Categories
ବିଶେଷ ଖବର ରାଜ୍ୟ ଖବର

ରାଜ୍ୟପାଳଙ୍କ ଅଭିଭାଷଣ ସଂପର୍କିତ ଧନ୍ୟବାଦ ପ୍ରସ୍ତାବ ଉପରେ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ

ଭୁବନେଶ୍ଵର: ଓଡିଶା ରାଜ୍ୟ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଅବସରରେ ଏହି ପବିତ୍ର ଗୃହରେ ରାଜ୍ୟପାଳଙ୍କ ଅଭିଭାଷଣକୁ ମୁଁ ସ୍ୱାଗତ କରୁଛି।

ଓଡିଶାର ସାଢେ ୪ କୋଟି ଜନସାଧାରଣଙ୍କ ଆଶା, ଆକାଂକ୍ଷା ଓ ସ୍ୱପ୍ନକୁ ସାକାର କରିବା ପାଇଁ ଆମର ନୂଆ ସରକାର ଗଠିତ ହୋଇଛି। ଆମର ଗଣତାନ୍ତ୍ରିକ ବ୍ୟବସ୍ଥାର ଏକ ସୁନ୍ଦର ପ୍ରତିଫଳନ ହେଉଛି ଆମ ସରକାର। ଓଡିଆ ଅସ୍ମିତା, ବିକାଶ ଓ ସୁଶାସନର ପ୍ରତିଷ୍ଠା ଦିଗରେ ଆମର ନୂଆ ସରକାର ପ୍ରତିବଦ୍ଧତାର ସହ ଉଦ୍ୟମ ଆରମ୍ଭ କରିଛି।

ଓଡିଆ ଅସ୍ମିତା ହେଉଛି ଆମର ଆତ୍ମା। ଆମର ଭାଷା, ସାହିତ୍ୟ, ସଂସ୍କୃତି ଓ ଐତିହ୍ୟର ସୁରକ୍ଷା ଓ ପ୍ରସାର ମାଧ୍ୟମରେ ଓଡିଆ ଅସ୍ମିତାକୁ ସୁରକ୍ଷିତ କରିବାର ଲକ୍ଷ୍ୟ ହେଉଛି ଆମର ପ୍ରଥମ କର୍ତ୍ତବ୍ୟ। ଅସ୍ମିତା ବିହିନ ବିକାଶ ସ୍ୱାଦହୀନ ଖାଦ୍ୟ ପରି ନୈରାଶ୍ୟଜନକ। ତେଣୁ ବିକାଶ ସହିତ ଅସ୍ମିତାକୁ ପ୍ରାଥମିକତା ଦେଇ ନୂଆ ସରକାର ଗଠନର ପ୍ରଥମ ଦିନରୁ ହିଁ ଆମେ ପଦକ୍ଷେପ ନେବା ଆରମ୍ଭ କରିଛୁ।

ଓଡିଆ ଅସ୍ମିତାର ସୁରକ୍ଷା ଓ ପ୍ରସାର ପାଇଁ ଆମ ସରକାର ୨୦୦ କୋଟି ଟଙ୍କାର ଏକ କର୍ପସ ପାଣ୍ଠି ଗଠନ କରିବା ସହିତ ଓଡିଆ ଅସ୍ମିତା ଭବନ ମଧ୍ୟ ପ୍ରତିଷ୍ଠା କରିବ। ଏହା ସହିତ ଓଡିଆ ଅନୁବାଦ ଏକାଡେମୀ, ତାଳପତ୍ର ପାଣ୍ଡୁଲିପି ସଂଗ୍ରହାଳୟ, ପାଇକ ବିଦ୍ରୋହ ସ୍ମାରକୀର ବିକାଶ ଆଦି ପଦକ୍ଷେପ ନିଆଯିବ। ଜାତୀୟ ଓ ଅନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟରେ ଓଡିଆ ଚେୟାର ପ୍ରତିଷ୍ଠା କରାଯିବ।

୨୦୩୬ ମସିହାରେ ଆମ ରାଜ୍ୟରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପାଳିତ ହେବ। ଏଥିପାଇଁ ମାତ୍ର ଆଉ ୧୨ ବର୍ଷ ସମୟ ରହିଲା।

ଗତ ୨୪ ବର୍ଷ ଥିଲା ଏକ ବିରାଟ କାଳଖଣ୍ଡ, ଏକ ଦୀର୍ଘ ସମୟ। ଓଡିଶାର ସାମାଜିକ ଓ ଆର୍ଥିକ ସ୍ଥିତି ଉପରେ ଯଦି ପୂର୍ବ ସରକାର ଗୁରୁତ୍ବ ଦେଇଥାନ୍ତେ, ତାହେଲେ ଆଜି ଆମ ପାଖରେ ଅନେକ ଅସମାହିତ ପ୍ରଶ୍ନ ନ ଥାନ୍ତା। ସେତେବେଳେ ଆମେ ବିରୋଧୀ ଦଳରେ ଥିଲୁ, ଆମେ ପ୍ରଶ୍ନ କରୁଥିଲୁ। ଆଉ ସରକାରୀ ଦଳର ସଦସ୍ୟ ମାନେ ଅହଂକାର ଦେଖାଉଥିଲେ। ଆଜି ପରିସ୍ଥିତି ବଦଳି ଯାଇଛି । ଭଗବାନ ସବୁ ସହନ୍ତି। କିନ୍ତୁ ଗର୍ବ ଓ ଅହଂକାର ସହନ୍ତି ନାହିଁ।

୨୦୩୬କୁ ଓଡିଶା ଇତିହାସର ଏକ ଉଜ୍ଜ୍ୱଳମୟ ସମୟ କରିବା   ପାଇଁ ଆମ ସରକାର ପ୍ରତିବଦ୍ଧ। ଏହି ଲକ୍ଷ୍ୟ ପୂରଣ ଦିଗରେ ଆଗାମୀ ୫ ବର୍ଷ ଆମ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ। ଏହି ୫ ବର୍ଷରେ ହିଁ ୨୦୩୬ ପାଇଁ ଆମର ବିକଶିତ ଓଡିଶାର ସ୍ୱପ୍ନ ପୂରଣର ମୂଳଦୁଆ ପ୍ରତିଷ୍ଠା ହେବ। ୨୦୪୭ର ବିକଶିତ ଭାରତର ପରିପ୍ରେକ୍ଷୀରେ ଆମେ ଓଡିଶାକୁ ଏକ ନମ୍ବର କରିବାର ଲକ୍ଷ୍ୟ ନେଇ ଦୃଢତାର ସହ ଉଦ୍ୟମ କରିବୁ। ଏଥିପାଇଁ ଏହି ୫ ବର୍ଷ ସମୟର ପ୍ରତ୍ୟେକ ମୁହୁର୍ତ୍ତକୁ ଆମେ ଓଡିଶାର ବିକାଶ ଓ ଅସ୍ମିତାର ପ୍ରତିଷ୍ଠା ଦିଗରେ ବିନିଯୋଗ କରିବୁ। ଦୃଢ ଲକ୍ଷ୍ୟ ଓ ନିରନ୍ତର ଉଦ୍ୟମରେ ଆମେ ସାଢେ ଚାରି କୋଟି ଓଡିଶାବାସୀଙ୍କ ସ୍ୱପ୍ନ ପୂରଣ କରିବା ଦିଗରେ ନିଶ୍ଚୟ ସଫଳ ହେବୁ।

ବିକଶିତ ଓଡିଶାର ଲକ୍ଷ୍ୟ ପୂରଣ ଦିଗରେ ଆମର ନିଷ୍ଠା ଓ ପ୍ରତିବଦ୍ଧତା ଉଲ୍ଲେଖନୀୟ। ସରକାର ଗଠନର ପ୍ରଥମ ଦିନରେ ହିଁ ଆମେ ଓଡିଶାର ଜନସାଧାରଣଙ୍କୁ ଦେଇଥିବା ୪ଟି ମୁଖ୍ୟ ପ୍ରତିଶ୍ରୁତି ପାଳନ କରିଛୁ।

ଶପଥ ଗ୍ରହଣର ସଂଧ୍ୟାରେ ରାଜ୍ୟ କ୍ୟାବିନେଟ୍ ବୈଠକରେ ଆମେ ଏହି ପ୍ରତିଶ୍ରୁତିଗୁଡିକୁ ଗ୍ରହଣ କରି ପଦକ୍ଷେପ ନେବା ଆରମ୍ଭ କରିଛୁ। ଏଗୁଡିକ ହେଲା- ପୁରୀ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲିବା, ଶ୍ରୀମନ୍ଦିରର ରକ୍ଷଣାବେକ୍ଷଣ ପାଇଁ ୫୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ କରିବା, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା କରିବା ଏବଂ ସୁଭଦ୍ରା ଯୋଜନାରେ ମହିଳାମାନଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରିବା।

ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡିଆ ଜାତିର ପ୍ରଥମ ପରିଚୟ। ମହାପ୍ରଭୁଙ୍କୁ ନେଇ ଓଡିଶାର ଜନସାଧାରଣଙ୍କ ଭାବାବେଗ ସର୍ବଜନ ବିଦିତ। ସେ ଭାବାବେଗରେ ଲାଗିଥିବା ଆଘାତକୁ ଦୂର କରିବା ପାଇଁ ଆମ ସରକାର ଶପଥ ଗ୍ରହଣ ଦିନର ସଂଧ୍ୟାରେ କ୍ୟାବିନେଟ ନିଷ୍ପତ୍ତି ନେଇ ତା ପର ଦିନ ମଙ୍ଗଳ ଆଳତି ସମୟରେ ମନ୍ତ୍ରୀମଣ୍ଡଳର ସଦସ୍ୟଙ୍କ ଉପସ୍ଥିତିରେ   ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲିଥିଲେ। ଲୋକଙ୍କ ଭାବାବେଗକୁ ସମ୍ମାନ ଦେବାରେ ଆମ ସରକାରର ପଦକ୍ଷେପ ଅଦ୍ୱିତୀୟ।

ଆମ ସରକାର ହେଉଛି ଗଣତାନ୍ତ୍ରିକ ଉପାୟରେ ପ୍ରତିଷ୍ଠିତ ଏକ ଲୋକାଭିମୁଖୀ ସରକାର। ଏକ ପ୍ରକୃତ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଜନସାଧାରଣଙ୍କ ଆଶା ଆକାଂକ୍ଷା ପ୍ରତିଫଳିତ ହୋଇଥାଏ। ଲୋକଙ୍କ ଉପରେ ବିକାଶ ଲଦି ଦିଆଯାଏ ନାହିଁ।

ଆମ ସରକାର ପ୍ରଥମ ଦିନରୁ ହିଁ ସାଧାରଣ ଲୋକଙ୍କ ସହିତ ଖୋଲା ମନରେ ମିଶି ସେମାନଙ୍କ ସୁଖଦୁଃଖ ଶୁଣିବା ସହିତ ସେମାନଙ୍କ ସୁବିଧା ଅସୁବିଧା ଦୂର କରିବା ଦିଗରେ ପ୍ରଚେଷ୍ଟା କରୁଛି। ଆମର ଅଭିଯୋଗ ଶୁଣାଣି ବ୍ୟବସ୍ଥାକୁ ନିୟମିତ କରାଯାଇ ମୁଁ ଓ ମୋର ମନ୍ତ୍ରୀମଣ୍ଡଳର ସଦସ୍ୟମାନେ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ପ୍ରୟାସ କରୁଛୁ। ଆମର ବଜେଟ୍ ପ୍ରକ୍ରିୟା ପାଇଁ ମଧ୍ୟ ହଜାର ହଜାର ଲୋକ, ଅର୍ଥନୈତିକ ବିଶେଷଜ୍ଞ, ବୁଦ୍ଧିଜୀବୀ ଓ  ବିଭିନ୍ନ ବର୍ଗର ପ୍ରତିନିଧିମାନଙ୍କ ମତାମତ ଗ୍ରହଣ କରାଯାଇଛି। ଅନ୍‌ ଲାଇନ ଜରିଆରେ ୧୨ ହଜାରରୁ ଅଧିକ ଲୋକ ବଜେଟ ଉପରେ ତାଙ୍କର ମତାମତ ଦେଇଥିଲେ। ଯାହାକି ପୂର୍ବ ବର୍ଷର ମତାମତ ତୁଳନାରେ ୬ ଗୁଣ । ଏହାକୁ ଲୋକଙ୍କ ବଜେଟ କରିବା ପାଇଁ ଆମର ପ୍ରୟାସ ସଫଳ ହେଉଛି। ଆମର ପ୍ରତ୍ୟେକ ଉଦ୍ୟମରେ ସାଧାରଣ ଜନତାଙ୍କ ମତାମତକୁ ଗୁରୁତ୍ୱ ଦେବାର ପ୍ରକ୍ରିୟା ଜାରି ରହିବ। ଏହା ଦ୍ୱାରା ଆମ ଗଣତନ୍ତ୍ର ଆହୁରି ସୁଦୃଢ ହେବ ବୋଲି ମୋର ବିଶ୍ୱାସ।

ରାଜ୍ୟର ସବୁ ବର୍ଗର ଜନସାଧାରଣଙ୍କ ଉନ୍ନତି ଆମର ଲକ୍ଷ୍ୟ। ବିଶେଷ କରି ଆମର ଅନ୍ନଦାତା, ଆମର କୃଷକ ଭାଇଭଉଣୀମାନଙ୍କ ବିକାଶ ଓ ଆର୍ଥିକ ଉନ୍ନତି ଆମର ପ୍ରାଥମିକତା। ସେମାନଙ୍କ ବିକାଶ ପାଇଁ ଆମେ ‘ସମୃଦ୍ଧ କୃଷକ ନୀତି’ ପ୍ରଚଳନ କରିବା ସହିତ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛୁ। ଏହି ଟଙ୍କା ଧାନ ସଂଗ୍ରହର ୪୮ ଘଣ୍ଟା ମଧ୍ୟରେ ପ୍ରଦାନ କରାଯିବ। ପୂର୍ବ ସରକାର ୧୦୦ ଟଙ୍କା ବୋନସ୍‌ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ପୂରଣ କରିପାରିଲେ ନାହିଁ। କିନ୍ତୁ ଆଜି ଆମେ ୮୦୦ ଟଙ୍କା ଅଧିକ ଦେଇପାରୁଛୁ। ମଣ୍ଡି ଗୁଡିକରେ ସ୍ବଚ୍ଛତାର ସହ ଧାନ କିଣା ପ୍ରକ୍ରିୟା ଉପଲବ୍‌ଧ କରାଇବା ପାଇଁ ବିଭିନ୍ନ ଆଧୁନିକ ଯନ୍ତ୍ରପାତିର ବ୍ୟବହାର କରାଯିବା ସହିତ ପ୍ରକ୍ରିୟାକୁ ସରଳ କରାଯିବ। କୃଷି କ୍ଷେତ୍ରର ବିକାଶ ପାଇଁ ବୈଜ୍ଞାନିକ ପଦ୍ଧତିର ପ୍ରୟୋଗ ସହିତ ମାର୍କେଟ ବ୍ୟବସ୍ଥାର ସୁଦୃଢିକରଣ କରାଯିବ।

ମହିଳାମାନେ ଆମ ଲୋକ ସଂଖ୍ୟାର ୫୦ ପ୍ରତିଶତ। ସେମାନଙ୍କ ଉନ୍ନତି ବିନା ରାଜ୍ୟର ଉନ୍ନତି ଚିନ୍ତା କରିବା ଅସମ୍ଭବ। ସୁଭଦ୍ରା ଯୋଜନାରେ ମହିଳାମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିବା ପାଇଁ ଆମେ ନିଷ୍ପତ୍ତି ନେଇଛୁ। ସେପ୍ଟେମ୍ବର ୧୭ ତାରିଖରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ପୂଣ୍ୟ ଜନ୍ମତିଥିରେ ତାଙ୍କ ଗରିମାମୟ ଉପସ୍ଥିତିରେ ଏହି ଯୋଜନା କାର୍ଯ୍ୟକାରୀ କରିବାର ଲକ୍ଷ୍ୟ ରଖା ଯାଇଛି। ଏହା ଦ୍ୱାରା ମହିଳାମାନଙ୍କ ଆର୍ଥିକ ସ୍ୱାଧୀନତା, ସଶକ୍ତିକରଣ ଓ ନିଜସ୍ୱ ଉଦ୍ୟମରେ ସ୍ୱପ୍ନ ସାକାର କରିବାର ଲକ୍ଷ୍ୟ ପୂରଣ ହୋଇପାରିବ। ଏହା ଆମର ନାରୀଶକ୍ତିକୁ ଉଜାଗର କରିବା ସହିତ ସେମାନଙ୍କ ମଧ୍ୟରେ ନୂଆ ଉର୍ଜା ସଞ୍ଚାର କରିବ। ଏହା ସହିତ ସ୍ୱୟଂସହାୟକ ଗୋଷ୍ଠୀ ଜରିଆରେ ରାଜ୍ୟରେ ଆଗାମୀ ୩ ବର୍ଷରେ ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବାର ଲକ୍ଷ୍ୟ ମଧ୍ୟ ରଖାଯାଇଛି।

ପୂର୍ବ ସରକାର ମହିଳା ମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ଅନେକ କଥା କହୁଥିଲେ। କିନ୍ତୁ ବାସ୍ତବରେ ତାହା ପାଣିର ଗାର ଥିଲା।

ଶିକ୍ଷା ହେଉଛି ବିକାଶର ମୂଳମନ୍ତ୍ର। ବର୍ତ୍ତମାନ ସମୟର ଆବଶ୍ୟକତାକୁ ଅନୁଭବ କରି ରାଜ୍ୟ ସରକାର ଓଡିଶାରେ ‘ଜାତୀୟ ଶିକ୍ଷା ନୀତି-୨୦୨୦’ ଢାଞ୍ଚାରେ ଏକ ରାଜ୍ୟସ୍ତରୀୟ ଶିକ୍ଷାନୀତି ପ୍ରଣୟନ କରିବେ। ଉଚ୍ଚ ଶିକ୍ଷା ବିଶେଷକରି ଆଇନ, ଡାକ୍ତରୀ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମକୁ ଓଡିଆ ଭାଷାରେ ଉପଲବ୍ଧ କରାଇବା ଏହାର ଏକ ଲକ୍ଷ୍ୟ। ଏହା ସହିତ ବିଦ୍ୟାଳୟଗୁଡିକରେ କାଉନ୍‌ସେଲିଂ ସେଣ୍ଟର ପ୍ରତିଷ୍ଠା, ୨୦୩୦ ସୁଦ୍ଧା ସମସ୍ତ ଅଙ୍ଗନବାଡିକୁ ‘ସକ୍ଷମ ଅଙ୍ଗନବାଡି’ରେ ପରିଣତ କରିବା ଏବଂ ଶିକ୍ଷାର ବିକାଶ ପାଇଁ ଶିକ୍ଷକମାନଙ୍କ ପ୍ରଶିକ୍ଷଣରେ ଉନ୍ନତି ଆଣିବାର ବ୍ୟବସ୍ଥା କରାଯିବ।

ଶିକ୍ଷା କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବା ପାଇଁ  ସରକାରୀ ବିଦ୍ୟାଳୟରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପ୍ଲାଟଫର୍ମ ସୃଷ୍ଟି କରାଯିବ। ରାଜ୍ୟରେ ୮୦୦ଟି ସରକାରୀ ବିଦ୍ୟାଳୟକୁ ପି.ଏମ୍.ଶ୍ରୀ ବିଦ୍ୟାଳୟ ଭାବେ ବିକଶିତ କରାଯିବ। ଏହା ସହିତ ଯୁବବର୍ଗଙ୍କୁ ନିଯୁକ୍ତିଯୋଗ୍ୟ କରିବା ପାଇଁ ଆଧୁନିକ ଶିଳ୍ପର ଚାହିଦାକୁ ଦେଖି ଦକ୍ଷତାର ବିକାଶ କରାଯିବ ଏବଂ ଦକ୍ଷତା ବିକାଶ କାର୍ଯ୍ୟକ୍ରମର ବିକେନ୍ଦ୍ରୀକରଣ କରାଯିବ। ସରକାରୀ କ୍ଷେତ୍ରରେ ଖାଲିଥିବା ପଦବୀଗୁଡିକ ପୂରଣ ଉପରେ ପ୍ରାଥମିକତା ଦିଆଯାଇ ୧.୫୦ ଲକ୍ଷ ସରକାରୀ ପଦବୀ ପୂରଣ କରାଯିବ। ଆସନ୍ତା ୨ ବର୍ଷ ମଧ୍ୟରେ ଆମ ସରକାର ୬୫ ହଜାର ସରକାରୀ ପଦବୀ ପୂରଣ କରିବେ।

ଯୁବଶକ୍ତିର ସ୍ପର୍ଦ୍ଧା, ପରାକାଷ୍ଠା ଓ ମିଳିତ ଉଦ୍ୟମର ପ୍ରଦର୍ଶନ କ୍ଷେତ୍ରରେ କ୍ରୀଡା ଏକ ପ୍ରମୁଖ ମାଧ୍ୟମ। ଓଡିଶାର କ୍ରୀଡା ସଂସ୍କୃତିକୁ ପ୍ରୋତ୍ସାହିତ କରିବା ଏବଂ ବିଶ୍ୱସ୍ତରୀୟ କ୍ରୀଡାବିତ ସୃଷ୍ଟି କରିବା ପାଇଁ ଆମ ସରକାର କାର୍ଯ୍ୟକ୍ରମ ହାତକୁ ନେବେ। ଏଥିରେ ଗ୍ରାମାଞ୍ଚଳରେ କ୍ରୀଡା ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ୱ ଦିଆଯିବ।

ଓଡିଶାବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ଆମ ସରକାର ରାଜ୍ୟରେ ‘ଆୟୁଷ୍ମାନ ଭାରତ- ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା’ କାର୍ଯ୍ୟକାରୀ କରିବେ। ଡାକ୍ତର ଅଭାବ ପୂରଣ ପାଇଁ ରାଜ୍ୟରେ ୩୦୦୦ ନୂଆ ଡାକ୍ତର ନିଯୁକ୍ତି ଦିଆଯିବ।

ସ୍ୱାସ୍ଥ୍ୟ ଉପକେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକୁ ଆରୋଗ୍ୟ ମନ୍ଦିରରେ ପରିଣତ କରାଯିବ। ସ୍ୱାସ୍ଥ୍ୟସେବାର ସବୁ ସ୍ତରରେ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ କରାଯିବ।

ଗତକାଲି କେନ୍ଦ୍ର ସରକାର ଏକ ବିକାଶ ଅଭିମୁଖୀ, ଦୂରଦୃଷ୍ଟି ସମ୍ପନ୍ନ ବଜେଟ ଉପସ୍ଥାପନ କରିଛନ୍ତି। ସେଥିରେ ଗରିବ, ମହିଳା, ଯୁବବର୍ଗ ଓ ଅନ୍ନଦାତା ବା କୃଷକ ସମାଜକୁ ପ୍ରାଧାନ୍ୟ ଦିଆଯାଇଛି। ଆବାସ ଯୋଜନାରେ ଓଡିଶାକୁ ଗ୍ରାମାଞ୍ଚଳ ପାଇଁ ୧୦ ଲକ୍ଷ ଓ ସହରାଞ୍ଚଳ ପାଇଁ ୫ ଲକ୍ଷ ଆବାସର ବ୍ୟବସ୍ଥା କରାଯାଇଛି। ଏଥିରେ ଓଡିଶାକୁ ୧୯,୫୦୦ କୋଟି ଟଙ୍କା ମିଳିବ। ପୂର୍ବୋଦୟ ବିକାଶ ଯୋଜନାରେ ଓଡିଶାକୁ ଗୁରୁତ୍ବ ଦିଆଯାଇଛି।

ପୂର୍ବରୁ ରାଜ୍ୟ ସରକାର କେନ୍ଦ୍ର ଯୋଜନା ଗୁଡିକୁ ରାଜ୍ୟରେ କାର୍ଯ୍ୟକାରୀ କରିବା ପାଇଁ କୁଣ୍ଠାବୋଧ କରୁଥିଲେ। ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ ନିବେଦନକୁ ସମର୍ଥନ ଦେଇ ଓଡିଶାର ଲୋକ ଡବଲ ଇଞ୍ଜିନ ସରକାର ଗଠନ କରିଛନ୍ତି । ବର୍ତ୍ତମାନ ଓଡିଶାର ଡବଲ ଇଞ୍ଜିନ ସରକାର ଓଡିଶାର ଆର୍ଥିକ ପ୍ରଗତୀକୁ ଦ୍ରୁତ ଗତିରେ ତ୍ବରାନ୍ବିତ କରିବେ।

ସେହିପରି ରେଳ ବଜେଟରେ ମଧ୍ୟ ୨୦୧୪ ମସିହା ପୂର୍ବରୁ ଓଡିଶାକୁ ମାତ୍ର ୮୩୮ କୋଟି ଟଙ୍କା ମିଳୁଥିଲା। ୨୦୨୪-୨୫ ଆର୍ଥିକ ବର୍ଷରେ ଆମକୁ ୧୦,୫୨୬ କୋଟି ଟଙ୍କା ମିଳିଛି। ଏହା ପୂର୍ବ ଅପେକ୍ଷା ୧୨.୫ ଗୁଣ ଅଧିକ। ଓଡିଶାରେ ରେଳ କ୍ଷେତ୍ରରେ ଶତ ପ୍ରତିଶତ ବିଦ୍ୟୁତିକରଣ କରାଯାଇଛି। ଏ ବର୍ଷ ମଧ୍ୟ ୫୯ଟି ଷ୍ଟେସନକୁ ଅମୃତ ଷ୍ଟେସନ ଭାବରେ ବିକଶିତ କରାଯିବାର ନିଷ୍ପତ୍ତି ନିଆଯାଇଛି।

ଓଡିଶାର ସବୁ ବର୍ଗର ଲୋକଙ୍କ ବିକାଶ ଏବଂ ସବୁ ଅଞ୍ଚଳ ମଧ୍ୟରେ ଆର୍ଥିକ ସମାନତା ଆଣିବା ପାଇଁ ଆମ ସରକାର ଉଦ୍ୟମ ଜାରି ରଖିବ। ଲୋକଙ୍କ ସହଯୋଗରେ ଲୋକଙ୍କ ସରକାର ଲୋକଙ୍କ ଆଶା ଆକାଂକ୍ଷା ପୂରଣ କରିବା ଦିଗରେ ସମ୍ପୂର୍ଣ୍ଣ ଭାବେ ସଫଳ ହେବ।

ରାଜ୍ୟପାଳ ଏକ ସମୃଦ୍ଧ, ସଶକ୍ତ ଓ ବିକଶିତ ଓଡିଶା ପାଇଁ ଆମକୁ ଆହ୍ବାନ ଦେଇଛନ୍ତି। ଆମେ ସେହି ଆହ୍ବାନକୁ ଗ୍ରହଣ କରି କଠିନ ପରିଶ୍ରମ କରି ଆମର ପୂର୍ବ ଗୌରବକୁ ଫେରାଇ ଆଣିବୁ ଏବଂ ୨୦୩୬ରେ ଏକ ବିକଶିତ ଓଡିଶା ଗଠନ କରିବୁ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ହଟ୍ଟଗୋଳରୁ ଆରମ୍ଭ ହେଲା ବିଧାନସଭା, ଦୁଇ ବିରୋଧୀ ଦଳର କକ୍ଷତ୍ୟାଗ, ଛିଡା ହୋଇ ପ୍ରତିବାଦ କଲେ ନବୀନ

ଭୁବନେଶ୍ବର: ଆଜି ଆରମ୍ଭ ହୋଇଛି ନୂଆ ସରକାରଙ୍କର ବିଧାନସଭାର ପ୍ରଥମ ଅଧିବେସନ। ଆଜି ଏହି ଅଧିବେସନରେ ରାଜ୍ୟପାଳ ରଘୁବର ଦାସଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି। ତେବେ ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ କକ୍ଷତ୍ୟାଗ କରିଛନ୍ତି। ଫଳରେ ବିନା ବିରୋଧୀରେ ରାଜ୍ୟପାଳ ତାଙ୍କର ଅଭିଭାଷଣ ଉପସ୍ଥାପନ କରୁଛନ୍ତି।

ପ୍ରଥମେ ଗୃହ ଆରମ୍ଭ ହେବା ମାତ୍ରା ଶାସକ ବିଜେପି ବିଧାୟକମାନେ ଜୟ ଶ୍ରୀରାମ ଏବଂ ଜୟ ଜଗନ୍ନାଥ କହି ଗୃହ ଭିତରେ ପ୍ରବେଶ କରିଥିଲେ। ଏହାପରେ ବିରୋଧୀ କଂଗ୍ରେସ ଓଡିଆ ଅସ୍ମିତା କୁଆଡା ଗଲା ବୋଲି କହି ଗୃହ ମଧ୍ୟରେ ହଟ୍ଟଗୋଳ କରିଥିଲେ। ସେହିପରି ବିଜେଡି ମଧ୍ୟ ରାଜ୍ୟପାଳଙ୍କ ଭାଷଣକୁ ବିରୋଧ କରି କକ୍ଷତ୍ୟାଗ କରିଥିଲେ। ଗୃହରେ ହଟ୍ଟଗୋଳ ଚାଲିଥିବା ବେଳେ ନବୀନ ତାଙ୍କ ଆସନରେ ଛିଡା ହୋଇ ପ୍ରତିବାଦ କରିଛନ୍ତି।

ଆଜି ବିଧାନସଭା ଆରମ୍ଭ ପୂର୍ବରୁ ରାଜ୍ୟପାଳ ରଘୁବର ଦାସଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। ତାଙ୍କୁ ବାଚସ୍ପତି ସୁରମା ପାଢୀ ସ୍ବାଗ କରିବା ସହିତ ଗୃହ ଭିତରକୁ ପାଛୋଟି ନେଇଥିଲେ। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ନିଜନିଜ ବିଧାୟକଙ୍କ ସହିତ ଗୃହରେ ପ୍ରବେଶ କରିଥିଲେ। ବର୍ତ୍ତମାନ ରାଜ୍ୟପାଳ ତାଙ୍କର ଅଭିଭାଷଣ ପ୍ରଦାନ କରୁଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବରେ ଓଡିଶାର ବିକାଶର ଚିତ୍ର ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ରଖିଛନ୍ତି। ଧନ୍ୟବାଦ ପ୍ରସ୍ତାବ ଉପରେ ମୁଖ୍ୟମନ୍ତ୍ରୀ ୨୦ ତଥ୍ୟ ଗୃହରେ ଉପସ୍ଥାପିତ କରିଥିଲେ। ସେଗୁଡିକ ହେଲା

୧. ଗତ ଏକ ବର୍ଷ ହେଲା ସାରା ବିଶ୍ବ ଏକ ଅଭୂତପୂର୍ବ ସଙ୍କଟ ମଧ୍ୟ ଦେଇ ଗତି କରୁଛି । ମାନବ ସଭ୍ୟତାର ଇତିହାସରେ କେବେ ବି ଏପରି ଏକ ଭୟଙ୍କର ମହାମାରୀ ସାରା ବିଶ୍ବକୁ କବଳିତ କରି ନଥିଲା । ଏହି ସଙ୍କଟ ପ୍ରତ୍ୟେକ ଦେଶ, ପ୍ରତ୍ୟେକ ସହର, ପ୍ରତ୍ୟେକ ଗାଁ ତଥା ପ୍ରତି ବ୍ୟକ୍ତିକୁ ପ୍ରଭାବିତ କରିଛି। ଏହା କେବଳ ଏକ ଜନସ୍ବାସ୍ଥ୍ୟ ସମସ୍ୟା ନୁହେଁ, ଏହା ସମସ୍ତଙ୍କର ଅର୍ଥନୀତି ତଥା ଜୀବନ ଜିବିକାକୁ ମଧ୍ୟ ଭୀଷଣ କ୍ଷତି କରିଛି।

୨. କୋଭିଡ଼-୧୯ ମହାମାରୀ ସୃଷ୍ଟି କରିଥିବା ଆହ୍ବାନକୁ ସମ୍ମୁଖୀନ ହେବାରେ ଆମର ବିପର‌୍ୟ୍ୟୟ ପ୍ରସ୍ତୁତି ତଥା ଜନସାଧାରଣଙ୍କ ସହଯୋଗ ପାଇଁ ମୁଁ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଉଛି। ପରିସ୍ଥିତିର ଆଗୁଆ ଆକଳନ କରି ଆମ ସରକାର ଦୂରଦୃଷ୍ଟିର ସହ ଅନେକ ଆଗୁଆ ପଦକ୍ଷେପ ନେଇଛନ୍ତି। ଏହା ଥିଲା ଏକ ସଂପୂର୍ଣ୍ଣ ଭିନ୍ନ ଧରଣର ଯୁଦ୍ଧ ଏବଂ ଆମେ ସମସ୍ତେ ଏକ ଅଜଣା ଓ ଅଦୃଶ୍ୟ ଶତ୍ରୁ ବିରୋଧରେ ସଂଗ୍ରାମ କରୁଥିଲୁ। ସେ ଯାହାହେଉ ନା କାହିଁକି ଏକ ସମାଜ ଭାବରେ ଆମେ ସାହସ ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ଏହାର ଫଳପ୍ରଦ ମୁକାବିଲା କରିପାରିଛୁ।

୩.  ଓଡ଼ିଶାରେ କୋଭିଡ଼ର ପ୍ରଥମ ରୋଗୀ ଚିହ୍ନଟ ହେବାର ପୂର୍ବରୁ ଏହାକୁ ଏକ ବିପର‌୍ୟ୍ୟୟ ଭାବରେ ଘୋଷଣା କରିବାରେ ଆମେ ଥିଲୁ ଦେଶର ଅଳ୍ପ କେତେକ ରାଜ୍ୟମାନଙ୍କ ମଧ୍ୟରେ ଅନ୍ୟତମ। ଜାତୀୟ ସ୍ତରରେ ଲକଡ଼ାଉନ ଘୋଷଣାର ବହୁ ପୂର୍ବରୁ ଆମ ରାଜ୍ୟ ଓଡ଼ିଶା ପ୍ରତିଷେଧକ ମୂଳକ ପଦକ୍ଷେପ ଭାବରେ ଲକ୍ଷ୍ୟ ଭିତ୍ତିକ ଲକଡ଼ାଉନ ଘୋଷଣା କରିଥିଲା। ସାରା ରାଜ୍ୟରେ କୋଭିଡ଼ ନିୟମାବଳୀକୁ କଡ଼ାକଡ଼ି ଭାବରେ ଲାଗୁ କରିଥିଲୁ। ଏହା ହିଁ ଭାଇରସ ସଂକ୍ରମଣକୁ ରୋକିବାରେ ବହୁ ପରିମାଣରେ ସାହାଯ୍ୟ କରିଥିଲା।

୪. ଗରିବ ଲୋକମାନେ ଯେପରି ଅସୁବିଧାରେ ନପଡ଼ିବେ ସେଥିପାଇଁ ଆମେ ସେମାନଙ୍କ ପାଇଁ ଖାଦ୍ୟ ସାମଗ୍ରୀ, ପେନସନ ଓ ବୃତ୍ତି ଆଦିର ବ୍ୟବସ୍ଥା କରିଥିଲୁ। ଅଙ୍ଗନବାଡ଼ି ମାଧ୍ୟମରେ ମଧ୍ୟ ଖାଦ୍ୟ ଯୋଗାଇ ଦିଆଯାଉଥିଲା। ରାଜ୍ୟରେ ଅନେକ ସ୍ଥାନରେ ମାଗଣା ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଥିଲା। ବୁଲା ବିକାଳୀଙ୍କ ପରି ଅଧିକ ସମ୍ବେଦନଶୀଳ ବର୍ଗଙ୍କ ପାଇଁ ଆଥିର୍କ ସହାୟତାର ମଧ୍ୟ ବ୍ୟବସ୍ଥା କରାଯାଇଥିଲା।

୫.  କେବଳ କୋଭିଡ଼ ରୋଗର ଚିକିତ୍ସା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ୟରୟସମବଗ୍ଧରୟ  କୋଭିଡ଼ ଡ଼ାକ୍ତରଖାନା କରିବାରେ ଓଡ଼ିଶା ହିଁ ଥିଲା ପ୍ରଥମ ରାଜ୍ୟ। ବଡ଼ ବଡ଼ ଘରୋଇ ଡ଼ାକ୍ତରଖାନା ସହିତ ମିଶି ଆମେ ସାରା ରାଜ୍ୟରେ କୋଭିଡ଼ ଡ଼ାକ୍ତରଖାନା ଖୋଲିଥିଲୁ। ଏସବୁ କାମ ରେକର୍ଡ଼ ସମୟ ମଧ୍ୟରେ ବ୍ୟବସ୍ଥା କରାଯାଇଥିଲା। covid care  centre ଏବଂ temporary medical camp   ସହିତ ଏହି କୋଭିଡ଼ ଡ଼ାକ୍ତରଖାନାଗୁଡ଼ିକ କମ୍ ସମୟ ମଧ୍ୟରେ ହଜାର ହଜାର ରୋଗୀକୁ ସଫଳ ଭାବରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଇଥିଲେ। ଅଗଷ୍ଟ-ସେପ୍ଟେମ୍ବର ୨୦୨୦ ମାସରେ ରାଜ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ସଂକ୍ରମଣ ସମୟରେ ମଧ୍ୟ ଯେପରି ଲୋକମାନେ ଆତଙ୍କିତ ହେବେ ନାହିଁ ସେ ଦିଗରେ ଏହି ଡ଼ାକ୍ତରଖାନାଗୁଡ଼ିକ  ଏବଂ ଆମ୍ବୁଲାନ୍ସ ସେବା ତାର ନିରଳସ ଉଦ୍ୟମ ଜାରି ରଖିଥିଲା।

୬. ସେ ସଙ୍କଟ ସମୟରେ ଓଡ଼ିଶା ବାହାରେ ରହୁଥିବା ଆମର ଲକ୍ଷ ଲକ୍ଷ ଭାଇ ଭଉଣୀ ନିଜ ନିଜ ଘରକୁ ଫେରିଥିଲେ। ସେହି ଦାୟିତ୍ବକୁ ଆମେ ଅତ୍ୟନ୍ତ ଦକ୍ଷତା ଓ ସମ୍ବେଦନଶୀଳତାର ସହ ନିର୍ବାହ କରିଥିଲୁ। ଗାଁ ସ୍ତର ପର‌୍ୟ୍ୟନ୍ତ ଏଭଳି ବିପୁଳ ସଂଖ୍ୟାରେ ସଙ୍ଗରୋଧ କେନ୍ଦ୍ର ଖୋଲିବାରେ ଆମେ ସମ୍ଭବତଃ ଦେଶର ଏକମାତ୍ର ରାଜ୍ୟ ଥିଲୁ। ସାରା ରାଜ୍ୟରେ କୋଭିଡ଼ ସଙ୍କଟର ସଫଳ ମୁକାବିଲା ପାଇଁ ଆମର ସରପଞ୍ଚ, ପଞ୍ଚାୟତ ପ୍ରତିନିଧି, ମିଶନ ଶକ୍ତିର ମା’ମାନେ ଏବଂ ଆଶା କର୍ମୀଙ୍କ ପରି କ୍ଷେତ୍ର କର୍ମଚାରୀ ମାନେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଦାୟିତ ନିର୍ବାହ କରିଥିଲେ।

୭. ସେହି ସମୟରେ ଆମେ ଅମ୍ପାନ ମହାବାତ୍ୟାର ମଧ୍ୟ ସମ୍ମୁଖୀନ ହୋଇଥିଲୁ। ଜନସାଧାରଣଙ୍କ ସାହାଯ୍ୟ ଓ ସହଯୋଗ ଯୋଗୁଁ ଏହି ଆହ୍ବାନର ମଧ୍ୟ ସଫଳ ମୁକାବିଲା କରିଥିଲୁ।

୮. ଆମ କୋଭିଡ଼ ପରିଚାଳନାର ବିଶେଷତ୍ବ ଥିଲା ପରୀକ୍ଷା ଠାରୁ ଆରମ୍ଭ କରି treatment  ପର‌୍ୟ୍ୟନ୍ତ ସବୁକିଛି ସମସ୍ତଙ୍କ ପାଇଁ ମାଗଣାରେ ହିଁ ମିଳୁଥିଲା। କୋଭିଡ଼ ପଜିଟିଭ ରୋଗୀଙ୍କୁ ଶୀଘ୍ର ଚିହ୍ନଟ କରିବା, ଅଲଗା ରଖିବା ତଥା treatment  କରିବାରେ ଏହା ବିଶେଷ ସହାୟକ ହୋଇଥିଲା। ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟରେ ମୃତ୍ୟୁ ସଂଖ୍ୟା କମ୍ କରିବାରେ ଏହା ଥିଲା ଏକ ମୁଖ୍ୟ କାରଣ। କୋଭିଡ଼ ପରିଚାଳନା ରେ ଗୋଷ୍ଠୀକୁ ଅନ୍ତଭୁର୍କ୍ତ କରିବା ଦ୍ବାରା ଆମେ ବ୍ୟାପକ ସଚେତନତା ସୃଷ୍ଟି କରିପାରିଥିଲୁ ଏବଂ ସ୍ଥାନୀୟ ଭାବରେ ମଧ୍ୟ କୋଭିଡ଼ ରୋଗ ପରିସ୍ଖଳନା ଠିକ୍ ଭାବରେ କରିପାରିଥିଲୁ। ମହାମାରୀର ସଫଳ ମୁକାବିଲା ପାଇଁ ଓଡ଼ିଶା WHO ତଥା ଅନ୍ୟ ପ୍ରସିଦ୍ଧ ଅନୁଷ୍ଠାନଗୁଡ଼ିକ ଦ୍ବାରା ମଧ୍ୟ ପ୍ରଶଂସିତ ହୋଇଛି।

୯. ଏକ ଅନିଶ୍ଚିତ ପରିସ୍ଥିତି ତଥା ସାମାଜିକ ପ୍ରତିବନ୍ଧକରୁ ଆମେ ଆଜି ଟୀକାକରଣରେ ପହଞ୍ଚିଛୁ ଏବଂ ଜୀବନ ସ୍ବାଭାବିକ ହେବା ଆରମ୍ଭ କରିଛି। ଏହି ଅବସରରେ ମୁଁ ଆମର ପଞ୍ଚାୟତ ପ୍ରତିନିଧିମାନଙ୍କ ଠାରୁ ଆରମ୍ଭ କରି ମିଶନ ଶକ୍ତିର ମା ମାନଙ୍କୁ, ପ୍ରଶାସନ ସ୍ବାସ୍ଥ୍ୟ ବିଭାଗର କର୍ମସ୍ଖରୀ, ପୋଲିସ ଇତ୍ୟାଦି ସମସ୍ତକୁ ଦୀର୍ଘ ସମୟଧରି ସେମାନଙ୍କ କଠିନ ପରିଶ୍ରମ ପାଇଁ ଧନ୍ୟବାଦ ଜଣାଉଛି। କରୋନା ବିରୋଧରେ ସଂଗ୍ରାମରେ ଶହୀଦ ହୋଇଥିବା ଆମର କୋଭିଡ଼ ଯୋଦ୍ଧାମାନଙ୍କ ତ୍ୟାଗକୁ ଆମେ ସବୁଦିନ ଶ୍ରଦ୍ଧାର ସହ ସ୍ମରଣ କରୁଥିବୁ। ଏହି ଯୋଦ୍ଧାମାନଙ୍କ ପରିବାରକୁ ସରକାର ସବୁପ୍ରକାର ସହଯୋଗ ଯୋଗାଇ ଦେବେ। ଯଦିଓ ସଂକ୍ରମଣ କମିଛି ତଥାପି ଯୁଦ୍ଧ ବିରତି ପାଇଁ ଆମକୁ ଆହୁରି ପଥ ଅତିକ୍ରମ କରିବାକୁ ହେବ। ମହାରାଷ୍ଟ୍ର ତଥା ଅନ୍ୟ କେତେକ ରାଜ୍ୟରେ ଏବେ ଯେଭଳି କୋଭିଡ଼ ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବୃଦ୍ଧି ପାଉଛି ତାହା ଚିନ୍ତାଜନକ। ତେଣୁ ମାସ୍କ ପିନ୍ଧିବା ସାମାଜିକ ଦୂରତ୍ବ ରଖିବା ଏବଂ କୋଭିଡ଼ ନିୟମାବଳୀକୁ କଡ଼ାକଡ଼ି ଭାବରେ ପାଳନ କରିବା ପାଇଁ ମୁଁ ଓଡ଼ିଶାବାସୀକୁ ଅନୁରୋଧ କରୁଛି।

୧୦.  ଆମ ସରକାର ସବୁବେଳେ ଗୋଟିଏ ଲକ୍ଷ୍ୟ ନେଇ କାମ କରୁଛି, ତାହା ହେଲା ପ୍ରତିଟି ଜୀବନ  ଆମ ପାଇଁ ମୂଲ୍ୟବାନ। ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ବିକାଶ ପାଇଁ ଆମେ ଅନେକ ଅର୍ଥ ଖର୍ଚ୍ଚ କରୁଛୁ। ଜିଲ୍ଲା ଚିକିସିାଳୟ ତଥା ମେଡ଼ିକାଲ କଲେଜ ପରି ବଡ଼ ବଡ଼ ସ୍ବାସ୍ଥ୍ୟ ପ୍ରକଳ୍ପ କାମ ଜାରି ରହିଛି। SCB medical college and Hospital  କୁ ଦେଶର ଏକ ଅଗ୍ରଣୀ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଭାବରେ ଗଢ଼ିବା ପାଇଁ ଆମେ ୩୫୦୦ କୋଟି ଟଙ୍କା ବିନିଯୋଗର ପ୍ରସ୍ତାବ ରଖିଛୁ। ମୁଁ ଆଶା କରୁଛି ଯେ ଏଭଳି ଏକ ଉଚ୍ଚସ୍ତରୀୟ ସ୍ବାସ୍ଥ୍ୟ ଭିତ୍ତିଭୂମି ଏବଂ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଦ୍ବାରା ଆମ ରାଜ୍ୟର ଲୋକମାନେ ମାଗଣାରେ ବିନା ଗୁଣାତ୍ମକ ସ୍ବାସ୍ଥ୍ୟ ସେବା ପାଇପାରିବେ।

୧୧. ରାଜ୍ୟ ଅର୍ଥନୀତିକୁ ମହାମାରୀ ପ୍ରଭାବରୁ ପୁନରୁଦ୍ଧାର କରିବା ଆମର ଆଉ ଏକ ଗୁରୁତ୍ବପୂର୍ଣ୍ଣ ଆହ୍ବାନ ଥିଲା। ମୁଁ ଖୁସିର ସହ କହିବାକୁ ସ୍ଖହେଁ ଯେ ଆମ ଅର୍ଥନୀତି ପୂର୍ବ ଅବସ୍ଥାକୁ ଫେରି ଆସିଛି ଏବଂ ଗତବର୍ଷର ଏହି ସମୟ ତୁଳନାରେ ଆମର ରାଜସ୍ବ ୭.୫% ବୃଦ୍ଧି ପାଇଛି। ଓଡ଼ିଶାର ଆଥିର୍କ ସ୍ଥିତି ଦେଶର ଅନ୍ୟ ରାଜ୍ୟମାନଙ୍କ ଠାରୁ ବହୁତ ଭଲ ଅଛି।

୧୨. ମହାମାରୀ ସଙ୍କଟରୁ ଉଦ୍ଧରିବା ପାଇଁ ଆମେ  MSME ମାନଙ୍କୁ ଆଥିର୍କ ସହାୟତା ଦେଇଛୁ। ଲକ୍ଡ଼ାଉନ୍ ସମୟରେ ଯେପରି ଶିଳ୍ପମାନଙ୍କର ଯୋଗାଣ ଓ production ପ୍ରଭାବିତ ନହୁଏ, ସେଥିପାଇଁ ଆମେ ସେମାନଙ୍କ ସହ ନିରନ୍ତର ସଂପର୍କରେ ଥିଲୁ।

୧୩.  ମହାମାରୀ ସତ୍ବେ ଓଡ଼ିଶା ଦେଶର ଏକ ପ୍ରମୁଖ ପୁଞ୍ଜିନିବେଶ ସ୍ଥାନ ହୋଇପାରିଛି। ଗତ ଏକ ବର୍ଷ ମଧ୍ୟରେ ଓଡ଼ିଶାରେ ୧.୨ ଲକ୍ଷ କୋଟିରୁ ଅଧିକ ଟଙ୍କାର ପୁଞ୍ଜି ବିନିଯୋଗ ହୋଇଛି। start up ranking ରେ ମଧ୍ୟ ଆମେ top performer ହୋଇପାରିଛୁ  ଆଗାମୀ ଦିନରେ ଏ ଦିଗରେ ଆମେ ଆମର ଉଦ୍ୟମ ଜାରି ରଖିବୁ।

୧୪. ଐତିହ ସଂରକ୍ଷଣ ଏବଂ ବିକାଶ ଆମର ସର୍ବୋଚ୍ଚ ପ୍ରାଥମିକତା ରହି ଆସିଛି। ଜନସାଧାରଣଙ୍କ ସହଯୋଗରେ ପୁରୀ, ଏକାମ୍ର କ୍ଷେତ୍ର, ମା ସମଲେଶ୍ବରୀ, ହରିଶଙ୍କର, ନୃସିଂହନାଥ, କୋଣାର୍କ, ତାରାତାରେଣୀ ଆଦି ପୀଠ ମାନଙ୍କରେ ବ୍ୟାପକ ବିକାଶ ପାଇଁ ପଦକ୍ଷେପ ନେଇଛୁ। ଓଡ଼ିଶା  ମହାନ ଐତିହ ସମ୍ପନ୍ନ ରାଜ୍ୟ। ସାରା ବିଶ୍ବରେ ଆମ ସଂସ୍କୃତିର ପ୍ରସାର ପାଇଁ ଆମେ ସମସ୍ତେ ଏକାଠି କାମ କରିବା ଦରକାର। ଉତ୍ତମ ସୁବିଧା ସୁଯୋଗର ବିକାଶ ଦ୍ବାରା ଓଡ଼ିଶାକୁ ସାରା ବିଶ୍ବର ବହୁ ତୀର୍ଥଯାତ୍ରୀ ଓ ପର‌୍ୟ୍ୟଟକଙ୍କ ଆଗମନ ବଢ଼ିବ। ତେଣୁ ପୁରୀରେ ଏକ ଆନ୍ତର୍ଜାତିକ ବିମାନବନ୍ଦର ପାଇଁ ଆମେ ପ୍ରସ୍ତାବ ଦେଇଛୁ। ଆମର ଏସବୁ ପଦକ୍ଷେପ ଆମ ସଂସ୍କୃତିର ବିକାଶ ସହ ଅର୍ଥନୀତିକୁ ମଧ୍ୟ ସମୃଦ୍ଧ କରିବ।

୧୫.  ଆମର eco retreat project ପର‌୍ୟ୍ୟଟକମାନଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଛି ଏବଂ ଏହା ପର‌୍ୟ୍ୟଟନ କ୍ଷେତ୍ରକୁ ଚଳଚଞ୍ଚଳ କରିଛି୤ ପୁରୀର blue flag beach  ପ୍ରମାଣିତ କରିଛି ଯେ ଆମର ବେଳାଭୂମି ଓ ପର‌୍ୟ୍ୟଟନ ଭିତ୍ତିଭୂମି ବିଶ୍ବସ୍ତରୀୟ ହେବାର ସାମର୍ଥ୍ୟ ରଖିଛି।

୧୬.  ଉଭୟ ସହର ଓ ଗ୍ରାମାଞ୍ଚଳରେ ପାଇପ ପାଣି ଯୋଗାଣ ଆମର ଏକ ମୁଖ୍ୟ ଫୋକସ। ୭୨୦୦ କୋଟି ଟଙ୍କାର ୨୭ mega  pipe water supply ପ୍ରକଳ୍ପ କାମ ଆରମ୍ଭ ହୋଇଛି। ଶତପ୍ରତିଶତ ଘରକୁ ପାଇପ ପାଣି ଯୋଗାଇବାରେ ଭୁବନେଶ୍ବର ଦେଶର ପ୍ରଥମ ପ୍ରମୁଖ ସହର।

୧୭.  ଗଭୀର ନଳ କୂଳ ଯୋଜନା ଏବଂ ପାର୍ବତୀଗିରି ମେଗା ଉଠା ଜଳସେଚନ ଯୋଜନା ରାଜ୍ୟର ଜଳସେଚନ ଦୃଶ୍ୟପଟ୍ଟରେ ବ୍ୟାପକ ପରିବର୍ତ୍ତନ ଆଣିଛି। ଜଳସମ୍ବଳର ଦକ୍ଷ ପରିଚିଳନା ତଥା ସଂରକ୍ଷଣ ପାଇଁ ଆମେ ଆଗାମୀ ୪.୫ ବର୍ଷ ମଧ୍ୟରେ ୧୧,୭୦୦ କୋଟି ଟଙ୍କା ବିନିଯୋଗ କରିବୁ।

୧୮.  ଆମର ଚାଷୀ କେନ୍ଦ୍ରିକ ଯୋଜନା ଯଥା କାଳିଆ ଓ ବଳରାମ ଯୋଜନା କୃଷି କଲ୍ୟାଣ କ୍ଷେତ୍ରରେ ସାରା ଦେଶରେ ଅଗ୍ରଦୂତ ସାଜିଛି। ଆମର ମାଣ୍ଡିଆ ମିଶନକୁ ନୀତି ଆୟୋଗ ଶ୍ରେଷ୍ଠ ମଡେ଼ଲ ସ୍ବୀକୃତି ପ୍ରଦାନ କରିଛି। ମତ୍ସ୍ୟ Production ରେ  ଓଡ଼ିଶା best marine state  ମାନ୍ୟତା ପାଇଛି। ଆନୁସଙ୍ଗିକ କୃଷି ଉପରେ ଆମର ଦୃଷ୍ଟି କେନ୍ଦ୍ରିତ କରିବା ସହ କୃଷି କୁ ସହାୟତା କାର‌୍ୟ୍ୟକ୍ରମ ଜାରି ରହିବ।

୧୯.  ୫ଟି ନୀତି ତଥା ମୋ ସରକାର କାର‌୍ୟ୍ୟକ୍ରମ ଜରିଆରେ ରାଜ୍ୟର ସମସ୍ତ ବିଭାଗ ଏବଂ ସବୁ ସରକାରୀ ସେବାରେ ପରିବର୍ତ୍ତନ ଆଣିବା ପାଇଁ ଆମେ ଅନେକ ପଦକ୍ଷେପ ଗ୍ରହଣ କରିଛୁ। କୋଭିଡ଼ ସଂପର୍କିତ କଟକଣା ସତ୍ବେ ଆମେ କେତେକ online servicesଏବଂ ରୂପାନ୍ତର ମୂଳକ ଉପକ୍ରମ ଆରମ୍ଭ କରିଛୁ। ସରକାରୀ ସେବା ଯୋଗାଣରେ ଦକ୍ଷତା ଏବଂ ଗୁଣବତ୍ତା କ୍ଷେତ୍ରରେ ଆସିଥିବା ପ୍ରଭେଦକୁ ଜନସାଧାରଣ ଭଲଭାବରେ ଉପଲବ୍ଧି କରୁଛନ୍ତି ଏବଂ ମୋ ସରକାର Feedback ରେ ଏହାର ସ୍ପଷ୍ଟ ସୂଚନା ମିଳୁଛି।

୨୦.  ଆମେ ଏପରି ଏକ ସଶକ୍ତ ଓଡ଼ିଶା ଗଠନ ପାଇଁ ଦୃଢ଼ ଭାବରେ ଅଗ୍ରସର ହେଉଛୁ। ଯାହାକି ଲୋକଙ୍କ ଆଶା ଆଙ୍କାକ୍ଷାକୁ ପୂରଣ କରିବା ସହ ସେମାନଙ୍କୁ ବଡ଼ ବଡ଼ ସ୍ବପ୍ନ ଦେଖିବା ଏବଂ ସେମାନଙ୍କ ସାମର୍ଥ୍ୟକୁ ସଫଳ ରୂପ ଦେବାରେ ଅମାପ ସୁଯୋଗ ଦେବ।