Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଦରଦାମ ଏବଂ ଜିଏସଟି ବୃଦ୍ଧି ନେଇ ସଂସଦରେ ହାଙ୍ଗାମା, ଦିନକ ପାଇଁ ଉଭୟ ଗୃହ ମୁଲତବି

ନୂଆଦିଲ୍ଲୀ: ଦରଦାମ ଏବଂ ଜିଏସଟି ବୃଦ୍ଧି ନେଇ ବିରୋଧୀ ଦଳଙ୍କ ହାଙ୍ଗାମା ପରେ ସଂସଦର ଉଭୟ ଗୃହକୁ ଗୋଟିଏ ଦିନ ପାଇଁ ମୁଲତବି ରଖାଯାଇଛି। ଲୋକସଭାରେ ପ୍ରଥମେ ଦିନ ଦୁଇଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ଏହାପରେ ଗୃହ ଆରମ୍ଭ ହେବା ମାତ୍ରେ ପୁଣି ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ।

ବାଚସ୍ପତି ବାରମ୍ବାର ସଦସ୍ୟମାନଙ୍କୁ ନିଜ ଆସନକୁ ଯାଇ ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ। ହେଲେ ବିରୋଧୀ ସଦସ୍ୟମାନେ ଏଥିପ୍ରତି ଧ୍ୟାନ ଦେଇ ନ ଥିଲେ। ଫଳରେ ବାଚସ୍ପତି ଦିନକ ପାଇଁ ଗୃହକୁ ମୁଲତବି ଘୋଷଣା କରିଥିଲେ।

ସକାଳେ ଲୋକସଭା କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ନେତା ଅଧୀର ରଂଜନ ଚୈଧୁରୀ ମୂଲ୍ୟ ବୃଦ୍ଧି ପ୍ରସଙ୍ଗ ଉଠାଇବାକୁ ଚେଷ୍ଟା କରିଥିଲେ। ତେବେ ବାଚସ୍ପତି ଓମ ବିର୍ଲା ତାଙ୍କୁ ଅନୁମତି ଦେଇନଥିଲେ ଏବଂ ତୁରନ୍ତ ପ୍ରଶ୍ନକାଳ ଆରମ୍ଭ କରିଥିଲେ।

ଏହା ପରେ କଂଗ୍ରେସ, ଡିଏମକେ ଏବଂ ଟିଏମସି ସମେତ ବିରୋଧୀ ଦଳର ସଦସ୍ୟମାନେ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇ ହଟ୍ଟଗୋଳ କରିଥିଲେ। ବାଚସ୍ପତି ଗୃହ କାର୍ଯ୍ୟକୁ ଚଳାଇବା ପାଇଁ ଚେଷ୍ଠା କରି ବିଫଳ ହୋଇଥିଲେ। ଫଳରେ ପ୍ରଥମେ ସେ ଦିନ ଦୁଇଟା ପର୍ଯ୍ୟନ୍ତ ଗୃହକୁ ମୁଲତବି ଘୋଷଣା କରିଥିଲେ।

ସେହିପରି ରାଜ୍ୟସଭାର ଦୃଶ୍ୟ ମଧ୍ୟ ସମାନ ଥିଲା। ହଟ୍ଟଗୋଳ ଯୋଗୁଁ ପ୍ରଥମେ ଦିନ ଦୁଇଟା ପର୍ଯ୍ୟନ୍ତ ଗୃହକୁ ମୁଲତବି ରଖାଯାଇଥିଲା। ଜିଏସଟି ବୃଦ୍ଧି ଏବଂ ମୁଦ୍ରାସ୍ଫୀତି ଉପରେ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇ କଂଗ୍ରେସ, ଆପ୍, ଡିଏମକେ, ଟିଏମସି ଏବଂ ବାମପନ୍ଥୀ ବିରୋଧୀ ସଦସ୍ୟମାନେ ଗୃହ ଭିତରକୁ ପଶି ଆସିଥିଲେ। ଆରଜେଡି, ଏନସିପି, ଶିବସେନା ଏବଂ ସମାଜବାଦି ପାର୍ଟିର ସଦସ୍ୟମାନେ ମଧ୍ୟ ସେମାନଙ୍କୁ ଅନୁସରଣ କରି ଗୃହ ଭିତରେ ହଟ୍ଟଗୋଲ କରିଥିଲେ।

ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ଗୃହ ଚଳାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ବିରୋଧୀ ସଦସ୍ୟଙ୍କୁ ବାରମ୍ବାର ଗୃହକୁ କାର୍ଯ୍ୟରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ ମଧ୍ୟ କେହି ଶୁଣି ନ ଥିଲେ। ଏହି ହଟ୍ଟଗୋଳ ଜାରି ରହିଥିବା ବେଳେ ଉପାଧ୍ୟକ୍ଷ ଦିନକ ପାଇଁ ଗୃହକୁ ମୁଲତବି ଘୋଷଣା କରିଥିଲେ। ସକାଳେ ମଧ୍ୟ ଗୃହରେ ହଟ୍ଟଗୋଳ ହେବାରୁ ଗୃହକୁ ଦିନ ଦୁଇଟା ପର୍ଯ୍ୟନ୍ତ ମୁଲତବି ରଖାଯାଇଥିଲା।

Categories
ଜାତୀୟ ଖବର ବିଶେଷ ଖବର

ଏଥର ୧୦ ଦିନ ଧରି ଚାଲିଥିବା ରାଜ୍ୟସଭାରେ ବିଜେଡି ପାଇଁ ଥିଲା ୧୦ଟି ଗୁରୁତ୍ବ ପୂର୍ଣ୍ଣ ପ୍ରସଂଗ, ଜାଣନ୍ତୁ କଣ

ନୂଆଦିଲ୍ଲୀ, ଏଥର ରାଜ୍ୟସଭାର ମୌସୁମୀ ଅଧିବେସନ ବିଜୁ ଜନତା ଦଳ ପାଇଁ ବେଶ୍ ଗୁରୁତ୍ବ ପୂର୍ଣ ହୋଇଛି। ରାଜ୍ୟସଭାରେ ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବା ଏବଂ ଦୁଇଟି ବିଲକୁ ବିରୋଧ କରିବା ପରି ଗୁରୁତ୍ବପୂର୍ଣ୍ଣ ଘଟଣା ଘଟିଛି। ତେବେ ବିଜେଡି ପାଇଁ ସବୁଠାରୁ ବଡ ଘଟଣାଟି ହେଉଛି ଯେ ଯୁବ ସାଂସଦ ଡ.ସସ୍ମିତ ପାତ୍ରଙ୍କୁ ଗୃହ ପରିଚାଳନା କରିବା ପାଇଁ ସୁଯୋଗ ମଧ୍ୟ ମିଳିବା।

ସେହିପରି ଏଥର ନୂଆକରି ରାଜ୍ୟସଭାକୁ ଯାଇଥିବା 4 ଜଣ ସାଂସଦଙ୍କୁ ପ୍ରଥମ ଥର ପାଇଁ କହିବାକୁ ସୁଯୋଗ ମିଳିଛି। ତେବେ ଏଥର ଅଧିବେସନ କରୋନା ପାଇଁ ୯ ଦିନ ପୂର୍ବରୁ ବନ୍ଦ ହୋଇଗଲା। ମାତ୍ର ୧୦ ଦିନ ଚାଲିଥିବା ଏହି ମୌସୁମୀ ଅଧିବେସନ ବିଜେଡି ପାଇଁ ୧୦ଟି ଗୁରୁତ୍ବ ପୂର୍ଣ୍ଣ ଘଟଣା ଘଟିଛି। ସେଗୁଡିକ ହେଲା

1-ଏଥର ରାଜ୍ୟସଭାରେ ଏନଡିଏର ଉପାଧ୍ୟକ୍ଷ ପ୍ରାର୍ଥୀ ହରିବଂଶ ନାରାୟଣ ସିଂଙ୍କୁ ବିଜେଡି ସମର୍ଥନ କରିବା ଏକ ଗୁରୁତ୍ବପୂର୍ଣ୍ଣ ଘଟଣା ଥିଲା।

2-ଏଥର ଅଧିବେସନରେ ବିଜେଡିକୁ ୨୦ ଟି ବିଲ୍ ଉପରେ କହିବାର ସୁଯୋଗ ମିଳିଥିଲା।

3-ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ସର୍ବାଧିକ ୫ଟି ବିଲ୍ ଆଲୋଚନାରେ ଭାଗ ନେଇଥିଲେ।

4-ଏଥର ରାଜ୍ୟସଭାରେ ବିଜେଡି ୨୫ଟି ବିଲକୁ ସମର୍ଥନ କରିଥିବା ବେଳେ ୨ଟି କୃଷି ବିଲକୁ ବିରୋଧ କରିଥିଲା। ସାଂସଦ ଅମର ପଟ୍ଟନାୟକ ଏହାକୁ ବିରୋଧ କରି ତଥ୍ୟ ଉପସ୍ଥାପନ କରିଥିଲେ।

5-ନିକଟରେ ରାଜ୍ୟସଭା ସଦସ୍ୟ ଭାବେ ଯାଇଥିବା ୪ ଜଣ ସାଂସଦ ଗୃହରେ ସେମାନଙ୍କର ପ୍ରଥମ ଭାଷଣ ଉପସ୍ଥାପନା କରିଥିଲେ। ନବାଗତ ସୁଜିତ କୁମାର ସର୍ବାଧିକ ୩ଟି ବିଲ ଉପରେ କହିବାର ସୁଯୋଗ ପାଇଥିଲେ।

6- ବିଜେଡିର ୬ ଜଣ ସାଂସଦ ୧୫୬ଟି ଅଣତାରକା ପ୍ରଶ୍ନ ପଚାରି ସରକାରଙ୍କଠାରୁ ଜବାବ ମାଗିଥିଲେ।

7-ସେମାନଙ୍କ ମଧ୍ୟରେ ସାଂସଦ ସସ୍ମିତ ପାତ୍ର ସର୍ବାଧିକ ୪୮ଟି ପ୍ରଶ୍ନ ପଚାରି ଉତ୍ତର ମାଗିଥିଲେ।

8-ଶୂନ୍ୟ କାଳରେ ବିଜେଡି ସ୍ପେଶାଲ ମେନସନରେ ୮ ଟି ଗୁରୁତ୍ବ ପୂର୍ଣ୍ଣ ପ୍ରସଂଗ ଉଠାଇଥିଲେ।

9- ବିଜେଡିର ସବୁଠାରୁ ବଡ ପ୍ରଶଂସାର ଘଟଣା ଥିଲା ସାଂସଦ ଡ.ସସ୍ମିତ ପାତ୍ରଙ୍କୁ ଗୃହ ପରିଚାଳନା କରିବାକୁ ପ୍ରଥମ ଥର ପାଇଁ ସୁଯୋଗ ମିଳିବା। ସେ ଏହି ୧୦ ଦିନିଆ ଅଧିବେସନରେ ୫ ଥର ଗୃହ ପରିଚାଳନା କରିବାର ସୁଯୋଗ ପାଇଥିଲେ।

10-ସସ୍ମତି ପାତ୍ର ଗୃହ ପରିଚାଳନା ସମୟରେ ଜାତୀୟ ଫରନୋସିକ ବିଜ୍ଞାନ ବିଶ୍ବବିଦ୍ୟାଳୟ ବିଲ, ରାଷ୍ଟ୍ରୀୟ ସୁରକ୍ଷା ବିଶ୍ବବିଦ୍ୟାଳୟ ବିଲ, ଶ୍ରମ ସୁରକ୍ଷା ବିଶ୍ବବିଦ୍ୟାଳୟ ବିଲ୍ ପାଶ ହୋଇଥିଲା। ସସ୍ମତିଙ୍କ ଗୃହ ପରିଚାଳନା କରିବା ଦକ୍ଷତାକୁ ବହୁ ସାଂସଦ ପ୍ରଶଂସା କରିଥିଲେ।