Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶା ସରକାରଙ୍କ ଜାତୀୟ ଶିକ୍ଷା ନୀତି ପ୍ରଣୟନ ସମ୍ପର୍କିତ ରାଷ୍ଟ୍ରୀୟ କର୍ମଶାଳାରେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ସରକାର ରାଜ୍ୟରେ ଜାତୀୟ ଶିକ୍ଷା ନୀତି -୨୦୨୦କୁ ସଫଳ ଭାବେ କ୍ରିୟାନ୍ୱୟନ କରିବା ଦିଗରେ ଆଜି ଯେଉଁ କର୍ମଶାଳାର ଆୟୋଜନ କରିଛନ୍ତି, ତାହା ସ୍ୱାଗତଯୋଗ୍ୟ ପଦକ୍ଷେପ। ଜାତୀୟ ଶିକ୍ଷା ନୀତି ଅନୁଯାୟୀ ରାଜ୍ୟରେ ପାଠ୍ୟ ଖସଡ଼ା ପ୍ରସ୍ତୁତ ହେବା ଦରକାର ବୋଲି ମଙ୍ଗଳବାର ଓଡ଼ିଶା ସରକାରଙ୍କ ଜାତୀୟ ଶିକ୍ଷା ନୀତି ପ୍ରଣୟନ ସମ୍ପର୍କିତ ତିନିଦିନିଆ ରାଷ୍ଟ୍ରୀୟ କର୍ମଶାଳାର ଉଦଘାଟନୀ ସମାରୋହରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ସେ କହିଛନ୍ତି ପ୍ରାଚୀନ କାଳରୁ ଓଡ଼ିଆ ଜାତି ବିଶ୍ୱକୁ ଅନ୍ୱେଷଣ କରିଆସିଛି। ଆମର ସଭ୍ୟତା ଓ ନୌବାଣିଜ୍ୟ ପରମ୍ପରା ମଧ୍ୟ ପୁରୁଣା । ବୌଦ୍ଧ ଧର୍ମର ମାର୍ଗ ଓଡ଼ିଶା ଜରିଆରେ ହିଁ ଉଭା ହୋଇଛି। କଳିଙ୍ଗ ଯୁଦ୍ଧ ହଜାର ବଜାର ବର୍ଷ ପୂର୍ବରୁ ସଂଗଠିତ ହୋଇଥିଲା। ସେ ସମୟରୁ ଓଡ଼ିଆ ଲୋକମାନେ ନିଜକୁ ଶିକ୍ଷା ଓ ସୁସଂସ୍କୃତ ସମାଜ ଭାବେ ନିଜକୁ ପ୍ରତିଷ୍ଠିତ କରିଛନ୍ତି। ଓଡ଼ିଶାର ମୂଳ ପୁଞ୍ଜି ଗଣିତ ଶିକ୍ଷା ବୋଲି ମାନ୍ୟବର ରାଷ୍ଟ୍ରପତି କହିଛନ୍ତି। ମହାନ ଜ୍ୟୋତିର୍ବିଦ ପଠାଣୀ ସାମନ୍ତ ବାଉଁଶ ନଳୀ ସାହାଯ୍ୟରେ ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ ଆଦିଙ୍କର ଦୈନିକ ଓ ବାର୍ଷିକ ଆବର୍ତ୍ତନର ଗଣନା କରିଥିଲେ। ଓଡ଼ିଶାରେ ନିର୍ମିତ କୋଣାର୍କ ମନ୍ଦିର, ଲିଙ୍ଗରାଜ ମନ୍ଦିର, ହୀରାକୁଦ ବନ୍ଧ ପରି ଓଡ଼ିଆ ଜାତିର ବୌଦ୍ଧିକ ଓ ବୈଜ୍ଞାନିକ ଦକ୍ଷତାକୁ ପ୍ରମାଣିତ କରୁଛି। ଏହା କେବଳ କଳା ଓ ସଂସ୍କୃତି ନୁହେଁ ବଂର ବିଜ୍ଞାନ ଓ ଗଣିତର ସମଷ୍ଟି। ଏଥିରୁ ଅନୁମେୟ, ଓଡ଼ିଆ ଜାତିରେ ମୂଳଭୂତ ତତ୍ତ୍ୱ ଅଛି।

ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ଜାତୀୟ ପାଠ୍ୟକ୍ରମ ଢାଞ୍ଚା (ଏନସିଏଫ) ଉନ୍ମୋଚନ ହୋଇସାରିଛି ।  ଆଗାମୀ ଦିନରେ ଏନସିଏଫ ଓଡ଼ିଶାର ରାଜ୍ୟ ପାଠ୍ୟକ୍ରମ ଢାଞ୍ଚାର ଆଧାର ଭାବେ କାର୍ଯ୍ୟ କରିବ । ପାଠ୍ୟକ୍ରମ ଓ ଶିକ୍ଷାଦାନ ବିଷୟ ଯେପରି ଓଡ଼ିଶାର ସଭ୍ୟତା ଓ ସାଂସ୍କୃତିକ ମୂଲ୍ୟବୋଧ, ଇତିହାସ, ଐତିହ୍ୟ ଓ ଜ୍ଞାନ ପରମ୍ପରା ସହିତ ସମ୍ପୂର୍ଣ୍ଣ ପ୍ରାସଙ୍ଗିକ ହେବ, ସେଥିପ୍ରତି ଏନସିଇଆରଟିକୁ ନିଶ୍ଚିତ କରିବାକୁ ପଡ଼ିବ । ପାଠ୍ୟ ଖସଡା ଏପରି ପ୍ରସ୍ତୁତ ହେବା ଦରକାର ଯାହା ଓଡିଆ ସଂସ୍କୃତି ଏବଂ ଐତିହ୍ୟକୁ ନେଇ ହେବ । ଓଡ଼ିଆ ମାତୃଭାଷା, ବୀରଗାଥା, ନୌବାଣିଜ୍ୟ ଓ ସ୍ଥପତିକୁ ଗୁରୁତ୍ୱ ଦେଉଥିବ । ବକ୍ସି ଜଗବନ୍ଧୁ, ବୀର ସୁରେନ୍ଦ୍ର ସାଏଙ୍କ ବୀରତ୍ୱ କାହଣୀ, ବିଜ୍ଞାନରେ ପଠାଣୀ ସାମନ୍ତଙ୍କ ଉଦାହରଣ, ଓଡ଼ିଆ ଜାତିର ସମୃଦ୍ଧମୟ ନୌବାଣିଜ୍ୟ ପରମ୍ପରାର କଥା ରହିବ । ଯଦି ଧର୍ମ ନିରପେକ୍ଷତା ଉପରେ ଶିକ୍ଷାଦାନ ହୁଏ ତେବେ ତାହା ଆମ ଆରାଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ହେବା ଦରକାର । ଖ୍ରୀଷ୍ଟିଆନ ଧର୍ମରେ ରହି ମଧ୍ୟ କୁଳବୃଦ୍ଧ ମଧୁସୂଦନ ଦାସ ଓଡ଼ିଆ ଜାତି ପାଇଁ ଲଢେଇ କରିଥିଲେ । ଏ ସବୁର ମୂଳ ବିଷୟକୁ ଅନ୍ତର୍ଭୁକ୍ତ କରାଯିବା ଦରକାର । ଆମ ଗଣିତ ପଢେଇ ପାରିବା କିନ୍ତୁ ଉଦାହରଣ ପଠାଣି ସାମନ୍ତଙ୍କ ପରି ବ୍ୟକ୍ତିଙ୍କ ଭଳି ସ୍ଥାନୀୟ ବିଭୁତିଙ୍କ ଉଦାହରଣ ଦେବା ଦରକାର । ଆମେ ବିଜ୍ଞାନରେ ଗତି ପଢେଇବା କିନ୍ତୁ ଉଦାହରଣ ଆମେ ପୁରୀ ସମୁଦ୍ରର ଲହଡ଼ିକୁ ନେଇ ପାରିବା।

କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ ଜାତୀୟ ଶିକ୍ଷା ନୀତି ଗୁଣାତ୍ମକ, ସର୍ବବ୍ୟାପୀ, ସର୍ବସ୍ପର୍ଶୀ, ଉତ୍ତରଦାୟୀ, ଭଳି ୫ଟି ସ୍ତମ୍ଭ ଉପରେ ପ୍ରସ୍ତୁତ । ଏ ପ୍ରକାର ଶିକ୍ଷା ମାଧ୍ୟମରେ ରାଜ୍ୟରେ ଆମେ ଏକ ନୂଆ ବାତାବରଣ ତିଆରି କରିବା । ପରୀକ୍ଷା ପ୍ରକ୍ରିୟାକୁ ସରଳ କରିବା, ମୂଲ୍ୟାୟନକୁ ପାରଦର୍ଶୀ କରିବା, ଶିକ୍ଷଣ ଫଳାଫଳକୁ ପ୍ରାଥମିକତା ଦେବାକୁ ହେବ । ଶିକ୍ଷକଙ୍କ ଦକ୍ଷତା ବଢାଇବାକୁ ପଡିବ । ଟେକ୍ନୋଲୋଜି ଜରିଆରେ ସ୍କୁଲ ଶିକ୍ଷା ପ୍ରଦାନ କରିବା ସହ ଡିଜିଟାଲ ଶିକ୍ଷାକୁ ଗୁରୁତ୍ୱ ଦେବା । ସ୍କୁଲରେ ଡ୍ରପ୍ ଆଉଟ ହାର କମାଇବା ପାଇଁ ଯୋଜନା କରିବା । ଶିକ୍ଷା ଓ ଦକ୍ଷତା ପରିସଂସ୍ଥାନରେ ମାନବ ସମ୍ବଳକୁ ଉଚ୍ଚ ମାନବ ସମ୍ବଳ କରାଇବା ।

ଓଡ଼ିଶାର ପୁଞ୍ଜି ଶିକ୍ଷା । ଏହି ଭୂମିରେ ସତ୍ୟବାଦୀ ବନ ବିଦ୍ୟାଳୟ ଥିଲା । ସାରଳା ଦାସ ଓଡ଼ିଆ ମହାଭାରତ ଏହି ପବିତ୍ର ଭୂମରେ ରଚନା କରିଥିଲେ । ଏଠାରେ ବଳରାମ ଦାସ ଲକ୍ଷ୍ମୀପୁରାଣ ଲେଖିଥିଲେ । ତେଣୁ ଏହି ପୃଷ୍ଠଭୂମିରେ ଶିକ୍ଷା ଜଗତ, ଓଡ଼ିଶାର ସାଢେ ୪ କୋଟି ଲୋକ, ପ୍ରବାସୀ ଓଡ଼ିଆ, ଗବେଷକ ଏବଂ ଅଭିଭାବକମାନେ ଜାତୀୟ ଶିକ୍ଷା ନୀତିରେ ପାଠ୍ୟ ଖସଡା ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦେବାକୁ ସେ ଆହ୍ୱାନ କରିଛନ୍ତି ।

ଓଡ଼ିଶା ସାହିତ୍ୟରେ ଆମ ବିଚାର ସଙ୍କୁଚ୍ଚିତ ନଥିଲା। ଆମ ଓଡିଆଙ୍କ ଶକ୍ତି ବୌଦ୍ଧିକ କ୍ଷମତା। ୨୦୩୬ରେ ଓଡ଼ିଶା ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶହେ ବର୍ଷ ପୂରଣ କରିବ । ୨୦୪୭ରେ ଦେଶ ସ୍ୱତନ୍ତ୍ରତାର ଶହେ ବର୍ଷ ପୂରଣ କରିବ। ରାଜ୍ୟରେ ସ୍କୁଲରୁ ଉଚ୍ଚ ଶିକ୍ଷାନୁଷ୍ଠାନ କ୍ଷେତ୍ରରେ ୧ କୋଟି ଛାତ୍ରଛାତ୍ରୀ ଅଛନ୍ତି। ଓଡ଼ିଶା ଜନସଂଖ୍ୟାର ଏକ ଚତୁର୍ଥାଂଶ ହେଉଛନ୍ତି ଛାତ୍ରଶକ୍ତି। ଏହି ସମୟରେ ଓଡ଼ିଶାର ଏହି ୧ କୋଟି ଛାତ୍ରଶକ୍ତିଙ୍କ ଭବିଷ୍ୟତକୁ ଉଜ୍ଜ୍ୱଳ କରିବା ପାଇଁ ନୀତି ନିର୍ଦ୍ଧାରଣ କରାଯିବ।

ଅତୀତରେ ଓଡ଼ିଶା ସରକାର ଶିକ୍ଷାନୁଷ୍ଠାନରେ ନାଚ ଗୀତ କରାଇବାରେ ବ୍ୟସ୍ତ ରହିଲେ। ବର୍ତ୍ତମାନର ସରକାର ପିଏମ ଶ୍ରୀ ସ୍କୁଲ ସହ  ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ଯୋଜନାରେ ପ୍ରତି ପଞ୍ଚାୟତର ଗୋଟିଏ ଲେଖାଏଁ ବିଦ୍ୟାଳୟକୁ ଆଦର୍ଶ ବିଦ୍ୟାଳୟରେ ପରିଣତ କରାଯିବାର ଯୋଜନା ପ୍ରସ୍ତୁତ କରିଛନ୍ତି । ଯେଉଁଥିରେ ଆଧୁନିକ ଶିକ୍ଷା ଦାନ ମିଳିବ। ଓଡ଼ିଆ ପିଲାକୁ ସ୍ଥାନୀୟ ପିଲାକୁ ମାତୃଭାଷାରେ ଶିକ୍ଷାଦାନ କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଓଡ଼ିଶାରେ ଜାତୀୟ ଶିକ୍ଷା ନୀତିର କ୍ରିୟାନ୍ୱୟନକୁ ବିଶେଷ ଭାବରେ ପ୍ରାଥମିକତା ଦେଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଉଚ୍ଚ ଶିକ୍ଷା ଏବଂ ବୈଷୟିକ ଶିକ୍ଷା ଉପରେ ଆୟୋଜିତ ରାଷ୍ଟ୍ରୀୟ କର୍ମଶାଳା ଉଦଘାଟିତ

ନୂଆଦିଲ୍ଲୀ/ଭୁବନେଶ୍ୱର: ଶିଳ୍ପ ବିପ୍ଳବ ୪.୦ ଆମର ଶିକ୍ଷା ଭିତ୍ତିଭୂମିକୁ ବିଶ୍ୱମାନର କରିବା ପାଇଁ ଏକ ବଡ ସୁଯୋଗ ଦେଇଛି। ଏହାକୁ ଦୃଷ୍ଟିରେ ରଖି ଆମକୁ ଅଭିନବ ମଡେଲ ମାଧ୍ୟମରେ ବିଶ୍ୱବିଦ୍ୟାଳୟକୁ ମଜଭୂତ୍ କରିବାକୁ ହେବ। ଶିକ୍ଷା ଭିତ୍ତିଭୂମିର ବିକାଶ କରି ଦେଶକୁ ଏକ ଉତ୍ପାଦନକାରୀ ଅର୍ଥନୀତିରେ ପରିଣତ କରିବାକୁ ପଡ଼ିବ ବୋଲି ମଙ୍ଗଳବାର ନୂଆଦିଲ୍ଲୀ ଠାରେ ଉଚ୍ଚ ଶିକ୍ଷା ଏବଂ ବୈଷୟିକ ଶିକ୍ଷା ଉପରେ ଆୟୋଜିତ ଦୁଇ ଦିନିଆ ରାଷ୍ଟ୍ରୀୟ କର୍ମଶାଳାକୁ ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ଶ୍ରୀ ପ୍ରଧାନ ଜାତୀୟ ଶିକ୍ଷା ନୀତି ଉପରେ ଆଲୋକପାତ କରିବା ସହ କହିଛନ୍ତି, ଏହି କର୍ମଶାଳା ଉତ୍ତମ ଶୈକ୍ଷିକ ବିଚାରବିମର୍ଶ ପାଇଁ ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବ। ବିଶେଷ ଭାବରେ ଶିକ୍ଷା ଦ୍ୱାରା କିପରି ଜୀବନଯାପନକୁ ଅଧିକ ସୁଗମ କରିବ, ତାହାର ମାର୍ଗ ଅଧିକ ପ୍ରଶସ୍ତ କରିବା ପାଇଁ ଆଜିର କର୍ମଶାଳା ତାହାର ଏକ ମାଧ୍ୟମ ହେବ। ଆଜିର ଏହି କାର୍ଯ୍ୟକ୍ରମ ଦେଶରେ ମୁଣ୍ଡପିଛା ଆୟ ବୃଦ୍ଧି କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ନିର୍ଦ୍ଧାରିତ ଜାତୀୟ ପ୍ରାଥମିକତା ହାସଲ କରିବାରେ ଯଥେଷ୍ଟ ଉନ୍ନତି ଆଣିପାରିବ।

ଏହି ଅବସରରେ ଏକାଡେମିକ୍ ଲିଡର୍ ଓ ପ୍ରଶାସକମାନଙ୍କ ପାଇଁ ୫ଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଉପରେ ଦୃଷ୍ଟି ଦେବାକୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି। ଏଗୁଡ଼ିକ ହେଉଛି ଅଭିନବ ପାଣ୍ଠି ମାଧ୍ୟମରେ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକୁ ସୁଦୃଢ଼ କରିବା, ଶିଳ୍ପର ଚାହିଦା ସହ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଆବଶ୍ୟକତା ଏବଂ ଆକାଂକ୍ଷା ଅନୁଯାୟୀ ପାଠ୍ୟକ୍ରମ ପ୍ରସ୍ତୁତ କରିବା ସହ ଥିଙ୍କ୍ ଟ୍ୟାଙ୍କ ସ୍ଥାପନ କରିବା। ଅନୁରୂପ ଭାବରେ ବୈଶ୍ୱିକ ସମସ୍ୟାର ସମାଧାନରେ ନେତୃତ୍ୱ ନେବା ପାଇଁ ଗବେଷଣା ଏବଂ ନବସୃଜନ ପାଇଁ ଏକ ବହୁବିଭାଗୀୟ ଆଭିମୁଖ୍ୟ ଗ୍ରହଣ କରିବା; ପ୍ରତିଷ୍ଠିତ କେନ୍ଦ୍ର ଓ ରାଜ୍ୟର ଅନୁଷ୍ଠାନଗୁଡ଼ିକ ସହିତ ସହଯୋଗ ମାଧ୍ୟମରେ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏକାଡେମିକ ନେତୃତ୍ୱ ବିକାଶ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ଏବଂ ଜାତୀୟ ଶିକ୍ଷା ନୀତିର ପରାମର୍ଶ ଅନୁସାରେ କ୍ରୀଡ଼ା, ବକ୍ତୃତା, କବିତା, ନାଟକ, କଳା ମାଧ୍ୟମରେ କ୍ୟାମ୍ପସର ଜୀବନ୍ତତାକୁ ପୁନରୁଦ୍ଧାର କରିବା ଏବଂ ଏହି ଅଣ-ଶିକ୍ଷାଗତ କ୍ଷେତ୍ରଗୁଡ଼ିକୁ ପ୍ରାଥମିକତା ଦେବାକୁ ହେବ।

ଶ୍ରୀ ପ୍ରଧାନ ଭାରତୀୟ ଭାଷାରେ ଶିକ୍ଷାଦାନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଦେଶର ଛାତ୍ରଛାତ୍ରୀଙ୍କ ପ୍ରତି ଉତ୍ତରଦାୟିତ୍ୱ ଉପରେ ଗୁରୁତ୍ୱାରୋପ କରି ସେ କହିଛନ୍ତି ଯେ ଶିକ୍ଷା କ୍ଷେତ୍ରରେ ଭାରତର ବିଶ୍ୱସ୍ତରୀୟ ନେତୃତ୍ୱ ନେବା ପାଇଁ ସମସ୍ତଙ୍କୁ ମିଳିମିଶି କାମ କରିବାକୁ ପଡିବ।

ଏହି ଦୁଇ ଦିନିଆ କର୍ମଶାଳାରେ ଜାତୀୟ ଶିକ୍ଷା ନୀତିର କାର୍ଯ୍ୟକାରିତା- ଆହ୍ୱାନ ଏବଂ ରୋଡମ୍ୟାପ୍ ବିଷୟବସ୍ତୁ ଉପରେ ୧୪ଟି ବୈଷୟିକ ଅଧିବେଶନ ; ଶିକ୍ଷାରେ ବୈଷୟିକ ଜ୍ଞାନକୌଶଳ; ଶିକ୍ଷା କ୍ଷେତ୍ରରେ ସହଯୋଗ; ଡିଜିଟାଲ ଶାସନ; ଦକ୍ଷତା ବିକାଶ ଏବଂ ନେତୃତ୍ୱ; ଏବଂ ଉଚ୍ଚଶିକ୍ଷାର ଅର୍ଥ ଯୋଗାଣ ବିଶିଷ୍ଟ ପ୍ୟାନେଲିଷ୍ଟଙ୍କ ଦ୍ୱାରା ଅନୁଷ୍ଠିତ ହେବାକୁ ଯାଉଛି।

ଆଜିର ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଡ. ସୁକାନ୍ତ ମଜୁମଦାରଙ୍କ ସମେତ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ଉଚ୍ଚଶିକ୍ଷା ବିଭାଗର ସଚିବ, ଅତିରିକ୍ତ ଶାସନ ସଚିବ, ୟୁଜିସିର ଅଧ୍ୟକ୍ଷ, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସଚିବ, ଶିକ୍ଷାବିତ୍, ବିଭିନ୍ନ ଶିକ୍ଷାନୁଷ୍ଠାନର ମୁଖ୍ୟ ଏବଂ ମନ୍ତ୍ରଣାଳୟର ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପିଏମ ଶ୍ରୀ ଯୋଜନାରେ ଓଡ଼ିଶାକୁ ଆସିବ ୮୦୦ଟି ସ୍କୁଲ ଏବଂ ମିଳିବ ୧୬୦୦ କୋଟି: କେନ୍ଦ୍ର ମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଶୁକ୍ରବାର ଭାରତ ସରକାର ଓ ଓଡ଼ିଶା ସରକାରଙ୍କ ତରଫରୁ ‘ଶିଶୁ ଓ ମହିଳା ଅନୁକୂଳ ଗ୍ରାମପଞ୍ଚାୟତ ଗଠନ’ ପ୍ରସଙ୍ଗ ଉପରେ ଆୟୋଜିତ ତିନିଦିନିଆ ରାଷ୍ଟ୍ରୀୟ କର୍ମଶାଳାର ଉଦଘାଟନ ସମାରୋହରେ ଯୋଗଦେଇଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ଶ୍ରୀ ପ୍ରଧାନ ଓଡ଼ିଶାରେ ପିଏମ ଶ୍ରୀ ଯୋଜନା ଲାଗୁ କରିବା ସହ ରାଜ୍ୟ ସରକାର ଓ ପଞ୍ଚାୟତ ସ୍ତରର ଜନପ୍ରତିନିଧି ମାନଙ୍କୁ ମୋଟ ୮ଟି ପ୍ରସ୍ତାବ ଓ ପରାମର୍ଶ ଦେଇଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ମୋଦି ସରକାରରେ ଦେଶରେ ଗ୍ରାମାଞ୍ଚଳ ଭିତ୍ତିଭୂମିକୁ ମଜଭୂତ କରିବା ପାଇଁ ପଞ୍ଚଦଶ ଅର୍ଥ କମିଶନରେ ଅର୍ଥ ବ୍ୟୟବରାଦ ପାଞ୍ଚ ଗୁଣା ବୃଦ୍ଧି ପାଇଁ ୨ ଲକ୍ଷ ୪୦ ହଜାର କୋଟି ଟଙ୍କାରେ ପହଞ୍ଚିଛି। ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ପଞ୍ଚାୟତିରାଜ ସହ ସଂଶ୍ଲିଷ୍ଟ ଅନୁଷ୍ଠାନ ଗୁଡିକ ମଜଭୂତ୍ କରିବା ପାଇଁ ଏହି ଅର୍ଥ ଦିଆଯାଉଛି। କିନ୍ତୁ ରାଜ୍ୟ ସରକାର କନଭରଜେନ୍ସ ନାଁରେ ପଞ୍ଚାୟତକୁ ଆସୁଥିବା ଅର୍ଥ ଉଠାଉଥିବା ଖବର ଆସୁଛି। ଓଡ଼ିଶାରେ ଅର୍ଥର ଅଭାବ ନ ଥିବା ବେଳେ ରାଜ୍ୟ ସରକାର ପଞ୍ଚାୟତକୁ ଆସୁଥିବା ଅର୍ଥ ଉଠାଇବା ଅନୁଚିତ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ କଳ୍ପନାରେ ରାଜ୍ୟରେ ପିଏମ ଶ୍ରୀ ଯୋଜନା ଲାଗୁ କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ଶ୍ରୀ ପ୍ରଧାନ। ସେ କହିଛନ୍ତି ଏହି ଯୋଜନାରେ ଓଡ଼ିଶାକୁ ୮୦୦ଟି ସ୍କୁଲ ଆସିବ ଏବଂ ୧୬୦୦ କୋଟି ଟଙ୍କା ମିଳିବ। ମାତ୍ର ରାଜ୍ୟ ସରକାର ଏଥିପାଇଁ ଏମଓୟୁ କରିନାହାନ୍ତି। ତେଣୁ ରାଜ୍ୟରେ ଏହି ଯୋଜନାକୁ ଲାଗୁ କରିବା ପାଇଁ ଜାତୀୟ ସ୍ତରରେ ଆଲୋଚନା କରିବା ପାଇଁ ସେ ପ୍ରସ୍ତାବ ଦେଇଛନ୍ତି।

ତୃତୀୟତଃ ଓଡ଼ିଶାରେ ନବଜାତ ଶିଶୁ ଓ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନଥିବା ତଥ୍ୟରୁ ଜଣାପଡିଛି । ଏନଏଫଏଚଏସ ସର୍ଭେ ଅନୁଯାୟୀ, ଓଡ଼ିଶାର ୧୯% ନବଜାତ ଶିଶୁଙ୍କର କମ ଓଜନ ରହିଥିବା ବେଳେ  ୩୧% ଶିଶୁ ପୁଷ୍ଟିହୀନର ଶୀକାର ଅଛନ୍ତି। ୧୮% ଉଚ୍ଚତା କମ୍ ଓ ୬୦%ରୁ ଉର୍ଦ୍ଧ୍ୱ ଶିଶୁ ଓ ଗର୍ଭବତୀ ମହିଳା ରକ୍ତହୀନତାରେ ପୀଡିତ, ଯାହା ଚିନ୍ତାଜନକ। ୧୩ ବର୍ଷ ପରେ ଓଡ଼ିଶା ଭାଷାଭିତ୍ତିକରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ ଓ ୨୫ ବର୍ଷ ପରେ ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂରଣ କରିବ। ଏହି ସମୟରେ ଶିଶୁ ଓ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଧ୍ୟାନ ନଦେଲେ ଓଡିଶା ସମୃଦ୍ଧଶାଳୀ ହେବ ନାହିଁ। ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସହଯୋଗରେ ଶିଶୁ ଓ ମହିଳାଙ୍କୁ ପୋଷଣଯୁକ୍ତ ଖାଦ୍ୟ ପ୍ରଦାନ ଓ ସ୍ୱାସ୍ଥ୍ୟ ସମସ୍ୟାକୁ ହ୍ରାସ କରିବା ପାଇଁ ହେଉଥିବା ଯୋଜନାକୁ ସଠିକ୍ କ୍ରିୟାନ୍ୱୟନର ଦାୟିତ୍ୱ ନେବା ପାଇଁ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ଏହାବ୍ୟତିତ ଜିଲ୍ଲା ସ୍ତରରେ ସ୍କିଲ୍ ମ୍ୟାପିଂ କରିବାରେ ସରପଞ୍ଚ, ବ୍ଲକ ଚେୟାରମ୍ୟାନ ଓ ଜିଲ୍ଲା ପରିଷଦର ସକ୍ରିୟ ସହଯୋଗର ଆବଶ୍ୟକତା ରହିଛି। ଦେଶ ସ୍ୱାଧୀନତା ପର ଠାରୁ ଏବେ ୮୦ ପ୍ରତିଶତ ସାକ୍ଷର ଓ ୨୦ ପ୍ରତିଶତ ନିରକ୍ଷଣ ଅଛନ୍ତି। ଏହି ସମୟରେ ରାଜ୍ୟର ପଞ୍ଚାୟତ ସ୍ତରରେ ଥିବା ନିରକ୍ଷରଙ୍କୁ ସାକ୍ଷରତା କରିବା ପାଇଁ ପଡିବ। ଏହା ଦ୍ୱାରା ସ୍ଥାୟୀ ବିକାଶ ଲକ୍ଷ୍ୟ(ଏସଡିଜି) ପୂରଣ ହୋଇପାରିବ। ଓଡ଼ିଶାରେ ସ୍କୁଲରେ ପଢୁଥିବା ପିଲା ମାନଙ୍କ ସଂଖ୍ୟା ଶତପ୍ରତିଶତ। ମାତ୍ର ଦ୍ୱାଦଶ ପର୍ଯ୍ୟନ୍ତ ଏହି ସଂଖ୍ୟା କ୍ରମାଗତ ହ୍ରାସ ପାଉଛି। ଛାତ୍ରଛାତ୍ରୀଙ୍କ ନାମଲେଖା ବଢାଇବା ତଥା ଡ୍ରପ ଆଉଟ କମାଇବା ପାଇଁ ଦାୟିତ୍ୱ ନେବାକୁ ହେବ। ଅନୁରୂପ ଭାବରେ ଛାତ୍ରଛାତ୍ରୀମାନେ କେବଳ ସ୍କୁଲ ଗଲେ ହେବ ନାହିଁ ବରଂ ପଞ୍ଚାୟତ ସ୍ତରରେ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ସହ ମଧ୍ୟାହ୍ନ ଭୋଜନ ଦେଖିବା ଦିଗରେ ପଞ୍ଚାୟତ ସ୍ତରର ନେତୃତ୍ୱମାନେ ଅନୁଧ୍ୟାନ କରିବା ପାଇଁ ଅଭିଭାବକର ଦାୟିତ୍ୱ ନେବା ଦରକାର। ଚଳିତ କେନ୍ଦ୍ର ବଜେଟରେ ମିଶନ ଶକ୍ତିର ଭଉଣୀଙ୍କ ପାଇଁ କ୍ଲଷ୍ଟର ଯୋଜନା ହୋଇଛି। ରାଜ୍ୟ ସରକାର ଏଥିରେ ସହଯୋଗୀ ହେବା ତଥା ସେମାନଙ୍କୁ ଇ-ବଜାର ସହ ଯୋଡିବା ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଶାରେ ମହିଳା ଓ ଶିଶୁଙ୍କ ସହ ଜଡିତ ଯୋଜନାରେ ମୋଦି ସରକାର ୧ ଲକ୍ଷ ୮୨ ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଖାଦ୍ୟ ସୁରକ୍ଷା ଓ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ୪୧, ୫୪୭ କୋଟି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୫, ୪୩୩ କୋଟି, ସ୍ୱଚ୍ଛ ଭାରତ ଯୋଜନାରେ ୯,୨୬୨ କୋଟି, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ୮୪୮ କୋଟି, ମୁଦ୍ରା ଲୋନ ପାଇଁ ୩୧, ୦୦୦ କୋଟି, ଜନଧନ ଆକାଉଣ୍ଟର ହିତାଧିକାରୀଙ୍କୁ ୧,୨୫୮ କୋଟି, ପୋଷଣ ବା ଆଇସିଡିଏସ ଯୋଜନାରେ ୧୨,୯୨୦ କୋଟି, ଏନଆରଏଲଏମରେ ୧୩, ୪୦୦ କୋଟି, ପିଏମ ପୋଷଣରେ ୩,୯୯୫ କୋଟି, ବେଟି ବଚାଓ, ବେଟି ପଢାଓ ପାଇଁ ୩୭୫ କୋଟି, ସକ୍ଷମ ଅଙ୍ଗନବାଡିରେ ୭୫୪.୩୬ କୋଟି ସମେତ ଅନେକ ଯୋଜନାରେ ମୋଦି ସରକାରରେ ଲାଭାର୍ଥୀ ଶିଶୁ ଓ ମହିଳା ଅଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଶାର ଭୂମି ପଞ୍ଚାୟତିରାଜ ସହ ଯୋଡି ହୋଇଅଛି। ଭାରତ ଗଣତନ୍ତ୍ରର ଜନନୀ। ମାତ୍ର ଏହି ଭୂମିରେ ହଜାର ବର୍ଷ ପୂର୍ବେ କଳିଙ୍ଗ ଯୁଦ୍ଧ ହୋଇଥିଲା। ସେ ସମୟରେ ଓଡ଼ିଆ ଲୋକଙ୍କର କେହି ରାଜା ନଥିଲେ ଅର୍ଥାତ୍ କଳିଙ୍ଗ ଯୁଦ୍ଧ ସମୟରୁ ହିଁ ଓଡ଼ିଶାରେ ଗଣତନ୍ତ୍ର ଓ ପଞ୍ଚାୟତିରାଜ ବ୍ୟବସ୍ଥା ବିଦ୍ୟମାନ। ଏହାବ୍ୟତିତ ମହିଳା ନେତୃତ୍ୱ ରାଜ୍ୟରେ ସ୍ୱଳ୍ପ ସମୟର ନୁହେଁ ବରଂ ଆମ ଓଡିଆ ପରମ୍ପରାରେ ପୂଜିତ ମା’ ମହାଲକ୍ଷ୍ମୀ ଏବଂ ସୁଭଦ୍ରା ଓଡ଼ିଆ ସଂସ୍କୃତି ଓ ନାରୀ ସଶକ୍ତିକରଣର ଉଦାହରଣ। ମାଆ ମହାଲକ୍ଷ୍ମୀ ସମାଜରେ ଛୁଆଁ ଅଛୁଆଁ ଭେଦଭାବକୁ ପରିସମାପ୍ତ କରିବାର ବାର୍ତ୍ତା ଦେଇଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ପ୍ରଭୁ ଶ୍ରୀବଳଭଦ୍ରଙ୍କ ସହ ଭଉଣୀ ମାଆ ସୁଭଦ୍ରା ବି ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି। ସେହିପରି ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ରମାଦେବୀ, ମାଳତୀ ଦେବୀ, ଅନ୍ନପୂର୍ଣ୍ଣା ଦେବୀ, ନନ୍ଦିନୀ ଶତପଥୀ ଏବଂ କୁନ୍ତଳା କୁମାରୀ ସାବତଙ୍କ ଅବଦାନ ବି ଅତୁଳନୀୟ।

ଗ୍ରାମାଞ୍ଚଳରେ ୭୦% ରୁ ଅଧିକ ଭାଗ ଲୋକ ବାସ କରୁଥିବା ବେଳେ ମହିଳାଙ୍କ ସଂଖ୍ୟା ଅଧିକ। ଗାଁରେ ରାସ୍ତା, ପାନୀୟ ଜଳ, ଘର, ବ୍ୟାଙ୍କ ଖାତା, ରୋଜଗାର ସମେତ ମୌଳିକ ବ୍ୟବସ୍ଥା ସୁଦୃଢ଼ ହେଲେ ପଞ୍ଚାୟତିରାଜ ଅନୁଷ୍ଠାନ ଗୁଡିକ ସଶକ୍ତ ହେବ। ଚଳିତ ବଜେଟରେ ମହିଳାଙ୍କୁ ଉଦ୍ୟମୀ କରିବା ପାଇଁ ଅନେକ ଯୋଜନା କରାଯାଇଛି। ଯେ ପର୍ଯ୍ୟନ୍ତ ପଞ୍ଚାୟତିରାଜ ଦିଲ୍ଲୀରେ ହେଉଥିବା ଯୋଜନା ନବୁଝିବ ସେ କେବଳ ଯୋଜନାରେ ସୀମିତ ରହିବ। ମହିଳା ଓ ଶିଶୁଙ୍କ ବିକାଶ ତେବେ ସମ୍ଭବ ଯେବେ ଗ୍ରାମର ବିକାଶ ହେବ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି।

ଉଲ୍ଲେଖନୀୟ ଯେ, ଶ୍ରୀ ପ୍ରଧାନ ଏହି ଅବସରରେ ପଞ୍ଚାୟତିରାଜ ଓ ମହିଳା ଏବଂ ଶିଶୁ ବିକାଶ ସହ ଜଡ଼ିତ ବିଭିନ୍ନ ଡିଜିଟାଲ ପୁସ୍ତକର ଉନ୍ମୋଚନ କରିଛନ୍ତି।