Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ କାର୍ଯ୍ୟାଳୟରେ ବିଜେପିର ୪୪ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର: ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସ୍ଥାପନା ଦିବସ ପାଳନ ଅବସରରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଓ କନକ ବର୍ଦ୍ଧନ ସିଂହଦେଓ ଦଳୀୟ ପତାକା ଉତ୍ତୋଳନନ କରିବା ସହିତ ପାର୍ଟିର ପ୍ରତିଷ୍ଠାତା ସଭାପତି ଡ.ଶ୍ୟାମାପ୍ରସାଦ ମୁଖାର୍ଜୀ ଏବଂ ସାଧାରଣ ସଂପାଦକ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ।

ଆଜି ଦୀର୍ଘ ୪୩ ବର୍ଷର ଯାତ୍ରା ପୂରଣ କରି ଭାରତୀୟ ଜନତା ପାର୍ଟୀ ୪୪ ତମ ପ୍ରତିଷ୍ଠା ଦିବସ ଦେଶବ୍ୟାପୀ ପାଳନ କରିଛି। କୋଟି କୋଟି କାର୍ଯ୍ୟକର୍ତା ଭାରତୀୟ ଜନତା ପାର୍ଟିର ବିଚାରକୁ ପ୍ରତିଷ୍ଠା କରିବା ପାଇଁ ଦୀର୍ଘ ଦିନ ଧରି ସମୟ, ତ୍ୟାଗ,ସମର୍ପଣ ଓ ବଳିଦାନ ଦେଇଛନ୍ତି। ସଂଗଠନକୁ ମଜଭୁତ୍ କରିଥିବା ଏବଂ ବିଶ୍ୱର ସର୍ବବୃହତ ରାଜନୈତିକ ଦଳ ଭାବେ ଗଢି ତୋଳିଥିବା ସମସ୍ତ କାର୍ଯ୍ୟକର୍ତା ଚିର ସ୍ମରଣୀୟ ହୋଇ ରହିବା ସହ ଆମ ସମସ୍ତଙ୍କୁ ସର୍ବଦା ପ୍ରେରଣା ଯୋଗାଇବ। “ସେବା ହିଁ ସଂଗଠନ” କୁ ମୁଳମନ୍ତ୍ର କରି ବିଜେପିର ସମସ୍ତ କାର୍ଯ୍ୟକର୍ତା ନିରନ୍ତର କାର୍ଯ୍ୟ କରିଚାଲିଛନ୍ତି।

“ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ”କୁ ମୁଳମନ୍ତ୍ର କରି ରାଷ୍ଟ୍ରହିତ କାର୍ଯ୍ୟରେ ବିଜେପି ନିଜ କାର୍ଯ୍ୟଧାରାକୁ ଜାରି ରଖିଛି। ସଶକ୍ତ ଭାରତବର୍ଷ ଏବଂ ଆତ୍ମନିର୍ଭର ଭାରତ ଗଠନ କରିବା ପାଇଁ ଆମ ସମସ୍ତଙ୍କର ସାମୁହିକ ପ୍ରୟାସର ଆବଶ୍ୟକତା ରହିଛି। “ବସୁେଧୈବ କୁଟୁମ୍ବକମ୍‌” ହେଉଛି ଆମର ପରିଚୟ ଏବଂ ସ୍ୱତନ୍ତ୍ରତା। ସ୍ୱାଧୀନତା ପାଇଁ ତ୍ୟାଗ, ତପସ୍ୟା ଓ ବଳିଦାନ ଦେଇଥିବା ମହାମନିଷୀମାନଙ୍କ ସ୍ୱପ୍ନ ଆଜି ବାସ୍ତବ ହେବାରେ ଲାଗିଛି। ସ୍ୱାଧୀନତାର ୧୦୦ବର୍ଷ ପୂର୍ତି ଅବସରରେ ନିଶ୍ଚିତ ରୂପେ ଭାରତବର୍ଷ ବିଶ୍ୱରେ ଏକ ସର୍ବଶ୍ରେଷ୍ଠ ଦେଶ ଭାବେ ଉଭା ହୋଇସାରିଥିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଓଡିଶାରେ ବିଜେପିକୁ ଯେଉଁ ଭଳି ଜନସମର୍ଥନ ମିଳୁଛି ତାହା ଅତ୍ୟନ୍ତ ଉତ୍ସାହଜନକ ଏବଂ ମୁଖ୍ୟ ବିରୋଧୀ ଦଳ ଭାବେ ରାଜ୍ୟବାସୀ ଯେଉଁ ଦାୟିତ୍ୱ ପ୍ରଦାନ କରିଛନ୍ତି, ତାକୁ ସୂଚାରୁ ରୂପେ ନିର୍ବାହ କରି ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟ କରିବାକୁ ଆମେ ସଂକଳ୍ପବଦ୍ଧ। କାର୍ଯ୍ୟକର୍ତାଙ୍କ କଠିନ ପରିଶ୍ରମ ଦ୍ୱାରା ଭାରତୀୟ ଜନତା ପାର୍ଟୀକୁ ଆଗାମୀ ଦିନରେ ଓଡ଼ିଶାବାସୀଙ୍କ ସେବା କରିବାର ସୁଯୋଗ ଦେବାକୁ ସଂକଳ୍ପ ନେବାକୁ ଶ୍ରୀ ମହାନ୍ତି ଆହ୍ୱାନ ଦେଇଛନ୍ତି।

ଦୁଇ ଜଣ ସାଂସଦଙ୍କଠାରୁ ୧୯୮୦ ମସିହାରେ ଜନ୍ମଗ୍ରହଣ କରିଥିବା ଭାରତୀୟ ଜନତା ପାର୍ଟି ଆଜି ସର୍ବସ୍ପର୍ଶୀ, ସର୍ବବ୍ୟାପୀ ଏବଂ ସଂକଳ୍ପ ମାଧ୍ୟମରେ ସର୍ବବୃହତ ରାଜନୈତିକ ଦଳ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛି। ପଣ୍ଡିତ ଦୀନଦୟାଲଙ୍କ ଅନ୍ତ୍ୟୋଦ୍ୱୟ ଆଦର୍ଶରେ ଅନୁପ୍ରାଣିତ ହୋଇ ସାଧାରଣ ଲୋକଙ୍କୁ ସମାଜର ମୁଖ୍ୟସ୍ରୋତରେ ପହଂଚାଇବାର ବଜ୍ର ଶପଥ ନେଇ ଗଢ଼ି ଉଠିଥିଲା ଭାରତୀୟ ଜନତା ପାର୍ଟି। ଲକ୍ଷ୍ୟ ଥିଲା ସମାଜର ତଳ ସ୍ତରରେ ରହୁଥିବା ଲୋକ ପାଖରେ ବିକାଶ ପହଂଚାଇବା। ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ନେତୃତ୍ୱରେ ଭାରତ ବିକାଶମୁଖୀ ହୋଇଛି ଏବଂ ତାଙ୍କର ନେତୃତ୍ୱକୁ ବିଶ୍ୱବ୍ୟାପୀ ସ୍ୱୀକୃତି ମିଳିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ପ୍ରତିଷ୍ଠା ଦିବସ ଅବସରରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ସଭାପତି ଶ୍ରୀ ଜେ.ପି.ନଡ୍ଡାଙ୍କ ଅଭିଭାଷଣକୁ ରାଜ୍ୟ କାର୍ଯ୍ୟାଳୟରେ ଉପସ୍ଥିତ ସମସ୍ତ କାର୍ଯ୍ୟକର୍ତା ଏକାଠି ମିଶି ଶୁଣିଥିଲେ। ଏହା ପରେ ଜାତୀୟ ପରିଷଦ ସଦସ୍ୟ ଏବଂ ରାଜ୍ୟ ପରିଷଦ ସଦସ୍ୟଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ର ସରକାରଙ୍କ ସମସ୍ତ ଜନକଲ୍ୟାଣ ଯୋଜନାର ସୁଫଳ ଏବଂ ଭାରତୀୟ ଜନତା ପାର୍ଟୀର ବିଚାର ଓ ଆଦର୍ଶକୁ ଲୋକମାନଙ୍କ ଭିତରେ ପହଂଚାଇବା ପାଇଁ ଏହି ବୈଠକରେ ଆଲୋଚନା କରାଯାଇଥିଲା। ପାର୍ଟୀର ପ୍ରତିଷ୍ଠା ଦିନଠାରୁ ଆଜି ପର୍ଯ୍ୟନ୍ତ ଓଡିଶାରେ ବିଜେପିର ଇତିହାସ, ଅଭିଯାନ ଓ କାର୍ଯ୍ୟକଳାପ ସଂପର୍କରେ ବରିଷ୍ଠ ନେତା ସଜ୍ଜନ ଶର୍ମା ଆଲୋଚା କରିଥିଲେ। ରାଜ୍ୟ ସାଧାରଣ ସଂପାଦକ ମାନସ କୁମାର ମହାନ୍ତି ଏବଂ ବରିଷ୍ଠ ନେତା ଭୁବନାନନ୍ଦ ତ୍ରିପାଠୀ ପାର୍ଟୀର ସାଂଗଠନିକ ପ୍ରସଙ୍ଗରେ ଆଲୋଚନା କରିଥିଲେ। ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର ଏହି ବୈଠକକୁ ସଂଚାଳନା କରିଥିବାବେଳେ ରାଜ୍ୟ ଉପସଭାନେତ୍ରୀ ଅନୀତା ଶୁଭଦର୍ଶିନୀ ଧନ୍ୟବାଦ ଜ୍ଞାପନ କରିଥିଲେ।

ଏହି ଅବସରରେ ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ବିଧାୟକ ଲଲିଟେନ୍ଦୁ ବିଦ୍ୟାଧର ମହାପାତ୍ର, ବଳଭଦ୍ର ମାଝୀ, ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ସଂପାଦିକା ପିଙ୍କି ପ୍ରଧାନ, ରାଜ୍ୟ ମୁଖପାତ୍ର ଯତିନ୍ ମହାନ୍ତି, ଧୀରେନ ସେନାପତି, ଠାକୁର ରଞ୍ଜିତ ଦାସ, ରମାରଞ୍ଜନ ବଳିୟାରସିଂହ, ରାଜେନ୍ଦ୍ର ପଣ୍ଡା, ମନୋଜ ମହାପାତ୍ର, ସୋନାଲୀ ସାହୁ, ବରିଷ୍ଠ ନେତା ସଜ୍ଜନ ଶର୍ମା, ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କର୍ଣ୍ଣେଲ ବି.କେ.ବସ୍ତିଆ, ରଶ୍ମିରଞ୍ଜନ କାନୁନଗୋ ସମେତ ଅନେକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।

ଆଜି ରାଜ୍ୟର ସମସ୍ତ ଜିଲ୍ଲା, ମଣ୍ଡଳ ଏବଂ ବୁଥ୍‌ମାନଙ୍କରେ ‘ପ୍ରତିଷ୍ଠା ଦିବସ’ ପାଳନ ହୋଇଯାଇଛି।

Categories
ଆଜିର ଖବର ଆଞ୍ଚଳିକ

ଓସେପାର ଜାଲିଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ଜିଲ୍ଲା କର୍ମଚାରୀ ସହଜରେ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି

ରମେଶ ମହାନ୍ତି
ଜଗତସିଂହପୁର: ଓସେପାର ରାଜ୍ୟ କାର୍ଯ୍ୟାଳୟ ଜାଲି କର୍ମଚାରିଙ୍କ ଉପରେ ନିଆଯାଉଥିବା ପଦକ୍ଷପକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ଶିକ୍ଷକଟିଏ ଜାଲି ବୋଲି ଧରା ହୋଇ ଚାକିରୀରୁ ବିଦା ହୋଇ ଗଲା ବେଳେ ଓସେପା ଜାଲି ମାନଙ୍କୁ ତଳ ପଦବୀରେ ଅବସ୍ଥାପିତ କରିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ମାତ୍ର ଜଗତସିଂହପୁର ସମଗ୍ର କାର୍ଯ୍ୟାଳୟର କିଛି କର୍ମଚାରୀ ପାଗଳଙ୍କ ପରି ବିଳାପ କରିବା ଚର୍ଚ୍ଚାର ବିଷୟ ହୋଇଛି। ନିଜକୁ ଦକ୍ଷ ବୋଲି କହୁଥିବା ସାର୍ ଜଣଙ୍କ ଦାନ୍ତ କଡମଡ କରି ସବୁ ଶିକ୍ଷକଙ୍କ ପୋଲ ଖୋଲି ଦେବେ ବୋଲି କହୁଥିବା ଚର୍ଚ୍ଚା ହେଉଛି।

ତେବେ ଜିଲ୍ଲାରେ କେତେ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଜାଲି ଅଛନ୍ତି ବା ସେମାନଙ୍କ ପ୍ରମାଣ ପତ୍ର ତିଆରି କରିବାରେ ସାରଙ୍କ ଏଥିରେ ହାତ ନାହିଁ ତ? ଏନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ତେଣୁ ସରକାର ନିରପେକ୍ଷ ତଦନ୍ତ କରି ଜିଲ୍ଲାରେ ଥିବା ଜାଲି ଶିକ୍ଷକମାନଙ୍କୁ ଠାବ କରିବା ସହିତ ସେମାନଙ୍କୁ ନିଯୁକ୍ତିରେ ସହଯୋଗ କରିଥିବା କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବୁଦ୍ଧିଜିବୀ ମହଲରେ ଦାବୀ ହେଉଛି।