Categories
ଜାତୀୟ ଖବର ଜୀବନ ଶୈଳୀ ବିଶେଷ ଖବର ରାଜ୍ୟ ଖବର

ରାଷ୍ଟ୍ରପତି ଭବନରୁ ଆସିଲା ଏକ ବିଶେଷ ମୁର୍ହୁତର ଫଟୋ, ସମସ୍ତଙ୍କୁ କରିଦେଉଛି ଭାବବିହ୍ବଳ

ନୂଆଦିଲ୍ଲୀ: ଦେଶର ପନ୍ଦରତମ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ଦାୟିତ୍ବ ଗ୍ରହଣ କରିଛନ୍ତି। ତାଙ୍କୁ ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦାୟିତ୍ବ ହସ୍ତାନ୍ତର କରିଛନ୍ତି। ଏଥିସହିତ ରାଷ୍ଟ୍ରପତି ଭବନରେ ଦ୍ରୌପଦୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ମଧ୍ୟ କରାଯାଇଛି।

ତେବେ ସମସ୍ତ ଔପଚାରିକ ସରିବା ପରେ ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭବନରୁ ବିଦାୟ ନେଇଥିଲେ। ଏହା ପର୍ବରୁ ସେ ରାଷ୍ଟ୍ରପତି ଭବନରେ ଦ୍ରୌପଦୀ ମୁର୍ମୁଙ୍କୁ ତାଙ୍କ ଆସନରେ ବସିବା ପାଇଁ ନିବେଦନ କରିଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସେହି ଆସନରେ ବସିଥିଲେ। ଆଉ ପାଖରେ ନିଜେ ଛିଡା ହୋଇ ଫଟୋ ଉଠାଇଥିଲେ ରାମନାଥ କୋବିନ୍ଦ।

ଏହି ଫଟୋଟି ଏକ ବିଶେଷ ମୁର୍ହତ ବା ବିରଳ ମୁର୍ହୁତର ଫଟୋ ବୋଲି କୁହାଯିବ। କାରଣ ଗତ ପାଞ୍ଚ ବର୍ଷ ଧରି ରାମାନାଥ କୋବିନ୍ଦ ଯେଉଁଠାକୁ ଯାଉଥିଲେ ସେଠାରେ ସେ ସର୍ବୋଚ୍ଚ ଆସନରେ ବସୁଥିଲେ। ତାଙ୍କ ଆଗରେ ଅନ୍ୟମାନେ ଛିଡା ହେଉଥିଲେ। ହେଲେ ଏହା ପ୍ରଥମ ଫଟୋ ଯାହା କି ଦ୍ରୌପଦୀ ମୁର୍ମୁ ଚ୍ୟାୟରରେ ବସିଛନ୍ତି କୋବିନ୍ଦ ତାଙ୍କ ପାଖରେ ଛିଡା ହୋଇଛନ୍ତି।

ଏହି ଫଟୋଟି ହେଉଛି ରାଷ୍ଟ୍ରପତି ଭବନର କମିଟ ରୁମର ଭିତର ଦୃଶ୍ୟ। ଯେଉଁଠାରେ ରାମନାଥ କୋବିନ୍ଦଙ୍କଠାରୁ ଦାୟିତ୍ବ ଗ୍ରହଣ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ସମୟରେ ରାମନାଥ କୋବିନ୍ଦ ତାଙ୍କୁ ସେ ବସୁଥିବା ଚ୍ୟାୟରରେ ବସିବା ପାଇଁ ନେଇଥିଲେ। ହେଲେ ଦ୍ରୌପଦୀ ହଠାତ ସେଠାରେ ବସିବାକୁ କୁଣ୍ଠାବୋଧ କରିଥିଲେ। ଏହି ସମୟରେ କୋବିନ୍ଦ ତାଙ୍କୁ ପୁଣି ଥରେ ବସିବା ପାଇଁ ନିବେଦନ କରିବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବସିଥିଲେ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମୁଖ୍ୟ ଆସନରେ ବସାଇ କୋବିନ୍ଦ ପାଖରେ ଥିବା ଅତିଥୀଙ୍କ ଆସନରେ ବସିଥିଲେ। ଏହାପରେ ରାଷ୍ଟ୍ରପତିଙ୍କ ନିକଟକୁ କର୍ମଚାରୀମାନେ ଏକ ଫାଇଲ ନେଇ ଆସିଥିଲେ। ସେ ସେହି ଫାଇଲ ପଢି ଦସ୍ତଖତ କରିବା ପର୍ଯ୍ୟନ୍ତ ରାମନାଥ କୋବିନ୍ଦ ଅତିଥୀ ପରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ମୁଖରେ ବସିଥିଲେ।

ଏହା ହେଉଛି ଭାରତୀୟ ଗଣତନ୍ତ୍ରର ପରଂପରା। ଯାହା ଦେଶର ସର୍ବୋଚ୍ଚ ପଦବୀରେ ମଧ୍ୟ ଘଟିପାରୁଛି। ଦୀର୍ଘ ବର୍ଷ ଧରି ଭାରତରେ ଏହି ପରଂପରା ଜାରୀ ରହିଛି। ଯେତେବେଳେ ନୂଆ ରାଷ୍ଟ୍ରପତି ଶପଥ ନିଅନ୍ତି ତାଙ୍କୁ ବିଦାୟୀ ରାଷ୍ଟ୍ରପତି ଦେଶର ତଥା ସମ୍ବିଧାନର ନିୟମ ପାଳନ କରି ନୂତନ ରାଷ୍ଟ୍ରପତିଙ୍କୁ ସ୍ବାଗତ କରି ନିଜର ସମସ୍ତ ଦାୟିତ୍ବ ହସ୍ତାନ୍ତର କରନ୍ତି।