Categories
PanchayatElection ଆଞ୍ଚଳିକ

ଚିଲିକା: ପଞ୍ଚାୟତ ନିର୍ବାଚନ ମୈଦାନରେ ଯୁବ ସାମ୍ବାଦିକ ଅଜିତ୍, ଶାସକ ଓ ବିରୋଧୀଙ୍କୁ ଦେଉଛନ୍ତି ଟକ୍କର

ସୀତାରାମ ଅଗ୍ରୱାଲ

ଚିଲିକା: ରାଜ୍ୟରେ ଆରମ୍ଭ ହୋଇଯାଇଛି ପଞ୍ଚାୟତ ନିର୍ବାଚନ। ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକରେ ତୃତୀୟ ଚରଣ ନିର୍ବାଚନ ଫେବୃଆରୀ ୨୦ ତାରିଖରେ ହେବାକୁ ଥିବା ବେଳେ ଉକ୍ତ ବ୍ଲକର ଅଠରବାଟିଆ ପଞ୍ଚାୟତ ବର୍ତ୍ତମାନ ଚର୍ଚ୍ଚାରେ ଅଛି।  ଦେଖିବାକୁ ଗଲେ ୧୧ ୱାର୍ଡ ବିଶିଷ୍ଟ ଉକ୍ତ ପଞ୍ଚାୟତର ଭୋଟରଙ୍କ ସଂଖ୍ୟା ୬ ହଜାର ୪୦୦ ଅଟେ। ଚଳିତ ସରପଞ୍ଚ ପଦବୀ ପାଇଁ ୬ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିବାବେଳେ ସବୁଠାରୁ ଉଚ୍ଚଶିକ୍ଷିତ ଏବଂ ରାଜନୀତିରେ ନବାଗତ ପ୍ରାର୍ଥୀ ହେଉଛନ୍ତି ଅଜିତ କୁମାର ସାହୁ।

ରେଭେନ୍ଶା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଥିବା ଏହି ଯୁବ ସାମ୍ବାଦିକ ବର୍ତ୍ତମାନ ଅଣ୍ଟା ଭିଡ଼ିଛନ୍ତି ନିଜ ପଞ୍ଚାୟତକୁ ସରସ ସୁନ୍ଦର କରିବା ପାଇଁ। ଚଳିତ ବର୍ଷ ସାରା ରାଜ୍ୟରେ ବହୁ ଉଚ୍ଚଶିକ୍ଷିତ ଯୁବପିଢ଼ି ଏବଂ ସାମ୍ବାଦିକମାନେ ପଞ୍ଚାୟତ ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ବେଳେ ଜନସାଧାରଣଙ୍କ ସମର୍ଥନ ମଧ୍ୟ ସେମାନଙ୍କୁ ମିଳୁଥିବାର ଦେଖାଯାଉଛି।

ତେବେ ଅଜିତ ଦୀର୍ଘ ବର୍ଷ ଧରି ରାଜ୍ୟର ଦୈନିକ ଲୋକପ୍ରିୟ ଖବରକାଗଜ ‘ପ୍ରମେୟ’ ର ପ୍ରତିନିଧି ଭାବେ କାର୍ଯ୍ୟରତ ଅଛନ୍ତି। ସାମ୍ବାଦିକତାକୁ ନିଶା ଏବଂ ପେସା ଭାବେ ଆପଣେଇଥିବା ଉକ୍ତ ଯୁବକ ନିରନ୍ତର ଚିଲିକା ଅଞ୍ଚଳର ଜନସାଧାରଣଙ୍କ ସମସ୍ୟାକୁ ପ୍ରଶାସନ ନିକଟକୁ ପହଞ୍ଚାଉଥିବା ବେଳେ ବହୁ ଜନସାଧାରଣ ଏହା ଦ୍ୱାରା ଉପକୃତ ମଧ୍ୟ ହେଉଥିବାର ଦେଖାଯାଉଛି।

ଅଜିତ ଏକ ସାଧାରଣ ପରିବାରରୁ ଆସିଥିବା ବେଳେ ସାମ୍ପ୍ରତିକ ବ୍ୟୟବହୁଳ ନିର୍ବାଚନ ପ୍ରକ୍ରିୟା ଉପରେ ଅଶା ନକରି ‘ଏକଲା ଚଲୋ’ ନାରାରେ କାର୍ଯ୍ୟ କରୁଥୁବାର ଦେଖାଯାଇଛି। ପ୍ରତ୍ୟେକ ଦିନ ଅଜିତ ପଞ୍ଚାୟତର ଘରକୁ ଘର ଯାଇ ଭୋଟ ଭିକ୍ଷା କରୁଥିବାର ଦେଖାଯାଇଛି। ଯେଉଁଠି ଉଭୟ ଶାସକ ଏବଂ ବିରୋଧୀ ଦଳ ସମର୍ଥିତ ପ୍ରାର୍ଥୀମାନେ ଅର୍ଥବଳ ଏବଂ ବାହୁବଳ ବ୍ୟବହାର କରି ଭୋଟରଙ୍କୁ ପ୍ରଭାବିତ କରିବାକୁ ଆପ୍ରାଣ ଉଦ୍ୟମ ଜାରିରଖିଛନ୍ତି, ସେଠାରେ ଅଠରବାଟିଆ ପଞ୍ଚାୟତର ବିକାଶ ନିମନ୍ତେ ଅଜିତ ଏକାକି ନିଜର ନିର୍ବାଚନୀ ଚି଼ହ୍ନ ‘ଖୋଲାବହି’ ରେ ଭୋଟ ଦେବା ପାଇଁ ଭୋଟରଙ୍କ ନିକଟକୁ ଯାଉଛନ୍ତି।

ଜନତାଙ୍କୁ ମିଛ ପ୍ରତିଶୃତି ଦେବା ବଦଳରେ ପ୍ରଚାର ପାଇଁ ବୁଲିବା ସମୟରେ ଯେଉଁଠି ଯାହା ସମସ୍ୟା ଦେଖୁଛନ୍ତି ସଂଗେସଂଗେ ଏକ ଡ଼ାଇରୀରେ ତାହାକୁ ଉତ୍ତାରୁଛନ୍ତି।  ଅଜିତଙ୍କ କହିବା କଥା ‘ମୁଁ ପ୍ରତିଦିନ ବିଭିନ୍ନ ଗ୍ରାମ ବୁଲୁଛି, କିନ୍ତୁ ଦୁଃଖର ବିଷୟ ଏଯାବତ ଆମ ପଞ୍ଚାୟତରେ ମୁଖ୍ୟ ସମସ୍ୟା ହେଉଛି ପାନୀୟ ଜଳ, ଯାହା ଆଜି ପର୍ଯ୍ୟନ୍ତ ଜନସାଧାରଣ ପାଇପାରିଲେନି।

ସେହିପରି ଭାବେ ଆବାସ ଯୋଜନା, ଭତ୍ତା, ରାସନ କାର୍ଡ ଆଦିରେ ବ୍ୟାପକ ଅନିୟମିତତା ହୋଇଛି। ଯୋଗ୍ୟ ହିତାଧିକାରୀ ବଞ୍ଚିତ ହୋଇଛନ୍ତି। ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଛି। ଉଦାହରଣ ସ୍ୱରୂପ ଚନ୍ଦ୍ରାପୁଟ ଗ୍ରାମ। ପଞ୍ଚାୟତରେ ଆଲୋକିକରଣ ଫେଲ ମାରିଛି। ପଞ୍ଚାୟତରେ ରୋଜଗାର ଅଭାବରୁ ଅଧା ଜନସାଧାରଣ ଦାଦନ ଖଟୁଛନ୍ତି ଆଉ ଅଧା ମାଛ ମାରି ଚଳନ୍ତି।

ତେବେ ମୁଁ ଜିତେ ଅବା ହାରେ ନିର୍ବାଚନ ଶେଷ ହେବା ପରେ ନିଶ୍ଚିତ ଉକ୍ତ ସମସ୍ୟାଗୁଡିକର ସମାଧାନ କରିବା ଦିଗରେ କାମ କରିବି ଯାହାଦ୍ୱାରା ଆମ ପଞ୍ଚାୟତବାସି ଏକ ଉନ୍ନତ ଜୀବନଯାପନ କରିପାରିବେ। ଅନୁରୂପ ଭାବେ ପଞ୍ଚାୟତ ବାସି କୌଣସି ପ୍ରଲୋଭନର ଶିକାର ନହୋଇ ଏପରି ଏକ ଉଚ୍ଚ ଶିକ୍ଷିତ ଯୁବ ସାମ୍ବାଦିକଙ୍କୁ ନିଜର ବହୁମୂଲ୍ୟ ଭୋଟ ଦେଲେ ନିଶ୍ଚିତ ପଞ୍ଚାୟତ ଉନ୍ନତିର ଶିଖର ଛୁଇଁବ ବୋଲି ଆଲୋଚନା ଜୋର ଧରିଛି।