Categories
ଆଜିର ଖବର

ଭୁବନେଶ୍ବରର ଏକ୍ରାମହାଟରେ ଆରମ୍ଭ ହେଲା ଗାନ୍ଧୀ ଶିଳ୍ପ ବଜାର ପ୍ରଦର୍ଶନୀ ୨୦୨୩

ଭୁବନେଶ୍ବର: ଓଡ଼ିଶା ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅଧିନସ୍ତ ଓଡ଼ିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ ର ଉତ୍କଳିକା ଦ୍ଵାରା ବିକାଶ ଆୟୁକ୍ତ (ହସ୍ତଶିଳ୍ପ) ନୂଆଦିଲ୍ଲୀ ଭାରତ ସରକାର ଓ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ, ଓଡ଼ିଶା ଭୁବନେଶ୍ଵରଙ୍କ ଆର୍ଥିକ  ସହାୟତାରେ ଏକ ଦଶଦିନ ବ୍ୟାପି ଜାତୀୟ ସ୍ତରୀୟ ପ୍ରଦର୍ଶନୀ ଗାନ୍ଧୀଶିଳ୍ପ ବଜାର -୨୦୨୩ ଆୟୋଜିତ ହୋଇଛି।

ଏହା ଆସନ୍ତା ନଭେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଏକାମ୍ରହାଟ ଭୁବନେଶ୍ଵରଠାରେ ଚାଲିବ। ଏଥିରେ ଓଡ଼ିଶା ସମେତ ବାହାର ୨୧ଟି ରାଜ୍ୟରୁ ମୋଟ ୧୦୦ ଜଣ ଶିଳ୍ପୀ ଏବଂ ହସ୍ତଶିଳ୍ପ କାରିଗର ଭାଗ ନେଇ ସେମାନଙ୍କ ଦ୍ଵାରା ଉତ୍ପାଦିତ ସାମଗ୍ରୀମାନ ପ୍ରଦର୍ଶନୀ କରିବା ସଙ୍ଗେ ସଙ୍ଗେ ବିକ୍ରୟ କରୁଛନ୍ତି।

ଏଥିରେ ବିଭିନ୍ନ ପ୍ରକାରର ହସ୍ତଶିଳ୍ପ ସାମଗ୍ରୀ ଯଥା ଜାମୁ ଓ କାଶ୍ମୀରର ଏମବ୍ରୋଡୋରୀ ପଟ୍ଟଚିତ୍ର, କାଶ୍ମିରୀ ଶାଲ, ରାଜସ୍ଥାନର ଜୁଏଲାରୀ ଚମଡ଼ାଶିଳ୍ପ, ଜାରୀଶିଳ୍ପ, ମଧ୍ୟପ୍ରଦେଶର ଏମବ୍ରୋଡୋରୀ ଜରୀ ଶିଳ୍ପ,ଆଦିବାସୀ ଜୁଏଲାରୀ, ମଣିପୁରର ମଣିପୁରୀ ଶାଢି, ନାଗଲାଣ୍ଡର ପୁଷ୍ପଶିଳ୍ପ ଓ ବୟନ ଶିଳ୍ପ, ଉତ୍ତର ପ୍ରଦେଶର କାର୍ପେଟ ଖୋଦେଇ ଚମଡ଼ାଶିଳ୍ପ, ଜରିଶିଳ୍ପ , ଜୁଏଲାରୀ, ବୟନ ଶିଳ୍ପ, ଲୌହଶିଳ୍ପ, ପଶ୍ଚିମବଙ୍ଗର ଝୋଟ ଶିଳ୍ପ ସାମଗ୍ରୀ,ଏମବ୍ରୋଡୋରୀ, ପେଣ୍ଟିଙ୍ଗ ଶାଢୀ ରହିଛି।

ସେହିପରି ଓଡ଼ିଶାର ପଥର ଖୋଦେଇ କାଠ ଖୋଦେଇ, ଶାମୁକା କାର୍ପେଟ, କଂସା ଓ  ପିତଳ ଢୋକରା, ସିଂଘ, ଝୋଟ କମଭଳି ଅତ୍ୟନ୍ତ ଉଚ୍ଚମାନର ହସ୍ତଶିଳ୍ପ ସମଗ୍ରୀମାନଙ୍କର ପ୍ରଦର୍ଶନ ତଥା ବିକ୍ରୟ କରାଯିବ।

ଏହିଭଳି ଏକ ଗୌରବମୟ ମେଳାର ଆୟୋଜନ ଓ ପରିଚାଳନା ତଥା ସର୍ବପରୀ ଦୁର୍ଗାପୂଜା ଓ କୁମାର ପୂର୍ଣ୍ଣିମା ଅବସରରେ ଜନ ସାଧରଣଙ୍କ ଆବଶ୍ୟକଟାକୁ ଦୃଷ୍ଟିରେ ରଖାଯାଇ ଆନୁମାନିକ ୩୦ଲକ୍ଷ ଟଙ୍କାର ବ୍ୟବସାୟ ଆକଳନ କରାଯାଇଅଛି ଏବଂ ୨୫-୩୦ ହଜାର ଦର୍ଶକଙ୍କ ଆଗମାନର ସମ୍ଭାବନା ରହିଛି।

ଶ୍ରୀମତୀ ପ୍ରଣତୀ ଛୋଟରାୟ, ନିର୍ଦ୍ଦେଶିକା ହସ୍ତଶିଳ୍ପଏହି ପ୍ରଦର୍ଶନୀର ଶୁଭ ଉଦଘାଟନ କରିଥିଲେ। କୁମାରୀ ଦେବସ୍ମିତା ସାହୁ, ସଭାପତୀ, ଶ୍ରୀ ପ୍ରଶାନ୍ତ କୁମାର ମହାପାତ୍ର, ଉପ ସଭାପତୀ ଓଡ଼ିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ. ଭୁବନେଶ୍ଵର, ଶ୍ରୀ ବିକ୍ରମାଦିତ୍ଵ ବାରିକ, ଅତିରିକ୍ତ ଶାସନ ସଚିବ, ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ବିଭାଗ ଏବଂ ଶ୍ରୀମତୀ କଲ୍ୟାଣୀ ପଟ୍ଟନାୟକ, ଯୁଗ୍ମ ସଚିବ, ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ବିଭାଗ, ନିର୍ଦ୍ଦେଶିକା ଉତ୍କଳିକା,ଶ୍ରୀ ଅଶୋକ କୁମାର ହୋତା, ବରିଷ୍ଠ ସହନିର୍ଦ୍ଦେଶକ ବିକାଶ ଆୟୁକ୍ତ (ହସ୍ତଶିଳ୍ପ) ଭୁବନେଶ୍ବର ଓ ଅନ୍ୟାନ୍ୟ ଅଧିକାରୀଗଣ  ଏହି ଉତ୍ସବରେ ଉପସ୍ଥିତ ଥିଲେ।

ଏହି ପ୍ରଦର୍ଶନୀ ପ୍ରତ୍ୟହ ଦିନ ୧୧ ଟାରୁ ରାତି ୯ ଟା ପର୍ଯ୍ୟନ୍ତ ଖୋଲା ରହିବ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଜମୁଛି ଏକ୍ରାମ ହାଟରେ ଚାଲିଥିବା ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ

ଭୁବନେଶ୍ୱର: ଏକାମ୍ର ହାଟରେ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ, ଓଡ଼ିଶା ଦ୍ୱାରା ଜୁଲାଇ ୨୧ ତାରିଖଠାରୁ ଏକ ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀର ଆୟୋଜନ କରାଯାଇଛି । ଏହି ପ୍ରଦର୍ଶନୀରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା କାରିଗରମାନେ ସେମାନଙ୍କ ଦ୍ୱାରା ଉତ୍ପାଦିତ ପଟ୍ଟଚିତ୍ର, ତାଳପତ୍ର ଖୋଦେଇ, ଚାନ୍ଦୁଆ କାମ, ବାଉଁଶ କାମ, କାଠ ଖୋଦେଇ, ଲାଖ କାମ, କାଇଁଚ, ଶିଙ୍ଘ କାମ, ଟେରାକୋଟା, ରୂପା ତାରକଶି ଭଳି ୧୯ଟି ହସ୍ତଶିଳ୍ପର ପ୍ରଦର୍ଶନ ଓ ବିକ୍ରୟ କରୁଛନ୍ତି ।

ଏହି ପ୍ରଦର୍ଶନୀରେ ଭାଗ ନେଇଥିବା କାରିଗରମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରିତା ସାହୁ ଆଜି ସନ୍ଧ୍ୟାରେ ଏକାମ୍ର ହାଟ ପରିଦର୍ଶନ କରିଥିଲେ । ତାଙ୍କ ସହିତ ବରି ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ, ବ୍ରଜରାଜନଗର ବିଧାୟିକା ଶ୍ରୀମତୀ ଅଳକା ମହାନ୍ତି ଓ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହନ୍ତ ପ୍ରଦର୍ଶନୀ ପରିଦର୍ଶନ କରି କାରିଗରମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ ଯେ ନୂଆ ରୂପରେ ଏକାମ୍ର ହାଟ ଭୁବନେଶ୍ୱରର ଲୋକାର୍ପଣ ହେବା ପରେ କାରିଗର, ବୁଣାକାର, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଉତ୍ପାଦକ ଗୋଷ୍ଠୀ ଓ ସମବାୟ ସମିତିମାନଙ୍କର ବ୍ୟବସାୟ ବୃଦ୍ଧି ନିମନ୍ତେ ଏହି ହାଟରେ ବିଭିନ୍ନ ସମୟରେ ପ୍ରଦର୍ଶନୀମାନ ଆୟୋଜନ କରାଯାଉଛି । ପରିଦର୍ଶକମାନେ ଏହି ହାଟରେ ଥିବା ସମୁଦାୟ ୮୩ଟି ଷ୍ଟଲରେ ହସ୍ତଶିଳ୍ପୀ ଓ ବୁଣାକାରମାନଙ୍କ ଉତ୍ପାଦିତ ହସ୍ତଶିଳ୍ପ ତଥା ହସ୍ତତନ୍ତ ସାମଗ୍ରୀ ପ୍ରତ୍ୟକ୍ଷ ଭାବେ ଦେଖିବା ଓ କିଣିବାର ସୁଯୋଗ ପାଇବା ସଙ୍ଗେ ସଙ୍ଗେ ସେମାନଙ୍କ ସହ ଭାବର ଆଦାନପ୍ରଦାନ କରିପାରୁଛନ୍ତି ।

ଏଥି ମଧ୍ୟରୁ ଉତ୍କଳିକା, କଳାଭୂମି, ବୟନିକା, ଅମ୍ଳାନ, ସମ୍ବଲପୁରୀ ବସ୍ତ୍ରାଳୟ ଏବଂ ଓର୍‌ମାସ୍‌ ଭଳି ସଂସ୍ଥାମାନଙ୍କୁ ୮ଟି ଷ୍ଟଲ ଆବଣ୍ଟନ କରାଯାଇଛି । ଏତଦ୍‌ବ୍ୟତୀତ ଏହି ହାଟରେ ଦର୍ଶକମାନଙ୍କ ପାଇଁ ୧୦ଟି ସ୍ୱତନ୍ତ୍ର ଜଳପାନ ଷ୍ଟଲ ଉପଲବ୍ଧ କରାଯାଇଛି । ସେହି ଷ୍ଟଲମାନଙ୍କରେ ପାରମ୍ପରିକ ଓଡ଼ିଆ ଖାଦ୍ୟ ସହିତ ଭାରତର ଅନ୍ୟ ପ୍ରାନ୍ତର ସୁସ୍ୱାଦୁ ଖାଦ୍ୟମାନ ଉପଲବ୍ଧ କରାଯାଉଛି ।

ସେହିପରି ପରିଦର୍ଶକ,ପ୍ରଦର୍ଶକ, କ୍ରେତାମାନଙ୍କ ସୁବିଧା ନିମନ୍ତେ ଏକାମ୍ର ହାଟ ପରିସରରେ ସମ୍ମିଳନୀ କକ୍ଷ, ମୁକ୍ତାକାଶ ମଞ୍ଚ, ଏଟିଏମ୍‌, ପାର୍କିଂ ସ୍ଥଳ ଓ କିଓସ୍କ ଆଦିର ସୁବିଧା ଉପଲବ୍ଧ କରାଯାଇଛି ।ଏହି କାର୍ଯ୍ୟକ୍ରମରେ ହସ୍ତଶିଳ୍ପ ନିର୍ଦ୍ଦେଶକ ଶ୍ରୀ ଶ୍ୟାମଭକ୍ତ ମିଶ୍ର ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ପ୍ରଦର୍ଶନୀ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର ସଂସ୍କୃତି

ଗ୍ରାହକଙ୍କୁ ଆକୃଷ୍ଟ କରିବାରେ ଲାଗିଛି ପ୍ରଦର୍ଶନୀ ପଡିଆରେ ଚାଲିଥିବା ହସ୍ତଶିଳ୍ପ ପ୍ରଦର୍ଶନୀ

ଭୁବନେଶ୍ବର, ଭୁବନେଶ୍ବରର ପ୍ରଦର୍ଶନୀ ପଡିଆରେ ଚାଲିଥିବା ହସ୍ତଶିଳ୍ପ ପ୍ରଦର୍ଶନୀରେ ଧିରେଧିରେ ଲୋକଙ୍କ ଭିଡ ଜମିବାରେ ଲାଗିଛି। ପାଗ ଖରାପ ସତ୍ବେ ପ୍ରତ୍ୟେକ ଦିନ ବହୁ ଲୋକ ଏହି ପ୍ରଦର୍ଶନୀକୁ ଆସୁଥିବାର ପରିଲକ୍ଷିତ ହୋଇଛି। ରାଜ୍ୟ ହସ୍ତ ଓ କୁଟୀର ଶିଳ୍ପ ବିଭାଗ ଦ୍ବାରା ଆୟୋଜିତ ଏହି ପ୍ରଦର୍ଶନୀ ଗତ ମାର୍ଚ୍ଚ 2 ତାରିଖରୁ ଆରମ୍ଭ ହୋଇଛି। ମୁଖ୍ୟତଃ ରାଜ୍ୟର ହସ୍ତଶିଳ୍ପ କାରୀଗରଙ୍କୁ ଏକ ବଜାର ସୃଷ୍ଟି କରିବା ପାଇଁ ଏହି ପ୍ରଦର୍ଶନୀର ଆୟୋଜନ କରାଯାଇଛି।

ପ୍ରତିବର୍ଷ ଆୟୋଜିତ ହେଉଥିବା ଏହି ପ୍ରଦର୍ଶନୀରେ ଚଳିତ ବର୍ଷ 110ଟି ଷ୍ଟଲରେ ବିଭିନ୍ନ ସାମଗ୍ରୀ ପ୍ରଦର୍ଶିତ କରାଯାଇଛି। ଏଥିରେ ରାଜ୍ୟର ପ୍ରାୟ 22 ଟି ଜିଲ୍ଲାର କାରୀଗରମାନେ ସେମାନଙ୍କ ହସ୍ତକଳା ପ୍ରଦର୍ଶିତ କରିଛନ୍ତି। ମୁଖ୍ୟତଃ ଏହି ପ୍ରଦର୍ଶନୀରେ ବିଭିିନ୍ନ ସାମଗ୍ରୀ କିପରି ନିର୍ମାଣ ହୁଏ ତାହର କୌଶଳ କାରୀଗରମାନେ ଦର୍ଶକଙ୍କୁ ଦେଖାଉଛନ୍ତି। ଫଳରେ ସେହି ଷ୍ଟଲରେ ଭିଡ ଅଧିକ ପରିଲକ୍ଷିତ ହୋଇଛି। ଏଥିରେ ଧାନ ତିଆରି ହସ୍ତକଳା, ଜନଜାତି ଅଳଙ୍କାର, ପଥର ଖୋଦେଇ, କାଠ ଖୋଦେଇ ପ୍ରଭୃତି ସାମଗ୍ରୀର ନିର୍ମାଣ କୌଶଳ ପ୍ରଦର୍ଶିତ କରାଯାଉଛି।

ଏଥିସହିତ ଏହି ପ୍ରଦର୍ଶନୀରେ ରଂଗବେରଂଗର ଲାଖ ଚୁଡି, ପିତ୍ତଳ ଘରସଜା, ହାତତିଆରି ଅଳଙ୍କାର, ତାରକାସୀ କାମର ବିଭିନ୍ନ ଜିନିଷ ପ୍ରଦର୍ଶୀତ କରାଯାଇଛି। ଏହି ପ୍ରଦର୍ଶନୀ ପ୍ରତିଦିନ ଅପରାହ୍ନ 2ଟାରୁ ରାତି 9ଟା ପର୍ଯ୍ୟନ୍ତ ଖୋଲା ରହୁଛି। ଆସନ୍ତା 8 ତାରିଖରେ ଏହି ପ୍ରଦର୍ଶନୀ ଶେଷ ହେବ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଜନତା ମଇଦାନରେ ଚାଲିଥିବା ହସ୍ତଶିଳ୍ପ ମେଳାରେ ଆକର୍ଷଣର କେନ୍ଦ୍ର ପାଲଟିଛି ମାଟି କଣ୍ଢେଇ

ଭୁବନେଶ୍ୱର, ସ୍ଥାନୀୟ ଜନତା ମଇଦାନଠାରେ ଫେବୃଆରୀ ୭ରୁ ଆରମ୍ଭ ହୋଇଥିବା ରାଜ୍ୟସ୍ତରୀୟ ହସ୍ତଶିଳ୍ପ ମେଳାରେ ଲୋକମାନଙ୍କ ଭିଡ଼ ଜମୁଛି। ମାଟି କଣ୍ଢେଇ ସହ ମାଟିରେ ତିଆରି ସାମଗ୍ରୀ ଏବଂ ସାଜସଜ୍ଜା ସାମଗ୍ରୀ ପ୍ରତି ଲୋକମାନେ ଅଧିକ ଆକୃଷ୍ଟ ହେଉଛନ୍ତି।
ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ମାଧ୍ୟମରେ ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ ପକ୍ଷରୁ ଆୟୋଜିତ ଏହି ପ୍ରଦର୍ଶନୀରେ ୨୩ଟି ଜିଲ୍ଲାର ହସ୍ତଶିଳ୍ପ କାରିଗର ଯୋଗଦାନ କରିଛନ୍ତି। ବିଭିନ୍ନ ଆକର୍ଷଣୀୟ ସାମଗ୍ରୀ ଯଥା ଶିଙ୍ଗ, ବାଉଁଶ, ପିତ୍ତଳ, ମାଟି, ଚାନ୍ଦୁଆ ଆଦିରେ ପ୍ରସ୍ତୁତ ଆକର୍ଷଣୀୟ ହସ୍ତଶିଳ୍ପ ପ୍ରଦର୍ଶନ ଓ ବିକ୍ରୟ ହେଉଛି।

ଆକର୍ଷଣୀୟ ମାଟି କଣ୍ଢେଇ, ପଥର ବାସନ ଓ ଅନ୍ୟାନ୍ୟ କାରୁକାର୍ଯ୍ୟ ସହ ଘରସଜ୍ଜା ସାମଗ୍ରୀ ଷ୍ଟଲ୍‌ରେ ଲୋକମାନଙ୍କ ଭିଡ଼ ଜମିଛି। ଏହି ପ୍ରଦର୍ଶନୀରେ ଓଡ଼ିଶା ସରକାରଙ୍କ ଦ୍ୱାରା ଅନୁମୋଦିତ ୫୦ଟି ହସ୍ତଶିଳ୍ପ ମଧ୍ୟରୁ ୨୮ଟି ହସ୍ତଶିଳ୍ପର ପ୍ରଦର୍ଶନ ଓ ବିକ୍ରୟ ହେଉଛି।
ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ଫେବୃଆରୀ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ହସ୍ତଶିଳ୍ପ ପ୍ରଦର୍ଶନୀରେ ଓଡ଼ିଶାର ବିଭିନ୍ନ ସୁସ୍ୱାଦୁ ଖାଦ୍ୟ ବଜାର ମଧ୍ୟ ଖୋଲାଯାଇଛି। ଏହା ସଙ୍ଗେ ସଙ୍ଗେ ଓଡ଼ିଶାର ପ୍ରସିଦ୍ଧ କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେଉଛି।