Categories
ଜାତୀୟ ଖବର ବିଶେଷ ଖବର ବ୍ୟକ୍ତିତ୍ୱ ସଂସ୍କୃତି

ପ୍ରାଣ ପ୍ରତିଷ୍ଠା ପାଇଁ ୧୧ ଦିନ ଧରି ଉପବାସ ରହି ତଳେ ଶୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଅଯୋଦ୍ଧା ରାମମନ୍ଦିରରେ ରାମଲଲା ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୧ ଦିନ ଧରି ଉପବାସ ରହିଥିଲେ। ଏହିପରି ଏକ ଖବର ଆଜି ପ୍ରତିଷ୍ଠା ଉତ୍ସବରେ କହିଛନ୍ତି ରାମମନ୍ଦିରର ସେବକ ଗୋବିନ୍ଦ ଦେବ ଗିରି। ସେ କହିଛନ୍ତି ଯେ, ମୋଦିଙ୍କୁ ୩ ଦିନ ଉପବାସ ରହିବା ପାଇଁ କୁହାଯାଇଥିଲା। ହେଲେ ସେ ପୁରା ୧୧ ଦିନ ଧରି ନିଷ୍ଠାର ସହ ଉପବାସ ରହିଲେ।

ରାମଲଲା ପ୍ରାଣ ପ୍ରତିଷ୍ଠା ପରେ ଆୟୋଜିତ ଏକ ସଭାରେ ଗିରି କହିଛନ୍ତି ଯେ, ଏହି ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀଙ୍କ ବଡ ନିଷ୍ଠା ରହିଛି। ସେ ୨୦ ଦିନ ପୂର୍ବରୁ ପ୍ରାଣପ୍ରତିଷ୍ଠା ପାଇଁ କଣ ବ୍ରତ କରିବାକୁ ପଡିବ ତାହାର ତାଲିକା ଦେବାକୁ ଆମକୁ କହିଥିଲେ। ସେହି ଅନୁସାରେ ଆମେ ତାଙ୍କୁ ଏକ ତାଲିକା ପ୍ରଦାନ କରିଥିଲୁ। ସେଥିପେ ୧୧ ଦିନ ଧରି ବ୍ରତ ପାଳନ କରିବାକୁ ପଡିବ ବୋଲି କୁହାଯାଇଥିଲା।

ଏଥିରେ ୧୧ ଦିନରୁ ୮ ଦିନ ଏକଓଳା ଭୋଜନ ଏବଂ ଶେଷ ତିନିଦିନ ଉପବାସ କରିବା ପାଇଁ କୁହାଯାଇଥିଲା। ଏଥିସହିତ ୩ ଦିନ ତଳେ ବା ଭୂମିରେ ଶୋଇବା ପାଇଁ ମଧ୍ୟ କୁହାଯାଇଥିଲା। ହେଲେ ମୋଦି ପୁରା ୧୧ ଦିନ ଧରି ଉପବାସ ରହିଲେ। ଆଉ ୧୧ ଦିନ ଧରି ସେ ତଳେ ଶୋଇଲେ।

ସେହିପରି ତାଙ୍କୁ ଏହି ୧୧ ଦିନ ବିଦେଶ ଭ୍ରମଣ ପାଇଁ ମଧ୍ୟ ମନା କରାଯାଇଥିଲା। ସେହି ଅନୁସାରେ ସେ ବିଦେଶ ଭ୍ରମଣ ମଧ୍ୟ କରି ନାହାଁନ୍ତି। ହେଲେ ଆଶ୍ଚର‌୍ୟ୍ୟର କଥା ସେ ଏହି ଦିନରେ ଦେଶର ପ୍ରମୁଖ ମନ୍ଦିର ଦର୍ଶନ କରି ଆସିଛନ୍ତି। ସେ ଦେଶରୁ ପ୍ରମୁଖ ମନ୍ଦିରରୁ ଶକ୍ତି ଆଣି ଆଜି ଏହିଠାରେ ଏକତ୍ର କରିଛନ୍ତି ବୋଲି ଗିରି ତାଙ୍କ ଭାଷଣରେ କହିଥିଲେ।

ସେ ପୁଣି କହିଥିଲେ ଯେ, ଦେଶର ଜଣେ ନେତା ଏପରି ନିଷ୍ଠାରେ ରହିବେ ବୋଲି ଆମେ କେବେ ଭାବି ନ ଥିଲୁ। ଏହାପରେ ଗିରି ପ୍ରଧାନମନ୍ତ୍ରୀଙ୍କୁ ଚରଣାମୃତ ଖୁଆଇ ତାଙ୍କର ଉପବାସ ଭଙ୍ଗ କରାଇଥିଲେ।

ସେହିପରି ଆରଏସଏସ ର ମୁଖ୍ୟ ମୋହନ ଭାଗବତ ମଧ୍ୟ ମୋଦିଙ୍କ ନିଷ୍ଠାକୁ ସ୍ବୀକାର କରିଥିଲେ। ସେ କହିଥିଲେ ଯେ, ମୁଁ ମୋଦିଙ୍କୁ ବହୁ ପୂର୍ବରୁ ଜାଣିଛି। ତାଙ୍କ ସହିତ ସଂପର୍କ ରହିଛି। ସେତେବେଳୁ ମୁଁ ଜାଣିଛି ଯେ, ସେ ଜଣେ ତପସ୍ବୀ।

ନିଷ୍ଠାର ସହିତ ପୂଜାପାଠ କରିବା ଗୁଣ ତାଙ୍କର ପୂର୍ବରୁ ରହିଛି। ଆଜି ଏତେ ବଡ କାମ ଯେତେବେଳେ ହେଉଛି ସେ ସେହିପରି ନିଷ୍ଠାରେ କାହିଁକି ରହିବେ ନାହିଁ ବୋଲି ଭାଗବତ କହିଥିଲେ।

Categories
ଆଜିର ଖବର ଜାତୀୟ ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର

ରାମଲାଲା ପ୍ରାଣ ପ୍ରତିଷ୍ଠା ଉତ୍ସବର ସିଧା ପ୍ରସାରଣ ଦେଖିଲେ ମୁଖ୍ୟମନ୍ତ୍ରୀ ଏବଂ ପାଣ୍ଡିଆନ

ଭୁବନେଶ୍ବର: ଆଜି ଅଯୋଦ୍ଧାରେ ରାମଲାଲା ପ୍ରାଣ ପ୍ରତିଷ୍ଠା ଉତ୍ସବ ଯୋଗୁଁ ସାରା ଦେଶ ରାମମୟ ହୋଇପଡିଛି। ଅଯୋଦ୍ଧାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶେଷ ପୂଜା ଅର୍ଚ୍ଚନା କରି ରାମ ମୂର୍ତ୍ତିରେ ପ୍ରାଣ ପ୍ରତିଷ୍ଠା କରାଇଛନ୍ତି। ଏହି ଉତ୍ସବ ଦେଖିବା ପାଇଁ ଲକ୍ଷାଧିକ ଲୋକଙ୍କର ସମାଗମ ହୋଇଥିଲା। ହେଲେ ବହୁ ଭକ୍ତ ଟିଭି ସିଧାପ୍ରସାରଣ ଦେଖି ସେମାନଙ୍କର ଇଚ୍ଛାକୁ ପୂରଣ କରିଛନ୍ତି।

ସେହିପରି ଜଗନ୍ନାଥଙ୍କ ପରମ ଭକ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ନବୀନ ଓଡିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମଧ୍ୟ ଟିଭିରୁ ସିଧା ପ୍ରସାରଣ ଦେଖିଛନ୍ତି। ଉଭୟ ଏକ ହିନ୍ଦି ଚ୍ୟାନେଲରୁ ଅଯୋଦ୍ଧାରେ ହେଉଥିବା ଏହି ମହାସମାରୋହକୁ ଦର୍ଶନ କରିଥିଲେ। ପ୍ରାଣ ପ୍ରତିଷ୍ଠା ସମୟରେ ଉଭୟ ନବୀନ ଏବଂ କାର୍ତ୍ତିକ ରାମଲାଲାଙ୍କୁ ହାତ ଯୋଡି ମୁଣ୍ଡିଆ ମାରିଥିଲେ।

Categories
ଆଜିର ଖବର ଜାତୀୟ ଖବର ଧର୍ମ

ରାମଲାଲଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ରାମମନ୍ଦିରରେ ପୂଜାପାଠ ଆରମ୍ଭ କଲେ ମୋଦି

RamLala Pran Pratistha: ଆଯୋଦ୍ଧା ରାମମନ୍ଦିରରେ ରାମଲାଲଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ରାମମନ୍ଦିର ପରିସରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ପାରଂପାରିକ ହିନ୍ଦୁ ପୋଷାକ ପିନ୍ଧି ମନ୍ଦିର ପରିସରରେ ପ୍ରବେଶ କରିଛନ୍ତି। ସେ ସିଂହଦ୍ବାର ଦେଇ ମନ୍ଦିରରେ ପ୍ରବେଶ ପରେ ତାଙ୍କୁ ପୂଜାରୀମାନେ ପାଛୋଟି ନେଇଛନ୍ତି।

ମନ୍ଦିର ମଧ୍ୟରେ ପ୍ରବେଶ ବେଳେ ମୋଦି ହାତରେ ଚାନ୍ଦିର ମୁକୁଟ ସହ ରାମଲାଲଙ୍କ ପୋଷାକ ଧରିଥିଲେ। ସେ ମନ୍ଦିରରେ ପ୍ରଥମେ ସଂକଳ୍ପ ଗ୍ରହଣ କରିଥିଲେ। ଏହାପରେ ଗର୍ଭଗୃହରେ ପ୍ରବେଶ କରି ସେ ପୂଜାପାଠ ଆରମ୍ଭ କରିଛନ୍ତି। ପାଖରେ ଅଛନ୍ତି ଆରଏସଏର ମୁଖ୍ୟ ମୋହନ ଭାଗବତ, ଉତ୍ତରପ୍ରଦେଶ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆସନ୍ତା ଜାନୁୟାରୀ ୨୨ ତାରିଖରେ ଅଧାଦିନ ଛୁଟି ଘୋଷଣା କଲେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର

ଭୁବନେଶ୍ବର: ଆସନ୍ତା ଜାୟନୁୟାରୀ ୨୨ ତାରିଖରେ ସମସ୍ତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାର‌୍ୟ୍ୟାଳୟ ଅଧାଦିନ ଛୁଟି ରହିବ। ଏହି ଘୋଷଣା ଆଜି ଉଭୟ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ସେହିଦିନ ଅଯୋଧ୍ୟାରେ ରାମଲାଲ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ତାହାକୁ ଘରେ ବସି ଟିଭିରେ ଦେଖିବା ପାଇଁ ଏହି ଛୁଟି ଘୋଷଣା କରାଯାଇଛି।

ପ୍ରଥମେ କେନ୍ଦ୍ର ସରକାରଙ୍କ କାର୍ମିକ ବିଭାଗ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିରେ ଦେଶରେ ଥିବା ସମସ୍ତ କେନ୍ଦ୍ର ସରକାରଙ୍କ ଅଫିସ ଅଧାଦିନ ଛୁଟି ରହିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହାପରେ ରାଜ୍ୟ ସରକାର ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟ ଅଧାଦିନ ବନ୍ଦ ରହିବ ବୋଲି କୁହାଗଲା।

ଏହି ବିଜ୍ଞପ୍ତି ଅନୁସାରେ ସରକାରୀ ଅଧିକାରୀମାନେ ସେହିଦିନ ୨.୩୦ ରେ ଅଫିସ କାର୍ଯ୍ୟରେ ଯୋଗ ଦେବେ।

Categories
ଜାତୀୟ ଖବର ବିଶେଷ ଖବର

ଅଯୋଦ୍ଧାକୁ ଗସ୍ତ କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୁଛନ୍ତି ନୂଆ ରେକର୍ଡ

ନୂଆଦିଲ୍ଲୀ: ଜାନୁଆରୀ ୨୨ରେ ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗ ଦେବା ମାତ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟା ସହ ଜଡ଼ିତ ଏକ ନିଆରା ରେକର୍ଡ କରିବେ। ପ୍ରଧାନମନ୍ତ୍ରୀ ଭାବରେ ସେ ପଞ୍ଚମ ଥର ପାଇଁ ଅଯୋଧ୍ୟାରେ ଗସ୍ତରେ ଆସୁଛନ୍ତି।

୨୦୧୯ରେ ଗୋସାଇଗଞ୍ଜରେ ସାଧାରଣ ସଭା, ୨୦୨୦ରେ ରାମ ମନ୍ଦିର ଭୂମି ପୂଜନ, ୨୦୨୨ରେ ଦୀପୋତ୍ସବ-୨୦୨୨ ପରେ ବିମାନବନ୍ଦର ଉଦ୍‌ଘାଟନ ଅବସରରେ ସେ ଚତୁର୍ଥ ଥର ପାଇଁ ଡିସେମ୍ବର ୩୦ରେ ଅଯୋଧ୍ୟାରେ ଗସ୍ତରେ ଯିବେ। ସେ ଏକମାତ୍ର ପ୍ରଧାନମନ୍ତ୍ରୀ ହେବେ ଯିଏ କି ୫ ଥର ଅଯୋଧ୍ୟା ଗସ୍ତ କରିବେ। ମୋଦି ହେଉଛନ୍ତି ଏକମାତ୍ର ପ୍ରଧାନମନ୍ତ୍ରୀ ଯିଏ କି ରାମଲାଲାଙ୍କ ପୂଜା ଅର୍ଚ୍ୟନା କରିଛନ୍ତି।

ନରେନ୍ଦ୍ର ମୋଦିଙ୍କ ପୂର୍ବରୁ ୪ ଜଣ ପ୍ରଧାନମନ୍ତ୍ରୀ ଏଠାକୁ ଆସିଥିଲେ ମଧ୍ୟ କେହି ରାମଲାଲାଙ୍କୁ ଭେଟି ନାହାନ୍ତି। ସାଂସଦ ଲଲ୍ଲୁ ସିଂହ କହିଛନ୍ତି ଯେ ଅଯୋଧ୍ୟା ପ୍ରତି ବହୁତ ସମ୍ମାନ ରଖୁଥିବା ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କ ଆଚରଣ ମାଧ୍ୟମରେ ପ୍ରମାଣିତ କରିଛନ୍ତି ଯେ ସେ ଜଣେ ପ୍ରକୃତ ରାମ ଭକ୍ତ ଯିଏ କି ରାମଶକ୍ତିରେ ବିଶ୍ୱାସ କରନ୍ତି।

ଇନ୍ଦିରା ଓ ରାଜୀବ ତିନିଥର ଆସିଥିଲେ

ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ୩ ଥର ରାମନଗରୀ ଗସ୍ତ କରିଥିଲେ। ୧୯୬୬ ମସିହାରେ ସେ ସରଜୁ ସେତୁର ଉଦ୍‌ଘାଟନ କରିଥିଲେ। ଏହାପରେ ୧୯୭୫ମସିହାରେ ସେ ନରେନ୍ଦ୍ର ଦେବ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିବାକୁ ଆସିଥିଲେ। ତୃତୀୟ ଥର ପାଇଁ ସେ ୧୯୭୯ରେ ଅଯୋଧ୍ୟା ଗସ୍ତ କରିଥିଲେ।

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ୧୯୮୪ ଓ ୧୯୮୯ରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବାକୁ ଏଠାକୁ ଆସିଥିଲେ। ୧୯୯୦ ମସିହାରେ ସେ ଏକ ସଦ୍ଭାବନା ଯାତ୍ରାରେ ଏଠାକୁ ଆସିଥିଲେ।

ମୋଦି ପ୍ରଥମେ ୧୯୯୨ରେ ଅଯୋଧ୍ୟା ଆସିଥିଲେ

୧୯୯୨ ଜାନୁଆରୀରେ ନରେନ୍ଦ୍ର ମୋଦି ତତ୍କାଳୀନ ବିଜେପି ସଭାପତି ଡ. ମୁରଲୀ ମନୋହର ଯୋଶୀଙ୍କ ସହ ଅଯୋଧ୍ୟା ଗସ୍ତ କରିଥିଲେ। ୨୦୦୯ ଓ ୨୦୧୪ ଲୋକସଭା ନିର୍ବାଚନରେ ସେ ଅଯୋଧ୍ୟାରେ ସାଧାରଣ ସଭା ମଧ୍ୟ କରିଥିଲେ। ନରେନ୍ଦ୍ର ମୋଦିଙ୍କ ଜନସଭାରେ ପ୍ରବଳ ଜନସମାଗମ ଏକ ରେଖା ଆଙ୍କିଥିଲା ଯାହା ଯେ କୌଣସି ନେତାଙ୍କ ପାଇଁ ଅତିକ୍ରମ କରିବା ଚ୍ୟାଲେଞ୍ଜିଂ ଅଟେ।

ଦୁଇ ଥର ଆସିଥିଲେ ଅଟଳ ବିହାରୀ ବାଜପେୟୀ

ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବାବେଳେ ଦୁଇଥର ଅଯୋଧ୍ୟା ଗସ୍ତ କରିଥିଲେ। ତାଙ୍କର ପ୍ରଥମ ଗସ୍ତ ୨୦୦୨ ମସିହାରେ ମନ୍ଦିର ଆନ୍ଦୋଳନର ଅନ୍ୟତମ ନାୟକ ପରମହଂସ ରାମଚନ୍ଦ୍ର ଦାସଙ୍କ ସାକେତବାସରେ ଅଯୋଧ୍ୟା ଆସିଥିଲା।

ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ପରମହଂସଙ୍କର ସ୍ୱପ୍ନ ନିଶ୍ଚୟ ପୂରଣ ହେବ ବୋଲି ସେ କହିଛନ୍ତି। ଅଟଳଜୀଙ୍କ ଏହି ବୟାନ ଏବଂ ପରମହଂସଜୀଙ୍କ ସ୍ୱପ୍ନ ଜାନୁଆରୀ ୨୨ରେ ଦିବ୍ୟ ଭବ୍ୟ ଏବଂ ଚିରଞ୍ଜୀବୀ ଭବନରେ ରାମଲଲାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଦ୍ୱାରା ପୂରଣ ହେବ।

ଦ୍ୱିତୀୟ ଥର ପାଇଁ ସେ ୨୦୦୪ମସିହାରେ ସରୟୁ ରେଳ ଓଭରବ୍ରିଜ ଉଦ୍‌ଘାଟନ ପାଇଁ ଏଠାକୁ ଆସିଥିଲେ ଏବଂ ବିମାନବନ୍ଦରରେ ଏକ ସଭା ମଧ୍ୟ କରିଥିଲେ।

ଦେବେଗୌଡ଼ା ମଧ୍ୟ ଆସିଥିଲେ

୧୯୯୭ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେବଗୌଡ଼ା ଏଠାକୁ ଆସିଥିଲେ। ସେ ସରଜୁ ରେଳ ଓଭରବ୍ରିଜ୍‌ର ଶିଳାନ୍ୟାସ କରିଥିଲେ।

Categories
ଆଞ୍ଚଳିକ

ବାଲୁଗାଁ ବାଣପୁରରେ ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଅକ୍ଷତ କଳସ ଶୋଭାଯାତ୍ରା

ବାଣପୁର( ସୀତାରାମ ଅଗ୍ରୱାଲ): ଆଜି ଅଯୋଧ୍ୟା ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ନିମନ୍ତେ ବାଣପୁର ଓ ବାଲୁଗାଁରେ ଅକ୍ଷତ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସକାଳେ ଅଯୋଧ୍ୟା ରୁ ଆସିଥିବା ଅଭିମନ୍ତ୍ରିତ ଅକ୍ଷତ କଳସ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟାଳୟ ରୁ ବାହାରି ପ୍ରତ୍ୟେକ ଖଣ୍ଡକୁ ହସ୍ତାନ୍ତର କରାଯାଇଥିଲା।

ଏହି ପରିପ୍ରେକ୍ଷୀରେ ଚିଲିକା ଖଣ୍ଡ ପାଇଁ ଉକ୍ତ କାର୍ଯ୍ୟକ୍ରମର ପାଳକ ଅନନ୍ତ ପ୍ରସାଦ ସେଠି ଓ ଲଷ୍ମୀଧର ଜେନା ଅକ୍ଷତ କଳସ ଆଣିଥିବା ବେଳେ, ବାଣପୁର ଖଣ୍ଡ ପାଇଁ ଶ୍ୟାମ ସୁନ୍ଦର ପ୍ରଧାନ ଅକ୍ଷତ କଳସ ଆଣିଥିଲେ। ଉକ୍ତ ଅକ୍ଷତ କଳସକୁ ବାଣପୁର ଓ ବାଲୁଗାଁ ସହରରେ ଭବ୍ୟ ସ୍ୱାଗତ କରାଯାଇଥିଲା। ଏକାଧିକ ରାମଭକ୍ତ ମାନେ ଉକ୍ତ ଅକ୍ଷତ କଳସକୁ ସ୍ୱାଗତ କରିବା ସହ ଫୁଲ,ହୁଳହୁଳି ଦେଇ, ଦୀପ ଲଗାଇ ପୂଜାର୍ଚନା କରିଥିଲେ।

ବାଲୁଗାଁରେ ଅକ୍ଷତ କଳସ ଶୋଭାଯାତ୍ରା ମାମୁଁ ଭଣଜା ପାହାଡ଼ ପାଦଦେଶରୁ ବାହାରି ହନୁମାନ ମନ୍ଦିର ପର୍ଯ୍ୟନ୍ତ ଯାଇଥିବା ବେଳେ ବାଣପୁରରେ ବିଷରପାଟଣା ଛକରୁ ମା’ ଭଗବତୀ ମନ୍ଦିର ଯାଇ ରଙ୍କନାଥ ମନ୍ଦିର ଠାରେ ପହଞ୍ଚିଥିଲା।

ଉକ୍ତ କାର୍ଯ୍ୟକ୍ରମରେ ଆରଏସଏସ ବାଣପୁର ଖଣ୍ଡ ସଂଘଚାଳକ ସତ୍ୟନାରାୟଣ ଷଡ଼ଙ୍ଗୀ, କାର୍ଯ୍ୟବାହ ପ୍ରଶାନ୍ତ ସୁପକାର, ରଞ୍ଜିତ ବଡ଼ଜେନା, ସ୍ୱୟଂସେବକ ସୀତାରାମ ଅଗ୍ରୱାଲ, ସୁଶାନ୍ତ ସାହୁ, ମନେନ୍ଦ୍ର ଦାସ, ରବୀନ୍ଦ୍ର କୁମାର ସେଠି, ଅରୁଣ ଆଚାରୀ, ଚିନ୍ତାମଣି ମିଶ୍ର, ବସନ୍ତ ସୁବୁଦ୍ଧି, ନନ୍ଦ କିଶୋର ମିଶ୍ର, ବିଭୁଦେନ୍ଦୁ ରାଉତ ପ୍ରମୁଖ ସାମିଲ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ରାମରାଜ୍ୟ ହେବ କି ନାହିଁ ଭିନ୍ନ କଥା, ହେଲେ ମୋଦିଙ୍କ ଭୂମିପୂଜା ଉତ୍ସବ, ସାରା ଭାରତକୁ କରିଦେଲା ରାମମୟ

ସଂପଦ ଦଳାଇ

ଆଜି ହିନ୍ଦୁ କ୍ୟାଲେଣ୍ଡରରେ ସେମିତି କିଛି ବଡ ତିଥି ନାହିଁ। ସେମିତି କିଛି ବଡ ପୂଜା ବି ନାହିଁ। ହେଲେ ଆଜି ଅଯୋଧ୍ୟାରେ ଯେପରି ଏକ ସମାରୋହର ଆୟୋଜନ ହେଲା ତାହା ହିନ୍ଦୁ କ୍ୟାଲେଣ୍ଡରରେ ଏକ ବଡ ତିଥି ଭାବେ ଯୋଡି ହୋଇଗଲା। ଗତ ଚାରି ଦିନ ଧରି ଭୂମିପୂଜା ପାଇଁ ଯେପରି ଆୟୋଜନ ଚାଲିଥିଲା, ସେଥିରେ ପ୍ରତିଟି ହିନ୍ଦୁ ଭାବେ ନେଲେ ଯେ, ଅଗଷ୍ଟ 5 ତାରିଖ ଏକ ପବିତ୍ର ଦିନ। ସେଥିପାଇଁ ଆଜି ଆମିଶ ବାର ହୋଇଥିଲେ ମଧ୍ୟ ଅନେକ ତାହା ଭକ୍ଷଣ କଲେ ନାହିଁ। ଆମିଶ ନ ଖାଇବା ପାଇଁ କେହି ନିର୍ଦ୍ଦେଶ ଦେଇ ନ ଥିଲେ ମଧ୍ୟ ଭୂମିପୂଜନ ପାଇଁ ସାରା ଭାରତର ଅନେକ ଲୋକେ ସ୍ବତଃପ୍ରୁତ ଭାବେ ଏହାକୁ ଏକ ବ୍ରତଦିନ ବୋଲି ଧରି ନେଲେ।

ଭୂମିପୂଜା ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦି ଅଯୋଧ୍ୟାରେ ପହଁଚିବାଠାରୁ ଆରମ୍ଭ କରି ପୂଜା ଶେଷ ପର୍ଯ୍ୟନ୍ତ ପ୍ରତିଟି ଦୃଶ୍ୟକୁ ସମସ୍ତେ ତନ୍ନ ତନ୍ନ କରି ଦେଖିଥିଲେ। ନିଜ ଭକ୍ତିପୂତ ମସ୍ତିସ୍କରେ ବିଶ୍ଲେଷଣ ମଧ୍ୟ କରିଥିଲା। ମୋଦି ଅଯୋଧ୍ୟାରେ ପାଦ ଦେବା ପରେ ପ୍ରଥମେ ତାଙ୍କର ପୋଷାକ ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା। ହିନ୍ଦୁ ଧର୍ମର ପୂଜାରେ ବ୍ୟବହୃତ ପୋଷାକ ପିନ୍ଧିବା ଅନେକଙ୍କୁ ପସନ୍ଦ କରିଥିଲେ। ଏହାପରେ ହନୁମାନ ମନ୍ଦିରରେ ପୂଜାଅର୍ଚ୍ଚନା ସହ ଆଳତି କରିବା ମଧ୍ୟ ଥିଲା ତାଙ୍କ ଭକ୍ତିର ପ୍ରମାଣ। ଏପରିକି ରାମଲାଲ ମନ୍ଦିରରେ ଶାଷ୍ଟାଙ୍ଗ ପ୍ରଣିପାତ କରିବା ମଧ୍ୟ ମୋଦିଙ୍କ ଭକ୍ତି ଭାବକୁ ସାଧାରଣ ଲୋକେ ହୃଦୟଙ୍ଗମ କରିଛନ୍ତି। ସେହିପରି ଦୀର୍ଘ ସମୟ ଧରି ପୂଜାରେ ବସି ଶ୍ଲୋକ ଅନୁସାରେ ପ୍ରତିଟି କାର୍ଯ୍ୟ କରିବା ଥିଲା ଆଉ ଏକ ଉଲ୍ଲେଖନୀୟ ଘଟଣା। ଯାହା ଅନେକ ଚିନ୍ତାଶିଳ ଓ ଭକ୍ତିଶିଳ ବ୍ୟକ୍ତିଙ୍କୁ ପ୍ରଭାବିତ କରିପାରିଛି।

ପୂଜାପାଠ ସରିବା ପରେ ଦେଶବାସୀଙ୍କୁ ଉଦବୋଧନ ଦେବା ବେଳେ ମୋଦିଙ୍କ ରାମଚର୍ଚ୍ଚା ମଧ୍ୟ ବହୁ ଲୋକଙ୍କୁ ବେଶ୍ ପ୍ରଭାବିତ କରିପାରିଛି। ମୋଦି ତାଙ୍କ ଭାଷଣରେ ଜୟ ସୀୟା ରାମଚନ୍ଦ୍ର ଜି କି, ଜୟ.. ରୁ ଭାଷଣ ଆରମ୍ଭ କରିଥିଲେ। ଏହି ଉଚ୍ଚାରଣ ବେଳେ ସେଠାକାର ପରିବେଶ ମଧ୍ୟ ବେଶ ରାମମୟ ହୋଇ ଯାଇଥିଲା। ତାପରେ ତାଙ୍କ ଭାଷଣରେ ରାମ ମନ୍ଦିର ଆନ୍ଦୋଳନରେ ସାମିଲ ପ୍ରତିଟି ବ୍ୟକ୍ତିଙ୍କୁ ସେ ପ୍ରଣାମ କରିଥିଲେ। ମୋଦି ତାଙ୍କ ଭାଷଣରେ ପ୍ରଭୁ ଶ୍ରୀରାମଙ୍କ ସଂପର୍କରେ ଯେପରି ଆଲୋକପାତ କଲେ ତାହା ସାଧାରଣ ଲୋକେ କାହିଁକି ଉପସ୍ଥିତ ସାଧୁସନ୍ଥଙ୍କୁ ମଧ୍ୟ ଅଶ୍ଚର୍ଯ୍ୟାନ୍ବତ କରି ଦେଇଥିଲା।

ବିଭିନ୍ନ ରାଜ୍ୟରେ କିପରି ରାମନାମ ପ୍ରଚଳିତ ସେ ସଂପର୍କରେ ମୋଦି ତାଙ୍କ ଭାଷଣରେ ଉଲ୍ଲେଖ କରିଥିଲେ। କେଉଁ ରାଜ୍ୟରେ କେଉଁ ରାମାୟଣର ପ୍ରଚଳନ ରହିଛି ତାହା ମଧ୍ୟ ବର୍ଣ୍ଣନା କରିଥିଲେ। ମାଲାଲାୟମ, ତେଲୁଗ, ଓଡିଆ, ବଙ୍ଗଳା ପ୍ରଭୃତି ଭାଷାଭାଷୀ ଅଞ୍ଚଳରେ କି ପ୍ରକାରର ରାମାୟଣ ଆଦୃତି ଲାଭ କରିଛି ସେ ସଂପର୍କରେ ମଧ୍ୟ ଅବଗତ କରାଇଥିଲେ।

କେବଳ ରାଜ୍ୟ ନୁହେଁ ବିଦେଶରେ ମଧ୍ୟ ଶ୍ରୀରାମଙ୍କୁ ଭକ୍ତି କରାଯାଏ ବୋଲି ମୋଦୀ ଉପସ୍ଥିତ ସାଧୁସନ୍ଥଙ୍କ ସମ୍ମିଳନରେ ଯୁକ୍ତି ଉପସ୍ଥାପିତ କରିଥିଲେ। ମୁସଲିମ୍ ବହୁଳ ଦେଶ ଇଣ୍ଡୋନେସିଆରେ ମଧ୍ୟ ରାମାୟଣ ପ୍ରଚଳିତ ରହିଛି। ସେଠାରେ କାକାଦିନ ରାମାୟଣ ଏବଂ ଯୋଗେଶ୍ବର ରାମାୟଣ ରହିଛି ବୋଲି ମୋଦୀ ତାଙ୍କ ଭାଷଣରେ କହିଥିଲେ। ସେହିପରି କାମ୍ବୋଡିଆ, ମାଲେସିଆ ଏବଂ ଥାଇଲାଣ୍ଡ ପରି ଦେଶରେ ମଧ୍ୟ ରାମାୟଣ ପ୍ରଚଳିତ। ଏପରିକି ଇରାନ ଏବଂ ଚୀନରେ ମଧ୍ୟ ରାମକଥା ବେଶ୍ ଆଦୃତି ଲାଭ କରିଛି ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ କହିଥିଲେ। କେବଳ ଦେଶ ବିଦେଶ ନୁହେଁ  ବିଭିନ୍ନ ଧର୍ମରେ କିପରି ରାମନାମ ସହିତ ସଂପର୍କ ରହିଛି ତାହାର ମଧ୍ୟ ଯୁକ୍ତି ଉପସ୍ଥାପନ କରିଥିଲେ। ଶେଷରେ ମୋଦି ସୁନ୍ଦର ଭାବେ ପ୍ରମାଣିତ କରିଥିଲେ ଯେ, ପ୍ରଭୁ ଶ୍ରୀରାମ ହେଉଛନ୍ତି ସବୁ ରାଜ୍ୟର, ସବୁ ଦେଶର ଏବଂ ସବୁ ଧର୍ମର।

ଆଧୁନିକ ଭାରତରେ ହିନ୍ଦୁ ଧର୍ମ ପ୍ରଚାରକମାନେ ରାମନାମକୁ କେତେ ପ୍ରଚାର କରିଛନ୍ତି ତାହା ଭିନ୍ନ କଥା, ହେଲେ ଏହି ଭୂମିପୂଜା ଭାରତର ଲୋକଙ୍କୁ ରାମସେତୁରେ ବାନ୍ଧିବାରେ ସକ୍ଷମ ହୋଇପାରିଛି। କହିବାକୁ ଗଲେ ସାରା ଭାରତରେ ଏହି ଭୂମିପୂଜନ ଉତ୍ସବ ରାମନାମ ପ୍ରଚାର କରିବାରେ ବେଶ୍ ସହାୟକ ହୋଇ ପାରିଛି। ଅନ୍ୟପକ୍ଷରେ ନରେନ୍ଦ୍ର ମୋଦି ରାଜନୈତିକ ଏବଂ ଧାର୍ମିକ କ୍ଷେତ୍ରରେ ଲୋକଙ୍କୁ ବାନ୍ଧି ରଖିବାରେ ମଧ୍ୟ ବେଶ୍ ସକ୍ଷମ ହୋଇପାରିଛନ୍ତି।