Categories
ବିଶେଷ ଖବର

ଆସନ୍ତାକାଲି ‘ମନ୍‌ କୀ ବାତ’ର ୧୦୦ତମ ଅଧ୍ୟାୟ: ରାଜଭବନ ପରିସରରେ ସ୍ୱତନ୍ତ୍ର ସ୍କ୍ରିନିଂ ବ୍ୟବସ୍ଥା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି, ୩୦ ଏପ୍ରିଲ, ୨୦୨୩ ରେ ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କୀ ବାତ୍‌’ ର ୧୦୦ତମ ଅଧ୍ୟାୟରେ ଦେଶବାସୀଙ୍କ ସହ ମତବିନିମୟ କରିବେ।

ଭୁବନେଶ୍ୱର ସ୍ଥିତ ରାଜଭବନ ପରିସରରେ ଆସନ୍ତାକାଲି ‘ମନ କୀ ବାତ’ର ସ୍ୱତନ୍ତ୍ର ସ୍କ୍ରିନିଂ ପାଇଁ ବ୍ୟବସ୍ଥା କରାଯାଇଛି। ପ୍ରସାର ଭାରତୀ ଏବଂ ପିଆଇବି ପକ୍ଷରୁ ଆୟୋଜନ କରାଯାଉଥିବା ସ୍ୱତନ୍ତ୍ର ସ୍କ୍ରିନିଂ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥିଭାବେ ଯୋଗ ଦେବେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପୂର୍ବରୁ ପ୍ରସାରିତ ‘ମନ କୀ ବାତ’ ଅଧ୍ୟାୟରେ ଓଡ଼ିଶାର ଯେଉଁ ପ୍ରମୁଖ ବ୍ୟକ୍ତିବିଶେଷମାନଙ୍କ ବିଷୟରେ ଆଲୋଚନା କରିଛନ୍ତି ସେମାନଙ୍କୁ ମଧ୍ୟ ସ୍ୱତନ୍ତ୍ର ସ୍କ୍ରିନିଂକୁ ଆମନ୍ତ୍ରିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟର ବହୁ ବିଶିଷ୍ଟ ବ୍ୟକ୍ତି ଏବଂ ମନ କୀ ବାତ୍‌ର ନିୟମିତ ଶ୍ରୋତାମାନେ ଅଂଶଗ୍ରହଣ କରିବେ। ସେହିପରି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ‘ମନ କୀ ବାତ’ ଏବଂ ଆଜାଦୀ କା ଅମୃତ ମହୋତ୍ସବ’କୁ ନେଇ ଏକ ଫଟୋଚିତ୍ର ପ୍ରଦର୍ଶନୀ ଆୟୋଜନ କରାଯିବ। ପ୍ରଧାନମନ୍ତ୍ରୀ ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମରେ ଯେଉଁସବୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏବଂ ସାମାଜିକ ପରିବର୍ତ୍ତନ ଆଣିଥିବା ବ୍ୟକ୍ତିବିଶେଷଙ୍କ ସମ୍ପର୍କରେ ଆଲୋଚନା କରିସାରିଛନ୍ତି ସେହି ସବୁ ବିଷୟ ପ୍ରଦର୍ଶନୀରେ ସ୍ଥାନ ପାଇବ । ଏହି ଅବସରରେ ସୂଚନା ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ(ସିବିସି), ଦୂରଦର୍ଶନ ଓ ଆକାଶବାଣୀର କର୍ମଚାରୀମାନେ ଅଂଶଗ୍ରହଣ କରିବେ।

ସୂଚନାଯୋଗ୍ୟ ଯେ, ଅକ୍ଟୋବର ୨୦୧୪ ପରଠାରୁ ଏବେ ସୁଦ୍ଧା ମନ୍‌ କୀ ବାତ୍‌ର ୯୯ଟି ଅଧ୍ୟାୟ ପ୍ରସାରିତ ହୋଇସାରିଛି। ଏହି କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀଙ୍କ ସହିତ ସିଧାସଳଖ ଭାବ ବିନିମୟ ଲାଗି ଦେଶର ସାଧାରଣ ନାଗରିକଙ୍କ ପାଇଁ ଏକ ମଞ୍ଚ ପାଲଟିଛି। ୧୦୦ତମ ଅଧ୍ୟାୟ ପ୍ରସାରଣ ପୂର୍ବରୁ ‘ମନ କୀ ବାତ’ ଅନେକ ଉପଲବ୍ଧି ହାସଲ କରିଛି। ଆଇଆଇଏମ ରୋହତକ ଏବଂ ପ୍ରସାର ଭାରତୀ ପକ୍ଷରୁ ମନ କୀ ବାତକୁ ନେଇ କରାଯାଇଥିବା ଏକ ସର୍ବେକ୍ଷଣର ଫଳାଫଳ ଗତ ୨୪ ତାରିଖରେ ପ୍ରକାଶ ପାଇଥିଲା। ଏଥିରେ କୁହାଯାଇଥିଲା ଯେ, ପ୍ରଧାନମନ୍ତ୍ରୀଙ୍କ ଏହି ରେଡିଓ କାର୍ଯ୍ୟକ୍ରମକୁ ୧୦୦ କୋଟି ଶ୍ରୋତା କୌଣସି ନା କୌଣସି ପ୍ରକାରରେ ଶୁଣିଛନ୍ତି। ସେହିପରି ମନ କୀ ବାତର ୨୩ କୋଟି ନିୟମିତ ଶ୍ରୋତା ରହିଛନ୍ତି। ମନ୍‌ କୀ ବାତ୍‌ କାର୍ଯ୍ୟକ୍ରମ ଦେଶବାସୀଙ୍କୁ ମଧ୍ୟ ଅନୁପ୍ରାଣିତ କରୁଛି। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଭାବିତ ହୋଇ ୬୦% ଲୋକ ରାଷ୍ଟ୍ର ଗଠନରେ ଆଗ୍ରହୀ ହୋଇଛନ୍ତି ଏବଂ ୭୩% ଲୋକ ଭାବୁଛନ୍ତି ଯେ ଦେଶ ବର୍ତ୍ତମାନ ଠିକଣା ପଥରେ ପ୍ରଗତି ହାସଲ କରୁଛି।

ଅନ୍ୟପକ୍ଷରେ ଆଜି ଭାରତୀୟ ଜନସଞ୍ଚାର ସଂସ୍ଥାନ (ଆଇଆଇଏମସି) ପକ୍ଷରୁ କରାଯାଇଥିବା ଏକ ସ୍ୱତନ୍ତ୍ର ଅଧ୍ୟୟନରୁ ଜଣାପଡ଼ିଛି ଯେ ୭୬% ଗଣମାଧ୍ୟମ ବ୍ୟକ୍ତିତ୍ୱ ମନ କୀ ବାତ୍‌କୁ ଏକ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ଭାବେ ଗ୍ରହଣ କରିଥାନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟପାଳଙ୍କୁ ଭେଟିଲେ ଭାରତୀୟ ସୂଚନା ସେବା ଅଧିକାରୀ

ଭୁବନେଶ୍ବର: ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି)ରେ କ୍ଷେତ୍ରୀୟ ପ୍ରଶିକ୍ଷଣ ଗ୍ରହଣ କରୁଥିବା ନବାଗତ ଭାରତୀୟ ସୂଚନା ସେବା (ଆଇଆଇଏସ) ଅଧିକାରୀମାନେ ଆଜି ଭୁବନେଶ୍ୱରସ୍ଥିତ ରାଜଭବନ ପରିସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସାକ୍ଷାତ କରିଛନ୍ତି।

ଆଇଆଇଏସ ଶିକ୍ଷାନବୀସମାନଙ୍କୁ ଓଡ଼ିଶାରେ ସ୍ୱାଗତ କରି ରାଜ୍ୟପାଳ କହିଥିଲେ ଯେ, ଓଡ଼ିଶା ସବୁକ୍ଷେତ୍ରରେ ଏକ ସମୃଦ୍ଧ ଏବଂ ସମ୍ପନ୍ନ ରାଜ୍ୟ। ଏହି ରାଜ୍ୟ ଧର୍ମ, ସଂସ୍କୃତି, ପ୍ରାକୃତିକ ସମ୍ପଦ ଏବଂ ଆଧ୍ୟାତ୍ମିକତାରେ ପରିପୂର୍ଣ୍ଣ। ବିଗତ ତିନି ବର୍ଷ ମଧ୍ୟରେ ନିଜର ଅଭିଜ୍ଞତା ବିଷୟରେ ସେ କହିଥିଲେ ଯେ, ଓଡ଼ିଶାବାସୀ ଆତ୍ମସନ୍ତୋଷପୂର୍ଣ୍ଣ ଜୀବନଯାପନ କରିଥାନ୍ତି ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ସେମାନଙ୍କର ପ୍ରଗାଢ଼ ଆସ୍ଥା ଓ ବିଶ୍ବାସ ରହିଛି। ତେଣୁ ଯୁବ ଅଧିକାରୀମାନେ ଏଠାକୁ ଆସି, କାମ କରିବା ଏବଂ ଶିଖିବାର ଶ୍ରେଷ୍ଠ ସୁଯୋଗ ପାଇପାରିବେ ବୋଲି ରାଜ୍ୟପାଳ କହିଥିଲେ।

ଶୃଙ୍ଖଳିତ ଭାବେ ନିଜର କର୍ତ୍ତବ୍ୟ ସମ୍ପାଦନ ପାଇଁ ଶିକ୍ଷାନବୀସମାନଙ୍କୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ।

ଏହି ଅବସରରେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର, ପିଆଇବିର ଅତିରିକ୍ତ ମହାନିର୍ଦ୍ଦେଶକ ରାଜିନ୍ଦର ଚୌଧୁରୀ, ଉପନିର୍ଦ୍ଦେଶକ ଡ. ଗିରିଶ ଚନ୍ଦ୍ର ଦାଶ, ଗଣ ଯୋଗାଯୋଗ ଅଧିକାରୀ ପ୍ରଦୀପ ଚୌଧୁରୀ, ଭାରତୀୟ ସୂଚନା ସେବାର ଚାରି ଜଣ ଶିକ୍ଷାନବୀସ ଅଧିକାରୀ ନିକିତା ଯୋଶୀ, ଶୀନମ ଜୈନ, ମନଦୀପ କୁମାର, ସନ୍ତୋଷ ଭେଙ୍କଟରମଣଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।