Categories
ଆଜିର ଖବର ରାଜ୍ୟ ଖବର

ଆଠଗଡ଼ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଦ୍ୱାରା ଆଠଗଡ଼ ବସଷ୍ଟାଣ୍ଡର ନିର୍ମାଣ କାର୍ଯ୍ୟକୁ ଯଥାଶୀଘ୍ର ଶେଷ କରି ଯାତ୍ରୀମାନଙ୍କ ନିମନ୍ତେ ଲୋକାର୍ପିତ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି। ଲୋକସେବା ଭବନଠାରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଛନ୍ତି।

ବସଷ୍ଟାଣ୍ଡର ବାକିଥିବା ସିଭିଲ, ଇଲେକ୍‌ଟି୍ରକାଲ୍‌ ଏବଂ ଜନସ୍ୱାସ୍ଥ୍ୟ କାର୍ଯ୍ୟକୁ ସଂପୂର୍ଣ୍ଣ କରିବା ନିମନ୍ତେ ବକେୟା ଅର୍ଥରାଶିକୁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଦ୍ୱାରା ସେପେଫମ୍ବର ୨୦ ତାରିଖ ସୁଦ୍ଧା ପ୍ରଦାନ କରିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥି ସହିତ ଟେଣ୍ଡରରେ ସାମିଲ ହୋଇଥିବା କାର୍ଯ୍ୟ ବ୍ୟତୀତ ବସଷ୍ଟାଣ୍ଡରେ ଅଗ୍ନିନିର୍ବାପକ ବ୍ୟବସ୍ଥା, କାର୍ଯ୍ୟାଳୟର ଆସବାବପତ୍ର, ସିସିଟିଭି ଏବଂ ଜେନେରେଟର ଆଦି ବ୍ୟବସ୍ଥାର ଅତିରିକ୍ତ କାର୍ଯ୍ୟ ନିମନ୍ତେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଦ୍ୱାରା ଅତିରିକ୍ତ ବ୍ୟୟରାଶି ସେପେଫମ୍ବର ୨୦ ତାରିଖ ସୁଦ୍ଧା ପ୍ରଦାନ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ବୈଠକର ସୂଚନା ଅନୁଯାୟୀ ନବନିର୍ମିତ ବସଷ୍ଟାଣ୍ଡର ଯାତ୍ରୀମାନଙ୍କ ନିମନ୍ତେ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ପ୍ରଦାନ, ଜଗୁଆଳି ବ୍ୟବସ୍ଥା ଏବଂ ବସଷ୍ଟାଣ୍ଡର ରକ୍ଷଣାବେକ୍ଷଣ କାର୍ଯ୍ୟଭାର ସେପେଫମ୍ବର ୨୦ ତାରିଖ ସୁଦ୍ଧା ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ବସଷ୍ଟାଣ୍ଡ ନିର୍ମାଣ ଯୋଗୁ ଉଚ୍ଛେଦ ଏବଂ ସ୍ଥାନାନ୍ତରିତ ହୋଇଥିବା ଦୋକାନୀମାନଙ୍କୁ ଉପଯୁକ୍ତ ଭାବରେ ଥଇଥାନ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।

ବୈଠକରେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଦୀପ୍ତେଷ କୁମାର ପଟ୍ଟନାୟକ, ବାଣିଜ୍ୟ ଓ ପରିବହନ ବିଭାଗର ଅର୍ଥ ପରାମର୍ଶଦାତା ତଥା ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ପ୍ରଭାତ କୁମାର ଜେନା, ଚାରବାଟିଆ ରାସ୍ତା ଓ ଗୃହ ନିର୍ମାଣ ଡିଭିଜନ୍‌ର ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ମହାନ୍ତି, ଆଠଗଡ଼ ଉପଜିଲ୍ଲାପାଳ ଶ୍ରୀ ହେମନ୍ତ କୁମାର ସ୍ୱାଇଁଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ମନ୍ତ୍ରୀ ରାଜା ସ୍ବାଇଁ ମଧ୍ୟ କୋଭିଡ ପଜେଟିଭ୍, ଘରେ ଏକାନ୍ତାବାସରେ ରହିଲେ

ଭୁବନେଶ୍ବର, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ମଧ୍ୟ ଆଜି କୋଭିଡ19 ପଜେଟିଭ ଚିହ୍ନଟ ହୋଇଛନ୍ତି। ହେଲେ ତାଙ୍କ ଦେହରେ କୌଣସି ଲକ୍ଷଣ ପରିଲକ୍ଷିତ ହୋଇ ନାହିଁ। ଅନ୍ୟମାନଙ୍କ ସଂସ୍ପର୍ଶରେ ଆସିଥିବାରୁ ତାଙ୍କର ନମୂନା ପରୀକ୍ଷା କରିଥିଲେ। ଏହି ପରୀକ୍ଷାରୁ ତାଙ୍କର କୋଭିଡ ପଜେଟିଭ ଆସିଛି। ବର୍ତ୍ତମାନ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଘରେ ଏକାନ୍ତବାସରେ ରହିଛନ୍ତି। ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନେ ପରୀକ୍ଷା କରାଇ ନିଅନ୍ତୁ ବୋଲି ମନ୍ତ୍ରୀ ଅନୁରୋଧ କରିଛନ୍ତି।