Categories
ଆଜିର ଖବର ଜାତୀୟ ଖବର

କ୍ରମାଗତ ବଢୁଛି ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ: ତୈଳ କମ୍ପାନୀର ସିଇଓଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧିକୁ ନେଇ ଦେଶରେ ଦିନକୁ ଦିନ ଅତ୍ୟାବଶ୍ୟକ ଜିନିଷର ଦର ବୃଦ୍ଧି ହେବାରେ ଲାଗିଛି। ଯାହାଫଳରେ ସରକାର ପ୍ରତି ସାଧାରଣ ଜନତାଙ୍କ ଅସନ୍ତୋଷ ଦେଖାଯାଉଛି। ତେବେ ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିଶ୍ୱ ତୈଳ ଏବଂ ଗ୍ୟାସ କ୍ଷେତ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଏବଂ ବିଶେଷଜ୍ଞଙ୍କ ସହ ଆଲୋଚନା କରିଛନ୍ତି। ଏଥିରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ, ରୋସନେଫ୍ଟ (ଋଷ) ର ସଭାପତି ତଥା ସିଇଓ ଡକ୍ଟର ଇଗୋର ସେଚିନ୍ ଏବଂ ସାଉଦି ଆରାମକୋର ଚେୟାରମ୍ୟାନ୍ ତଥା ସିଇଓ ଅମିନ ନାସିର ଯୋଗ ଦେଇଥିଲେ।

ଏହାପୂର୍ବରୁ, ପିଏମଓ ଏକ ବିବୃତ୍ତିରେ କହିଛି ଯେ ,ଏହା ହେଉଛି ଷଷ୍ଠ ବାର୍ଷିକ ପାରସ୍ପରିକ ଆଲୋଚନା। ଯାହା ୨୦୧୬ ରୁ ଆରମ୍ଭ ହୋଇଥିଲା। ଏଥିରେ ତୈଳ ଓ ଗ୍ୟାସ କ୍ଷେତ୍ରର ବିଶ୍ଵସ୍ତରୀୟ ନେତାମାନେ ସାମିଲ ହୁଅନ୍ତି, ଯେଉଁମାନେ ଏହି କ୍ଷେତ୍ରର ପ୍ରମୁଖ ପ୍ରସଙ୍ଗ ଉପରେ ବିଚାର ବିମର୍ଶ କରନ୍ତି ଏବଂ ଭାରତ ସହ ସହଯୋଗ ଏବଂ ବିନିଯୋଗର ସମ୍ଭାବ୍ୟ କ୍ଷେତ୍ରଗୁଡିକ ଅନୁସନ୍ଧାନ କରନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଦୁଇ ଦିନ ସ୍ଥିର ରହିବା ପରେ ଆଜି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଲିଟର ପିଛା ୩୫ ପଇସା ବୃଦ୍ଧି ପାଇ ସାରା ଦେଶରେ ଇନ୍ଧନ ମୂଲ୍ୟ ଏକ ନୂତନ ସ୍ତରକୁ ଆସିଛି। ସରକାରୀ ଖୁଚୁରା ଇନ୍ଧନ ବିକ୍ରେତାଙ୍କ ମୂଲ୍ୟ ବିଜ୍ଞପ୍ତି ଅନୁଯାୟୀ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୦୬.୧୯ ଟଙ୍କା ଏବଂ ମୁମ୍ବାଇରେ ଲିଟର ପିଛା ୧୧୨.୧୧ ଟଙ୍କା ଛୁଇଁଛି।

ମୁମ୍ବାଇରେ ଡିଜେଲ ବର୍ତ୍ତମାନ ଲିଟର ପିଛା ୧୦୨.୮୯ ଟଙ୍କା ଥିବାବେଳେ ଦିଲ୍ଲୀରେ ଏହାର ଲିଟର ପିଛା ୯୪.୯୨ ଟଙ୍କା ରହିଛି। ଏହାପୂର୍ବରୁ ଗତ ଦୁଇ ଦିନର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନଥିଲା। ଏହାପୂର୍ବରୁ, କ୍ରମାଗତ ଚାରି ଦିନ ପାଇଁ ପ୍ରତିଦିନ ଲିଟର ପିଛା ୩୫ପଇସା ବୃଦ୍ଧି କରାଯାଇଥିଲା।