Categories
ଆଜିର ଖବର ଆଞ୍ଚଳିକ

ପରୀ ହତ୍ୟାର ସିବିଆଇ ତଦନ୍ତ ଦାବୀରେ ରେଢାଖୋଲ ବିଜେପି ପକ୍ଷରୁ ପଦଯାତ୍ରା

କନ୍ଦର୍ପ ବେହେରା
ରେଢାଖୋଲ: ପରୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବୀରେ ଆଜି ରେଢାଖୋଲ ବିଜେପି ପକ୍ଷରୁ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ରେଢାଖୋଲ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଦେବେନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ ପରୀକୁ ନ୍ୟାୟ ଦାବୀରେ ଏହି ପଦଯାତ୍ରା ଅନୁଷ୍ଠିତ ହୋଇଥିଲ।

ଏହି ପଦଯାତ୍ରା ରାଜବାଟୀ ଠାରୁ ଆରମ୍ଭ ହୋଇ ରଥସାହି , କଲେଜ ଛକ , ଭୀମଭୋଇ ଛକ ଦେଇ ରେଢାଖୋଲ ସହର ପରିକ୍ରମା କରିଥିଲା। ଏଥିରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଯୋଗଦେଇ ପରି ଭଳି ୫ ହଜାର ଶିଶୁ ନିଖୋଜ ଥିବା କଥା ପ୍ରକାଶ କରିବା ସହ କେବଳ ସମ୍ବଲପୁର ଜିଲ୍ଲାରେ ୮୦ ଜଣ ଶିଶୁ ନିଖୋଜ ଥିବା ବେଳେ ସେମାନଙ୍କର କୌଣସି ଖୋଜ ଖବର ନାହିଁ ବୋଲି ପ୍ରକାଶ କରିଥିଲେ। ଏହି ହତ୍ୟାକାଣ୍ଡରେ ମନ୍ତ୍ରୀ ଅରୁଣ ସାହୁଙ୍କର ପ୍ରଚ୍ଛନ୍ନ ହାତ ଥିବା କଥା ବିଧାୟକ ଜୟନାରାୟଣ ମିଶ୍ର ପ୍ରକାଶ କରିଥିଲେ। ସରକାର ଆଜି ଗୋଟିଏ ଗରୀବ ଝିଅକୁ ନ୍ୟାୟ ଦେବାରେ ବିଫଳ ଓ ପୋଲିସ୍ ଶାସକ ଦଳର ଦଲାଲ୍ ସାଜିଛି ବୋଲି କହିଥିଲେ। ମନ୍ତ୍ରୀ ଅରୁଣ ସାହୁଙ୍କର ଇସ୍ତଫା ଦାବୀରେ ମଧ୍ୟ ଏହି ପଦଯାତ୍ରା ଅନୁଷ୍ଠିତ ହୋଇଥିଲା।

ଏହି ପଦଯାତ୍ରାରେ ବିଜେପି ଜିଲ୍ଲା ସଭାପତି ଗିରିଶ କୁମାର ପଟେଲ, ଉପସଭାପତି ବିଚିତ୍ରାନନ୍ଦ ସାହୁ, ସାଧାରଣ ସଂପାଦକ ଅନିଲ ବେହେରା, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଅଶ୍ୱିନୀ ମାଝି, ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ କୁମାର ସାହୁ, ସମିତି ସଭ୍ୟ ବିଦେଶୀ ସାହୁ, ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷା ସୁଷମା ମୁଣ୍ଡା, ନଗର ସଭାପତି ରାମାନୁଜ ମହାପାତ୍ର, ସାଧାରଣ ସଂପାଦକ ନରେନ୍ଦ୍ର ମଲ୍ଲୀକ ପ୍ରମୁଖ ସାମିଲ ହେବା ସହ ବିଜେପିର ଶତାଧିକ କର୍ମି ସାମିଲ୍ ହୋଇଥିଲେ।