Categories
ଆଜିର ଖବର ରାଜ୍ୟ ଖବର

ଚିଲିକା: ନିର୍ବାଚନ ବେଳେ ନକଲି ଖାଉଟି କାର୍ଡ ଦେଇ ନେଲେ ଭୋଟ, ଜିତିଲା ପରେ ମିଳୁନି ରାସନ ସାମଗ୍ରୀ

ସୀତାରାମ ଅଗ୍ରୱାଲ

ଚିଲିକା: ନିର୍ବାଚନ ପୂର୍ବରୁ ରାସନ କାର୍ଡ ଦେଇ ଭୋଟ ନେଇଥିବା ଅଭିଯୋଗ ହୋଇଛି। କିନ୍ତୁ ନିର୍ବାଚନ ଫଳାଫଳ ପରେ ସେହି ରାସନ କାର୍ଡ ଆଉ କାର୍ଯ୍ୟକ୍ଷମ ହେଉନାହିଁ। ଏବଂ ପ୍ରାର୍ଥୀ ଜିତିବା ପରେ ହିତାଧିକାରୀଙ୍କ ଠାରୁ ଉକ୍ତ କାର୍ଡକୁ ଛଡେଇ ନେଇଥିବା ଭଳି ସାଙ୍ଘାତିକ ଅଭିଯୋଗ ହୋଇଛି। ତେଣୁ ଏହା ନକଲି କାର୍ଡ ଥିଲା ବୋଲି କୁହାଯାଉଛି।

ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଚଣ୍ଡେଶ୍ୱର ପଞ୍ଚାୟତରୁ ଏପରି ସାଙ୍ଘାତିକ ଅଭିଯୋଗ ଆସିଛି। ଉକ୍ତ ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁଧାକର ମହାପାତ୍ରଙ୍କ ନାମରେ ଏପରି ଅଭିଯୋଗ କରିଛନ୍ତି ବଡପୋଖରୀଆ ପାଟଣା ଗ୍ରାମର ସାଧନା ପ୍ରଧାନ ଓ ଅହଲ୍ୟା ଦେଇ।

ସେମାନଙ୍କ ଅଭିଯୋଗ ମୁତାବକ ନିର୍ବାଚନ ତିନି ମାସ ପୁର୍ବରୁ ସାଧନା ଓ ଅହଲ୍ୟାଙ୍କୁ ସରପଞ୍ଚ ଲିପାଲୀନ ମହାପାତ୍ରଙ୍କ ସ୍ୱାମୀ ସୁଧାକର ଦୁଇ ଗୋଟି ରାସନ କାର୍ଡ ବଣ୍ଟନ ଖାତା ଦେଇଥିଲେ। ଯାହାର ନମ୍ବର ୧୯୦୭୦୫୧୨୨୭୮ ଏବଂ ୧୯୦୭୦୫୧୨୨୭୧ ଥିଲା। ସେହି ଅନୁସାରେ ଡ଼ିସେମ୍ବର ଏବଂ ଜାନୁଆରୀ ମାସରେ ଉପରୋକ୍ତ କାର୍ଡ ଦେଖାଇ ବିନା ଫିଙ୍ଗରପ୍ରିଣ୍ଟରେ ଉକ୍ତ ଦୁଇ ହିତାଧିକାରୀ ଚାଉଳ ନେଇଆସୁଥିଲେ।

କିନ୍ତୁ ନିର୍ବାଚନ ଜିତିଲା ପରେ ସେମାନଙ୍କୁ ତୃତୀୟ ଥର ରାସନ ସାମଗ୍ରୀ ଦେବାକୁ ଯୋଗାଣ ସହାୟକ ରୋକଠୋକ ମନା କରିଦେଇଥିଲେ। ଏବଂ ହିତାଧିକାରୀଙ୍କ ଠାରୁ ଉକ୍ତ ରାସନ ବଣ୍ଟନ କାର୍ଡ ମଧ୍ୟ ନେଇଯାଇଥିଲେ।

ତେବେ ଏ ନେଇ ସେମାନେ ସରପଞ୍ଚଙ୍କ ସ୍ୱାମୀଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଉକ୍ତ ରାସନ ସାମଗ୍ରୀ ସେ ତାଙ୍କ ହାତରୁ ଦେଉଥିଲେ ଏବଂ ଏବେ ଆଉ ଦେବେନାହିଁ। ଉକ୍ତ ହିତାଧିକାରୀ କହିବା କଥା କେବେଳ ତାଙ୍କ ଗ୍ରାମରେ ପୂର୍ବତନ ସରପଞ୍ଚ ୧୦ ଗୋଟି ଜାଲ ରାସନ କାର୍ଡ ବାଣ୍ଟିଛନ୍ତି। ଯଦି ତଦନ୍ତ ହୁଏ ତେବେ ସାରା ପଞ୍ଚାୟତରେ ଶତାଧିକ ଜାଲ ରାସନ କାର୍ଡ ବାହାରିବ। ଉକ୍ତ କାର୍ଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫୋଟୋ ଥାଇ ବିଜେଡି ସମର୍ଥିତ ସରପଞ୍ଚ ନକଲି ରାସନ କାର୍ଡ ବାଣ୍ଟିଥିବାର ସେମାନେ ଅଭିଯୋଗ କରିଛନ୍ତି।

ଗତ ୫ ତାରିଖ ଦିନ ଉପରୋକ୍ତ ହିତାଧିକାରୀ ମାନେ ଚିଲିକା ବିଡ଼ିଓଙ୍କ ଉଦ୍ଦେଶ୍ୟରେ ବ୍ଲକ ଯୋଗାଣ ନିରୀକ୍ଷକଙ୍କୁ ଏହାର ତଦନ୍ତ ପାଇଁ ଏକ ଅଭିଯୋଗ ପତ୍ର ଦେଇଛନ୍ତି। ତେବେ ଏ ନେଇ ଚିଲିକା ବିଡ଼ିଓ ଡ଼ା ସୁଷମା ବାରିକଙ୍କୁ ପଚାରିବାରୁ ଉକ୍ତ ଘଟଣା ଏଯାବତ ସେ ଜାଣିନଥିବାର କହିଛନ୍ତି। ଚଣ୍ଡେଶ୍ୱର ପଞ୍ଚାୟତ ପିଇଓ ଝରଣା ରଥଙ୍କୁ ପଚାରିବାରୁ କାର୍ଡ ହିସାବରେ ହିତାଧିକାରୀଙ୍କ ଫିଙ୍ଗରପ୍ରିଣ୍ଟ ନେଇ ଆମେ ଚାଉଳ ଦେଉଛୁ ବୋଲି କହିଛନ୍ତି।

ଯୋଗାଣ ନିରୀକ୍ଷକ ଅରୁଣ ଲେଙ୍କାଙ୍କୁ ପଚାରିବାରୁ ସେ ଏହାର ତଦନ୍ତ ଆଜିଠାରୁ ଆରମ୍ଭ କରିବେ ବୋଲି କହିଛନ୍ତି ଏବଂ ପ୍ରାଥମିକ ଅନୁସନ୍ଧାନରେ ଉକ୍ତ ରାସନ କାର୍ଡର ବଣ୍ଟନ ଖାତା ନମ୍ବର ନକଲି ଥିବା କହିଛନ୍ତି। ପୂର୍ବତନ ସରପଞ୍ଚ ତଥା ବର୍ତ୍ତମାନ ସରପଞ୍ଚଙ୍କ ସ୍ୱାମୀ ସୁଧକାର ମହାପାତ୍ରଙ୍କୁ ଯୋଗାଯୋଗ କରିବାରୁ ସେ କୌଣସି ସଠିକ ଉତ୍ତର ଦେଇପାରିନାହାନ୍ତି।

ତେବେ ଉକ୍ତ ଘଟଣା ପ୍ରଘଟ ହେଲାପରେ ସାରା ପଞ୍ଚାୟତରେ ହଇଚଇ ସୃଷ୍ଟି ହୋଇଛି ଏବଂ ଜନଆକ୍ରୋଶ ବଢ଼ିବାରେ ଲାଗିଛି। ସଦ୍ୟ ତଥ୍ୟ ଅନୁଯାୟୀ ପଞ୍ଚାୟତର ନାଏବ ସରପଞ୍ଚଙ୍କ ସମେତ ୮ ୱାର୍ଡ ମେମ୍ବର ଏବଂ ଜନସାଧାରଣ ପିଇଓ, ଯୋଗାଣ ସହାୟକଙ୍କ ନିଲମ୍ବନ ଦାବି କରିଛନ୍ତି ଏବଂ ଜାଲ ରାସନ କାର୍ଡ ତିଆରିରେ ଯିଏ ଯିଏ ସାମିଲ ଅଛନ୍ତି ସେମାନଙ୍କୁ ବିରୁଦ୍ଧରେ ଆଇପିସି ଦଫା ୪୨୦ ମୁତାବକ ଆଇନ ଅନୁଯାୟୀ ଦଣ୍ଡିତ କରାଯାଉ ବୋଲି ପ୍ରଶାସନ ନିକଟରେ ଦାବି କରିଛନ୍ତି।

ଯଦି ସାତ ଦିନ ମଧ୍ୟରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏହାର ପ୍ରତିକାର କରାନଯାଏ, ତେବେ ନାଏବ ସରପଞ୍ଚ, ୮ ୱାର୍ଡ ମେମ୍ବର ଏବଂ ଜନସାଧାରଣ ମାନେ ବିଡ଼ିଓଙ୍କ କାର୍ଯ୍ୟାଳୟ ଆଗରେ ଧରଣା ଦେବେ ଏବଂ ପରବର୍ତ୍ତୀ ସମୟରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ

ଖବର ପ୍ରସାରଣ ପରେ ଦୃଷ୍ଟିହୀନଙ୍କୁ ମିଳିଲା ରାସନ ସାମଗ୍ରୀ: ବାଲୁଗାଁ ଏସଡିପିଓ ମଧ୍ୟ କଲେ ସାହାଯ୍ୟ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ଦୃଷ୍ଟିହୀନ ହିତାଧିକାରୀଙ୍କୁ ରାସନ ସାମଗ୍ରୀ ମିଳିଛି। ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ସାନନଇରୀ ପଞ୍ଚାୟତର ଦୃଷ୍ଟିହୀନ ବ୍ୟକ୍ତି ଯୋଗେନ୍ଦ୍ର ବେହେରା ରାସନ ସାମଗ୍ରୀ ପାଇବାରୁ ବଞ୍ଚିତ ହେଉଥିଲେ। ଗତକାଲି ଏନେଇ ଏକ ଖବର ସମୀକ୍ଷା ନିୟୁଜରେ ପ୍ରସାରଣ କରାଯାଇଥିଲା। ତେବେ ଖବର ପ୍ରସାରଣ ପରେ ତତ୍ପର ହୋଇଉଠିଛି ସ୍ଥାନୀୟ ବ୍ଲକ ପ୍ରଶାସନ। ଆଜି ସକାଳୁ ଚିଲିକା ବିଡ଼ିଓ ଡ଼ା. ସୁଷମା ବାରିକଙ୍କ ନିର୍ଦ୍ଦେଶକ୍ରମେ ଯୋଗେନ୍ଦ୍ରଙ୍କୁ ତାଙ୍କ ପ୍ରାପ୍ୟ ରାସନ ଚାଉଳ ପ୍ରଦାନ କରାଯାଇଅଛି।

ବିଡ଼ିଓଙ୍କ କହିବା ମୁତାବକ ଇ-ପିଓଏସ ଯନ୍ତ୍ରଟି ବିଗତ ଚାରିଦିନ ହେଲା ଖରାପ ଥିବାରୁ ଏହାକୁ ମରାମତି ନିମନ୍ତେ ଖୋର୍ଦ୍ଧା ପଠାଯାଇଥିଲା। ତେବେ ଗତକାଲି ସଂନ୍ଧ୍ୟାରେ ଯନ୍ତ୍ର ମରାମତି ହୋଇ ଆସିଲାପରେ ଆଜି ଯୋଗେନ୍ଦ୍ରଙ୍କୁ ରାସନ ସାମଗ୍ରୀ ଦିଆଯାଇଛି।

ଅନୁରୂପଭାବେ ଯୋଗେନ୍ଦ୍ରଙ୍କ ଅସୁବିଧାକୁ ହୃଦୟଙ୍ଗମ କରି ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ମଧ୍ୟ ତାଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି। ଆଜି ପୂର୍ବାହ୍ନରେ ବାଲୁଗାଁ ଏସଡ଼ିପିଓ ଙ୍କ ନିର୍ଦ୍ଦେଶକ୍ରମେ ଖୋଦ ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ଯୋଗେନ୍ଦ୍ରଙ୍କ ଘରକୁ ଯାଇ ରନ୍ଧା ଖାଦ୍ୟ ସହ ପନିପରିବା, ଚୁଡା, ଚିନି, ସୋୟାବିନ ବଡି, ଚାଉଳ ଏବଂ କିଛି ପଇସା ମଧ୍ୟ ପ୍ରଦାନ କରିଛନ୍ତି। ଏସଡ଼ିପିଓ ଏବଂ ଫାଣ୍ଡି ଅଧିକାରୀଙ୍କ ଏପରି କାର୍ଯ୍ୟକୁ ଚାରିଆଡୁ ପ୍ରଶଂସା କରାଯାଉଛି।

ସୂଚନା ଥାଉକି ଲକଡ଼ାଉନ ପ୍ରାରମ୍ଭରୁ ବାଲୁଗାଁ ଏସଡ଼ିପିଓ ଅସହାୟଙ୍କ ନିମନ୍ତେ ସେବା କାର୍ଯ୍ୟ ଜାରି ରଖିଛନ୍ତି। ସରକାରୀ ରାସନ ସହ ପୋଲିସ ଦ୍ୱାରା ପ୍ରଦାନ କରାଯାଇଥିବା ଖାଦ୍ୟ ସାମଗ୍ରୀ ପାଇ ଯୋଗେନ୍ଦ୍ରଙ୍କ ପରିବାର ବର୍ତ୍ତମାନ ବେଶ୍ ଖୁସି ହୋଇପଡିଛନ୍ତି। ଏଥିପାଇଁ ସେ ଜିଲ୍ଲା ପ୍ରଶାସନ, ଚିଲିକା ବିଡ଼ିଓ, ବାଲୁଗାଁ ଏସଡ଼ିପିଓଙ୍କୁ ଅନ୍ତରରୁ ଧନ୍ୟବାଦ ଦେଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ

ଚିଲିକା: ପଞ୍ଚାୟତ ଅଫିସରେ ଝୁଲୁଛି ତାଲା, ଲକଡାଉନରେ ଦୃଷ୍ଟିହୀନଙ୍କୁ ମିଳୁନି ରାସନ

ସୀତାରାମ ଅଗ୍ରୱାଲ

ଚିଲିକା: ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟକୁ ବାରମ୍ବାର ଦୌଡୁଥିଲେ ମଧ୍ୟ ହିତାଧିକାରୀଙ୍କୁ ରାସନ ସାମଗ୍ରୀ ମିଳୁନାହିଁ। ପଞ୍ଚାୟତ କାର୍ଯ୍ୟାଳୟ ସବୁବେଳେ ବନ୍ଦ ରହୁଥିବା ଅଭିଯୋଗ ହେଉଛି। ଫଳରେ ରାସନ ସାମଗ୍ରୀ ନମିଳିବାରୁ ଜଣେ ଭିନ୍ନକ୍ଷମ ବ୍ୟକ୍ତି ମଧ୍ୟ ଭୋକ ବିକଳରେ ଛଟପଟ ହେଉଛନ୍ତି। ଖୋର୍ଦ୍ଧା ଜିଲା ଚିଲିକା ବ୍ଲକ ଅନ୍ତର୍ଗତ ସାନ ନଇରୀ ଗ୍ରାମରେ ଏପରି ଏକ ହୃଦୟବିଦାରକ ଦୃଶ୍ୟ ନଜରକୁ ଆସିଛି।

ଲକଡଉନ ସମୟରେ ଲୋକଙ୍କୁ ଘରେ ରହିବା ପାଇଁ ନିର୍ଦ୍ଦେଶ ରହିଥିବା ବେଳେ ଅତ୍ୟାବଶ୍ୟକ ଜିନିଷଗୁଡିକୁ ଲୋକଙ୍କ ଘର ନିକଟରେ ଯୋଗାଇଦେବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଅସହାୟ ଏବଂ ଗରିବଙ୍କୁ ବିଶେଷ ଧ୍ୟାନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

କିନ୍ତୁ ସାନନଇରୀ ପଞ୍ଚାୟତରେ ଏହାର ବ୍ୟତିକ୍ରମ ଦେଖାଦେଇଛି। ଏହି ପଞ୍ଚାୟତରେ ଘର ନିକଟରେ ଜରୁରୀ ସାମଗ୍ରୀ ଯୋଗାଇବା ବଦଳରେ ଲୋକଙ୍କୁ ପଞ୍ଚାୟତ କାର୍ଯ୍ୟାଳୟକୁ ଆସିବାକୁ ପଡୁଛି। ହେଲେ ବଡ ଦୁଃଖର କଥା ଯେ, ଲକଡାଉନ ସମୟରେ ରାସନ ସାମଗ୍ରୀ ପାଇଁ ଆସୁଥିବା ହିତାଧିକାରୀ ନିରାଶ ହୋଇ ଫେରୁଛନ୍ତି। ସଦାବେଳେ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ଝୁଲୁଥିବା ହିତାଧିକାରୀମାନେ ଅଭିଯୋଗ କରୁଛନ୍ତି।

ସାନ ନଇରୀ ଗ୍ରାମର ଭିନ୍ନକ୍ଷମ ବ୍ୟକ୍ତି ଯୋଗେନ୍ଦ୍ର ବେହେରା ଏନେଇ କ୍ଷୋଭର ସହ ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି। ଯୋଗେନ୍ଦ୍ର ଜଣେ ଦୃଷ୍ଟିହୀନ ବ୍ୟକ୍ତି। ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ଟ୍ରେନରେ ଭିକ୍ଷାବୃତ୍ତି କରି ନିଜ ପରିବାରର ପେଟ ପୋଷନ୍ତି। ତେବେ ସରକାରଙ୍କ ଦ୍ୱାରା ତାଙ୍କୁ ରାସନ କାର୍ଡ ମିଳିଛି। ଯାହାଦ୍ୱାରା ତାଙ୍କ ଦୁଃଖ କିଞ୍ଚିତ ପରିମାଣରେ ହ୍ରାସ ହୋଇପାରୁଛି। ହେଲେ ଚଳିତ ମାସର ରାସନ ସାମଗ୍ରୀ ଏଯାବତ ପାଇନଥିବାର ଅଭିଯୋଗ କରିଛନ୍ତି ଯୋଗେନ୍ଦ୍ର।

ଗତ ୨୪ ତାରିଖ ସୋମବାର ଦିନ ଯୋଗେନ୍ଦ୍ର ପଞ୍ଚାୟତକୁ ରାସନ ସାମଗ୍ରୀ ନେବାପାଇଁ ଆସିଥିଲେ ସୁଦ୍ଧା କୌଣସି କାରଣରୁ ପଞ୍ଚାୟତରେ ବିଶୃଙ୍ଖଳା ଦେଖାଦେବାରୁ ଅଧିକାରୀମାନେ ଯୋଗେନ୍ଦ୍ରଙ୍କୁ ଖାଲି ହାତରେ ଫେରାଇଦେଇଥିଲେ। ପୁଣି ଗତକାଲି ୨୮ତାରିଖ ଶୁକ୍ରବାର ଦିନ ଯୋଗେନ୍ଦ୍ର ପଞ୍ଚାୟତକୁ ଗଲାବେଳକୁ ସେଠାରେ ତାଲା ଝୁଲୁଥିବାରୁ ଜାଣି ପୁଣି ଖାଲି ହାତରେ ଘରକୁ ଆସିଥିଲେ। ବର୍ତ୍ତମାନ ଭୋକ ମେଣ୍ଟାଇବା ପାଇଁ ତାଙ୍କର ଏକମାତ୍ର ସାହା ସରକାରୀ ରାସନ ରହିଥିବା ବେଳେ ତାହା ବି ତାଙ୍କୁ ମିଳି ପାରୁନାହିଁ। ଫଳରେ ବର୍ତ୍ତମାନ ସେ ଭୋକ ଉପାସରେ ଦିନ କାଟିବାକୁ ବାଧ୍ୟ ହେଉଛନ୍ତି।

ରାଜ୍ୟ ସରକାର ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ଅନେକ ଯୋଜନାମାନ ଲାଗୁ କରିଥିବା ବେଳେ କିଛି ସରକାରୀ ବାବୁଙ୍କ ଦାଇତ୍ୱହୀନତା ଲାଗି ରାଜ୍ୟ ସରକାର ବଦନାମ ହେଉଛନ୍ତି।  ଯୋଗେନ୍ଦ୍ରଙ୍କ କାର୍ଡରେ ଚାରି ଜଣ ପରିବାର ସଦସ୍ୟଙ୍କ ନାମ ଥିବା ବେଳେ ଚଳିତ ମାସ କେହି ହେଲେ ରାସନ ସାମଗ୍ରୀ ପାଇନାହାନ୍ତି।

ତେବେ ଏନେଇ ଆମ ପ୍ରତିନିଧି ଚିଲିକା ଯୋଗାଣ ନିରୀକ୍ଷକ ଅରୁଣ ଲେଙ୍କାଙ୍କୁ ପଚାରିବାରୁ, ସାନନଇରୀ ପଞ୍ଚାୟତରେ ଯୋଗାଣ ସହାୟକ ନାହାନ୍ତି ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀ ରାସନ ସାମଗ୍ରୀ ବଣ୍ଟନ ଦାୟିତ୍ୱରେ ଅଛନ୍ତି। ତେବେ ଏବିଷୟ ନେଇ ସେ ପୂର୍ବରୁ ଅବଗତ ନଥିଲେ। ହେଲେ ବର୍ତ୍ତମାନ ଆମ ମାଧ୍ୟମରେ ଉକ୍ତ ବିଷୟରେ ଅବଗତ ହେବାପରେ ଆସନ୍ତାକାଲି ସୁଦ୍ଧା ଯୋଗେନ୍ଦ୍ରଙ୍କ ଘରେ ରାସନ ସାମଗ୍ରୀ ପହଞ୍ଚିବ ବୋଲି ଶ୍ରୀ ଲେଙ୍କା ସୂଚନା ଦେଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ

ବାଣପୁର ବ୍ଲକ ଆୟତପୁର ପଞ୍ଚାୟତରେ ସରକାରୀ କର୍ମଚାରୀଙ୍କ ମନମାନି: ରାସନ ସାମଗ୍ରୀ ବଣ୍ଟନରେ ଅନିୟମିତତା

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଆୟତପୁର ପଞ୍ଚାୟତରେ ରାସନ ସାମଗ୍ରୀ ଏବଂ ଭତ୍ତା ବଣ୍ଟନରେ ଦେଖାଯାଇଛି ସାଙ୍ଘାତିକ ଅନିୟମିତତା। ପଞ୍ଚାୟତବାସି ସେପ୍ଟେମ୍ବର ମାସର ରାସନ ସାମଗ୍ରୀ ଓ ଭତ୍ତା ଆଜି ସୁଦ୍ଧା(୨୨.୦୯.୨୦) ପାଇନାହାନ୍ତି। ଯାହାଦ୍ୱାରା ସେମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ହେଲେ ନିୟମ ମୁତାବକ ରାସନ ସାମଗ୍ରୀ ପଞ୍ଚାୟତ ରେ ପ୍ରତି ମାସର ପ୍ରଥମ ସପ୍ତାହ ସୁଦ୍ଧା ଏବଂ ଭତ୍ତା ପ୍ରତି ମାସର ୧୫ ତାରିଖ ସୁଦ୍ଧା ବଣ୍ଟାଯିବା କଥା କିନ୍ତୁ ଆୟତ୍ତପୁର ପଞ୍ଚାୟତରେ ଏହାର ବ୍ୟତିକ୍ରମ ଦେଖାଯାଇଛି।

ମୁଖ୍ୟମନ୍ତ୍ରୀ ଗରିବଙ୍କ ଜୀବନ ଜୀବିକାକୁ ଗୁରୁତ୍ୱ ଦେଉଥିବାବେଳେ ଏଠି କିଛି ସରକାରୀ କର୍ମଚାରୀଙ୍କ ମନମାନି ଲାଗି ହନ୍ତସନ୍ତ ହେଉଛନ୍ତି ପଞ୍ଚାୟତବାସି। ହେଲେ ଏ ନେଇ ଆୟତ୍ତପୁର ସରପଞ୍ଚଙ୍କ ପ୍ରତିନିଧି ରାମଚନ୍ଦ୍ର ସେଠିଙ୍କୁ ପଚାରିବାରୁ ରାସନ ସାମଗ୍ରୀ ଚଳିତ ମାସ ୧୫ ତାରିଖରେ ପଞ୍ଚାୟତକୁ ଆସିଥିବାର କହିଥିଲେ ଏବଂ କଣ୍ଟେନମେଣ୍ଟ ଜୋନ ହୋଇଥିବାରୁ ରାସନ ସାମଗ୍ରୀ ବଣ୍ଟାଯାଇପାରୁନାହିଁ ବୋଲି ଶ୍ରୀ ସେଠି କହିଥିଲେ। ହେଲେ ଯୋଗାଣ ସହାୟକ ଆଦିତ୍ୟ ଦଳାଇ ଅଲଗା ଉତ୍ତର ଦେଇଛନ୍ତି। ସେ ରାସନ ସାମଗ୍ରୀ ଚଳିତ ମାସ ଦୁଇ ତାରିଖରେ ଗ୍ରହଣ କରିଥିବାର ସୂଚନା ଦେଇଛନ୍ତି ଏବଂ କଣ୍ଟନମେଣ୍ଟ ଜୋନ ଲାଗି ବଣ୍ଟାଯାଇପାରୁନାହିଁ ବୋଲି କହିଛନ୍ତି।

ତେବେ କଣ୍ଟେନମେଣ୍ଟ ଜୋନ କେବଳ ଆୟତପୁର ଗ୍ରାମ ଚଳିତ ମାସ ୧୬ ତାରିଖରୁ ଲାଗୁହୋଇଅଛି ଓ ୨ ତାରିଖରୁ ୧୬ ତାରିଖ ଯାଏଁ ଆୟତପୁର ଗ୍ରାମ ଏବଂ ୨ ତାରିଖରୁ ୨୨ ତାରିଖ ଯାଏଁ ପଞ୍ଚାୟତର ଅନ୍ୟ ଗ୍ରାମଗୁଡିକରେ କଣ ପାଇଁ ରାସନ ବଣ୍ଟାଯାଇନାହିଁ ବୋଲି ପ୍ରଶ୍ନ କରାଯିବାରୁ ଯୋଗାଣ ସହାୟକ ମହୋଦୟ ୧୪ ଦିନ ହେଲା ଗତ ମାସର କୋଭିଡ ନିଃଶୁଳ୍କ ଚାଉଳ ବାଂଟିଥିବାର କହିଛନ୍ତି।

ଅନୁରୂପ ଭାବେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଅମୃତ ବେହେରାଙ୍କୁ ଏ ନେଇ ପଚରାଯିବାରୁ ଭତ୍ତା ପାଇଁ ଏଯାବତ ବି.ଡ଼ି.ଓ ଆଦେଶ କରିନାହାନ୍ତି ଏବଂ ରାସନ ସାମଗ୍ରୀ ଯଥାଶୀଘ୍ର ବଣ୍ଟାଯିବ ବୋଲି କହିଛନ୍ତି। ହେଲେ ୨୨ ଦିନ ଯାଏଁ କଣ ପାଇଁ ପଞ୍ଚାୟତରେ ରାସନ ସାମଗ୍ରୀ ବଣ୍ଟାଯାଇନାହିଁ ବୋଲି ପ୍ରଶ୍ନର ସନ୍ତୁଷ୍ଟମୂଳକ ଉତ୍ତର ଦେଇପାରିନଥିଲେ। ଏ ବିଷୟ ନେଇ ବାଣପୁର ବି.ଡ଼ି.ଓ ଙ୍କୁ ଯୋଗାଯୋଗ କରିବାରୁ ତାହା ସମ୍ଭବପରହୋଇପାରିନାହିଁ।

ତେବେ ଏହି ମହାମାରୀ ସମୟରେ ଗରିବଙ୍କ ପାଇଁ ସରକାର ଅଗ୍ରୀମ ରାସନ ସାମଗ୍ରୀ ଦେବାର ବ୍ୟବସ୍ଥା କରୁଥିବା ବେଳେ ଏଠି ସରକାରୀ କର୍ମଚାରୀଙ୍କ ମନାମାନୀ ଲାଗି ସମଗ୍ର ପଞ୍ଚାୟତ ବାସିଙ୍କୁ ରାସନ ସାମଗ୍ରୀ ମିଳିବାରେ ବିଳମ୍ବ ହେଉଛି ଏବଂ ଯଦି ଏହାର ବିରୋଧ କରୁଛନ୍ତି ତେବେ ଲୋକେ ଧମକ ଏବଂ ଗାଳିର ଶିକାର ହେଉଛନ୍ତି।

ଦୁଇ ତାରିଖରେ ରାସନ ସାମଗ୍ରୀ ଆସି ଯଦି ୨୨ ତାରିଖ ଯାଏଁ ବଣ୍ଟାଯାଉନାହିଁ ତାହାଲେ ଏହା ପଛର ରହସ୍ୟ କଣ ଏ ଯାଏଁ ଜଣାପଡ଼ୁନାହିଁ ହେଲେ କିଛି ପରୋକ୍ଷ ସୂତ୍ରରୁ ସୂଚନା ରହିଛି ଯେ ସରପଞ୍ଚ ଏବଂ ୱାର୍ଡ ମେମ୍ବରମାନଙ୍କ ଅନ୍ତର୍ଦ୍ୱନ୍ଦ ଲାଗି ଆଜି ଯାଏଁ ରାସନ ସାମଗ୍ରୀ ବଣ୍ଟାଯାଇପାରୁନାହିଁ। ହେଲେ ଦେଖିବାକୁ ବାକି ରହିଲା ବାଣପୁର ବି.ଡ଼ି.ଓ ଏ ଘଟଣାରେ କଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ଏବଂ ପଞ୍ଚାୟତ ବାସି ମାନେ କେବେ ରାସନ ଓ ଭତ୍ତା ପାଉଛନ୍ତି।