Categories
ଆଜିର ଖବର ରାଜ୍ୟ ଖବର

ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟଣା: ମୃତକଙ୍କ ପରିବାରକୁ ମିଳିବ ୪ ଲକ୍ଷ ଟଙ୍କା ସହାୟତା ରାଶି

ରଣପୁର: ଗତ ବୁଧବାର ଦିନ ରଣପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଥିଲା। ରାତିରେ ଚାଷ ଜମିକୁ ଗଲା ବେଳେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା। ରଣପୁର ବ୍ଲକ ମହତପଲ୍ଲା ପଞ୍ଚାୟତର ବନ୍ଧପଲ୍ଲା ଗ୍ରାମରେ ଏଭଳି  ଘଟଣାଟି ଘଟିଥିଲା।

ସେହି ଗ୍ରାମର ସ୍ବର୍ଗତ ଗୁରୁବାରୀ ଜେନାଙ୍କ ପୁଅ ଜଗବନ୍ଧୁ ଜେନା ନିଜ ଜମିରେ ଟାଇଚିନ ଧାନ ଫସଲ କରିଥିଲେ। ସବୁଦିନ ଭଳି ଗତ କାଲି ମଧ୍ୟ ଫସଲ ଜଗିବା ପାଇଁ ରାତିରେ ନିଜ ଜମିକୁ ଯାଇଥିଲେ। ଏହି ସମୟରେ ଏକ ହାତୀ ପଲ ଜମି ଭିତରେ ପଶି ଫସଲ ଖାଉଥିବାର ଦେଖିବାକୁ ପାଇଥିଲେ। ସେ ନିଜ ଫସଲକୁ ରକ୍ଷା କରିବା ପାଇଁ ହାତୀମାନଙ୍କୁ ଘଉଡ଼ାଇବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ହାତୀମାନେ ଜଗବନ୍ଧୁଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ହାତୀମାନଙ୍କ ଆକ୍ରମଣରେ ଜଗବନ୍ଧୁ ଗୁରୁତର ଭାବେ ଆହତ ହୋଇଥିଲେ। ବନ ବିଭାଗ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଜଗବନ୍ଧୁଙ୍କୁ ରଣପୁର ମେଡିକାଲକୁ ଆଣିଥିଲେ। ସେଠାରେ ଡାକ୍ତର ବୈଦ୍ୟନାଥ ନନ୍ଦ ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହା ପରେ ଡାକ୍ତରଖାନା ତରଫରୁ ରଣପୁର ଥାନାକୁ ଖବର ଦିଆ ଯାଇଥିଲା। ସକାଳେ ମୃତ ଜଗବନ୍ଧୁଙ୍କ ଶବ ବ୍ୟବଚ୍ଛେଦ କରାଯାଇଥିଲା। ଏହା ପରେ ମୃତକଙ୍କ ପରିବାର ଲୋକେ ବିଭିନ୍ନ ଦାବି ନେଇ କିଛି ସମୟ ପାଇଁ ଥାନା ନିକଟରେ ରାସ୍ତା ରୋକ କରିଥିଲେ। ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ରାଶି ସମେତ ସରକାରଙ୍କ ସମସ୍ତ ସୁବିଧା ଯୋଗାଇ ଦେବାକୁ ଧାରଣାକାରୀମାନେ ଦାବି କରିଥିଲେ। ଏହା ସହିତ ଆଗାମୀ ଦିନରେ ଅନ୍ୟ ଚାଷୀମାନେ କିପରି ହାତୀ ଆକ୍ରମଣର ଶିକାର ନ ହେବେ ସେଥିପାଇଁ ବନ ବିଭାଗ ସଜାଗ ରହିବା ପାଇଁ ମଧ୍ୟ ଦାବି କରିଥିଲେ। ବନ ବିଭାଗର ଅପାରଗତା ଯୋଗୁଁ ବାରମ୍ବାର ଚାଷୀମାନେ ହାତୀ ଆକ୍ରମଣର ଶିକାର ହେଉଥିବା ଧାରଣାକାରୀ ମାନେ କହିଥିଲେ।  ରଣପୁର ଥାନା ଅଧିକାରୀ ନିହାର ରଞ୍ଜନ ମହାନ୍ତି ଧାରଣା ସ୍ଥଳରେ ପୋଲିସ ଟିମ ସହ ପହଞ୍ଚି ମୃତକଙ୍କ ପରିବାର ଲୋକଙ୍କୁ ବୁଝା ସୁଝା କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଏହା ପରେ ମୃତକଙ୍କ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।

ରଣପୁର ବନ ବିଭାଗ ଦାୟିତ୍ୱରେ ଥିବା ଦେବାଶିଷ ଭୋଇଙ୍କୁ ଏ ବିଷୟରେ ପଚାରିବାରୁ ସେ କୁହନ୍ତି ସରକାରଙ୍କ ତରଫରୁ ଥିବା ୪ ଲକ୍ଷ ସହାୟତା ରାଶି ମୃତକଙ୍କ ପରିବାରଙ୍କୁ ପ୍ରଦାନ କରାଯିବ। ବର୍ତ୍ତମାନ ମୃତକଙ୍କ ପରିବାରକୁ ୪୦ ହଜାର ପ୍ରଦାନ କରାଯିବ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଅବଶିଷ୍ଟ ୩ ଲକ୍ଷ ୬୦ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ଶ୍ରୀ ଭୋଇ କହିଛନ୍ତି। ଆଗାମୀ ଦିନରେ ହାତୀ କିଭଳି ଚାଷୀମାନଙ୍କ ଫସଲ ନଷ୍ଟ କରିବ ନାହିଁ, ଚାଷୀମାନେ ହାତୀ ଆକ୍ରମଣର ଶିକାର ହେବେ ନାହିଁ ତାହା ଡ଼ି.ଏଫ.ଓ. ନିର୍ଦ୍ଦେଶ ଅନୁଯାୟୀ ପଦକ୍ଷେପ ନିଆଯିବ।

ଡାକ୍ତରଖାନା ଠାରେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଓ ତହସିଲଦାର ଇପ୍ସିତ ସାହୁ ପହଞ୍ଚି ମୃତକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହ ରେଡ଼କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି। ପୂର୍ବତନ ସମବାୟ ମନ୍ତ୍ରୀ ସୁରମା ପାଢ଼ୀ ମଧ୍ୟ ଡାକ୍ତରଖାନା ପରିସରରେ ପହଂଚି ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବିଭିନ୍ନ ଦାବି ନେଇ ନିରାକାରପୁରରେ ୨୪ ଘଣ୍ଟିଆ ରାସ୍ତା ରୋକ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଠାରେ ରାସ୍ତା ରୋକ କରାଯାଇଛି। ଖୋର୍ଦ୍ଧା ରାମେଶ୍ୱର-ପୁରୀ ନୂଆ ଜଗନ୍ନାଥ ସଡକ ନିରାକାରପୁର ଠାରେ ରାସ୍ତା ରୋକ କରାଯାଇଛି। ବିଭିନ୍ନ ଦାବି ନେଇ ନିରାକାରପୁରବାସୀ ରାସ୍ତା ଅବରୋଧ କରିଛନ୍ତି। ନିରାକାରପୁରରେ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟ ସେବା, ୨୪ଘଣ୍ଟିଆ ପାନୀୟ ଜଳ ଯୋଗାଣ, ନିଶାକାରବାର ବନ୍ଦ, ନିରାକାରପୁର ରେଳ ଫାଟକ ଠାରେ ଓଭରବ୍ରିଜ ନିର୍ମାଣ ଆଦି ଦାବିରେ ଅଂଚଳବାସୀ ୨୪ଘଣ୍ଟିଆ ରାସ୍ତା ରୋକ କରିଥିବା ଜଣାପଡ଼ିଛି।