Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଓଡିଶାକୁ ଆସିଲା ୩୮୯୮ କୋଟି ଟଙ୍କାର ନୂତନ ପୁଞ୍ଜି ନିବେଶ, ରାଜ୍ୟ ସରକାର ଦେଲେ ମଞ୍ଜୁରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶା ସରକାର ୧୩୬ତମ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସଏଲଏସଡବ୍ଲୁଏ) ବୈଠକରେ ୩୮୯୮.୫୪ କୋଟି ଟଙ୍କାର ୧୯ଟି ନିବେଶ ପ୍ରକଳ୍ପକୁ ଅନୁମୋଦନ କରି ଶିଳ୍ପ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଜାରି ରଖିଛନ୍ତି। ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଅନୁମୋଦନ ହୋଇଥିବା ପ୍ରସ୍ତାବଗୁଡ଼ିକରେ ରାଜ୍ୟରେ ୭,୪୬୪ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି।

ଏହି ମଂଜୁରୀପ୍ରାପ୍ତ ପ୍ରସ୍ତାବଗୁଡ଼ିକ ଇସ୍ପାତ, ଲୌହ ଓ ଫେରୋ ଆଲଏଜ୍, ଶିଳ୍ପ-ଗ୍ୟାସ୍, ଲଜିଷ୍ଟିକ୍ସ, ଖାଦ୍ୟ ଓ ପାନୀୟ, କୃଷି ପ୍ରକ୍ରିୟାକରଣ, ପର୍ଯ୍ୟଟନ ଓ ଆତିଥେୟତା, ରାସାୟନିକ ପଦାର୍ଥ, ଧାତୁ, ପୋଷାକ ଓ ଟେକ୍ସଟାଇଲ୍ ଭଳି ବିଭିନ୍ନ ପ୍ରଭାବୀ କ୍ଷେତ୍ରରେ ଅନ୍ତର୍ଭୁକ୍ତ । ଏହି ଅନୁମୋଦନ ଭାରତର ଅନ୍ୟତମ ଆକର୍ଷଣୀୟ ନିବେଶ ସ୍ଥଳ ଭାବେ ଓଡ଼ିଶାର ସ୍ଥିତିକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଇଛି। ଏହି ପ୍ରସ୍ତାବଗୁଡ଼ିକ ଅନୁଗୋଳ, ବାଲେଶ୍ୱର, କଟକ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ସମ୍ବଲପୁର ଓ ସୁନ୍ଦରଗଡ଼ ଆଦି ୧୧ଟି ଜିଲ୍ଲାରେ କାର୍ଯ୍ୟକାରୀ ହେବ।

ଓଡ଼ିଶାର ଇସ୍ପାତ, ଲୌହ ଓ ଫେରୋ ଆଲଏଜ୍ କ୍ଷେତ୍ରରେ ରାଜ୍ୟର ଶିଳ୍ପ ଇକୋସିଷ୍ଟମକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ୪ଟି ଗୁରୁତ୍ୱପୂର୍ଣ୍ଣ ପୁଞ୍ଜିନିବେଶ ପ୍ରସ୍ତାବ ରହିଛି । ଟାଟା ଷ୍ଟିଲ ଏହାର ଅଶୋଧିତ ଇସ୍ପାତ କ୍ଷମତାକୁ ପ୍ରସ୍ତାବିତ ୬. ୫ ଏମଟିପିଏରୁ ୭. ୧ ଏମଟିପିଏକୁ ବୃଦ୍ଧି କରିବାକୁ ଯାଉଛି ଏବଂ ଅତିରିକ୍ତ ୭୦୦ କୋଟି ଟଙ୍କା ବିନିଯୋଗ କରିବ ଯଦ୍ୱାରା ୩୭୫  ନୂତନ ନିଯୁକ୍ତି ସୃଷ୍ଟି କରିବ। କେନ୍ଦୁଝରରେ ଶ୍ରୀ ମେଟାଲିକ୍ସ ଲିମିଟେଡ୍ ଏହାର ସମନ୍ୱିତ ଇସ୍ପାତ କାରଖାନାର ସମ୍ପ୍ରସାରଣ ପାଇଁ ୮୮୫ କୋଟି ଟଙ୍କା ବିନିଯୋଗ କରିବ ଏବଂ ୯୫୦ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

ଲାଲ ବାବା ସିମଲେସ୍ ଟ୍ୟୁବସ୍ ପ୍ରାଇଭେଟ୍ ଲିମିଟେଡ୍ କଟକରେ ୨୦୦ କୋଟି ଟଙ୍କାର  ଟ୍ୟୁବ୍ ଉତ୍ପାଦନ କାରଖାନା ସ୍ଥାପନ କରି ୫୦୦ ନିଯୁକ୍ତି ସୃଷ୍ଟି କରିବାକୁ ଯୋଜନା ରଖିଥିବା ବେଳେ ସୁର୍ଲନ୍ ଇଣ୍ଡିଆ ଲିମିଟେଡ୍ ସୁନ୍ଦରଗଡ଼ରେ ୫୫ କୋଟି ଟଙ୍କାର ରେଳବାଇ ଯନ୍ତ୍ରାଂଶ ଉତ୍ପାଦନ ୟୁନିଟ୍ ସ୍ଥାପନ କରି ଏକ ହଜାର ନିଯୁକ୍ତି ସୃଷ୍ଟି କରିବାକୁ ଯାଉଛି । ଏହି ପ୍ରକଳ୍ପଗୁଡ଼ିକ ଧାତୁ ଏବଂ ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶାର ପ୍ରତିଷ୍ଠାକୁ ଆହୁରି ସୁଦୃଢ଼ କରିବ।

ଶିଳ୍ପ ଗ୍ୟାସ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ବିକାଶ କ୍ରମରେ ଲିଣ୍ଡେ ଇଣ୍ଡିଆ ଲିମିଟେଡ୍ ଯାଜପୁରରେ ଏକ ଅତ୍ୟାଧୁନିକ ଏୟାର ପୃଥକୀକରଣ ୟୁନିଟ୍ ପ୍ରତିଷ୍ଠା ପାଇଁ ୪୨୫ କୋଟି ଟଙ୍କା ବିନିଯୋଗ କରିବାକୁ ଯାଉଛି।ଏଥିରେ ବାର୍ଷିକ ୧୨ ଲକ୍ଷ ମେଟ୍ରିକ୍ ଟନ୍ ରୁ ଅଧିକ ଶିଳ୍ପ ଗ୍ୟାସ ଉତ୍ପାଦନ କ୍ଷମତା ରହିବ ଏବଂ ଏହା ଦ୍ୱାରା ୧୦୦ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି। ଭୁବନେଶ୍ୱରୀ ଫୁଡ୍ସ  ଆଣ୍ଡ ବିଭରେଜ୍ ପ୍ରାଇଭେଟ୍ ଲିମିଟେଡ୍ ଖୋର୍ଦ୍ଧାରେ ପାନୀୟ ଉତ୍ପାଦନ ୟୁନିଟ୍ ସ୍ଥାପନ ପାଇଁ ୩୦୦ କୋଟି ଟଙ୍କା ବିନିଯୋଗ କରିବ, ଯାହା ଦ୍ୱାରା ୮୨୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଇଛି।

ଦୁଇଟି ପ୍ରଭାବୀ ପ୍ରକଳ୍ପ ସହିତ ଓଡ଼ିଶାର ଲଜିଷ୍ଟିକ୍ ଏବଂ ଭିତ୍ତିଭୂମି ଦକ୍ଷତାରେ ଏକ ବଡ଼ ଉନ୍ନତି ହେବାକୁ ଯାଉଛି। ସାମୁଦ୍ରିକ ଲଜିଷ୍ଟିକ୍ସରେ ଉନ୍ନତି ଆଣିବା ଏବଂ ୭୫ ଟି ନିଯୁକ୍ତି ସୃଷ୍ଟି କରି ଏସିଏମଇ କ୍ଲିନ୍ ଏନର୍ଜି ପ୍ରାଇଭେଟ୍ ଲିମିଟେଡ୍ ଗଞ୍ଜାମରେ ୩୬୬.୫୦ କୋଟି ଟଙ୍କାର ଏକ ଜେଟି-ବିହୀନ ଫ୍ଲୋଟିଂ ଟର୍ମିନାଲ୍ ବିକଶିତ କରିବ। ଖୋର୍ଦ୍ଧାରେ ବସନ୍ତବିହାର କନଷ୍ଟ୍ରକ୍ସନ ପକ୍ଷରୁ ୧୩୪.୫୦ କୋଟି ଟଙ୍କାର ଲଜିଷ୍ଟିକ୍ ପାର୍କ ପ୍ରତିଷ୍ଠା କରାଯିବ, ଯେଉଁଥିରେ ୨୯୬ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି, ଯାହା କି ବିଶ୍ୱସ୍ତରୀୟ ଲଜିଷ୍ଟିକ୍ ଭିତ୍ତିଭୂମି ସହିତ ରାଜ୍ୟର ବଢୁଥିବା ଶିଳ୍ପ ଭିତ୍ତିଭୂମିକୁ ସମର୍ଥନ କରିବ।

ପର୍ଯ୍ୟଟନ ଓ ଆତିଥେୟତା କ୍ଷେତ୍ର ଖୋର୍ଦ୍ଧା, ଗଞ୍ଜାମ, ଅନୁଗୋଳ ଓ କୋରାପୁଟରେ ୬ଟି ପ୍ରକଳ୍ପକୁ ଆକର୍ଷିତ କରିଛି । ମୁଖ୍ୟ ପ୍ରସ୍ତାବଗୁଡ଼ିକ ମଧ୍ୟରେ ବୀରେନ୍ଦ୍ର ହୋଟେଲର ୧୦୫ କୋଟି ଟଙ୍କାର ରିସୋର୍ଟ ଏବଂ ୪ ତାରକା ହୋଟେଲ, ୯୯.୮୬  କୋଟି ଟଙ୍କାର ସ୍ପେକ୍ ବ୍ରୁ ହୋଟେଲ, ୮୬.୭୩  କୋଟି ଟଙ୍କାର ସୂର୍ଯ୍ୟ ଇକୋ ରିସୋର୍ଟ, ୮୦ କୋଟି ଟଙ୍କାର ଟେସ୍କୋ ହୋଟେଲ ଆଣ୍ଡ ମଲ୍ ଇନଫ୍ରା-ପ୍ରୋଜେକ୍ଟସ୍ ପ୍ରାଇଭେଟ୍ ଲିମିଟେଡ୍, ୭୮କୋଟି ଟଙ୍କାର ସତ୍ୱା ଓଲିଓ ପ୍ରାଇଭେଟ୍ ଲିମିଟେଡ୍ ଏବଂ ୫୫.୫୦ କୋଟି ଟଙ୍କାର ଟିକେ-ଇଣ୍ଟରନ୍ୟାସନାଲ ଲିମିଟେଡ୍ ମିଳିତ ଭାବେ ୧୪୪୮ରୁ ଅଧିକ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ ରଖିଛନ୍ତି।

ଓଡ଼ିଶାର ଉତ୍ପାଦନ ଇକୋସିଷ୍ଟମକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ କେମିକାଲ ଓ ପ୍ଲାଷ୍ଟିକ୍ କ୍ଷେତ୍ରରେ ନୂତନ ପୁଞ୍ଜିନିବେଶ ହେଉଛି। ଜୟ ଶ୍ରୀ ଟି ଆଣ୍ଡ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ବାଲେଶ୍ୱରରେ ଏକକ ସୁପର ଫସଫେଟ୍ ପ୍ଲାଣ୍ଟ ସ୍ଥାପନ ପାଇଁ ୬୧ କୋଟି ଟଙ୍କା ବିନିଯୋଗ କରିବ। ଏତଦ୍ ବ୍ୟତୀତ ଏଚଭିଜି ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡ୍ ଖୋର୍ଦ୍ଧାରେ  ୫୫.୦୫  କୋଟି ଟଙ୍କାର ପ୍ଲାଷ୍ଟିକ୍ ଓ କେମିକାଲ ୟୁନିଟ୍ ସ୍ଥାପନ କରି ୨୦୬ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଓଡ଼ିଶାର ଶିଳ୍ପ ମୂଲ୍ୟ ଶୃଙ୍ଖଳାକୁ ଆହୁରି ସୁଦୃଢ଼ କରିବା ପାଇଁ କଳିଙ୍ଗ ଇନଫ୍ରା ପ୍ରୋଜେକ୍ଟସ୍ ଲିମିଟେଡ୍ ସମ୍ବଲପୁରରେ ୬୦ କୋଟି ଟଙ୍କାର କ୍ରାସ୍ ବ୍ୟାରିୟର ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ, ଯେଉଁଥିରେ ୩୧୪ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

କେନ୍ଦୁଝରରେ ଶ୍ରୀଜଗନ୍ନାଥ ସପ୍ଲାଏ କମ୍ପାନୀ ୫୧.୪୦ କୋଟି ଟଙ୍କା ବିନିଯୋଗ କରି ଆଖୁ ଦୋରୁହ ପ୍ରସ୍ତୁତ ଉତ୍ପାଦ ଓ ଗୋଦାମ ଗୃହ ନିର୍ମାଣ ପୁର୍ବକ ୧୧୦ଟି ନିଯୁକ୍ତି ସୃଷ୍ଟି, କୃଷି ଓ ଆନୁଷଙ୍ଗିକ ଉଦ୍ୟୋଗଗୁଡ଼ିକୁ ସହାୟତା କରିବ। ଶ୍ରୀ ସିଦ୍ଧି ବିନାୟକ ଟେକ୍ସକୋର୍ସ ପ୍ରାଇଭେଟ୍ ଲିଃ. ଖୋର୍ଦ୍ଧାରେ ସୂତା ରଙ୍ଗ ଓ ବୁଣା କପଡ଼ା ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ କରିବ। ୧୦୦ କୋଟି ଟଙ୍କା ବିନିଯୋଗରେ ଏହି ପ୍ରକଳ୍ପ ୧୦୭୦ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏବଂ ବୟନ ଶିଳ୍ପ ଉତ୍ପାଦନ ଓ ମୂଲ୍ୟ ଯୁକ୍ତ ପ୍ରକ୍ରିୟାକରଣ କ୍ଷେତ୍ରରେ ଓଡ଼ିଶାର ସମ୍ଭାବନାକୁ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି ।

ମୁଖ୍ୟମନ୍ତ୍ରୀ ୨୦୩୬ ସୁଦ୍ଧା “ସମୃଦ୍ଧ ଓଡ଼ିଶା” ର  ସ୍ୱପ୍ନ ହାସଲ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ରାଜ୍ୟ ସରକାର  ପ୍ରତିଶ୍ରୁତିବଦ୍ଧତାର ସହ ସାମଗ୍ରିକ ଶିଳ୍ପାୟନ ଉପରେ ସ୍ପଷ୍ଟ ଧ୍ୟାନ ଦେଉଛନ୍ତି । ରାଜ୍ୟ ଉଭୟ ଜାତୀୟ ଓ ବୈଶ୍ୱିକ ନିବେଶକଙ୍କ ପାଇଁ ଏକ ପସନ୍ଦର ସ୍ଥାନ ଭାବେ ଦ୍ରୁତ ଗତିରେ ଉଭା ହେଉଛି। ଉତ୍କର୍ଷ ଓଡ଼ିଶା ୨୦୨୫ର ବିପୁଳ ସଫଳତା ଏହି ବଢୁଥିବା ଆତ୍ମବିଶ୍ୱାସର ପ୍ରମାଣ।

ପ୍ରତ୍ୟେକ ନୂତନ ନିବେଶ କେବଳ ପୁଞ୍ଜି ଏବଂ ପ୍ରଯୁକ୍ତିବିଦ୍ୟା ଆଣେ ନାହିଁ ବରଂ ଅର୍ଥପୂର୍ଣ୍ଣ ନିଯୁକ୍ତି ଏବଂ ସନ୍ତୁଳିତ ଆଞ୍ଚଳିକ ବିକାଶରେ ପରିଣତ ହୁଏ। ଓଡ଼ିଶା ଏକ ଆତ୍ମନିର୍ଭରଶୀଳ, ଶିଳ୍ପଭିତ୍ତିକ ଦ୍ରୁତ ଅଗ୍ରଗତିଶୀଳ ରାଜ୍ୟରେ ପରିଣତ ହେବା ଦିଗରେ ଗତି କରୁଛି ଏବଂ ଅର୍ଥନୈତିକ ପରିବର୍ତ୍ତନ ଦିଗରେ ଭାରତର ଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଉଛି।

 

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଓଡିଶାକୁ ଆସିଲା ୩,୩୫୩ କୋଟି ଟଙ୍କାର ପୁଞ୍ଜି, ୧୫ଟି ପ୍ରକଳ୍ପକୁ ଅନୁମୋଦନ, ୪,୬୩୭ ନିଯୁକ୍ତି ସୁଯୋଗ

ଭୁବନେଶ୍ଵର: ଓଡ଼ିଶା ସରକାର ୩୩୫୩.୧୫ କୋଟି ଟଙ୍କାର ମିଳିତ ନିବେଶରେ ୧୫ଟି ପ୍ରମୁଖ ପ୍ରକଳ୍ପକୁ ଅନୁମୋଦନ କରି ଶିଳ୍ପ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ସହ ରାଜ୍ୟରେ ନିଯୁକ୍ତି ବୃଦ୍ଧି ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି।

ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୩୨ତମ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସ୍ଏଲ୍ଏସଡବ୍ଲ୍ୟୁସିଏ) ବୈଠକରେ ଏହି ଅନୁମୋଦନ ମିଳିଛି।

ଏହା ଫଳରେ ୪୬୩୭ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଥିବା ସଙ୍ଗେ ସଙ୍ଗେ ଏହି ପ୍ରକଳ୍ପଗୁଡ଼ିକ ଓଡ଼ିଶାର ସାମାଜିକ ଓ ଅର୍ଥନୈତିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ନୂତନ ଭାବେ ଅନୁମୋଦିତ ପ୍ରକଳ୍ପଗୁଡ଼ିକରେ ଅଧିକ ପ୍ରଭାବୀ ବିଭିନ୍ନ କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରାଯାଇଛି, ଯାହା ଏକ ବିବିଧ ଶିଳ୍ପ ଇକୋସିଷ୍ଟମ ସୃଷ୍ଟି ପାଇଁ ଓଡ଼ିଶାର ପ୍ରତିବଦ୍ଧତାକୁ ଦର୍ଶାଉଛି। ରାସାୟନିକ ତଥା ନବୀକରଣଯୋଗ୍ୟ ଶକ୍ତି, ଇସ୍ପାତ ଡାଉନଷ୍ଟ୍ରିମ୍, ଆଲୁମିନିୟମ୍ ଡାଉନଷ୍ଟ୍ରିମ୍, ଖାଦ୍ୟ ପ୍ରକ୍ରିୟାକରଣ, ମାନୁଫାକ୍ଚରିଂ, ଟେକ୍ସଟାଇଲ୍ ଏବଂ ଆପେରେଲ୍, ପର‌୍ୟ୍ୟଟନ, ଫାର୍ମାସ୍ୟୁଟିକାଲ୍ସ ଏବଂ ସିମେଣ୍ଟକ୍ଷେତ୍ରରେ ପୁଞ୍ଜିନିବେଶ କରି ଓଡ଼ିଶା ଶିଳ୍ପ ଅଭିବୃଦ୍ଧିପାଇଁ ଏକ ପ୍ରମୁଖ ଲକ୍ଷ୍ୟସ୍ଥଳ ଭାବେ ନିଜକୁ ପ୍ରତିଷ୍ଠିତ କରୁଛି।

ଆଜି ଅନୁମୋଦନ ଲାଭ କରିଥିବା ଏହି ସମସ୍ତ ପ୍ରକଳ୍ପ କୋରାପୁଟ, ଖୋର୍ଦ୍ଧା, ବରଗଡ଼, ପୁରୀ, କଟକ ଓ ଝାରସୁଗୁଡ଼ା ସମେତ ବିଭିନ୍ନ ଜିଲ୍ଲାରେ କାର‌୍ୟ୍ୟକାରୀ ହେବ। ଏହି ପ୍ରକଳ୍ପଗୁଡ଼ିକ ରାଜ୍ୟରେ ଅର୍ଥନୈତିକ ଅଭିବୃଦ୍ଧି ଏବଂ ନିଯୁକ୍ତି ସୃଷ୍ଟି ସଙ୍ଗେ ସଙ୍ଗେ ଏକ ସୁଦୃଢ଼ ଶିଳ୍ପ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ଦିଗରେ ଓଡ଼ିଶାର ନିରନ୍ତର ଧ୍ୟାନ ରହିଥିବା ପ୍ରତିଫଳିତ କରୁଛି ।

ରାସାୟନିକ ତଥା ନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ରରେ ରିଲାଏନ୍ସ ବାୟୋ ଏନର୍ଜି ଲିମିଟେଡ୍ ପୁରୀରେ କମ୍ପ୍ରେସ୍ଡ ବାୟୋ ଗ୍ୟାସ୍ ଓ ଫର୍ମେଣ୍ଟେଡ୍ ଜୈବିକ ସାର କାରଖାନା ସ୍ଥାପନ କରିବ । ୧୨୧.୨୧ କୋଟି ଟଙ୍କା ପୁଞ୍ଜିନିବେଶ ବିଶିଷ୍ଟ ଏହି କ୍ଷେତ୍ରରେ ୬୯ ନିଯୁକ୍ତି ସୃଷ୍ଟି ହେବା ସହିତ ଏଥିରେ ରାଜ୍ୟର ନିରନ୍ତର ଏବଂ ଅକ୍ଷୟ ଶକ୍ତି ଉତ୍ସ ଉପରେ ଗୁରୁତ୍ୱ ରହିଛି ।

ଇସ୍ପାତ କ୍ଷେତ୍ରରେ କଟକରେ ‘ବିକେ ଷ୍ଟିଲ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍’ ଏହାର ପ୍ରକଳ୍ପକୁ ଅଧିକ ସମ୍ପ୍ରସାରଣ କରିବ, ଯେଉଁଥିରେ ସ୍ପଞ୍ଜ ଆଇରନ୍, ବିଲେଟ୍, ଫେରୋ ଆଲଏଜ୍, ସିଣ୍ଟର ପ୍ଲାଣ୍ଟ୍ସ ଏବଂ କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟ ସମେତ ଉତ୍ପାଦନ କ୍ଷମତା ବୃଦ୍ଧି ପାଇଁ ୭୫୦ କୋଟି ଟଙ୍କା ବିନିଯୋଗ କରିବ । କେବଳ ଏହି ପ୍ରକଳ୍ପ ୮୦୦ ଲୋକଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବ ବୋଲି ଆକଳନ କରାଯାଇଛି, ଯାହା ଓଡ଼ିଶାର ଇସ୍ପାତ ଉତ୍ପାଦନ କ୍ଷମତାରେ ଉଲ୍ଲେଖନୀୟ ଉନ୍ନତି ଆଣିବ।

ଏଚ୍ ଏମ୍ ପାୱାର ଆଣ୍ଡ କେବଲ୍ସ ପ୍ରାଇଭେଟ୍ ଲିମିଟେଡ୍ ଝାରସୁଗୁଡ଼ାରେ ଏକ ଆଲୁମିନିୟମ କଣ୍ଡକ୍ଟର, ପାୱାର କେବୁଲ୍ ଏବଂ ତାର ଉତ୍ପାଦନ କାରଖାନା ପ୍ରତିଷ୍ଠା କରୁଥିବାରୁ ଡାଉନଷ୍ଟ୍ରିମ୍ ଆଲୁମିନିୟମ କ୍ଷେତ୍ରକୁ ମଧ୍ୟ ପ୍ରୋତ୍ସାହନ ମିଳିଛି।

୫୫.୭୨ କୋଟି ଟଙ୍କାର ଏହି ପ୍ରକଳ୍ପରେ ୨୦୫ ଜଣ ନିଯୁକ୍ତି ପାଇବେ ବୋଲି ଆଶା କରାଯାଉଥିବା ବେଳେ ଓଡ଼ିଶାର ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦନ ବୃଦ୍ଧି ଏବଂ ଓଡ଼ିଶାର ସମୃଦ୍ଧ ଖଣିଜ ସମ୍ପଦ ଉପରେ ନିର୍ଭର କରୁଥିବା ଶିଳ୍ପଗୁଡ଼ିକୁ ସହାୟତା କରିବା ପାଇଁ ଏହା ଓଡ଼ିଶାର ରଣନୀତି ସହ ଯୋଡ଼ି ହୋଇଛି।

ଏହାବ୍ୟତୀତ ଖୋର୍ଦ୍ଧାରେ ନେକ୍ସଟ୍ ଥର୍ମାଲ ଏସିଆ ପ୍ରାଇଭେଟ୍ ଲିମିଟେଟ୍ ୫୫.୮୧ କୋଟି ଟଙ୍କା ବିନିଯୋଗରେ ୧୩୨ ନିଯୁକ୍ତି ସୁଯୋଗ ସୃଷ୍ଟି କରି ଏକ ହିଟିଂ ଏଲିମେଣ୍ଟସ୍ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ, ଯାହାକି ଇସ୍ପାତ ଶିଳ୍ପ ଉପରେ ନିର୍ଭରଶୀଳ ଆନୁଷଙ୍ଗିକ ଇସ୍ପାତ ଶିଳ୍ପକୁ ଅତ୍ୟାବଶ୍ୟକ ଉପାଦାନ ଯୋଗାଇଦେବ।

ଭୁବନେଶ୍ଵରୀ ଫୁଡ୍ସ ଆଣ୍ଡ ବିଭରେଜ୍ ପ୍ରାଇଭେଟ୍ ଲିମିଟେଡ୍, ‘ଅବନ’ ବିଭରେଜ୍ ପ୍ରାଇଭେଟ୍ ଲିମିଟେଡ୍, ଜିଓଫାଷ୍ଟ କଞ୍ଜ୍ୟୁମର ପ୍ରଡକ୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ ଏବଂ ଆଭିରା ଡିଷ୍ଟିଲେରୀ ପ୍ରାଇଭେଟ୍ ଲିମିଟେଡ୍ ର ପ୍ରକଳ୍ପ ସହ ଓଡ଼ିଶାର ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ପୁଞ୍ଜିନିବେଶ ଆକୃଷ୍ଟ ହେବାରେ ଲାଗିଛି।

ଖୋର୍ଦ୍ଧା, ବରଗଡ଼ ଓ କଟକରେ ଥିବା ଏହି ପ୍ରକଳ୍ପଗୁଡ଼ିକରେ ପ୍ରାୟ ୧୫୪୨.୦୪ କୋଟି ଟଙ୍କା ପୁଞ୍ଜିନିବେଶରେ ୧୩୫୮ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି। ଏହି ଖାଦ୍ୟ ଓ ପାନୀୟ ଉତ୍ପାଦନ ୟୁନିଟ୍ ର ସ୍ଥାପନ ଗ୍ରାମୀଣ ବିକାଶ ଏବଂ ନିଯୁକ୍ତି ସୃଷ୍ଟିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସହ ଖାଦ୍ୟ ପ୍ରକ୍ରିୟାକରଣର ଏକ କେନ୍ଦ୍ର ଭାବରେ ଓଡ଼ିଶାର ଖ୍ୟାତିକୁ ସୁଦୃଢ଼ କରିବ।

ଟେକ୍ସଟାଇଲ୍ ଆଣ୍ଡ ଆପେରେଲ୍ କ୍ଷେତ୍ରରେ ‘ଓଡ଼ିଶା ଟେକ୍ସଟାଇଲ୍ ମ୍ୟାନୁଫାକ୍ଚରିଂ ପ୍ରାଇଭେଟ୍ ଲିମିଟେଡ୍’ ପକ୍ଷରୁ ଖୋର୍ଦ୍ଧାରେ ଟେକ୍ସଟାଇଲ ବର୍ଜ୍ୟବସ୍ତୁରୁ ପୁନଃ ବ୍ୟବହାରକ୍ଷମ ସୂତା ଉତ୍ପାଦନ ପାଇଁ ଏକ କାରଖାନା ସ୍ଥାପନ କରାଯାଉଛି। ୫୧.୮୦ କୋଟି ଟଙ୍କାର ଏହି ପଦକ୍ଷେପ ଏବଂ ୫୩୫ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଥିବା ବେଳେ ବୟନ ଶିଳ୍ପ କ୍ଷେତ୍ରରେ ପ୍ରତି ରାଜ୍ୟର ଏହା ନିରନ୍ତର ପ୍ରତିବଦ୍ଧତାକୁ ଦର୍ଶାଉଛି ।

ପର୍ଯ୍ୟଟନ କ୍ଷେତ୍ରରେ ଆଇଟିସି ଲିମିଟେଡ୍ ୧୧୯.୧୪ କୋଟି ଟଙ୍କା ବିନିଯୋଗରେ ଭୁବନେଶ୍ୱରରେ ନିଜର ପଞ୍ଚତାରକା ହୋଟେଲ୍ ‘ୱେଲ୍ କମ୍ ହୋଟେଲ୍’ର ସମ୍ପ୍ରସାରଣ କରିବ ଏବଂ ଅତିରିକ୍ତ ୨୪୦ ନିଯୁକ୍ତି ପ୍ରଦାନ କରିବ। ଏସଜେ ଜେଆରଜି ଭେଞ୍ଚର୍ସ ଏଲଏଲପି ଏବଂ କ୍ରାକର୍ସ ଇଣ୍ଡିଆ ଇନଫ୍ରାଷ୍ଟ୍ରକଚର୍ସ ଲିମିଟେଡ୍ (ଏଲୱାଇଏଫଇ ଗ୍ରୁପ୍ ଅଫ୍ ହୋଟେଲ) ଦ୍ୱାରା ପର‌୍ୟ୍ୟଟନ ସମ୍ବନ୍ଧୀୟ ଅତିରିକ୍ତ ପ୍ରକଳ୍ପ, ପୁରୀ ଏବଂ କୋରାପୁଟରେ ନୂତନ ଆତିଥେୟତା ସୁବିଧା ଆଣିବ ଏବଂ ଏଥିପାଇଁ ମୋଟ ୧୫୪ କୋଟି ଟଙ୍କାର ପୁଞ୍ଜିନିବେଶ ଏବଂ ୩୮୦ ନିଯୁକ୍ତି ସୃଷ୍ଟି କରିବ। ଏହି ବିକାଶ ଓଡ଼ିଶାର ଅର୍ଥନୈତିକ ଓ ସାଂସ୍କୃତିକ ଦୃଷ୍ଟିକୋଣକୁ ଆଗକୁ ବଢ଼ାଇବା ସହ ପର‌୍ୟ୍ୟଟନସ୍ଥଳୀ ଭାବେ ଓଡ଼ିଶାର ଆକର୍ଷଣ ବୃଦ୍ଧି କରିବ ବୋଲି ଆଶା କରାଯାଉଛି।

ଫାର୍ମାସ୍ୟୁଟିକାଲ୍ସରେ ଇନଫୁନେକ୍ସ ହେଲଥକେୟାର ପ୍ରାଇଭେଟ ଲିମିଟେଡ ୫୯.୪୩ କୋଟି ଟଙ୍କା ନିବେଶରେ କଟକରେ ଇଣ୍ଟ୍ରାଭେନସ ଫ୍ଲୁଇଡ୍ ଉତ୍ପାଦନ ପାଇଁ ଦ୍ୱିତୀୟ ୟୁନିଟ୍ ସ୍ଥାପନ କରିବ ଏବଂ ଏହା ଦ୍ୱାରା ୧୮୨ ଅତିରିକ୍ତ ନିଯୁକ୍ତି ସୃଷ୍ଟି କରିବ। ଅଲ୍ଟ୍ରା ଟେକ୍ ସିମେଣ୍ଟ ଲିମିଟେଡ୍ ର ପ୍ରକଳ୍ପକୁ ଅନୁମୋଦନ ମିଳିବା ପରେ ଓଡ଼ିଶାର ସିମେଣ୍ଟ ଉତ୍ପାଦନ କ୍ଷମତା ବୃଦ୍ଧି ପାଇ କଟକରେ ଏହାର ସିମେଣ୍ଟ ଗ୍ରାଇଣ୍ଡିଂ ୟୁନିଟ୍ କ୍ଷମତା ୩ ଏମଟିପିଏରୁ ୬ ଏମଟିପିଏକୁ ବୃଦ୍ଧି ପାଇବ। ୩୭୨ କୋଟି ଟଙ୍କାର ଏହି ସମ୍ପ୍ରସାରଣ ପ୍ରକଳ୍ପ ୫୮୧ ନିଯୁକ୍ତି ସୃଷ୍ଟି କରିବ ବୋଲି ଆଶା କରାଯାଉଛି ଏବଂ ଏହା ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟର ପ୍ରତିବଦ୍ଧତାକୁ ଦର୍ଶାଉଛ ।

ଏହି ପ୍ରକଳ୍ପଗୁଡ଼ିକ ସମଗ୍ର ଓଡ଼ିଶାରେ ବିଭିନ୍ନ କ୍ଷେତ୍ରରେ କାର‌୍ୟ୍ୟକାରୀ କରାଯିବା ପାଇଁ ପ୍ରତିବଦ୍ଧ, ଯାହାର ସାମୂହିକ ପୁଞ୍ଜିନିବେଶ ମୂଲ୍ୟ ୩,୩୫୩.୧୫ କୋଟି ଟଙ୍କା ଏବଂ ଏଥିରେ ୪୬୩୭ ନିଯୁକ୍ତି ସୃଷ୍ଟି ପାଇଁ ପ୍ରତିଶ୍ରୁତି ଦିଆଯାଇଛି।

 

 

 

ଓଡ଼ିଶାରେ ରାଜ୍ୟବ୍ୟାପୀ ଅର୍ଥନୈତିକ ଅଭିବୃଦ୍ଧି ଓ ନିଯୁକ୍ତି ସୁଯୋଗ ସୃଷ୍ଟି ନିମନ୍ତେ ଏକାଧିକ କ୍ଷେତ୍ରରେ ବିପୁଳ ପୁଞ୍ଜିନିବେଶ ସୁବିଧା କରାଯାଉଛି । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ସହ ରାଜ୍ୟକୁ ବିଶ୍ୱର ଏକ ପସନ୍ଦର ନିବେଶ ସ୍ଥଳ ଭାବରେ ପରିଣତ ପାଇଁ ଲକ୍ଷ୍ୟ ରଖିଛନ୍ତି ।