Categories
ଆଜିର ଖବର ଜାତୀୟ ଖବର

ଆଉ ନାହାଁନ୍ତି ଶିଳ୍ପପତି ରାହୁଲ ବଜାଜ, ୮୩ ବର୍ଷ ବୟସରେ ହେଲା ପରଲୋକ

ନୂଆଦିଲ୍ଲୀ: ବଜାଜ ଗ୍ରୁପ୍‌ର ପୂର୍ବତନ ଚେୟାରମ୍ୟାନ୍ ତଥା ବଜାଜ୍ ମୋଟର୍ସର ପ୍ରତିଷ୍ଠାତା ରାହୁଲ ବଜାଜଙ୍କ ୮୩ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ସେ ଦୀର୍ଘ ସମୟ ଧରି କର୍କଟ ରୋଗ ସହ ଲଢୁଥିଲେ। ରାହୁଲ ବଜାଜ ଜୁନ୍ ୧୦ ତାରିଖ ୧୯୩୮ ମସିହାରେ କୋଲକାତାରେ ଜନ୍ମଗ୍ରହଣ କରିଥିଲେ। ରାହୁଲ ବଜାଜ ମାରୱାଡି ବ୍ୟବସାୟୀ ପରିବାରର ଥିଲେ। ରାହୁଲ ବଜାଜ ଦୀର୍ଘ ସମୟ ଧରି ବଜାଜ ଗ୍ରୁପର ଦାୟିତ୍ୱ ତୁଲାଇଥିଲେ। ୧୯୬୫ ମସିହାରେ, ସେ ତାଙ୍କ ହାତକୁ ବଜାଜର ଦାୟିତ୍ଵ ନେଇଥିଲେ।

ରାହୁଲ ବଜାଜ ପ୍ରାୟ ୫୦ ବର୍ଷ ଧରି ବଜାଜ ଗ୍ରୁପର ଚେୟାରମ୍ୟାନ୍ ଥିଲେ। ୨୦୦୧ରେ ତାଙ୍କୁ ପଦ୍ମ ଭୂଷଣ ପୁରସ୍କାର ପ୍ରଦାନ କରାଯାଇଥିଲା। ରାହୁଲ ବଜାଜ ସ୍ୱାଧୀନତା ସଂଗ୍ରାମୀ ଜାମନାଲାଲ ବଜାଜଙ୍କ ନାତି ଥିଲେ। ସେ ନିଜେ ଦିଲ୍ଲୀର ସେଣ୍ଟ ଷ୍ଟିଫେନ୍ସ କଲେଜରୁ ଅଧ୍ୟୟନ କରିଥିଲେ, ତାପରେ ସେ ଆଇନ ଡିଗ୍ରୀ ହାସଲ କରିବାକୁ ମୁମ୍ବାଇରେ ପହଞ୍ଚିଥିଲେ। ତାଙ୍କ ନେତୃତ୍ୱରେ ବଜାଜ ଅଟୋ କାରବାର ୭.୨ କୋଟିରୁ ୧୨ ହଜାର କୋଟିରେ ପହଞ୍ଚି ଦେଶର ଅଗ୍ରଣୀ ସ୍କୁଟର ଏବଂ ଦୁଇ ଚକିଆ ବିକ୍ରେତା ହୋଇପାରିଛି।

ରାହୁଲ ବଜାଜ ତିନି ପିଢୀ ଧରି ନେହେରୁ ପରିବାର ସହିତ ଘନିଷ୍ଠ ପାରିବାରିକ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରଖିଥିଲେ। ରାହୁଲଙ୍କ ପିତା କମଲନୟନ ଏବଂ ଇନ୍ଦିରା ଗାନ୍ଧୀ କିଛି ସମୟ ପାଇଁ ଗୋଟିଏ ବିଦ୍ୟାଳୟରେ ପଢିଥିଲେ। ୨୦୦୫ ମସିହାରେ ରାହୁଲ ତାଙ୍କ ପୁଅର ହାତରେ କମ୍ପାନୀର ଦାୟିତ୍ୱ ହସ୍ତାନ୍ତର କରିଥିଲେ ଏବଂ ପୁଅକୁ କମ୍ପାନୀର ଏମଡି କରିଥିଲେ।

ପ୍ରସିଦ୍ଧ ଶିଳ୍ପପତି ରାହୁଲ ବଜାଜଙ୍କ ମୃତ୍ୟୁରେ କଂଗ୍ରେସ ନେତା ଅଭିଷେକ ସିଂଭି କହିଛନ୍ତି ଯେ, ମୁଁ ତାଙ୍କୁ ବହୁ ଦଶନ୍ଧି ଧରି ଜାଣିଥିଲି। ସେ ଆମର ପାରିବାରିକ ବନ୍ଧୁ ଥିଲେ। ଆମେ ଦୁହେଁ ରାଜ୍ୟସଭାରେ ଅନେକ ମୁହୂର୍ତ୍ତ ବିତାଇଛୁ। ଏହା ବ୍ୟତୀତ ଅଧିବେଶନ ସମୟରେ ଏବଂ ସେଣ୍ଟ୍ରାଲ ହଲରେ ମଧ୍ୟ ଆଲୋଚନା କରୁଥିଲୁ। ମୁଁ ତାଙ୍କ ସହିତ ମାତ୍ର କିଛି ମାସ ପୂର୍ବରୁ ୩୦ ମିନିଟ୍ ପର୍ଯ୍ୟନ୍ତ କଥାବାର୍ତ୍ତା କରିଥିଲି।