ଏ) ଉପାଧ୍ୟକ୍ଷ ବଳୱନ୍ତ ସିଂ, ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା, ପୂର୍ତ୍ତ  ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ତଥା ସର୍ବୋଚ୍ଚ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ପୋଲିସ୍ ଡିସିପି (ହେଡକ୍ୱାଟର୍ସ) କିଶୋର ଚନ୍ଦ୍ର ପାଟ୍ଟଶାଣୀ, ସୂଚନା ଓ  ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ(ବୈଷୟିକ) ସୁରେନ୍ଦ୍ର ନାଥ ପରିଡ଼ା, ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ, ସଂସ୍କୃତି ବିଭାଗ ଉପନିର୍ଦ୍ଦେଶକ ଦେବାନନ୍ଦ ବରିହା, ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ସାଧାରଣ ସଂପାଦକ ସନତ ମିଶ୍ର ଏବଂ ଉପସଭାପତି ପ୍ରଦ୍ୟୁମ୍ନ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ  କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆର ଗବେଷକ ପ୍ରଫେସର କୁଳମଣି ପରିଡ଼ାଙ୍କୁ ରାଜଧାନୀ ଗୌରବ ସମ୍ମାନ ପ୍ରଦାନ

ଭୁବନେଶ୍ୱର: ୭୫ତମ ରାଜଧାନୀ ପ୍ରତିଷ୍ଠା ଦିବସ (ହୀରକ ଜୟନ୍ତୀ) ପାଳନ ଅବସରରେ ବିଶିଷ୍ଟ ଗବେଷକ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ନାନୋ ସାଇନ୍ସ ଆଣ୍ଡ ନାନୋ ଟେକ୍ନୋଲୋଜି କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର କୁଳମଣି ପରିଡାଙ୍କୁ ବିଜ୍ଞାନ କ୍ଷେତ୍ରରେ ପାରଦର୍ଶିତା ତଥା ଗବେଷଣା କ୍ଷେତ୍ରରେ ଉତ୍କର୍ଷତା ନିମନ୍ତେ ଗୁରୁବାର ରାଜଧାନୀ ଗୌରବ ସମ୍ମାନ ପ୍ରଦାନ କରାଯାଇଛି।

ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଓ ରାଜଧାନୀ ପ୍ରତିଷ୍ଠା କମିଟି ପକ୍ଷରୁ ଆୟୋଜିତ ଏହି ସମାରୋହରେ ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଓ ସଂସ୍କୃତି ଏବଂ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ପ୍ରଫେସର ପରିଡାଙ୍କୁ ସମ୍ମାନିତ କରିଥିଲେ।

ଏହି ଅବସରରେ ବିଏମସି ମେୟର ସୁଲୋଚନା ଦାସ ମଧ୍ୟ ଉପସ୍ଥିତ ଥିଲେ।

ପୂର୍ବରୁ ପ୍ରଫେସର ପରିଡା ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ବିଶ୍ୱର ଦୁଇ ପ୍ରତିଶତ ଶ୍ରେଷ୍ଠ ବୈଜ୍ଞାନିକଙ୍କ ତାଲିକାରେ ସ୍ଥାନିତ ହୋଇ ସାରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ଗ୍ରନ୍ଥାଗାରରେ ରାଜଧାନୀ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର: ୭୫ତମ ରାଜଧାନୀ ପ୍ରତିଷ୍ଠା ଦିବସ, ଭାରତୀୟ ସମ୍ବିଧାନ ପ୍ରଣେତା ବାବାସାହେବ ଆମ୍ବେଦକର, ଆଦି ଗୀତିନାଟ୍ୟକାର ଲୋକକବି ଜଗନ୍ନାଥ ପାଣିଙ୍କ ଜୟନ୍ତୀ, ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ଅବସରରେ ଆଜି ଅପରାହ୍ନରେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ସ୍ୱତନ୍ତ୍ର ପୁସ୍ତକ ପ୍ରଦର୍ଶନୀ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି। ଏଥିରେ ଭାରପ୍ରାପ୍ତ ଅଧିକାରୀ ଲଷ୍ମୀଧର ବେହେରାଙ୍କ ଅଧ୍ୟକ୍ଷତା କରିଥିଲେ।

ଏହି କାର୍ଯ୍ୟକ୍ରମରେ ଗ୍ରନ୍ଥାଗାରିକ ସସ୍ମିତା ମିଶ୍ର, ରୁଦ୍ରପ୍ରସାଦ ବେହେରା, କୁକୁମିନା ଦାସ, ବିଦ୍ୟାଧର ପଣ୍ଡା, ସଳିତା ପାତ୍ର, ମଂଜୁରାଣୀ ମୁଦୁଲି ଓ ଗ୍ରନ୍ଥାଗାର ଶିକ୍ଷାନବିଶମାନେ ଯୋଗଦେଇ ନିଜ ବକ୍ତବ୍ୟରେ ରାଜଧାନୀ ଭୁବନେଶ୍ୱର ଆଜି ନିଜର ୭୫ବର୍ଷ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଶିକ୍ଷା, ସ୍ୱାସ୍ଥ୍ୟ, ସୂଚନାପ୍ରଯୁକ୍ତି ପ୍ରତି କ୍ଷେତ୍ରରେ ଉନ୍ନତିର ଚରମ ସୋପାନରେ ପହଞ୍ଚି ପରିବ୍ୟାପ୍ତ ହୋଇଛି ବୋଲି ପ୍ରକାଶ କରିଥିଲେ। ଏହି ଅବସରରେ ସମ୍ବିଧାନ ପ୍ରଣେତା ବାବାସାହେବ ଆମ୍ବେଦକର ଓ ଲୋକକବି ଜଗନ୍ନାଥ ପାଣିଙ୍କ ସ୍ମୃତି ଚାରଣ କରାଯାଇଥିଲା।

ଆସନ୍ତାକାଲିଠାରୁ ରାଜ୍ୟରେ ନୂତନ ପାଞ୍ଜି ପ୍ରଚଳନ ହେବା ସହ ପ୍ରତି ଓଡ଼ିଆ ମହାବିଷୁବ ସଂକ୍ରାନ୍ତି ପାଳନ କରିବେ।

Categories
ଆଜିର ଖବର ରାଜ୍ୟ ଖବର

୭୫ ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ଉପଲକ୍ଷେ ବସିଲା ଉଚ୍ଚସ୍ତରୀୟ ସମନ୍ୱୟ ବୈଠକ 

ଭୁବନେଶ୍ୱର: ଆଗାମୀ ଅପ୍ରେଲ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ୭୫ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ଉପଲକ୍ଷେ ଏକ ଉଚ୍ଚସ୍ତରୀୟ ସମନ୍ୱୟ ବୈଠକ ଆଜି ପୂର୍ବାହ୍ନରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।

୧୯୪୮ ମସିହା ଅପ୍ରେଲ୍‌ ୧୩ ତାରିଖରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଭୁବନେଶ୍ୱରରେ ରାଜଧାନୀ ପ୍ରତିଷ୍ଠାର ଶିଳାନ୍ୟାସ କରିଥିଲେ। ଚଳିତ ବର୍ଷ ଭୁବନେଶ୍ୱର ରାଜଧାନୀ ପ୍ରତିଷ୍ଠାର ପ୍ଲାଟିନମ୍‌ ଜୟନ୍ତୀ ପାଳନ କରାଯାଉଥିବାରୁ ଏହି ଉତ୍ସବକୁ ସରସ ସୁନ୍ଦର, ଆନନ୍ଦ ଉଲ୍ଲାସ ଏବଂ ଅଧିକ ଆକର୍ଷଣୀୟ ସହକାରେ ପାଳନ କରିବାକୁ ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ ସମସ୍ତଙ୍କର ସହଯୋଗ କାମନା କରିଥିଲେ।

ଏହି ବୈଠକରେ ସୂଚନା ଲୋକସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ, ପୁଲିସ୍‌ କମିଶନର ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ, ଭୁବନେଶ୍ୱର ମହାନଗର ନିଗମ କମିଶନର ଶ୍ରୀ ବିଜୟ ଅମୃତା କୁଲାଙ୍ଗେ, ବିଡିଏ ଉପାଧକ୍ଷ ଶ୍ରୀ ବଲୱନ୍ତ ସିଂ, ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଶ୍ରୀ ରଞ୍ଜନ କୁମାର ଦାସ,  ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ କେ. ସୂଦର୍ଶନ ଚକ୍ରବର୍ତ୍ତୀ ଯୋଗଦେଇଥିଲେ।

ସେହିପରି ବି.ଏମ୍‌.ସି. ଅତିରିକ୍ତ କମିଶନର ସୂର୍ଯ୍ୟବଂଶୀ ମୟୂର ବିକାଶ,  ଭୁବନେଶ୍ୱର ଡିସିପି ଶ୍ରୀ ପ୍ରତୀକ ସିଂ, ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଫୁଲ୍ଲ କୁମାର ସ୍ୱାଇଁ, ସୂଚନା ଓ ଲୋକସଂପର୍କ ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ର ନାଥ ପରିଡାଙ୍କ  ସମେତ ରାଜ୍ୟ ସ୍ୱରାଷ୍ଟ୍ର, ଗୃହ ଓ ନଗର ଉନ୍ନୟନ, ଉଚ୍ଚଶିକ୍ଷା, ବିଦ୍ୟାଳୟ ଓ ଗଣଶିକ୍ଷା, ବାଣିଜ୍ୟ ଓ ପରିବହନ, ପୂର୍ତ୍ତ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଓ୍ୱାଟକୋ ଆଦି ସଂପୃକ୍ତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ତ୍ତୃପକ୍ଷ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ସଭାପତି ତଥା ବରିଷ୍ଠ  ସାମ୍ବାଦିକ ଶ୍ରୀ ପ୍ରଦୋଷ ପଟ୍ଟନାୟକ, ଉପସଭାପତି ଶ୍ରୀ ପ୍ରଦ୍ୟୁମ୍ନ କୁମାର ମହାନ୍ତି ଏବଂ ସାଧାରଣ ସଂପାଦକ  ଶ୍ରୀ ସନତ ମିଶ୍ର ପ୍ରମୁଖ ଯୋଗଦେଇ ଉତ୍ସବ ଆୟୋଜନ ସଂପର୍କରେ ମତ ରଖିଥିଲେ ।

ଭୁବନେଶ୍ୱର ମହାନଗର ନିଗମ କମିଶନର ଶ୍ରୀ ବିଜୟ ଅମୃତା କୁଲାଙ୍ଗେ ୭୫ ତମ ରାଜଧାନୀ ପ୍ରତିଷ୍ଠା ଦିବସ ଉପଲକ୍ଷେ ବି.ଏମ୍‌.ସି ତରଫରୁ କରାଯାଇଥିବା ବ୍ୟାପକ ପ୍ରସ୍ତୁତି ସମ୍ପର୍କରେ ପାୱାରପଏଣ୍ଟ ଉପସ୍ଥାପନା ମାଧ୍ୟମରେ ସବିଶେଷ ତଥ୍ୟ ରଖିଥିଲେ। ତିନି ଦିନ ଧରି ଆୟୋଜିତ ଏହି ଉତ୍ସବରେ ଅପ୍ରେଲ୍‌ ୧୩ ତାରିଖ ସକାଳେ ବିଧାନସଭା ସୌଧ ସମ୍ମୁଖରେ ଥିବା ରାଜଧାନୀ ପ୍ରତିଷ୍ଠା ଫଳକରେ ପୁଷ୍ପଗୁଚ୍ଛ ଅର୍ପଣ, ଉତ୍ସବକୁ ଅତିଥିମାନଙ୍କୁ ନିମନ୍ତ୍ରଣ, ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ବିଶିଷ୍ଟ ବ୍ୟକ୍ତିଙ୍କୁ ରାଜଧାନୀ ଗୌରବ ସମ୍ମାନ ପ୍ରଦାନ, ବିଦ୍ୟାଳୟର ଛାତ୍ର-ଛାତ୍ରୀମାନଙ୍କ ଦ୍ୱାରା ପ୍ୟାରେଡ ପରିବେଷଣ, ଉତ୍ସବ ଅବସରରେ ଏକ କଫିଟେବୁଲ ପୁସ୍ତକ ପ୍ରକାଶନ ସଂପର୍କରେ ବୈଠକରେ ଆଲୋଚନା କରାଯାଇଛି।

ସେହିପରି ଅପ୍ରେଲ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ଉତ୍କଳ ମଣ୍ଡପ ଠାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ପରିପ୍ରେକ୍ଷୀରେ ବି.ଏମ୍‌.ସିର ପ୍ରତ୍ୟେକ ୱାର୍ଡ଼ସ୍ତରରେ ମଧ୍ୟ ଉତ୍ସବ ପାଳନ କରାଯିବ । ୱାର୍ଡ ସଫେଇ ଠାରୁ ଆରମ୍ଭ କରି ନୃତ୍ୟ, ସଙ୍ଗୀତ, ରଙ୍ଗୋଲୀ, ଚିତ୍ରାଙ୍କନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ବିଭିନ୍ନ ଓ୍ୱାର୍ଡରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କୁ ପୁରସ୍କୃତ କରାଯିବ।

ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଶିଳାନ୍ୟାସ ଓ ଉଦ୍‌ଘାଟନ କରାଯିବ। ରାଜଧାନୀ ପ୍ରତିଷ୍ଠା  ଶିଳାନ୍ୟାସ ଫଳକ ଏବଂ ଏହାର ପରିସରକୁ ପରିଷ୍କାର ପରିଚ୍ଛନ୍ନ ଓ ସୌନ୍ଦର୍ଯ୍ୟକରଣ କରାଯିବ। କେଶରୀ ଟକିଜ୍‌, ଏଜି ଛକ ଏବଂ ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ୩ଟି ସୁଦୃଶ୍ୟ ସ୍ୱାଗତ ତୋରଣ ଲଗାଯିବ।  ଉତ୍ସବ ସ୍ଥଳରେ ଅତିଥି ମାନଙ୍କର ବସିବା ପାଇଁ ବ୍ୟାପକ ବ୍ୟବସ୍ଥା, ଗାଲିଚା ବିଛେଇ ଓ ବ୍ୟାରିକେଡିଂ ବ୍ୟବସ୍ଥା, ଉତ୍ସବସ୍ଥଳ ସମେତ ବିଭିନ୍ନ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟର କୋଠାବାଡ଼ି ଆଲୋକୀକରଣ, ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟାଳୟ କୋଠା ଏବଂ ଜୟଦେବ ଭବନ ଠାରେ ଭୁବନେଶ୍ୱରର ଐତିହ୍ୟ, ବର୍ତ୍ତମାନ ଏବଂ ସଫଳତାକୁ ନେଇ ପ୍ରଦର୍ଶନୀ ଆୟୋଜନ, ରକ୍ତଦାନ ଶିବିର ଆୟଜନ କରାଯିବ।

ସମସ୍ତ କାର୍ଯ୍ୟକ୍ରମ ସ୍ଥଳରେ ଅଗ୍ନିଶମ ସେବା ଓ, ଆମ୍ବୁଲାନ୍ସ  ସେବା ବ୍ୟବସ୍ଥା, ଉତ୍ସବ ଏବଂ ପରେଡ୍‌ରେ ଅଂଶଗ୍ରହଣ କରୁଥିବା ଛାତ୍ର-ଛାତ୍ରୀଙ୍କ ନିମନ୍ତେ ଯାତାୟତ ପାଇଁ ବସ୍, ଟ୍ରାଫିକ୍‌ ନିୟନ୍ତ୍ରଣ, ପାନୀୟଜଳ, ସହରରେ ଥିବା ପ୍ରମୁଖ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତୀ​‌ରେ ମାଲ୍ୟାର୍ପଣ କରାଯିବା ସହ ସମସ୍ତ କାର୍ଯ୍ୟକ୍ରମକୁ ଗଣମାଧ୍ୟମରେ ବ୍ୟାପକ ପ୍ରଚାର ପ୍ରସାରକୁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଏହି ଅବସରରେ ଭୁବନେଶ୍ୱର ମହାନଗର  ନିଗମ ତରଫରୁ ଅପ୍ରେଲ୧୪ ତାରିଖରେ ମାରାଥନ୍‌ ଏବଂ ୧୫ ତାରିଖରେ ସାଇକ୍ଲୋଥର୍ମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସଂପର୍କରେ ବି.ଏମ୍‌.ସି କମିଶନର ଶ୍ରୀ କୁଲାଙ୍ଗେ ବୈଠକରେ  ସୂଚନା ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

୭୫ ତମ ରାଜଧାନୀ ପ୍ରତିଷ୍ଠା ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର: ଆଗାମୀ ଅପ୍ରେଲ ୧୩ ତାରିଖରେ ୭୫ ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଆଜି ଅପରାହ୍ଣରେ କ୍ୟାପିଟାଲ ହାଇସ୍କୁଲ, ୟୁନିଟ୍-୩ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଅଧ୍ୟକ୍ଷତା କରିଥିଲେ। ଚଳିତ ବର୍ଷ ଭୁବନେଶ୍ୱର ରାଜଧାନୀ ପ୍ରତିଷ୍ଠାର ପ୍ଲାଟିନମ୍ ଜୟନ୍ତୀ ପାଳନ କରାଯାଉଥିବାରୁ ଏହି ପ୍ରତିଷ୍ଠା ଦିବସ ତଥା ରାଜଧାନୀ ମହୋତ୍ସବକୁ ସରସ, ସୁନ୍ଦର ଓ ଶାନ୍ତି, ଶୃଙ୍ଖଳାର ସହ ଏବଂ ପୂର୍ବ ବର୍ଷ ଅପେକ୍ଷା ଅଧିକ ଭଲ ଭାବରେ ପାଳନ କରିବାକୁ ଜିଲ୍ଲାପାଳ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ପ୍ରାରମ୍ଭରେ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ଯୋଗ ଦେଇ ଦୀର୍ଘ ବର୍ଷ ଧରି ସମସ୍ତଙ୍କ ସହଯୋଗରେ ରାଜଧାନୀ ପ୍ରତିଷ୍ଠା ଦିବସ ଉତ୍ସବ ପାଳିତ ହୋଇଆସୁଥିବା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ଏବଂ ଚଳିତ ବର୍ଷ ମଧ୍ୟ ଏହି ଐତିହ୍ୟ ସଂପନ୍ନ ମନ୍ଦିରମାଳିନୀ ଭୁବନେଶ୍ୱର ସହରର ପ୍ରତିଷ୍ଠା ଦିବସକୁ ଅଧିକ ଆନନ୍ଦ ଉଲ୍ଲାସର ପାଳନ ନିମନ୍ତେ ସମସ୍ତଙ୍କ ଠାରୁ ସହଯୋଗ ଆଶା କରିଥିଲେ । ପୂର୍ବବର୍ଷ ପରି ଚଳିତ ବର୍ଷ ମଧ୍ୟ ଏହି ଉତ୍ସବକୁ ଏପ୍ରିଲ ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଅନୁଷ୍ଠିତ ହେବା ନେଇ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ସାଧାରଣ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ସନତ ମିଶ୍ର ମତ ରଖିଥିଲେ।

ବୈଠକର ଆଲୋଚନା ଅନୁସାରେ ପୂର୍ବ ବର୍ଷ ପରି ଏ ବର୍ଷ ମଧ୍ୟ ବିଭିନ୍ନ ସ୍କୁଲ, କଲେଜର ଛାତ୍ରଛାତ୍ରୀଙ୍କ ଦ୍ୱାରା ବେସାମରିକ ପରେଡ୍ ଏପ୍ରିଲ ୧୩ ତାରିଖରେ ରବୀନ୍ଦ୍ର ମଣ୍ଡପ ଠାରୁ ଜୟଦେବ ଭବନ ପର୍ଯ୍ୟନ୍ତ ବିଧାନସଭା ସମ୍ମୁଖ ରାସ୍ତାରେ ଅନୁଷ୍ଠିତ ହେବ ଓ ସେହିଦିନ ରାଜଧାନୀ ଶିଳାନ୍ୟାସ ଫଳକ ସମ୍ମୁଖରେ ଉତ୍ସବର ମୁଖ୍ୟ ଅତିଥି ଅନ୍ୟ ନିମନ୍ତ୍ରିତ ଅତିଥିମାନଙ୍କ ଗହଣରେ ଶିଳାନ୍ୟାସ ଫଳକରେ ସକାଳ ୮.୦୦ ଘଣ୍ଟା ସମୟରେ ପୂଷ୍ପଗୁଚ୍ଛ ଅର୍ପଣ ପୂର୍ବକ ରାଜଧାନୀ ପ୍ରତିଷ୍ଠା ଦିବସ ପତାକା ଉତ୍ତୋଳନ କରି ସମବେତ ବେସାମରିକ ପରେଡରେ ଅଭିବାଦନ ଗ୍ରହଣ କରିବେ। ଉତ୍ସବ ପରିପ୍ରେକ୍ଷୀରେ ଅଭ୍ୟାସ ପରେଡ୍, ଛାତ୍ରଛାତ୍ରୀଙ୍କ ପରେଡ୍ ରେ ଅଂଶଗ୍ରହଣ ନିମନ୍ତେ ଯାତାୟତ ବ୍ୟବସ୍ଥା, ପାନୀୟଜଳ, ପରିମଳ ବ୍ୟବସ୍ଥା, ଯାନବାହନ ନିୟନ୍ତ୍ରଣ, ଆମ୍ବୁଲାନ୍ସ ବ୍ୟବସ୍ଥା, ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା, ବେରିକେଡିଂ ବ୍ୟବସ୍ଥା, ପୋଲସ୍ ବ୍ୟାଣ୍ଡ ବାଦନ, ଉତ୍ସବ ସ୍ଥଳରେ ଡାକବାଜି ଯନ୍ତ୍ର ବ୍ୟବସ୍ଥା, ପରେଡ୍ରେ ଅଂଶଗ୍ରହଣ କରିବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଅଭ୍ୟାସ ପରେଡ୍ ଏବଂ ମୁଖ୍ୟ ଉତ୍ସବ ଦିନପାଇଁ ୨ ଦିନ ବସ୍ ବ୍ୟବସ୍ଥା କରାଯିବ।

ରାଜଧାନୀରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଚଳିତ ବର୍ଷ ୭୫ଟି ପ୍ଲାଟୁନ୍ ଅଂଶଗ୍ରହଣ କରିବାକୁ ଥିବା ଜଣାଯାଇଛି । ପ୍ରତି ଦଳରେ ୩୨ ଜଣ ଛାତ୍ରଛାତ୍ରୀ କଲେଜ ଓ ସ୍କୁଲ ୟୁନିଫର୍ମ ସହ ଅଂଶ ଗ୍ରହଣ କରିବେ । ଶିଳାନ୍ୟାସ ଫଳକ ଓ ଉତ୍ସବ ସ୍ଥଳର ସାଜସଜ୍ଜା, ବିଦ୍ୟାଳୟ, ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗୋଷ୍ଠୀଗତ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତିଯୋଗିତା, ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟକରିଥିବା ୧୩ ଜଣ ବ୍ୟକ୍ତି ବିଶେଷଙ୍କୁ ରାଜଧାନୀ ଗୌରବ ସମ୍ମାନ ପ୍ରଦାନ କରାଯିବା ନେଇ ବୈଠକରେ ଆଲୋଚନା ହୋଇଥିଲା । ରାଜ୍ୟ ସରକାର, କେନ୍ଦ୍ର ସରକାର, ବିଭିନ୍ନ ସରକାରୀ ଉଦ୍ୟୋଗ , ବେସରକାରୀ ଅନୁଷ୍ଠାନ ଏବଂ ରାଜଧାନୀରେ ଥିବା ବିଭିନ୍ନ ସ୍କୁଲ ଓ କଲେଜଗୁଡିକର କୋଠାକୁ ଆଲୋକମାଳାରେ ସଜ୍ଜିତ କରିବା ବୈଠକରେ ପ୍ରସ୍ତାବ ଗୃହୀତ ହୋଇଥିଲା । ତତ୍ ସହିତ ଉତ୍ସବରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ପ୍ରାୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଦଳ ପରିବେଷଣ କରିବେ । ଏଥି ସହିତ ପୂର୍ବାଂଚଳ ସାଂସ୍କୃତିକ ପରିଷଦ,କୋଲକାତା ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ନିମନ୍ତେ ମଧ୍ୟ ଅନୁରୋଧ କରାଯିବ । ଏ ସମସ୍ତ କାର୍ଯ୍ୟକ୍ରମକୁ ସୁଚାରୁରୂପେ ଅନୁଷ୍ଠିତ କରାଯିବା ନେଇ ବିଭିନ୍ନ ଉପ କମିଟିମାନ ଗଠନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।

ଗତବର୍ଷ ରାଜ୍ୟ ସ୍ତରୀୟ ବୈଠକର ନିଷ୍ପତ୍ତି ଅନୁସାରେ ଚଳିତ ବର୍ଷ ୭୫ତମ ରାଜଧାନୀ ପ୍ରତିଷ୍ଠା ଦିବସ ଉତ୍ସବ ପାଳନ ପରିପ୍ରେକ୍ଷୀରେ ଉତ୍ସବକୁ ଅଧିକ ଆକର୍ଷଣୀୟ ଭାବେ ଅନୁଷ୍ଠିତ କରିବାକୁ ଭୁବନେଶ୍ୱର ମହାନଗର ନିଗମ ସ୍ତରରେ ଅନ୍ୟଏକ ବୈଠକ କରାଯିବାକୁ ସ୍ଥିର କରାଯାଇଛି । ଏହି ବୈଠକରେ ଭୁବନେଶ୍ୱର ମହାନଗର ନିଗମ ମେୟର, ଡେପୁଟୀ ମେୟର, ନିଗମର କମିଶନର ଏବଂ ରାଜଧାନୀର ସମସ୍ତ କର୍ପୋରେଟରଙ୍କ ଉପସ୍ଥିତିରେ ଉତ୍ସବକୁ ଅଧିକ ସରସ ସୁନ୍ଦର ଭାବେ ପାଳନ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।

ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ସ୍ୱାଇଁ, ଉପ ଜିଲ୍ଲାପାଳ ଦେବବ୍ରତ ସାହୁ, ଭୁବନେଶ୍ୱର ମଣ୍ଡଳ ଉନ୍ନୟନ ଅଧିକାରୀ ସମ୍ପଦ କୁମାର ଦଳାଇ, ଏନ୍,ସି.ସି ଗ୍ରୁପ୍ କମାଣ୍ଡାଣ୍ଟ, ଲେଫ୍ଟନାଣ୍ଟ କର୍ଣ୍ଣେଲ ଏସ୍.କେ.ମିଶ୍ର, ଭୁବନେଶ୍ୱର ମହାନଗର ନିଗମ ଡେପୁଟୀ କମିଶନର ଅଶୋକ କୁମାର ଲେଙ୍କା, ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ୱନାଥ ତରାଇ, ଏସିପି,ଟ୍ରାଫିକ୍ ସ୍ୱସ୍ତିକ୍ ପଣ୍ଡା, ଏସିପି ହେଡକ୍ୱାର୍ଟର୍ସ ଭରତ ଚନ୍ଦ୍ର ସାହୁ, ଓଏସଏପି-୭ମ ବାଟାଲିଅନ ଏସିପି ଶ୍ରଦ୍ଧାକର ଧରୁଆ, ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ, ଭୁବନେଶ୍ୱର ତ୍ରିନାଥ ବେହେରା, ଆଂଚଳିକ ପରିବହନ ଅଧିକାରୀ (୧) ବିକାଶ ଚୌଧୁରୀ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ,ଭୁବନେଶ୍ୱର ପଠାଣି ରାଉତ, ଭୁବନେଶ୍ୱର ବ୍ଲକ ଶିକ୍ଷା ଅଧିକାରୀ ଡଃ. ପ୍ରଜ୍ଞାପାରମିତା ଜେନା, ଭୁବନେଶ୍ୱର ମହାନଗର ନିଗମ ଏବଂ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ, ପୂର୍ତ୍ତ, ଓ୍ୱାଟକୋ, ଜନସ୍ୱାସ୍ଥ୍ୟ, ସ୍ୱାସ୍ଥ୍ୟ ବିଭାଗ, ଭାରତ ସ୍କାଉଟ୍ ଓ ଗାଇଡ୍, ସେଣ୍ଟ ଜୋନ୍ସ ଆମ୍ବୁଲାନ୍ସ, ରେଡକ୍ରସ୍ ଆଦି ସଂପୃକ୍ତ ବିଭିନ୍ନ ଅନୁଷ୍ଠାନ ଏବଂ କ୍ୟାପିଟାଲ ହାଇସ୍କୁଲ, ୟୁନିଟ୍-୩ର ପ୍ରଧାନ ଶିକ୍ଷକ ଜିତେନ୍ଦ୍ର ନାୟକଙ୍କ ସମେତ ଭୁବନେଶ୍ୱରର ସମସ୍ତ ସ୍କୁଲ, କଲେଜର ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ଶେଷରେ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ଉପସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ କୁମାର ମହାନ୍ତି ଉତ୍ସବର ସଫଳତା ପାଇଁ ସମସ୍ତଙ୍କର ସହଯୋଗ କାମନା ପୂର୍ବକ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଞ୍ଚଳିକ

ରାଜଧାନୀ ପ୍ରତିଷ୍ଠା ଦିବସରେ ସମ୍ବର୍ଦ୍ଧିତ ହେଲେ ସିଲ୍‌ଭର ଗାନ୍ଧୀ

ଭୁବନେଶ୍ୱର: ୭୪ତମ ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ଓଡ଼ିଶାରେ ସିଲଭର ଗାନ୍ଧୀ ନାମରେ ପରିଚିତ ମୋହନ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ମାନିତ ଏବଂ ସିଲ୍‌ଭର ଗାନ୍ଧୀ ନାମରେ ଲୋକପ୍ରିୟ କଳାକାର ସମାଜସେବୀ ମୋହନ ମହାପାତ୍ର ଯାଜପୁରରୁ ପଦଯାତ୍ରାରେ ବାହାରି ୭୪ତମ ରାଜଧାନୀ ପ୍ରତିଷ୍ଠା ଦିବସରେ ଭୁବନେଶ୍ୱରରେ ପହଞ୍ôଚଥିଲେ।

ବିଧାନସଭା ସମ୍ମୁଖରେ ପାଳିତ ହୋଇଥିବା ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହରେ ମାନ୍ୟବର ବାଚସ୍ପତି ସୂର୍ଯ୍ୟନାରାୟ ପାତ୍ର, ଯୁଜପୁର ବିଧାୟକ ତଥା ବିଜେଡ଼ି ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସନ୍ଧ୍ୟାରେ ଉତ୍କଳ ମଣ୍ଡପଠାରେ ଅନୁଷ୍ଠିତ ସମାରୋହରେ ମାନ୍ୟବର ସୂଚନା, ଲୋକସମ୍ପର୍କ ଓ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ, ସାରା ଭାରତବର୍ଷ ପଦଯାତ୍ରା କରି ଗାନ୍ଧୀଙ୍କ ଶାନ୍ତିବାର୍ତ୍ତା, ସ୍ୱଚ୍ଛ ପ୍ରଗତିର ମାଧ୍ୟମ ପାଲଟିଥିବା ସିଲ୍‌ଭର ଗାନ୍ଧୀଙ୍କୁ ମାନପତ୍ର ଦେଇ ସମ୍ମାନିତ କରଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରାଜଧାନୀ ପ୍ରତିଷ୍ଠା ଦିବସରେ ୧୩ ଜଣ ବ୍ୟକ୍ତିଙ୍କୁ ଦିଆଗଲା ‘ରାଜଧାନୀ ଗୌରବ ସମ୍ମାନ’

ଭୁବନେଶ୍ବର: ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୩ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ‘ରାଜଧାନୀ ଗୌରବ ସମ୍ମାନ-୨୦୨୨’ ପ୍ରଦାନ କରାଯାଇଥିଲା । ସେମାନେ ହେଲେ ଆଇନଜୀବୀ ଡ. ମଧୁମାଧବ ଜେନା, ସମାଜସେବୀ ଶ୍ରୀ ନୀଳମଣି ମିଶ୍ର, ଶିଳ୍ପପତି ଶ୍ରୀ ପଙ୍କଜ ଲୋଚନ ମହାନ୍ତି, କୋଭିଡ୍‌ ଯୋଦ୍ଧା ଡାକ୍ତର ସଂଘମିତ୍ରା ପତି।

ସେହିପରି କୋଭିଡ୍‌ ଯୋଦ୍ଧା ଶୁଭେନ୍ଦୁ କୁମାର ସାହୁ, ବୈଜ୍ଞାନିକ ଡାକ୍ତର ଅଜୟ ପରିଡ଼ା, ଡାକ୍ତର ଅଶୋକ ନନ୍ଦ, ଶିଳ୍ପୀ ଗଜେନ୍ଦ୍ର ପ୍ରସାଦ ସାହୁ, ଟ୍ରାଫିକ୍‌ କନଷ୍ଟବଳ ଶେଷଦେବ ସାହୁ, ଡାକ ପିଅନ ବିପ୍ଳବ ରଞ୍ଜନ ମଲ୍ଲିକ, କ୍ରୀଡ଼ାବିତ୍‌ ସୁଶ୍ରୀ ଦୀପ୍‌ଗ୍ରେସ୍‌ ଏକ୍କା, ସେବିକା ଶ୍ରୀମତୀ ହାରାମଣି ଦାଶ ଓ ସଫେଇ କର୍ମଚାରୀ ଶ୍ରୀମତୀ ସୁଷମା ଦେଈ । ଏମାନଙ୍କୁ ବାଚସ୍ପତି ଡ.ସୂର୍ଯ୍ୟନାରାୟଣ ପାତ୍ର ଫଳକ ଏବଂ ଉପଢୌକନ ଦେଇ ସମ୍ମାନିତ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ବିଧାନସୌଧ ଶିଳାନ୍ୟାସ ଫଳକ ସମ୍ମୁଖରେ ପାଳିତ ହେଲା ୭୪ତମ ରାଜଧାନୀ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ୭୪ତମ ରାଜଧାନୀ ପ୍ରତିଷ୍ଠା ଦିବସର ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଆଜି ସକାଳେ ଓଡ଼ିଶା ବିଧାନସୌଧ ଶିଳାନ୍ୟାସ ଫଳକ ସମ୍ମୁଖରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାନ୍ୟବର ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ମିଳିତ ପ୍ୟାରେଡ୍‌ରେ ଅଭିବାଦନ ଗ୍ରହଣ କରିଥିଲେ।

ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ବାଚସ୍ପତି ଡ. ପାତ୍ର କହିଲେ ଯେ ୧୯୩୬ ମସିହାରେ ଭାରତର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶା ପ୍ରଦେଶ ଗଠନ ହୋଇଥିଲା। ତା’ପରେ ତତ୍କାଳୀନ ରାଜନେତାମାନେ ଓଡ଼ିଶାର ନୂତନ ରାଜଧାନୀ ପ୍ରତିଷ୍ଠା ପାଇଁ ଉଦ୍ୟମ ଆରମ୍ଭ କଲେ। ଡ. ହରେକୃଷ୍ଣ ମହତାବ ଏବଂ ଅନ୍ୟ ବରପୁତ୍ରମାନଙ୍କ ଉଦ୍ୟମରେ ୧୯୪୮ ମସିହା ଆଜିର ଦିନରେ ରାଜଧାନୀ ଭୁବନେଶ୍ୱର ପ୍ରତିଷ୍ଠା ହୋଇଥିଲା।

ଭାରତବର୍ଷ ସ୍ୱାଧୀନତା ଲାଭକଲା ପରେ ଦୁଇଟି ରାଜ୍ୟର ରାଜଧାନୀ ପ୍ରତିଷ୍ଠା ହୋଇଥିଲା। ଗୋଟିଏ ଆମ ଭୁବନେଶ୍ୱର ଏବଂ ଅନ୍ୟଟି ଚଣ୍ଡିଗଡ଼ । ପ୍ରତିଷ୍ଠା ସମୟରେ ଭୁବନେଶ୍ୱରର ଜନସଂଖ୍ୟା ମାତ୍ର ୧୪ ହଜାର ଥିଲା। ବର୍ତ୍ତମାନ ଭୁବନେଶ୍ୱରରେ ସ୍ଥାୟୀ ଜନସଂଖ୍ୟା ୧୪ ଲକ୍ଷରେ ପହଞ୍ଚିଛି।

ଭୁବନେଶ୍ୱରରେ ସମସ୍ତ ମୌଳିକ ସୁବିଧା ହାତପାଆନ୍ତାରେ ଉପଲବ୍ଧ। ତେଣୁ ଆଗାମୀ ବର୍ଷମାନଙ୍କରେ ଏହାର ଜନସଂଖ୍ୟା ୨ରୁ ୩ କୋଟିରେ ପହଞ୍ଚି ଏହାର କଳେବର କୋଲକାତାଠାରୁ ମଧ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏଣୁ ଆମେ ସମସ୍ତେ ମିଳିମିଶି ଭୁବନେଶ୍ୱରକୁ ଭାରତର ସର୍ବଶ୍ରେଷ୍ଠ ସହରରେ ପରିଣତ କରିବାକୁ ଶପଥ ନେବା ବୋଲି ବାଚସ୍ପତି ଡ. ପାତ୍ର ତାଙ୍କ ଅଭିଭାଷଣରେ ପ୍ରକାଶ କରିଛନ୍ତି।

ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ବିଜ୍ଞାନ ଓ ବୈଷୟିକ, ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ, ବରିଷ୍ଠ ବିଧାୟକ ଶ୍ରୀ ସୁରେଶ ଚନ୍ଦ୍ର ରାଉତରାୟ ଏବଂ ଶ୍ରୀ ପ୍ରଫୁଲ୍ଲ କୁମାର ସାମଲ ଯୋଗ ଦେଇଥିଲେ।

ସେହିପରି ଭୁବନେଶ୍ୱର ମହାନଗର ନିଗମ ମେୟର ଶ୍ରୀମତୀ ସୁଲୋଚନା ଦାସ, ସୂଚନା ଓ ଲୋକସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ, ଭୁବନେଶ୍ୱର-କଟକ ପୋଲିସ କମିଶନର ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ, ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ, ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର, ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଫୁଲ୍ଲ କୁମାର ସ୍ୱାଇଁ, ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟି ସଭାପତି ଶ୍ରୀ ପ୍ରଦୋଷ ପଟ୍ଟନାୟକ ଯୋଗଦେଇଥିଲେ।

ଅତିଥିମାନେ ବରପୁତ୍ରମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ଭୁବନେଶ୍ୱରକୁ ଅଧିକ ସରସସୁନ୍ଦର ଓ ସୁରକ୍ଷିତ କରିବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ଭୁବନେଶ୍ୱର ଆଜି ସାରା ବିଶ୍ୱରେ ଏକ ସମନ୍ୱିତ ସହର ଭାବରେ ପରିଚୟ ପାଇଛି, ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ଆସନ୍ତା ୨୦୨୩ ମସିହାରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱକପ ହକି। ଭୁବନେଶ୍ୱରର ଉନ୍ନତି ପାଇଁ ପରିକଳ୍ପିତ ଯୋଜନାଗୁଡ଼ିକୁ ଶୀଘ୍ର ଓ ସୁଚାରୁ ରୂପେ ଶେଷ କରି ଏହାକୁ ବିଶ୍ୱର ଏକ ପ୍ରତିଷ୍ଠିତ ସହରରେ ପରିଣତ କରିବା ପାଇଁ ସମସ୍ତଙ୍କର ଏକାନ୍ତ କାମ୍ୟ ହେବା ଉଚିତ ବୋଲି ଅତିଥିମାନେ ପ୍ରକାଶ କରିଥିଲେ।

ଏହି ଉତ୍ସବରେ ପ୍ୟାରେଡ୍‌ କମାଣ୍ଡର ଶ୍ରୀମତୀ ସୁଷମା ମହାନ୍ତିଙ୍କ ନେତୃତ୍ୱରେ ବିଭିନ୍ନ ମହାବିଦ୍ୟାଳୟ, ବିଦ୍ୟାଳୟ, ବେସରକାରୀ ବିଦ୍ୟାଳୟ ଓ ଅନୁଷ୍ଠାନର ୬୮ଟି ପ୍ଲାଟୁନ ରାଜ୍ୟସ୍ତରୀୟ ପ୍ୟାରେଡ୍‌ରେ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସ୍କେଟିଂ ଏକାଡେମୀ, କଳିଙ୍ଗ ଷ୍ଟାଡିୟମ୍‌ ଏବଂ ମହର୍ଷି ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆକର୍ଷଣୀୟ କଳାନୈପୁଣ୍ୟ ପ୍ରଦର୍ଶନ କରିଥିଲେ। ଏହି ଅବସରରେ ଓଡ଼ିଶା ବିଧାନସଭାର ମାସିକ ପତି୍ରକା ‘ବିଧାନସଭା ସମାଚାର’ର ଶୁଭ ଉନ୍ମୋଚନ କରାଯାଇଥିଲା। ଯାଜପୁରରୁ ଭୁବନେଶ୍ୱର ପଦଯାତ୍ରା କରିଥିବା ଶ୍ରୀ ମୋହନ ମାଝୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ସଭାପତି ଶ୍ରୀ ପ୍ରଦୋଷ ପଟ୍ଟନାୟକ ସ୍ୱାଗତ ଭାଷଣ ଓ ଉପସଭାପତି ପ୍ରଦୁ୍ୟମ୍ନ ମହାନ୍ତି ଧନ୍ୟବାଦ ଦେଇଥିବାବେଳେ ସୂଚନା ଓ ଲୋକସଂପର୍କ ବିଭାଗର ସହକାରୀ ନିର୍ଦ୍ଦେଶିକା ସୁଚେତା ପ୍ରିୟଦର୍ଶିନୀ, କମିଟିର ସାଧାରଣ ସଂପାଦକ ସନତ ମିଶ୍ର ଏବଂ ସୂଚନା ଅଧିକାରୀ ପ୍ରମିଳା ମାଝୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ପ୍ରକାଶ ଥାଉ କି ୭୪ତମ ରାଜଧାନୀ ପ୍ରତିଷ୍ଠା ଦିବସ ଉପଲକ୍ଷେ ୧୩ ତାରିଖ ସନ୍ଧ୍ୟାରେ ଉତ୍କଳ ମଣ୍ଡପଠାରେ ସାଧାରଣ ସଭା ସମେତ ୧୩ରୁ ୧୫ ତାରିଖ ୩ ଦିନ ଧରି ରାଜଧାନୀ ପ୍ରତିଷ୍ଠା ଦିବସ ଓ ମହୋତ୍ସବ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଭୁବନେଶ୍ୱର ମହାନଗର ନିଗମର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଛି।

Categories
ବିଶେଷ ଖବର ରାଜ୍ୟ ଖବର

ରାଜଧାନୀ ପ୍ରତିଷ୍ଠା ଦିବସକୁ ଡକା ନ ଯିବାରୁ ରାଗିଲେ ସାଂସଦ ଅପରାଜିତା ଷଡଙ୍ଗୀ

ଭୁବନେଶ୍ବର: ଆଜି ହେଉଛି ରାଜଧାନୀ ପ୍ରତିଷ୍ଠା ଦିବସ। ଏ ନେଇ ଭୁବନେଶ୍ବରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ମୁଖ୍ୟତଃ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ସହିତ ସଂସ୍କୃତି ବିଭାଗ ଏବଂ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟ ଏହାର ଆୟୋଜକ। ହେଲେ ଖୋଦ ଭୁବନେଶ୍ବର ପ୍ରତିଷ୍ଠା ଦିବସରେ ଭୁବନେଶ୍ବର ସାଂସଦଙ୍କୁ ଡକାଯାଇ ନାହିଁ। ଏ ନେଇ ରାଗରେ ଗରମ ହୋଇଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ।

ସେ ଏକ ଟୁଇଟ କରି କହିଛନ୍ତି ଯେ, ଆଜି ଭୁବନେଶ୍ବର ପାଇଁ ଏହା ଏକ ବଡ ଦିନ। ଏହି ଉତ୍ସବକୁ ବହୁ ମନ୍ତ୍ରୀ ବିଧାୟକ ଏବଂ ଅଫିସରଙ୍କୁ ଡକାଯାଇଛି। ହେଲେ ମୋତେ ଡକାଯାଇ ନାହିଁ। ଏପରି ଏକ ବଡ ଦିନରେ ମୋତେ ଡକାଯାଉ, ମୁଁ ଯୋଗ ଦେବି ବୋଲି ଅପରାଜିତା କହିଛନ୍ତି।

ଏହି ଉତ୍ସବକୁ ଭୁବନେଶ୍ବରର ତିନି ବିଧାୟକ, ନୂଆ ମେୟର ଏବଂ ଅନ୍ୟ ମନ୍ତ୍ରୀଙ୍କ ସମେତ ପ୍ରାୟ ୨୮ ଜଣ ଅତିଥୀଙ୍କୁ ଡକାଯାଇଛି। ସେହିପରି ଏହି ଉତ୍ସବରେ ୭ ଜଣ ଆଇଏସ ଅଧିକାରୀ ମଧ୍ୟ ଯୋଗ ଦେଉଛନ୍ତି। ଏପରି କ୍ଷେତ୍ରରେ ଭୁବନେଶ୍ବର ସାଂସଦଙ୍କୁ ଡକା ନ ଯିବାକୁ ନେଇ ଅପରାଜିତା କ୍ଷୋଭ ପ୍ରକାଶ କରିଛନ୍ତି।

ଏହି ରାଜଧାନୀ ପ୍ରତିଷ୍ଠା ଉତ୍ସବ ଦୁଇଟି ପର୍ଯ୍ୟାୟରେ ଆୟୋଜିତ ହେଉଛି। ସକାଳେ ବିଧାନସଭା ସମ୍ମୁଖରେ ଏକ ସଭାର ଆୟୋଜନ କରାଯାଇଛି। ସେଥିରେ ୧୬ ଜଣ ଅତିଥି ଯୋଗ ଦେଉଛନ୍ତି। ସେହିପରି ସଂଧ୍ୟାରେ ଉତ୍କଳ ମଣ୍ଡପରେ ଏକ ସଭାର ଆୟୋଜନ କରାଯାଉଛି। ସେଥିରେ ମଧ୍ୟ ୧୨ ଜଣ ଅତିଥି ଯୋଗ ଦେଉଛନ୍ତି। ହେଲେ ସେଥିରେ ଅପରାଜିତାଙ୍କ ନାମ ନାହିଁ।

ତେବେ ଅପରାଜିତା ଏହି ଟୁଇଟ କରି କ୍ଷୋଭ ପ୍ରକାଶ କରିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଟ୍ୟାଗ କରିଛନ୍ତି। ହେଲେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିମ୍ବା ମୁଖ୍ୟ ଶାସନ ସଚିବଙ୍କୁ ଟ୍ୟାଗ କରି ନାହାଁନ୍ତି। ଏହାକୁ ନେଇ ରାଜଧାନୀରେ ଚର୍ଚ୍ଚା ଆରମ୍ଭ ହୋଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ରାଜଧାନୀ ପ୍ରତିଷ୍ଠା ଦିବସ ଧୂମଧାମରେ ପାଳନ ପାଇଁ ବସିଲା ଉଚ୍ଚ ସ୍ତରୀୟ ବୈଠକ

ଭୁବନେଶ୍ବର: ଆସନ୍ତା 13 ତାରିଖରେ ପଡୁଛି ରାଜଧାନୀ ପ୍ରତିଷ୍ଠା ଦିବସ। ଏହି ଭୁବନେଶ୍ବର ଓଡିଶାର ରାଜଧାନୀ ଭାବେ ପ୍ରତିଷ୍ଠା କରାଯାଇଥିଲା। ଏହି ଉତ୍ସବ ମର୍ଯ୍ୟଦାର ସହିତ ପାଳନ କରିବା ପାଇଁ ଆଜି ଏକ ଉଚ୍ଚ ସ୍ତରୀୟ ବୈଠକ ବସିଥିଲା। ଲୋକସେବା ଭବନରେ ଆୟୋଜତ ଏହି ବୈଠକରେ ଉନ୍ନୟନ କମିଶନର ପ୍ରଦୀପ ଜେନା ଅଧ୍ୟକ୍ଷତା କରିଥିଲେ।

ଏଥିରେ ବିଧାନସଭା ସମ୍ମୁଖରେ ଥିବା ପ୍ରତିଷ୍ଠା ଫଳକ ନିକଟରେ ଏହି ଉତ୍ସବ ପାଳନ କରାଯିବ। ସେଦିନ ସକାଳେ ପିଏଜି ଛକଠାରୁ ରବିନ୍ଦ୍ର ମଣ୍ଡପ ପର୍ଯ୍ୟନ୍ତ ପେରଡ କରାଯିବ। ଏହାକୁ ଗ୍ରହଣ କରିବେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ତେ ପୂର୍ବଦିନ ଏ ନେଇ ଏକ ରିହେଲସେଲ କରାଯିବ। ସେଥିପାଇଁ ପୋଲିସ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି ସଂଧ୍ୟାରେ ଉତ୍କଳ ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହା ରାଜ୍ୟ ସଂସ୍କୃତି ବିଭାଗ ପରିଚାଳନା କରିବ। ସେହିପରି 13 ତାରିଖରୁ 15 ତାରିଖ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ବୋଲି ନିଷ୍ପତି କାରାଯାଇଛି।

ଏହି କାର୍ଯ୍ୟକ୍ରମରେ ସଂପୃକ୍ତ ବିଭାଗ ସହିତ ବିଏମସି ଏବଂ ରାଜଧାନୀ ପ୍ରତିଷ୍ଠା କମିଟକୁ ମଧ୍ୟ ସାମିଲ କରାଯିବ। ଏହି ବୈଠକରେ ସଂସ୍କୃତି ସଚିବ, ସୂଚନା ଓ ଲୋକସଂପର୍କ ସଚିବ, ବିଏମସି କମିଶନର, ଖୋର୍ଦ୍ଧା ଜିଲ୍ଲାପାଳ ପ୍ରମୁୁଖ ଯୋଗ ଦେଇଥିଲେ। ଆସନ୍ତା ବର୍ଷ ରାଜଧାନୀ ପ୍ରତିଷ୍ଠାକୁ 75 ବର୍ଷ ପୁରଣ ହେଉଥିବାରୁ ଏବେଠାରୁ ପ୍ରସ୍ତୁତି କରିବା ପାଇଁ ନିଷ୍ପତି କରାଯାଇଛି।