Categories
ବିଶେଷ ଖବର ରାଜ୍ୟ ଖବର

ପାଇକ ବିଦ୍ରୋହକୁ ତୁରନ୍ତ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବେ ଘୋଷଣା କରାଯାଉ: ବିଜେଡି

ଭୁବନେଶ୍ୱର: ୧୮୧୭ ମସିହାରେ ଘଟିଥିବା ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବେ ଘୋଷଣା କରାଯାଉ ଯାହା ୧୮୫୭ ବିଦ୍ରୋହର ୪୦ ବର୍ଷ ପୂର୍ବରୁ ଘଟିଥିଲା ବୋଲି ବିଜେଡି ପକ୍ଷରୁ ଦାବି କରାଯାଇଛି।

ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ, ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ବିଭୂତି ବଳବନ୍ତରାୟ ଏବଂ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ ମିଳିତ ଭାବେ କହିଛନ୍ତି ଯେ ବକ୍ସି ଜଗବନ୍ଧୁଙ୍କ ବୀରତ୍ୱର କିମ୍ବଦନ୍ତୀ ସହିତ ଓଡିଶାର ପାଇକ ବିଦ୍ରୋହ ଗତ ଦୁଇ ଶତାବ୍ଦୀରୁ ଅଧିକ ସମୟ ଧରି ୪.୫ କୋଟି ଓଡିଆଙ୍କୁ ପ୍ରେରଣା ଦେଇ ଚାଲିଛି।

ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ୧୮ଜୁଲାଇ ୨୦୧୭ରେ ଓଡିଶା କ୍ୟାବିନେଟ ପାଇକ ବିଦ୍ରୋହକୁ ସ୍ୱାଧୀନତାର ପ୍ରଥମ ସଂଗ୍ରାମ ଭାବେ ଘୋଷଣା କରିବାକୁ ଏକ ସଂକଳ୍ପ ପାରିତ କରିଥିଲା। ୨୦୧୭ ଜୁଲାଇ ୧୯ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେତେବେଳେ ମାନ୍ୟବର କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଏକ ପତ୍ର ଲେଖିଥିଲେ। ପାଇକ ବିଦ୍ରୋହକୁ ସ୍ୱାଧୀନତାର ପ୍ରଥମ ସଂଗ୍ରାମ ଭାବେ ଘୋଷଣା କରିବାକୁ ରାଜନାଥ ସିଂହଙ୍କୁ ଅନୁରୋଧ କରିଥିଲେ।

୨୦୧୭ ଜୁଲାଇ ୨୦ ତାରିଖରେ ନୂଆଦିଲ୍ଲୀରେ ପାଇକ ବିଦ୍ରୋହର ଶତାବ୍ଦୀ ସମାରୋହ ଉତ୍ସବ ଅନୁଷ୍ଠିତ ହୋଇଥିଲା ଯାହାକୁ ତତ୍କାଳୀନ ମାନ୍ୟବର ରାଷ୍ଟ୍ରପତି ଶ୍ରୀଯୁକ୍ତ ପ୍ରଣବ ମୁଖାର୍ଜୀ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଉଦଘାଟନ କରିଥିଲେ।

୨୦୨୧ ଡିସେମ୍ବର ୬ ତାରିଖରେ ବିଜେଡି ସାଂସଦଙ୍କ ଏକ ପ୍ରତିନିଧିଦଳ ମାନ୍ୟବର କେନ୍ଦ୍ର ସଂସ୍କୃତିମନ୍ତ୍ରୀଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରି ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବରେ ଘୋଷଣା ପାଇଁ ଦାବି କରିଥିଲେ।

ତେବେ ଏହା ଆଶ୍ଚର୍ଯ୍ୟର କଥା ଯେ କେନ୍ଦ୍ରରେ ଥିବା ଦୁଇ ଓଡିଆ ମନ୍ତ୍ରୀ ତଥା ଓଡିଶାର ୮ଜଣ ବିଜେପି ସାଂସଦ ଏହି ପ୍ରସଙ୍ଗରେ ନିରବ ରହିଛନ୍ତି ଏବଂ କେନ୍ଦ୍ରରେ ଏହି ପ୍ରସଙ୍ଗକୁ ଉଠାଉ ନାହାନ୍ତି। ସଂସଦରେ ଓଡିଆ ବିଜେପି ସାଂସଦମାନେ ଏହି ପ୍ରସଙ୍ଗ ମୁହଁ ଖୋଲିଥିବାର ଆମେ କେବେ ବି ଦେଖିନାହୁଁ। ଏହା ପାଇକ ବିଦ୍ରୋହ ପ୍ରତି ସେମାନଙ୍କର ପ୍ରତିବଦ୍ଧତାକୁ ଦର୍ଶାଉଛି।

ଭୁବନେଶ୍ୱରର ବିଜେପି ସାଂସଦ ମଧ୍ୟ ଏ ପ୍ରସଙ୍ଗରେ ମୁହଁ ନ ଖୋଲିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହା ହେଉଛି “ଓଡିଆ ଅସ୍ମିତା ଏବଂ ଓଡିଆ ଆତିଥ୍ୟ” ଏବଂ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଦୁଇ ଓଡିଆ ମନ୍ତ୍ରୀ ଏବଂ ୮ଜଣ ବିଜେପି ସାଂସଦ ଚୁପ୍ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

ଓଡିଶାର ସାଢେ ୪କୋଟି ଲୋକଙ୍କ ସହ ଆମେ ଦୃଢଭାବେ ଦାବି କରୁଛୁ ଯେ କାଳ ବିଳମ୍ବ ନକରି ପାଇକ ବିଦ୍ରୋହକୁ ସ୍ୱାଧୀନତାର ପ୍ରଥମ ସଂଗ୍ରାମ ଭାବରେ କେନ୍ଦ୍ର ସରକାର ଘୋଷଣା କରନ୍ତୁ ବୋଲି ବିଜେଡି ପକ୍ଷରୁ କୁହାଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ଏଥର ବେଗୁନିଆରୁ କିଏ ହେବ ବିଜେଡି ପ୍ରାର୍ଥୀ? ପ୍ରଶାନ୍ତ ଜଗଦ୍ଦେବ, ରାଜେନ୍ଦ୍ର ନା ପ୍ରଦୀପ ସାହୁ

ଭୁବନେଶ୍ବର: ଓଡିଶା ବିଧାନସଭା ନିର୍ବାଚନକୁ ଆହୁରି ବର୍ଷେ ବାକିଥିଲେ ମଧ୍ୟ ବର୍ତ୍ତମାନଠାରୁ ରାଜ୍ୟ ରାଜନୀତି ବେଶ୍ ଉଷୁମ ହେବାରେ ଲାଗିଛି। ତେବେ ଏହା ବେଗୁନିଆ ନିର୍ବାଚନ ମଣ୍ଡଳୀରେ ଟିକିଏ ଅଧିକ ଅନୁଭୂତ ହେବାରେ ଲାଗିଛି। କାରଣ ସେଠାରେ ତିନୋଟି ହେଭି ୱେଟ ନେତା ବିଜେଡି ଟିକେଟ ପାଇବେ ବୋଲି ଅନାଇ ବସିଛନ୍ତି। ଯାହାକୁ ନେଇ ସେଠାକାର ବିଜେଡି କର୍ମିମାନେ କୈଣସି ସ୍ପଷ୍ଟ ଚିତ୍ର ପାଇପାରୁ ନାହାଁନ୍ତି।

ବେଗୁନିଆରେ ବର୍ତ୍ତମାନ ବିଧାୟକ ଅଛନ୍ତି ବିଜେଡିର ରାଜେନ୍ଦ୍ର ସାହୁ। ସେ ଖୋର୍ଦ୍ଧାରେ ଦୁଇଥର ବିଧାୟକ ହେବା ପରେ ବିଜେଡି ତାଙ୍କୁ ଗତ ନିର୍ବାଚନରେ ବେଗୁନିଆ ଠେଲି ଦେଇଥିଲା। ତାଙ୍କର ଅନିଚ୍ଛା ସତ୍ବେ ସେ ସେଠାରେ ଲଢେଇ କଲେ ଆଉ ଜିତିଲେ ମଧ୍ୟ। ହେଲେ ଗତ କିଛି ମାସ ଧରି ସେ ଆଉ ବେଗୁନିଆରୁ ପ୍ରାର୍ଥୀ ନ ହୋଇ ଖୋର୍ଦ୍ଧାରୁ ଛିଡା ହେବେ ବୋଲି ଚର୍ଚ୍ଚା ଚାଲିଛି।

ଏପରି ଚର୍ଚ୍ଚା ଦେଖି ରାଜେନ୍ଦ୍ର କୁଆଡେ କର୍ମିମାନଙ୍କୁ ସ୍ପଷ୍ଟ କରି ଦେଇଛନ୍ତି ଯେ, ସେ ବେଗୁନିଆରୁ ହିଁ ଛିଡା ହେବେ। ବେଗୁନିଆବାସୀ ତାଙ୍କୁ କୁଆଡେ ଭଲ ପାଇବା ଦେଇଛନ୍ତି, ବେଗୁନିଆ ନିର୍ବାଚନ ମଣ୍ଡଳୀରେ ସେ ବେଶ କିଛି କାମ କରିଛନ୍ତି। ସେଥିପାଇଁ ସେ ବେଗୁନିଆ ଛାଡିବେ ନାହିଁ ବୋଲି ଏକ କର୍ମି ସମ୍ମିଳନୀରେ ରାଜେନ୍ଦ୍ର ଘୋଷଣା କରିଛନ୍ତି। ଏପରି ଘୋଷଣା ସତ୍ବେ କର୍ମିମାନଙ୍କ ମନରୁ କିନ୍ତୁ ସନ୍ଦେହ ଦୂର ହୋଇପାରୁ ନାହିଁ।

ଅନ୍ୟପକ୍ଷରେ ବେଗୁନିଆ ଆସନ ଉପରେ ଆଖି ରଖିଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ସେହି ଆସନଟି ହେଉଛି ତାଙ୍କର ପୁରୁଣା ଆସନ। ଚିଲିକାରେ ପ୍ରଶାନ୍ତଙ୍କ ଉପରେ ମରଣାତ୍ମକ ଆକ୍ରମଣ ଏବଂ ଗିରଫ ହେବା ସହ ଦଳରୁ ବହିସ୍କାର ତାଙ୍କ ପାଇଁ ଅଡୁଆ ସୃଷ୍ଟି କରିଛି। ଅନ୍ୟପକ୍ଷରେ କୋର୍ଟ ତାଙ୍କୁ ଚିଲିକା ନିର୍ବାଚନ ମଣ୍ଡଳୀକୁ ଯିବାକୁ ବାରଣ କରି ଥିବାରୁ ସେ ବର୍ତ୍ତମାନ ସୁଦ୍ଧା କିଛି କରିପାରୁ ନାହାଁନ୍ତି। ଫଳରେ ତାଙ୍କ ପାଇଁ ବେଗୁନିଆ ଏକ ସୁରକ୍ଷିତ ଆସନ ବୋଲି ପ୍ରଶାନ୍ତ ଚିନ୍ତା କରିଛନ୍ତି।

ପ୍ରଶାନ୍ତ ଜଗଦ୍ଦେବଙ୍କ ସମର୍ଥକଙ୍କ ଅନୁସାରେ ସେ କୁଆଡେ ଜୁନ ମାସରୁ ବେଗୁନିଆ ସଂଗଠନକୁ ସୁଦୃଢ କରିବେ ବୋଲି ନିଷ୍ପତି କରିଛନ୍ତି। ଅନ୍ୟପକ୍ଷରେ ଗତ ନିର୍ବାଚନରେ ବେଗୁନିଆର କଂଗ୍ରେସ ପ୍ରାର୍ଥୀ ଥିବା ପ୍ରଦୀପ ସାହୁ ଗତ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡିରେ ମିଶିଛନ୍ତି। ସେ ମଧ୍ୟ ବେଗୁନିଆ ପାଇଁ ବଡ ଆଶା ବାନ୍ଧି ବସିଛନ୍ତି। ଫଳରେ ବେଗୁନିଆରୁ ରାଜେନ୍ଦ୍ର ନା ପ୍ରଶାନ୍ତ ନା ପ୍ରଦୀପ କିଏ ପ୍ରାର୍ଥୀ ହେବ ସେ ନେଇ କର୍ମିମାନେ ଦ୍ବନ୍ଦରେ ଅଛନ୍ତି।

ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ, ଖୋର୍ଦ୍ଧା ଏବଂ ଚିଲିକା ବିଧାନସଭା ଆସନକୁ ନେଇ ବର୍ତ୍ତମାନ ବିଜେଡି କର୍ମିମାନେ ଆଶା ଓ ଆଶଙ୍କା ଭିତରେ ଅଛନ୍ତି। ଖୋର୍ଦ୍ଧା ବିଧାୟକ ଜିତେନ୍ଦ୍ରନାଥ ମିତ୍ର ଆଉ ନିର୍ବାଚନ ଲଢେଇ କରିବେ ନାହିଁ ବୋଲି ଚର୍ଚ୍ଚା ହେଉଥିବାରୁ ସେଠାରୁ କିଏ ପ୍ରାର୍ଥୀ ହେବ ତାହା ଜଣାପଡି ନାହିଁ। ସେହିପରି ଚିଲିକାରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଆଉ ଟିକେଟ ମିଳିବ ନାହିଁ ବୋଲି ଆଲୋଚନା ଚାଲିଛି।

ଅନ୍ୟପକ୍ଷରେ ରାଜେନ୍ଦ୍ର ସାହୁଙ୍କ ବେଗୁନିଆରେ ମନ ଲାଗୁ ନ ଥିବାରୁ ସେ ଖୋର୍ଦ୍ଧା ଆସିପାରନ୍ତି ବୋଲି କୁହାଯାଉଛି। ଫଳରେ ଖୋର୍ଦ୍ଧା ଜିଲ୍ଲାର ଏହି ତିନୋଟି ଆସନ କେବଳ ଆଶାୟୀଙ୍କ ପାଇଁ ନୁହେଁ ଖୋଦ ବିଜେଡି ପାଇଁ ମଧ୍ୟ ଚିନ୍ତାର କାରଣ ପାଲଟିଛି।