Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

୬୯ ତମ ସଂସ୍କୃତି ଚର୍ଚ୍ଚା ସମାରୋହ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ୬୯ତମ ସଂସ୍କୃତି ଚର୍ଚ୍ଚା ସମ୍ପାନ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଅଛି। ଉକ୍ତ ଉତ୍ସବରେ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରିଥିଲେ ଡ. ଜୟନ୍ତୀ ରଥ, ପୂର୍ବତନ ଅଧୀକ୍ଷକ, ରାଜ୍ୟ ସଂଗ୍ରହାଳୟ ଏବଂ ସଚିବ ସାହିତ୍ୟ ଏକାଡେମୀ, ମୁଖ୍ୟ ଅତିଥି ଭାବରେ ବିଭାଗୀୟ ଉପନିର୍ଦ୍ଦେଶିକା ଶ୍ରୀମତୀ ଶୁଚିସ୍ମିତା ମନ୍ତ୍ରୀ ଯୋଗଦାନ କରିଥିଲେ। ସମ୍ପାନରେ ସ୍ୱାଗତ ଭାଷଣ ଦେଇଥିଲେ ଓଡ଼ିଶା ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଡ. ଶେଖ୍ ସୋଲେମାନ ଅଲ୍ଲୀ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଶ୍ରୀଯୁକ୍ତ ଉପେନ୍ଦ୍ର କୁମାର ବେହେରା।

ଏହି ଅବସରରେ ମୁଖ୍ୟ ବକ୍ତା ଡ. ରଥ କହିଥିଲେ ଓଡ଼ିଶାର ସାଂସ୍କୃତିକ ଇତିହାସକୁ ରାଣୀ ଏବଂ ରାଜକନ୍ୟାମାନଙ୍କ ଅବଦାନ ଅତୁଳନୀୟ। ଆଜି ରାଜତନ୍ତ୍ର ନାହିଁ। ରାଣୀ, ରାଜକନ୍ୟା ଏ ଶବ୍ଦର ପ୍ରଚଳନ ନାହିଁ। ତେବେ ଓଡ଼ିଶାର ଇତିହାସକୁ ନିରୀକ୍ଷଣ କଲେ ଅତୀତ ଉତ୍କଳରେ ରାଜ ବଂଶୀୟ ରମଣୀଙ୍କର ଉଜ୍ୱଳ କୀର୍ତ୍ତିର ଅଜସ୍ର ଉଦାହରଣ ଆମେ ପାଇ ପାରିବା। ଅଷ୍ଟମ ଓ ନବମ ଶତାବ୍ଦୀରେ ଏକାଦିକ୍ରମେ ୬ ଜଣ ରାଣୀ ସର୍ବଭୌମ କ୍ଷମତାର ଅଧିକାରିଣୀ ହୋଇ ରାଜ୍ୟ ଶାସନ କରିଥିଲେ। ଏଭଳି ଦୃଷ୍ଟାନ୍ତ ସମଗ୍ର ବିଶ୍ୱରେ ବିରଳ।

ଭୁବନେଶ୍ୱର ଅନନ୍ତ ବାସୁଦେବ ମନ୍ଦିର, ବ୍ରହ୍ମେଶ୍ୱର ମନ୍ଦିର ଆଜି ବି ଉଦ୍‌ଘୋଷଣା କରୁଛି ଗଙ୍ଗବଂଶର ରାଜକନ୍ୟା ଚନ୍ଦ୍ରିକା ଦେବୀ ଓ ସୋମ ବଂଶର ମହାରାଣୀ କଳାବତୀ ଦେବୀଙ୍କ ନାମ। ଅଷ୍ଟମ ଶତାବ୍ଦୀରେ ସମ୍ବଳ ଦେଶର ରାଜକନ୍ୟା ଲକ୍ଷ୍ମୀକରା ସହଜଯାନର ପ୍ରବର୍ତ୍ତନ କରିଥିଲେ। ଜଗନ୍ନାଥ ମନ୍ଦିର ପରିଚାଳନା ଦାୟିତ୍ୱ ହସ୍ତାନ୍ତର ନକରିବା ପାଇଁ ବ୍ରିଟିଶ ସରକାରଙ୍କ ବିରୁଦ୍ଧରେ ପ୍ରାଣପାତ ଉଦ୍ୟମ କରିଥିଲେ ସୂର୍ଯ୍ୟମଣୀ ପାଟମହାଦେଇ।

ଅନ୍ତଃପୁରରେ ଥାଇ, ବହୁ ରାଜଜେମା ଭଜନ, ଜଣାଣ, କାବ୍ୟ ରଚନାରେ ଅସାଧାରଣ ପରାକାଷ୍ଠା ପ୍ରଦର୍ଶନ କରିଥିଲେ। ତନ୍ମଧ୍ୟରେ ସୂର୍ଯ୍ୟମଣି ଜେମା, କଳ୍ପଲତା ଜେମା, କ୍ଷୀରୋଦମାଳୀ ଜେମା, ନିଃଶଙ୍କରାୟ ରାଣୀଙ୍କ ନାମ ଉଲ୍ଲେଖ ଯୋଗ୍ୟ।

ସୋନପୁର (ସୁବର୍ଣ୍ଣପୁର)ର ରାଣୀ ପାର୍ବତୀ ଦେବୀ (ବୀରମିତ୍ରୋଦୟ ସିଂହଦେଓଙ୍କ ପତ୍ନୀ) ସମାଜ ସେବା, ସାହିତ୍ୟ ଉଭୟ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିଲେ।

କୁଜଙ୍ଗର ରାଣୀ ଭାବବତୀ ପାଟମହାଦେଇ ଭାରତର ପ୍ରଥମ ରାଜ ବଂଶୀୟା ନାରୀ ଯିଏ ଲବଣ ସତ୍ୟାଗ୍ରହ ଆନ୍ଦୋଳନରେ ଭାଗ ନେଇଥିଲେ। ଦେଶ ସ୍ୱାଧୀନ ହେବା ପରେ ପ୍ରତ୍ୟକ୍ଷ ରାଜନୀତିରେ ଅବତୀର୍ଣ୍ଣ ହୋଇ ବହୁ ରାଣୀ ସୁନାମ ଅର୍ଜନ କରିଛନ୍ତି।

ରଣପୁରର ରାଣୀ ବସନ୍ତ ମଞ୍ଜରୀ ଦେବୀ, ଢ଼େଙ୍କାନାଳର ରାଣୀ ରତ୍ନପ୍ରଭା ଦେବୀ, ଆଳିର ରାଣୀ ସୁଶ୍ରୀ ଦେବୀ ଖଲିକୋଟର ରାଣୀ ସୁଜ୍ଞାନ କୁମାରୀ ଦେଓଙ୍କ ନାମ ସ୍ମରଣ କରାଯାଇ ପାରେ। ଶୀଳାଲେଖ, ତାମ୍ରପାତ୍ର ଓ ଐତିହାସିକ ଦସ୍ତାବିଜ ଉପରେ ଆଧାରିତ ତାଙ୍କର ଆଲୋଚନା ବେଶ୍ ଭାବଗର୍ଭକ ଥିଲା।

ସମ୍ପାନର ମୁଖ୍ୟ ଅତିଥି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପନିର୍ଦ୍ଦେଶିକା ଏବଂ ସଚିବ, ସାହିତ୍ୟ ଏକାଡେମୀ ଶୁଚିସ୍ମିତା ମନ୍ତ୍ରୀ ରାଜତନ୍ତ୍ର ସମୟରେ ନାରୀ ସଶକ୍ତି କରଣ ଥିବାର ସୂଚନା ଦେବା ସହ ବର୍ତ୍ତମାନ ସମୟରେ ନାରୀ ସଶକ୍ତି କରଣ ଏବଂ ନାରୀମାନଙ୍କର ସମାଜରେ ଭୂମିକା ଉପରେ ସମ୍ୟକ ଆଲୋକପାତ କରିଥିଲେ।

ପରିଶେଷରେ ଦର୍ଶକ ଏବଂ ବୁଦ୍ଧିଜୀବୀ ମାନଙ୍କର ମୁକ୍ତ ଆଲୋଚନା ହୋଇଥିଲା ଯେଉଁଥିରେ ଉପସ୍ଥିତ ଶ୍ରୋତାମଣ୍ଡଳୀ ମୁଖ୍ୟ ବକ୍ତାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ ଏବଂ ତାହାର ଉତ୍ତର ପାଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସଂସ୍କୃତି ଚର୍ଚ୍ଚା: ଓଡ଼ିଶାର ସଂସ୍କୃତି ଓ ପରମ୍ପରାରେ ଯୋଗର ମଧ୍ୟ ରହିଛି ଭୂମିକା

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ୫୮ତମ ସଂସ୍କୃତି ଚର୍ଚ୍ଚା ସମ୍ପାନ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଅଛି। ଉକ୍ତ ଉତ୍ସବରେ ମୁଖ୍ୟବକ୍ତା ଭାବରେ ଭାରତୀୟ ଯୋଗ ସଂସ୍ଥାନ, ନୂଆଦିଲ୍ଲୀର ସୁରେଶ କୁମାର ମହାପାତ୍ର ଯୋଗଦାନ କରିଥିଲେ।ଏହି ଅବସରରେ ମହାପାତ୍ର ନିଜର ବକ୍ତବ୍ୟରେ ଯମ, ନିୟମ, ଆସନ, ପ୍ରାଣାୟମ, ପ୍ରତ୍ୟାହାର,ଧ୍ୟାନ ଧାରଣା ଏବଂ ସମାଧି ଉପରେ ବିଶଦ୍ ଭାବରେ ବର୍ଣ୍ଣନା କରିଥିଲେ।

ଉତ୍କଳୀୟ ହିନ୍ଦୁ ଦର୍ଶନ ଓ ଧର୍ମ ପରଂପରାରେ ଯୋଗାଭ୍ୟାସର ସମସ୍ତ ବିଧିବିଧାନ କେଉଁ ଆଦିମ ଯୁଗରୁ ପ୍ରଚଳିତହୋଇ ଆସୁଛି, ତାହା ନିର୍ଣ୍ଣୟ କରିବା ସହଜ ସାଧ୍ୟ ନୁହେଁ । ସେହି ଯୋଗର ବିଧିବିଧାନ ପରଂପରାକୁ ଯେଉଁମାନେ ନିଷ୍ଠା ଓ ପବିତ୍ରଭାବରେ ପାଳନ କରି ଆସିଛନ୍ତି, ସେହିମାନେ ସର୍ବଶ୍ରେଷ୍ଠ ମହାପୁରୁଷ, ସନ୍ୟାସୀ ବା ଉତ୍ତମ ସାଧକ ହିସାବରେ ପରିଗଣିତହୋଇ ଆସିଛନ୍ତି।

ଏଥିରେ ସମ୍ମାନନୀୟ ଅତିଥି ଏବଂ ସଭାପତିତ୍ୱ କରିଥିଲେ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀଯୁକ୍ତ ରଞ୍ଜନ କୁମାର ଦାସ। ସମ୍ପାନର ଅତିଥି ଭାବରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ମନସ୍ୱିନୀ ସାହୁ ଯୋଗଦାନ କରିଥିଲେ । ସମ୍ପାନରେ ସ୍ୱାଗତ ଭାଷଣ ଦେଇଥିଲେ ଓଡ଼ିଶା ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଡ. ଶେଖ୍‌ ସୋଲେମାନ ଅଲ୍ଲୀ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଅଭିଲେଖାଗାରର ଶ୍ରୀଯୁକ୍ତ ଉପେନ୍ଦ୍ର କୁମାର ବେହେରା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସଂସ୍କୃତି

ସଂସ୍କୃତି ବିଭାଗରେ ପାଳିତ ହେଲା ଆନ୍ତର୍ଜାତୀୟ ଅଭିଲେଖାଗାର ଦିବସ

ଭୁବନେଶ୍ୱର, ଚଳିତ ବର୍ଷ ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ କୋଭିଡ୍‌-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ଅବଲମ୍ବନପୂର୍ବକ ଅନ୍‌ଲାଇନ୍‌ ଦୃଶ୍ୟଶ୍ରାବ୍ୟ ମାଧ୍ୟମରେ ଏହି ଦିବସଟି ପାଳନ କରାଯାଇଛି । ଏହି ଦୃଶ୍ୟଶ୍ରାବ୍ୟ କାର୍ଯ୍ୟକ୍ରମରେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଭିଲେଖାଗାର ହେଉଛି ଚଳନ୍ତି ଇତିହାସର ଗନ୍ତାଘର ବୋଲି କହିଥିଲେ ।

ଦଲିଲ୍‌ ଦସ୍ତାବିଜ୍‌, ବହିପତ୍ର, ଚିଠିପତ୍ର, ଫାଇଲ୍‌ ଆଦି ପରି ପ୍ରାମାଣିକ ତଥ୍ୟ ଏବଂ କାଗଜପତ୍ରଗୁଡ଼ିକ ଅଭିଲେଖାଗାରରୁ ମିଳିଥାଏ । ତେଣୁ ଏହା ଛାତ୍ରଛାତ୍ରୀ, ଗବେଷକ, ବୁଦ୍ଧିଜୀବୀ ଏବଂ ସଚେତନ ଜନସାଧାରଣଙ୍କ ପାଇଁ ଏକ ନିର୍ଭରଯୋଗ୍ୟ ଏବଂ ମହତ୍ତ୍ୱପୂର୍ଣ୍ଣ ଗନ୍ତବ୍ୟସ୍ଥଳ । ସେଥିପାଇଁ ଅଭିଲେଖାଗାରକୁ ସଶକ୍ତ କରିବା ନିମନ୍ତେ ସବୁ ମହଲରୁ ସହଯୋଗର ଆବଶ୍ୟକତା ରହିଛି ।

ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ କହିଲେ ଯେ ଅଭିଲେଖାଗାର ହେଉଛି ଗୋଟିଏ ସଭ୍ୟତା ଓ ସଂସ୍କୃତିର ପ୍ରବକ୍ତା । ଇତିହାସର ପୁନରୁଦ୍ଧାର ସହିତ ସମକାଳୀନ ପ୍ରସଙ୍ଗ ତଥା ଭବିଷ୍ୟତର ନିର୍ଘଣ୍ଟ ପ୍ରସ୍ତୁତିରେ ଅଭିଲେଖାଗାରର ବଡ଼ ଭୂମିକା ରହିଛି । ବର୍ତ୍ତମାନର ଯୁଗ ହେଉଛି ସୂଚନା ବା ତଥ୍ୟର ଯୁଗ ।ଏହି ସୂଚନା ବା ତଥ୍ୟର ଅନ୍ୟତମ ଭଣ୍ଡାର ହେଉଛି ଅଭିଲେଖାଗାର ।

ଓଡ଼ିଶା ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଡ. ଶେଖ୍‌ ସୁଲେମାନ୍‌ ଅଲ୍ଲୀ ଏହି ଦୃଶ୍ୟଶ୍ରାବ୍ୟ ସଭାରେ ପ୍ରାରମ୍ଭିକ ଭାଷଣରେ ପ୍ରତି ନାଗରିକଙ୍କୁ ଜଣେ ଜଣେ ଅଭିଲେଖାବିତ୍‌ ହେବା ପାଇଁ ଆହ୍ୱାନ ଦେବା ସହ ବିଶ୍ୱର କୋଣ-ଅନୁକୋଣରେ ଥିବା ସମସ୍ତ ଅଭିଲେଖବିତ୍‌ଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେଇଥିଲେ ।