Categories
ଜାତୀୟ ଖବର ବିଶେଷ ଖବର

ଯୁଦ୍ଧ ବିମାନ ସୁଖୋଇ ୩୦ରେ ଐତିହାସିକ ଉଡାଣ କଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ଆସାମର ତେଜପୁର ସ୍ଥିତ ବାୟୁସେନା ଘାଟୀରୁ ସୁଖୋଇ ୩୦ ଏମ୍‍କେଆଇ ଯୁଦ୍ଧ ବିମାନରେ ଏକ ଐତିହାସିକ ଉଡାଣ କରିଛନ୍ତି। ଭାରତୀୟ ସଶସ୍ତ୍ର ବାହିନୀର ସର୍ବୋଚ୍ଚ କମାଣ୍ଡର ଥିବା ରାଷ୍ଟ୍ରପତି ବାୟୁସେନା ଘାଟୀକୁ ଫେରିବା ପୂର୍ବରୁ ହିମାଳୟର ଦୃଶ୍ୟ ସହିତ ବ୍ରହ୍ମପୁତ୍ର ଏବଂ ତେଜପୁର ଉପତ୍ୟକା ଉପରେ ପ୍ରାୟ ୩୦ ମିନିଟ୍ ଉଡ଼ାଣ କରିଥିଲେ।

ଏହି ଯୁଦ୍ଧ ବିମାନକୁ ୧୦୬ ସ୍କ୍ୱାଡ୍ରନର କମାଣ୍ଡିଂ ଅଫିସର ଗୃପ କ୍ୟାପଟେନ୍ ନବୀନ କୁମାରଙ୍କ ଦ୍ୱାରା ଉଡାଯାଇଥିଲା। ଏହି ବିମାନ ସମୁଦ୍ର ପତ୍ତନଠାରୁ ପ୍ରାୟ ଦୁଇ କିଲୋମିଟର ଉଚ୍ଚରେ ଏବଂ ଘଣ୍ଟା ପ୍ରତି ପ୍ରାୟ ୮୦୦ କିଲୋମିଟର ବେଗରେ ଉଡିଥିଲା। ରାଷ୍ଟ୍ରପତି ମୁର୍ମୁ ହେଉଛନ୍ତି ତୃତୀୟ ରାଷ୍ଟ୍ରପତି ଏବଂ ଦ୍ୱିତୀୟ ମହିଳା ରାଷ୍ଟ୍ରପତି ଯିଏକି ଏଭଳି ଉଡାଣ କରିଛନ୍ତି।

ପରେ ପରିଦର୍ଶକ ପୁସ୍ତକରେ ରାଷ୍ଟ୍ରପତି ଏକ ସଂକ୍ଷିପ୍ତ ମତ ଲେଖି ନିଜର ଭାବନା ପ୍ରକାଶ କରିଥିଲେ ଯେଉଁଥିରେ ସେ କହିଥିଲେ ଯେ ଭାରତୀୟ ବାୟୁସେନାର ଶକ୍ତିଶାଳୀ ସୁଖୋଇ -୩୦ ଏମକେଆଇ ଯୁଦ୍ଧ ବିମାନରେ ଉଡ଼ିବା ମୋ ପାଇଁ ଏକ ଉତ୍ସାହଜନକ ଅନୁଭୂତି ଥିଲା।

ଏହା ଏକ ଗର୍ବର ବିଷୟ ଯେ ଭାରତର ପ୍ରତିରକ୍ଷା କ୍ଷମତା ସ୍ଥଳ, ବାୟୁ ଏବଂ ସମୁଦ୍ରର ସମସ୍ତ ସୀମାକୁ ବିସ୍ତାର କରିପାରିଛି। ମୁଁ ଏହି ଉଡାଣର ଆୟୋଜନ ପାଇଁ ଭାରତୀୟ ବାୟୁସେନା ଏବଂ ବାୟୁସେନାର ତେଜପୁର ଘାଟୀର ସମସ୍ତ ଦଳକୁ ଅଭିନନ୍ଦନ ଜଣାଉଛି।

ରାଷ୍ଟ୍ରପତିଙ୍କୁ ବିମାନର କାର‌୍ୟ୍ୟକ୍ଷମ କ୍ଷମତା ଏବଂ ଭାରତୀୟ ବାୟୁ ସେନା (ଆଇଏଏଫ୍‍) ବିଷୟରେ ମଧ୍ୟ ସୂଚନା ଦିଆଯାଇଥିଲା। ଆଏଏଫ୍‍ ର କାର‌୍ୟ୍ୟ ପ୍ରସ୍ତୁତି ଉପରେ ସେ ସନ୍ତୋଷ ପ୍ରକଟ କରିଥିଲେ।

ସୁଖୋଇ ୩୦ ଏମକେଆଇ ଯୁଦ୍ଧ ବିମାନରେ ରାଷ୍ଟ୍ରପତିଙ୍କ ଉଡାଣ ହେଉଛି ଭାରତୀୟ ସଶସ୍ତ୍ର ବାହିନୀର ସର୍ବୋଚ୍ଚ କମାଣ୍ଡର ଭାବରେ ସଶସ୍ତ୍ର ବାହିନୀ ସହିତ ଜଡିତ ହେବାର ପ୍ରୟାସର ଏକ ଅଂଶ। ମାର୍ଚ୍ଚ ୨୦୨୩ ରେ, ରାଷ୍ଟ୍ରପତି ଆଇଏନଏସ୍‍ ବିକ୍ରାନ୍ତ ପରିଦର୍ଶନ କରିଥିଲେ ଏବଂ ସ୍ୱଦେଶୀ ର୍ନିମିତ ବିମାନବାହୀ ଜାହାଜରେ ଥିବା ଅଧିକାରୀ ଏବଂ ନାବିକମାନଙ୍କ ସହ ଆଲୋଚନା କରିଥିଲେ।