Categories
ଆଜିର ଖବର ଜାତୀୟ ଖବର ମନୋରଂଜନ ରାଜ୍ୟ ଖବର ସଂସ୍କୃତି

ଦୁଇ ଭଉଣୀଙ୍କ ବେହେଲା ବାଦନରେ ଶେଷ ହେଲା ରାଜାରାଣୀ ସଂଗୀତ ଉତ୍ସବ

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ଆୟୋଜିତ ରାଜାରାଣୀ ସଙ୍ଗୀତ ଉତ୍ସବ ଆଜି ଉଦଯାପିତ ହୋଇଯାଇଛି ।

ଆଜି ତୃତୀୟ ତଥା ଅନ୍ତିମ ସନ୍ଧ୍ୟାର କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥିମାନଙ୍କ ମଧ୍ୟରେ ରାଜ୍ୟ ସୂଚନା ,ପ୍ରଯୁକ୍ତି, କ୍ରୀଡା ଏବଂ ଯୁବ ବ୍ୟାପାର ତଥା ଗୃହ ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା , ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଶ୍ରୀ ସଚିନ୍ ଆର୍ .ଯାଦବ , ସଚିବ, ଭୁବନେଶ୍ୱର ମ୍ୟୁଜିକ ସର୍କଲ ଶ୍ରୀ କ୍ଷୀରୋଦ ପଟ୍ଟନାୟକ , ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଭାପତି ତଥା ପଦ୍ମଶ୍ରୀ ଅରୁଣା ମହାନ୍ତି, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ରଞ୍ଜନ କୁମାର ଦାସ, ବିଭାଗୀୟ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସୁବୋଧ କୁମାର ଆଚାର୍ଯ୍ୟ , ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ଶ୍ରୀ ପ୍ରବୋଧ କୁମାର ରଥ ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

ଆଜିର ଏହି ସଙ୍ଗୀତ ସନ୍ଧ୍ୟାର ପ୍ରଥମ ଆସରରେ ଶିଳ୍ପୀ କୁନ୍ନଡ ବାଲମୁରଲୀ କ୍ରୀଷ୍ଣା କର୍ଣ୍ଣାଟକୀ ଶୈଳୀରେ ତାଙ୍କର ଗାୟନ ପରିବେଷଣ କରିଥିଲେ। ତାଙ୍କ ପରିବେଷଣରେ ରହିଥିଲା ରାଗ ହିନ୍ଦୋଳ ଏବଂ ତାଳ ଆଦିତାଳ । ଚମତ୍କାର ଗାୟନ ଶୈଳୀ ମାଧ୍ୟମରେ ସେ ଦର୍ଶକ ମାନଙ୍କୁ ବିମୋହିତ କରିପାରିଥିଲେ। ଏହି ପରିବେଷଣରେ ତାଙ୍କୁ ମୃଦଙ୍ଗମ୍ ଏବଂ ବେହେଲାରେ ସହାୟତା କରିଥିଲେ ଯଥାକ୍ରମେ ଶ୍ରୀ ପତ୍ରୀ ସତୀଶ କୁମାର ଏବଂ ଶ୍ରୀ କାର୍ତ୍ତିକ ନାଗରାଜ ।

ଆଜିର ଦ୍ୱିତୀୟ ପରିବେଷଣରେ ଆକ୍କାରାଇ ଭଗିନୀ ଦ୍ୱୟ ଶୁଭଲକ୍ଷ୍ମୀ ଓ ସ୍ୱର୍ଣ୍ଣଲତା ବେହେଲା ବାଦନରେ ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। ପ୍ରକାଶ ଥାଉକି, ୨୦୧୯ ମସିହାରେ ତାମିଲନାଡୁ ସରକାରଙ୍କ ଦ୍ୱାରା ଏହି ଦୁଇ ଜଣଙ୍କୁ ‘ କଲ୍ଲାଇମା ମଣି ‘ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଶ୍ରୀମତୀ ସଙ୍ଗୀତା ଗୋସାଇଁ ଏବଂ ଶ୍ରୀମତୀ ଅନୁଜା ତାରିଣୀ ମିଶ୍ର ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଶାସ୍ତ୍ରୀୟ ସଙ୍ଗୀତର ମୁର୍ଚ୍ଛନାରେ ଉଦଘାଟିତ ହେଲା ରାଜାରାଣୀ ସଙ୍ଗୀତ ଉତ୍ସବ

ଭୁବନେଶ୍ୱର : ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ଦ୍ୱାରା ଆୟୋଜିତ ରାଜାରାଣୀ ସଙ୍ଗୀତ ମହୋତ୍ସବ ଆଜିଠାରୁ ତିନିଦିନ ଧରି କଳିଙ୍ଗ କଳାସ୍ଥାପତ୍ୟର ଚମକ୍ରାର କଳାକୃତି, ଏକାଦଶ ଶତାବ୍ଦୀ ନିର୍ମିତ ପ୍ରସିଦ୍ଧ ରାଜାରାଣୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେଉଛି।

ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭାରତବର୍ଷରେ ଥିବା ଶାସ୍ତ୍ରୀୟ ତଥା ପାରମ୍ପରିକ ସଙ୍ଗୀତକୁ ଗୋଟିଏ ମଞ୍ଚରେ ପ୍ରଦର୍ଶନ କରାଇ ଆଗାମୀ ପିଢିର କଳାକାରମାନଙ୍କୁ ଆମର ଶାସ୍ତ୍ରୀୟ ସଙ୍ଗୀତ ପ୍ରତି ରୁଚି ବଢାଇବା ସହିତ ଏହି କଳାର ପ୍ରଚାର ପ୍ରସାର ଦେଶ ତଥା ଦେଶ ବାହାରେ କରାଇବା। ଏହା ବ୍ୟତୀତ ମନ୍ଦିରମାଳିନୀ ଭୁବନେଶ୍ୱରରେ ରାଜାରାଣୀ ମନ୍ଦିର ପରି ଏକ ରମଣୀୟ ତଥା କମନୀୟ ସ୍ଥାପତ୍ୟ କଳାପୂର୍ଣ୍ଣ ମନ୍ଦିରକୁ ରାଜ୍ୟବାହାରୁ ତଥା ବିଦେଶରୁ ସଙ୍ଗୀତ ପ୍ରେମୀ ବିଧଗ୍ଧ ଶ୍ରୋତା ଓ ପର୍ଯ୍ୟଟକମାନଙ୍କୁ ଆକର୍ଷଣ କରାଇବା।

ଆଜି ସନ୍ଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଥିଲା ପ୍ରଖ୍ୟାତ ହିନ୍ଦୁସ୍ଥାନୀ ବଂଶୀ ବାଦକ ଗୁରୁ ଜବାହାର ମିଶ୍ରଙ୍କ ଦ୍ୱାରା ବଂଶୀ ବାଦନ। ତାଙ୍କର ପ୍ରଥମ ପ୍ରସ୍ତୁତିରେ ଥିଲା ରାଗ ବାଗେଶ୍ରୀ ପରେ ପରେ ଧୃତ ତିନତାଲ। ବିଭିନ୍ନ ରାଗ ଓ ତାଳକୁ ନେଇ ତାଙ୍କର ବଂଶୀ ବାଦନ ବେଶ ହୃଦୟସ୍ପର୍ଶୀ ଥିଲା, ଯାହାକୁ ଦର୍ଶକ ମନ୍ଦିର ପ୍ରାଙ୍ଗଣରେ ଉପସ୍ଥିତ ରହି ମନଭରି ଉପଭୋଗ କରିଥିଲେ। ତାଙ୍କୁ ବଂଶୀରେ ବିଦେହ ଭୂଷଣ ଓ ତବଲାରେ ବିଶ୍ୱରଞ୍ଜନ ନନ୍ଦ ସହଯୋଗ କରିଥିଲେ। ସଂଧ୍ୟାର ଦ୍ୱିତୀୟ କାର୍ଯ୍ୟକ୍ରମ ଥିଲା ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତ ବିଷାରଦ ବିଦୁଷୀ ଅଶ୍ୱନୀ ଭିଡ଼େ ଦେଶପାଣ୍ଡେଙ୍କ ଦ୍ୱାରା ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତ ପରିବେଷଣ।

ତାଙ୍କର ପ୍ରଥମ ପରିବେଷଣ ଥିଲା ଜୟ ଜୟନ୍ତି। ପରେ ପରେ ତାଙ୍କର ନିଖୁଣ ଓ ସୁନ୍ଦର ରାଗ ବିସ୍ତାର, ତାନ ଓ ସରଗମ୍‌ର ବିଭିନ୍ନ କ୍ରିୟାତ୍ମକ ପରିବେଷଣ, ସୁଲଳିତ କଣ୍ଠରେ ବିଭିନ୍ନ କଳାକୌଶଳ ପ୍ରୟୋଗ ଇତ୍ୟାଦି ଦ୍ୱାରା ଉପସ୍ଥିତ ବିଦଗ୍ଧ ଶ୍ରୋତାମାନଙ୍କୁ ସେ ମନ୍ତ୍ରମୁଗ୍ଧ କରିଥିଲେ। ଅଶ୍ୱନୀ ଭିଡ଼େଙ୍କୁ ସହଯୋଗ କରିଥିଲେ ହାରମୋନିୟମ୍‌ରେ ଡ଼. ବିନୟ ମିଶ୍ର, ତବଲାରେ ୟତି ଭଗତ୍‌ ଓ କଣ୍ଠରେ ଶିବାନୀ କଲ୍ୟାଣପୁରୀ।

ଆଜି ସନ୍ଧ୍ୟାର ଅତିଥିମାନେ ଥିଲେ ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ଦାସ, ଉନ୍ନୟନ ନିଗମର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ,ବିଭାଗର ଯୁଗ୍ମ ନିର୍ଦ୍ଦେଶକ ତଥା ଗୁରୁ କେଳୁଚରଣ ଓଡିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟ ନିର୍ବାହୀ ସୁବୋଧ ଆଚାର୍ଯ୍ୟ,ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ସଭାପତି ଗୁରୁ ଅରୁଣା ମହାନ୍ତି ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ସଚିବ ପ୍ରବୋଧ କୁମାର ରଥ।

କାର୍ଯ୍ୟକ୍ରମ ସଂଚାଳନା କରିଥିଲେ ଡ଼. ସଙ୍ଗୀତା ଗୋସାଇଁ ଏବଂ ଅନୁଜା ତାରିଣୀ ମିଶ୍ର। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ଅଧିକାରୀ ବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।