Categories
ବିଶେଷ ଖବର ରାଜ୍ୟ ଖବର

ଓଡିଶାର କୋଭିଡ୍‌ ପରିଚାଳନାକୁ ପ୍ରଶଂସା କଲେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ, ଡକ୍ୟୁମେଣ୍ଟସନ ପାଇଁ ପରାମର୍ଶ

ଭୁବନେଶ୍ୱର:  ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟରେ କୋଭିଡ୍‌-୧୯ର ପରିଚାଳନା ସଂପର୍କରେ ବିସ୍ତୃତ ଆଲୋଚନା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରତିନିଧି ଯୋଗଦେଇ କହିଲେ ଯେ ଓଡ଼ିଶା କୋଭିଡ୍‌-୧୯ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟକରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିଛି ଓ ଦୃଷ୍ଟି ଆକର୍ଷଣ କରିପାରିଛି । ତେବେ ଏ କ୍ଷେତ୍ରରେ ଡକୁମେଣ୍ଟେସନ୍‌ର ଆବଶ୍ୟକତା ରହିଛି । ସବୁଜିନିଷକୁ ସଠିକ୍‌ ଭାବେ ଡକୁମେଣ୍ଟେସନ୍‌ କରିପାରିଲେ ଅନ୍ୟମାନେ ତାକୁ ଅନୁସରଣ କରିପାରିବେ ।

ଏହି ଅବସରରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତାଙ୍କର ବାଲେଶ୍ୱର ଜିଲ୍ଲା ଗସ୍ତ ସଂପର୍କରେ ଅନୁଭୂତି ବର୍ଣ୍ଣନା କରିବା ସହ ଜିଲ୍ଲାରେ କୋଭିଡ୍‌-୧୯ ପରିଚାଳନା କ୍ଷେତ୍ରରେ ଆଖିଦୃଶିଆ କାର୍ଯ୍ୟ ହୋଇଥିବା କଥା ଉଲ୍ଲେଖ କରିଥିଲେ ।

ବାଲେଶ୍ୱର ଜିଲ୍ଲାରେ ଥିବା ଅକଜୁଲାରୀ ସ୍ୱାସ୍ଥ୍ୟ କେନ୍ଦ୍ର (ଏଏଚ୍‌ଏଫ୍‌)ଗୁଡ଼ିକରେ କୋଭିଡ୍‌-୧୯ ପରିଚାଳନା ବ୍ୟତୀତ ଏବେ ଟିକାଦାନ, ସ୍ୱାସ୍ଥ୍ୟସେବା ସଂପର୍କିତ ସଚେତନତା କାର୍ଯ୍ୟକ୍ରମ, ସ୍ୱାସ୍ଥ୍ୟ ଶିବିର ଓ ଆବଶ୍ୟକ ସ୍ଥଳେ ଆଶ୍ରୟ କେନ୍ଦ୍ର ଇତ୍ୟାଦି ପରିଚାଳନା କରାଯାଇପାରୁଛି । ଏହି କେନ୍ଦ୍ରଗୁଡ଼ିକ ବହୁମୁଖୀ ସେବା ପ୍ରଦାନରେ ସହାୟକ ହୋଇପାରୁଛି ।

ବିପର୍ଯ୍ୟୟ ସମୟରେ ସ୍ୱାସ୍ଥ୍ୟସେବା ପରିଚାଳନା ସଂପର୍କରେ ମଧ୍ୟ ଏହି ଅବସରରେ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଡା. ନିହାର ରଞ୍ଜନ ରାୟ, ଡା. ସୌରଭ ଓ ଡା. ମନୀଷ ଉପସ୍ଥିତ ଥିବାବେଳେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଅଜିତ କୁମାର ମହାନ୍ତି ଓ ଡା. ଦିନବନ୍ଧୁ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।