Categories
ଆଜିର ଖବର ରାଜ୍ୟ ଖବର

ଆଜି ଭୁବନେଶ୍ୱରରେ ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା ସମ୍ମିଳନୀ ୨୦୨୫କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶା ଏବଂ ଉତ୍ତରାଖଣ୍ଡ ଗସ୍ତ କରିବେ। ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ ସେ ଭୁବନେଶ୍ୱର ଜନତା ମଇଦାନରେ ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା ସମ୍ମିଳନୀ ୨୦୨୫କୁ ଉଦଘାଟନ କରିବେ। ଏହା ପରେ ସେ ଉତ୍ତରାଖଣ୍ଡର ଡେରାଡୁନ ଗସ୍ତ କରିବେ ଏବଂ ସନ୍ଧ୍ୟା ପ୍ରାୟ ୬ଟାରେ ସେ ୩୮ତମ ଜାତୀୟ କ୍ରୀଡ଼ାର ଉଦଘାଟନ କରିବେ।

ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ

ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା ସମ୍ମିଳନୀ ୨୦୨୫କୁ ଉଦଘାଟନ କରିବେ। ଓଡ଼ିଶା ସରକାରଙ୍କ ଦ୍ୱାରା ଆୟୋଜିତ ଏହି ପ୍ରମୁଖ ବିଶ୍ୱସ୍ତରୀୟ ନିବେଶ ସମ୍ମିଳନୀର ଲକ୍ଷ୍ୟ ହେଉଛି ରାଜ୍ୟକୁ ପୂର୍ବୋଦୟ ପରିକଳ୍ପନାର ଆଧାର ଏବଂ ଭାରତର ଏକ ଅଗ୍ରଣୀ ପୁଞ୍ଜି ବିନିଯୋଗ ଲକ୍ଷ୍ୟସ୍ଥଳୀ ତଥା ଶିଳ୍ପ କେନ୍ଦ୍ର ଭାବରେ ଅବସ୍ଥାପିତ କରିବା।

ପ୍ରଧାନମନ୍ତ୍ରୀ ମେକ୍ ଇନ୍ ଓଡ଼ିଶା ପ୍ରଦର୍ଶନୀକୁ ମଧ୍ୟ ଉଦଘାଟନ କରିବେ ଯାହା ଏକ ସକ୍ରିୟ ଶିଳ୍ପ ଇକୋସିଷ୍ଟମ୍ ବିକାଶରେ ରାଜ୍ୟର ସଫଳତା ଉପରେ ଆଧାରିତ । ଏହି ଦୁଇ ଦିନିଆ ସମ୍ମିଳନୀ ଜାନୁଆରୀ ୨୮ରୁ ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହା ଶିଳ୍ପପତି, ନିବେଶକ ଏବଂ ନୀତି ନିର୍ଦ୍ଧାରକମାନଙ୍କ ପାଇଁ ଏକ ମଞ୍ଚ ଭାବେ କାର୍ଯ୍ୟ କରିବ, ଯେଉଁଠି ସେମାନେ ଏକ ପସନ୍ଦଯୋଗ୍ୟ ନିବେଶ ଗନ୍ତବ୍ୟସ୍ଥଳ ଭାବେ ଓଡ଼ିଶା ପ୍ରଦାନ କରୁଥିବା ସୁଯୋଗଗୁଡ଼ିକ ଉପରେ ଆଲୋଚନା କରିପାରିବେ। ଏହି ସମ୍ମିଳନୀରେ ବିଭିନ୍ନ ସଂସ୍ଥାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ନେତାମାନଙ୍କ ମଧ୍ୟରେ ଗୋଲଟେବୁଲ ବୈଠକ, କ୍ଷେତ୍ରୀୟ ଅଧିବେଶନ, ବ୍ୟବସାୟିକ ବୈଠକ ଏବଂ ନୀତିଗତ ଆଲୋଚନା ଆୟୋଜନ କରାଯିବ, ଯାହା ସାରା ବିଶ୍ୱରେ ନିବେଶକମାନଙ୍କ ସହିତ ଲକ୍ଷ୍ୟବଦ୍ଧ ସମ୍ପର୍କ ସୁନିଶ୍ଚିତ କରିବ।

ଉତ୍ତରାଖଣ୍ଡରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଡେରାଡୁନରେ ୩୮ତମ ଜାତୀୟ କ୍ରୀଡ଼ାର ଉଦଘାଟନ କରିବେ। ଚଳିତ ଥର ଏହି ପ୍ରତିଯୋଗିତାର ରୌପ୍ୟ ଜୟନ୍ତୀ ସଂସ୍କରଣ ଉତ୍ତରାଖଣ୍ଡରେ ଆୟୋଜିତ ହେଉଛି ଏବଂ ଜାନୁଆରୀ ୨୮ରୁ ଫେବୃଆରୀ ୧୪ ପର୍ଯ୍ୟନ୍ତ ଉତ୍ତରାଖଣ୍ଡର ୮ଟି ଜିଲ୍ଲାର ୧୧ଟି ସହରରେ ଅନୁଷ୍ଠିତ ହେବ।

୩୬ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ଏହି ଜାତୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିବେ। ୧୭ ଦିନ ଧରି ୩୫ଟି କ୍ରୀଡା ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିମଧ୍ୟରୁ ୩୩ଟି କ୍ରୀଡ଼ା ପାଇଁ ପଦକ ପ୍ରଦାନ କରାଯିବ ଏବଂ ଦୁଇଟି ପ୍ରଦର୍ଶନୀ କ୍ରୀଡ଼ା ହେବ। ଯୋଗ ଏବଂ ମଲ୍ଲଖମ୍ବକୁ ପ୍ରଥମ ଥର ପାଇଁ ଜାତୀୟ କ୍ରୀଡ଼ାରେ ସାମିଲ କରାଯାଇଛି। ଏହି ପ୍ରତିଯୋଗିତାରେ ଦେଶର ବିଭିନ୍ନ ସ୍ଥାନରୁ ୧୦ ହଜାରରୁ ଅଧିକ ଆଥଲେଟ୍ ଅଂଶଗ୍ରହଣ କରିବେ।

ଦୀର୍ଘସ୍ଥାୟିତ୍ୱ ଉପରେ ଧ୍ୟାନ ଦେଇ, ଚଳିତ ବର୍ଷ ଜାତୀୟ କ୍ରୀଡ଼ାର ବିଷୟବସ୍ତୁ ‘‘ସବୁଜ କ୍ରୀଡ଼ା’’ ରଖାଯାଇଛି। ଏହି ସ୍ଥାନ ନିକଟରେ ଏକ ସ୍ୱତନ୍ତ୍ର ପାର୍କ, ଯାହାକୁ ସ୍ପୋର୍ଟସ୍ ଫରେଷ୍ଟ କୁହାଯାଏ, ବିକଶିତ କରାଯିବ, ଯେଉଁଠାରେ ଆଥଲେଟ୍ ଏବଂ ଅତିଥିମାନଙ୍କ ଦ୍ୱାରା 10,000 ରୁ ଅଧିକ ଚାରା ରୋପଣ କରାଯିବ। କ୍ରୀଡ଼ାବିତମାନଙ୍କ ପାଇଁ ପଦକ ଏବଂ ପ୍ରମାଣପତ୍ର ପରିବେଶ ଅନୁକୂଳ ଏବଂ ଜୈବ ବିଘଟନଶୀଳ ସାମଗ୍ରୀରୁ ପ୍ରସ୍ତୁତ କରାଯିବ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟର ବିକାଶ ପାଇଁ ୮୬.୯୧ କୋଟି ଟଙ୍କା ମଞ୍ଜୁର କଲେ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: କଟକର ଅନ୍ୟତମ ପୁରାତନ ସ୍କୁଲ ତଥା ନାରୀ ଶିକ୍ଷାର ଅଗ୍ରଣୀ ଅନୁଷ୍ଠାନ ଭାବରେ ପରିଚିତ ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟର ପୁନଃ ବିକାଶ ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତତ୍ତ୍ୱାବଧାନରେ ଶିକ୍ଷା ମନ୍ତ୍ରଣାଳୟର ‘ଷ୍ଟାର୍ସ ‘ପ୍ରକଳ୍ପ ଅଧୀନରେ ୨୦୨୪-୨୫ ବର୍ଷ ପାଇଁ ୮୬.୯୧ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଶିକ୍ଷାନୁଷ୍ଠାନର ଐତିହାସିକ ପୃଷ୍ଠଭୂମି ଓ ସ୍ଥାପତ୍ୟକୁ ଦୃଷ୍ଟିରେ ରଖି ଏହି ଅର୍ଥ ଅନୁମୋଦିତ ହୋଇଛି ।

ଗତ ଡିସେମ୍ବର ୧୬ ତାରିଖ ୨୦୨୩ରେ ରେଭେନ୍ସା ବାଳିକା ବିଦ୍ୟାଳୟର ‘ଉତ୍କର୍ଷର ୧୫୦ ବର୍ଷ ପୂର୍ତ୍ତି’ ଅବସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସ୍କୁଲର ପୁର୍ନବିକାଶ ପାଇଁ ଶ୍ରୀ ପ୍ରଧାନ ପ୍ରତିଶ୍ରୁତି ଦେଇଥିଲେ । ଗତ ୩୧ ଅଗଷ୍ଟ ୨୦୨୪ରେ ସ୍ୱାୟତ୍ତ ଶାସନ ଦିବସ ଅବସରରେ କଟକ ସହରରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଅବସରରେ ମନ୍ତ୍ରୀ ଶ୍ରୀ ପ୍ରଧାନ ରେଭେନ୍ସା ବାଳିକା ବିଦ୍ୟାଳୟ ପରିଦର୍ଶନ କରିଥିଲେ ।

ସେ ବିଦ୍ୟାଳୟର ବିଭିନ୍ନ ଅସୁବିଧା ସମ୍ପର୍କରେ ଶିକ୍ଷୟିତ୍ରୀ ଏବଂ ଅଭିଭାବକଙ୍କ ସହ ଆଲୋଚନା କରିଥିଲେ । ରେଭେନ୍ସା ବାଳିକା ବିଦ୍ୟାଳୟର ଐତିହାସିକ ପୃଷ୍ଠଭୂମି ଓ ସ୍ଥାପତ୍ୟକୁ ଦୃଷ୍ଟିରେ ରଖି ବିଦ୍ୟାଳୟର ଭବନ, ଶ୍ରେଣୀଗୃହ, ଛାତ୍ରୀ ନିବାସ ଏବଂ ଆନୁଷଙ୍ଗିକ ଭିତ୍ତିଭୂମି ବିକାଶ ପାଇଁ ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବା ପାଇଁ ମନ୍ତ୍ରୀ କଟକ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଥିଲେ ଶ୍ରୀ ପ୍ରଧାନ ।

ଶ୍ରୀ ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ସ୍କୁଲର ଐତିହ୍ୟକୁ ଦୃଷ୍ଟିରେ ରଖି ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଷ୍ଟାର୍ସ ପ୍ରକଳ୍ପ ଅଧୀନରେ ୮୬.୯୧ କୋଟି ଟଙ୍କା ମଞ୍ଜୁର ହୋଇଛି । ଷ୍ଟାର୍ସ ପ୍ରକଳ୍ପ ଅଧୀନରେ ଅନୁମୋଦିତ ଅର୍ଥରାଶି ମଧ୍ୟରୁ ନୂଆ ସ୍କୁଲ ଭବନ (Higher Secondary Grades) ପାଇଁ  ୧୪

କୋଟି, ଇନଡୋର୍ ଷ୍ଟାଡିୟମ କିମ୍ବା ବହିମୁଖୀ ସଭାଗୃହ ପାଇଁ ୧୦ କୋଟି, ନୂଆ ହଷ୍ଟେଲ ପାଇଁ ୨୦.୭ କୋଟି, ସ୍କୁଲ ବିଲଡିଂ(Primary) ପାଇଁ ୫.୧୨ କୋଟି ଖର୍ଚ୍ଚ କରାଯିବ । ସେହିପରି ସ୍କୁଲ ଭବନର ନବୀକରଣ ପାଇଁ ୩.୩୨ କୋଟି, ବିଦ୍ୟାଳୟ ଚତୁଃପାର୍ଶ୍ୱର ବିକାଶ ପାଇଁ ୬.୯୩ କୋଟି, ଷ୍ଟାଫ୍ କ୍ୱାଟର, ସାଇସେଲ ଷ୍ଟାଣ୍ଡ ଓ ଆନୁଷଙ୍ଗିକ ବିକାଶ ପାଇଁ ଏହି ଅର୍ଥ ଖର୍ଚ୍ଚ କରାଯିବ । କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ସହଭାଗୀତାରେ ଏହି ସ୍କୁଲର ବିକାଶ ଓ ନବୀକରଣ ହେବ ।

ଓଡ଼ିଶାରେ ନାରୀ ଶିକ୍ଷା ବିକାଶରେ ରେଭେନ୍ସା ବାଳିକା ସ୍କୁଲର ବଡ ଯୋଗଦାନ ରହିଛି । ଏହି ବିଦ୍ୟାଳୟ ସାମାଜିକ ପ୍ରତିବନ୍ଧକକୁ ଭାଙ୍ଗିବା ଏବଂ ଶିକ୍ଷାରେ ଲିଙ୍ଗଗତ ସମାନତାକୁ ଆଗେଇ ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ବର୍ଷ ବର୍ଷ ଧରି ଏହି ଅନୁଷ୍ଠାନ ଏକ କ୍ଷୁଦ୍ର ଅନୁଷ୍ଠାନରୁ ଏକ ପୂର୍ଣ୍ଣ ସରକାରୀ ସମର୍ଥିତ ପ୍ରତିଷ୍ଠାନରେ ପରିଣତ ହୋଇଛି । ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଏହି ସ୍କୁଲ ଜଡିତ । ଯେଉଁ ସମୟରେ ମହିଳାମାନଙ୍କ ପାଇଁ ସୁଯୋଗର ଅଭାବ ଥିଲା ସେହି ସମୟରେ ଝିଅମାନଙ୍କ ପାଇଁ ଶିକ୍ଷାକୁ ପ୍ରୋତ୍ସାହିତ କରିବାର ପରମ୍ପରା ଏହି ଠାରୁ ଆରମ୍ଭ ହୋଇଥିଲା ।

ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟ କେବଳ ଓଡ଼ିଶାର ଶିକ୍ଷା ଇତିହାସରେ ଏକ ଐତିହାସିକ ପରିଚୟ ସୃଷ୍ଟି କରୁନାହିଁ ବରଂ ନାରୀ ସଶକ୍ତୀକରଣ ଓ ଶୈକ୍ଷିକ ଉତ୍କର୍ଷତା ପ୍ରତି ନିଜର ପ୍ରତିବଦ୍ଧତା ମାଧ୍ୟମରେ ସମୁଦାୟକୁ ପ୍ରେରଣା ଯୋଗାଇ ଚାଲିଛି ।  ଏହି ବାଳିକା ବିଦ୍ୟାଳୟରେ ପ୍ରଖ୍ୟାତ କବୟିତ୍ରୀ ଉତ୍କଳ ଭାରତୀ ଡକ୍ଟର କୁନ୍ତଳା କୁମାରୀ ସାବତ, ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ, ରାଜ୍ୟର ପ୍ରଥମ ମହିଳା ଶିଳ୍ପୋଦ୍ୟୋଗୀ ଡକ୍ଟର ସରସ୍ୱତୀ ପ୍ରଧାନ, ‘ସମାଜ’ର ସମ୍ପାଦିକା ସ୍ୱର୍ଗତ ମନୋରମା ମହାପାତ୍ର, ପଦ୍ମଶ୍ରୀ ଶ୍ୟମାମଣି ଦେବୀ, ପଦ୍ମଶ୍ରୀ ପ୍ରିୟମ୍ବଦା ହେଜମାଦି, ଡକ୍ଟର ନିରୁପମା ରଥ, ରଜନୀ ଦେବୀ, ଶ୍ରୀମତୀ ସୁନନ୍ଦା ପଟ୍ଟନାୟକ, ଡକ୍ଟର ଅର୍ଚ୍ଚନା ନାୟକଙ୍କ ପରି ଅନେକ ମହୀୟସୀ ମହିଳା ପାଠ ପଢି ରାଜ୍ୟ ଓ ଦେଶ ପାଇଁ ସୁନାମ ଆଣିଛନ୍ତି । ଏହି ଦୃଷ୍ଟିରୁ ସ୍କୁଲର ଐତିହ୍ୟ ଓ ଭୂମିକାକୁ ଦୃଷ୍ଟିରେ ରଖି ଏହି ଅର୍ଥ ମଞ୍ଜୁର ହୋଇଛି ।

ଉଲ୍ଲେଖନୀୟ ଯେ, ଷ୍ଟାର୍ସ ପ୍ରକଳ୍ପକୁ କ୍ରିୟାନ୍ୱୟନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୨୦୨୦ରେ କ୍ୟାବନେଟରେ ଅନୁମୋଦନ ଦେଇଥିଲେ । ଏହି ପ୍ରକଳ୍ପ ଉନ୍ନତ ମାନବ ସମ୍ବଳ ପ୍ରସ୍ତୁତ କରିବା ପାଇଁ ଉତ୍ତମ ଉନ୍ନତ ଶିକ୍ଷା ପରିଣାମ ଓ ସ୍କୁଲ ଦ୍ୱାରା ପ୍ରସ୍ତୁତ ରଣନୀତି ସହ କାର୍ଯ୍ୟ କରିବା ପାଇଁ ବିଭିନ୍ନ ଉପକ୍ରମ ବିକଶିତ କରିବା ସହ ତାହାକୁ ଲାଗୁ କରିବା, ଆକଳନ କରିବା ଓ ସଂସ୍କାର ଆଣିବା ପାଇଁ ରାଜ୍ୟ ଗୁଡିକୁ ସହାୟତା କରିବ । ଗୁଣବତ୍ତା ଆଧାରିତ ଶିକ୍ଷା ପରିଣାମ ହାସଲ କରିବା ପାଇଁ ରାଷ୍ଟ୍ରୀୟ ଶିକ୍ଷା ନୀତି (ଏନଇପି) ୨୦୨୦ରେ ଥିବା ଉଦ୍ଦେଶ୍ୟ ସହିତ ଷ୍ଟାର୍ସ ପ୍ରକଳ୍ପର ଯୋଜନା ଗୁଡିକ ଯୋଡ଼ି ହୋଇଛି ।