Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆସନ୍ତାକାଲି ରାଷ୍ଟ୍ରପତି ନିର୍ବାଚନର ଭୋଟ ଗଣତି, ଜାଣନ୍ତୁ କେମିତି ହେବ

ନୂଆଦିଲ୍ଲୀ: ଆସନ୍ତାକାଲି ୧୬ ତମ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ଗଣନା କରାଯିବ। ସଂସଦ ଭବନ ପରିସରରେ ଏହା ଦିନ ୧୧ଟାରେ ଆରମ୍ଭ ହେବ। ଏଥିପାଇଁ ଗତ ସୋମବାର ଦିନ ସଂସଦରେ ଏବଂ ରାଜ୍ୟ ବିଧାନସଭାଗୁଡ଼ିକରେ ମତଦାନ ଅନୁଷ୍ଠିତ ହୋଇଥିଲା। ମତଦାନ ପରେ ଭୋଟ ବାକ୍ସଗୁଡିକୁ ନୂଆଦିଲ୍ଲୀ ସଂସଦ ଭବନକୁ ଅଣାଯାଇଥିଲା। ସେଠାରେ କଡା ସୁରକ୍ଷା ମଧ୍ୟରେ ଏହି ଭୋଟ ବକ୍ସ ରଖାଯାଇଛି।

ବିଭିନ୍ନ ରାଜ୍ୟର ବାଲଟ ବାକ୍ସ ବିମାନରେ ଆସିଥିଲା। ଏଥିପାଇଁ ନିର୍ବାଚନ କମିଶନରଙ୍କ ତରଫରୁ ବ୍ୟବସ୍ଥା କରାଯାଇଥିଲା। ବାଲଟ ବକ୍ସଟି ସାଥିରେ ଆସୁଥିବା ଅଧିକାରୀ ନିଜ ସିଟ ପାଖରେ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ସେଥିପାଇଁ ଅଧିକାରୀଙ୍କ ନାମରେ ଏକ ଇଟି ଟିକେଟ ସହିତ Mr.Ballot Box ନାମରେ ମଧ୍ୟ ଆଉ ଏକ ଟିକେଟ କଟାଯାଇଥିଲା।

ଆସନ୍ତାକାଲି ଭୋଟ ଗଣତି ସକାଳ ୧୧ଟା ବେଳେ ଆରମ୍ଭ ହେବ। ଏଥିପାଇଁ ରାଜ୍ୟସଭା ସଚିବାଳୟର ବରିଷ୍ଠ ଅଧିକାରୀଙ୍କୁ କାଉଣ୍ଟିଂ ଅପିସର ଭାବେ ନିଯୁକ୍ତି ଦିଆଯାଇଛି। ସଂସଦ ସଚିବାଳୟର ମହାସଚିବଙ୍କ ଅନୁସାରେ ନିର୍ବାଚନ କମିଶନର ଯେଉଁମାନଙ୍କୁ ପ୍ରାର୍ଥୀଙ୍କ ପ୍ରତିନିଧି ଭାବେ ଅନୁମତି ଦେଇଥିବେ ସେମାନଙ୍କୁ ଭିତରକୁ ଯିବା ପାଇଁ ଅନୁମତି ଦିଆଯିବ।

ରାଷ୍ଟ୍ରପତି ନିର୍ବାଚନରେ ଦୁଇ ପ୍ରକାରର ବାଲଟ ପେପର ବ୍ୟବହାର କରାଯାଇଛି। ସାଂସଦମାନଙ୍କ ପାଇଁ ସବୁଜ ଏବଂ ବିଧାୟକମାନଙ୍କ ପାଇଁ ଗୋଲାପି ରଂଗର ବ୍ୟବହାର କରାଯାଇଛି। ଫଳରେ ଭୋଟ ଗଣତି ବେଳେ ଏହା କେଉଁ ପ୍ରକାରର ଭୋଟ ତାହା ଜଣାପଡିବ। ଏହି ବାଲଟ ପେପର ଗୋଟିଏ ପଟେ ଭୋଟରମାନେ କାହାକୁ ପ୍ରଥମ ପସନ୍ଦ କରିଛନ୍ତି ସେଥିରେ ସେମାନେ ୧ ଏବଂ ଦ୍ବିତୀୟ ପସନ୍ଦରେ ୨ ଲେଖିଛନ୍ତି।

ପ୍ରଥମେ ବାଲଟ ବକ୍ସଗୁଡିକରୁ ବାଲଟ ପେପର ବାହାର କରାଯାଇ ଭ୍ୟାଲିଡ୍ ବାଲଟକୁ ବଛାଯିବ। ଯେଉଁ ଭୋଟଗୁଡିକ ନାକଚ ହୋଇଥିବା ସେଗୁଡିକ ଅଲଗା କରାଯିବ। ଭ୍ୟାଲିଡ ଭୋଟଗୁଡିକର ପ୍ରଥମେ ଗଣତି କରାଯାଇ ତାହାର ମୂଲ୍ୟାୟନ କରାଯିବ। ଏହା ହେଲା ପ୍ରଥମ ରାଉଣ୍ଡ ଗଣତି। ଏହାପରେ ଦ୍ବିତୀୟ ରାଉଣ୍ଡ ଗଣତିରେ ଏହି ସଂଖ୍ୟାଗୁଡିକୁ ମିଶାଯାଇ କିଏ କେତେ ଭୋଟ ପାଇଲେ ତାହା ନିର୍ଦ୍ଧାରିତ କରାଯିବ।

ଯିଏ ସର୍ବାଧିକ ଭୋଟ ହାସଲ କରିଥିବେ ତାଙ୍କୁ ବିଜେତା ଘୋଷଣା କରାଯିବ। ଆସନ୍ତାକାଲି ମଧ୍ୟାହ୍ନ ସୁଦ୍ଧା କିଏ ଦେଶର ପରବର୍ତ୍ତି ରାଷ୍ଟ୍ରପତି ହେବେ ତାହା ଜଣାପଡିଯିବ।