Categories
ଆଜିର ଖବର ରାଜ୍ୟ ଖବର

ରେଳ ବିଭାଗ ଯବାନଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଞ୍ଚିଗଲା ଯୁବକଙ୍କ ଜୀବନ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗତକାଲି ସନ୍ଧ୍ୟାରେ ସ୍ଥାନୀୟ ଛତ୍ରପୁର ରେଳଷ୍ଟେସନରେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଅଞ୍ଚଳର ଅନୀଲ ସେଠି ନାମକ ଜଣେ ଯୁବକ କୌଣସି କାରଣ ବଶତଃ ଚଳନ୍ତା କୋଣାର୍କ ଏକ୍ସପ୍ରେସ ଟ୍ରେନରୁ ଖସିଯିବା ସମୟରେ କର୍ତ୍ତବ୍ୟ ରତ ରେଳ ବିଭାଗର ମୁଖ୍ୟ ସିପାହୀ ପ୍ରସନ୍ନ କୁମାର ନାୟକଙ୍କ ନଜରକୁ ଆସିଥିଲା। ଚଳନ୍ତା ରେଳ ଗାଡ଼ିର ହେଣ୍ଡଲ୍ ଧରି ଉକ୍ତ ଯୁବକଙ୍କ ଗୋଡ଼ ତଳେ ଘୋଷାଡୁ ଥିବା ବେଳେ ସିପାହୀ ପ୍ରସନ୍ନ କୁମାର ନାୟକ ଦୌଡ଼ି ଆସି ଅନୀଲକୁ ଉଦ୍ଧାର କରିଥିଲେ। ଏବଂ ରେଳ ଷ୍ଟେସନରେ ପ୍ରାଥମିକ ଚିକିତ୍ସା କରିବା ପରେ ଷ୍ଟେସନ ମାଷ୍ଟରଙ୍କ ଜରିଆରେ ସରକାରୀ ଆମ୍ବୁଲାନ୍ସ ଡ଼କାଇ ଅଧିକ ଚିକିତ୍ସା ପାଇଁ ଛତ୍ରପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଆହତ ଯୁବକ ବର୍ତ୍ତମାନ ସୁସ୍ଥ ଅଛନ୍ତି।

ଇତ୍ୟବସରରେ ସିପାହୀ ପ୍ରସନ୍ନ କୁମାର ନାୟକଙ୍କ ଏହି ଭଳି ସେବା ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରୁଛନ୍ତି।

ସୁଚନା ଥାଉକି ଗତ ଫେବୃଆରୀରେ ଠିକ ଏହି ଭଳି ଏକ ଘଟଣାରେ ଜଣେ ଆର୍ ପି ଏଫ୍ ସିପାହୀଙ୍କ ପାଇଁ ଜଣେ ଆସାମ ଯୁବକଙ୍କ ଜୀବନ ବଞ୍ଚିଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର

ଟ୍ରେନରେ ୫ ବର୍ଷରୁ କମ୍ ପିଲାଙ୍କ ମାଗଣା ଯାତ୍ରାରେ କୌଣସି ପରିବର୍ତ୍ତନ ହୋଇ ନାହିଁ, ରେଳ ବିଭାଗ

ନୂଆଦିଲ୍ଲୀ: ନିକଟରେ କିଛି ଗଣ ମାଧ୍ୟମ ରିପୋର୍ଟରେ ଦର୍ଶା ଯାଇଥିଲା ଯେ ଟ୍ରେନ୍‌ରେ ଯାତ୍ରା କରୁଥିବା ପିଲା ମାନଙ୍କ ପାଇଁ ଟିକେଟ୍ ବୁକିଂ ନେଇ ଭାରତୀୟ ରେଳ ନିୟମକୁ ପରିବର୍ତ୍ତନ କରି ଦେଇଛି। ଏହି ରିପୋର୍ଟ ଗୁଡିକରେ ଦାବି କରା ଯାଇଥିଲା ଯେ, ଏବେ ଏକରୁ ଚାରି ବର୍ଷ ପର୍ଯ୍ୟନ୍ତ ବୟସର ପିଲା ମାନଙ୍କ ନିମନ୍ତେ ଟ୍ରେନ୍‌ରେ ଯାତ୍ରା କରିବା ପାଇଁ ଟିକେଟ୍ କରିବାକୁ ପଡିବ।

ଏହି ଖବର ଗୁଡିକ ଏବଂ ଗଣ ମାଧ୍ୟମର ରିପୋର୍ଟ ଗୁଡିକ ବିଭ୍ରାନ୍ତିକର ଅଟେ। ଏହା ସୂଚିତ କରା ଯାଇଛି ଯେ, ଟ୍ରେନ୍‌ରେ ଯାତ୍ରା କରୁଥିବା ପିଲାମାନଙ୍କ ପାଇଁ ଟିକେଟ୍ ବୁକିଂ ନେଇ ଭାରତୀୟ ରେଳବାଇ କୌଣସି ପରିବର୍ତ୍ତନ ଆଣି ନାହିଁ। ଯାତ୍ରୀ ମାନଙ୍କର ଚାହିଦା ଅନୁଯାୟୀ, ଟିକେଟ୍ କିଣିବା ପାଇଁ ଏବଂ ୫ ବର୍ଷରୁ କମ୍ ପିଲା ମାନଙ୍କ ନିମନ୍ତେ ବର୍ଥ ବୁକ୍ କରିବା ପାଇଁ ସେମାନଙ୍କୁ ଏକ ବିକଳ୍ପ ଦିଆ ଯାଇଛି। ଏବଂ ଯଦି ସେମାନେ ଏକ ପୃଥକ୍ ବର୍ଥ ଚାହୁଁ ନାହାନ୍ତି, ତେବେ ଏହା ମାଗଣା ରହିଛି, ଯେଉଁ ଭଳି ପୂର୍ବରୁ ରହି ଆସିଛି।

ରେଳ ମନ୍ତ୍ରଣାଳୟର ତା ୦୬.୦୩.୨୦୨୦ରିଖର ଏକ ବିଜ୍ଞପ୍ତିରେ ଦର୍ଶା ଯାଇଥିଲା ଯେ, ପାଂଚ ବର୍ଷରୁ କମ୍ ବୟସର ପିଲା ମାନଙ୍କୁ ମାଗଣାରେ ଟ୍ରେନ୍ ଯାତ୍ରା କରିବାକୁ ଦିଆଯିବ। କିନ୍ତୁ, ଅଲଗା ବର୍ଥ କିମ୍ବା ଆସନ (ଚେୟାର କାର୍‌) ଦିଆଯିବ ନାହିଁ। ତେଣୁ ପୃଥକ୍ ବର୍ଥ ଦାବି ନ ହେଲେ କୌଣସି ଟିକେଟ୍ କ୍ରୟ କରିବା ଆବଶ୍ୟକ ନାହିଁ। ଯଦି କେହି ୫ ବର୍ଷରୁ କମ୍ ବୟସର ପିଲା ମାନଙ୍କ ନିମନ୍ତେ ସ୍ୱେଚ୍ଛାକୃତ ଭାବରେ ବର୍ଥ ବା ସିଟ୍ ନେବାକୁ ଚାହାନ୍ତି, ତେବେ ପୂର୍ଣ୍ଣ ବୟସ୍କଙ୍କ ନିମନ୍ତେ ଉଦ୍ଦିଷ୍ଟ ଭଡା ଆଦାୟ କରାଯିବ।

Categories
ଆଜିର ଖବର ରାଜ୍ୟ ଖବର

କଟକ ରେଳ ଷ୍ଟେସନକୁ ‘ହେରିଟେଜ ଷ୍ଟେସନ’ ଘୋଷଣା କରିବାକୁ ସମାଜବାଦୀ ପାର୍ଟିର ଦାବି

ଭୁବନେଶ୍ୱର: ରେଳ ବିଭାଗକୁ ବର୍ଷକୁ ୨୦ ହଜାର କୋଟି ଟଙ୍କା ରାଜସ୍ୱ ଦେଉଥିଲା ବେଳେ ଓଡ଼ିଶା ଅନୁଦାନ ଆକାରରେ ହାରାହାରି ପାଉଛି ୩ ରୁ ୪ ହଜାର ଟଙ୍କା। ଓଡ଼ିଶା ତୁଳନାରେ ପଡ଼ୋଶୀ ପଶ୍ଚିମବଙ୍ଗ ଓ ବିହାରରେ ରେଳ ସାନ୍ଦ୍ରତା ଯଥାକ୍ରମେ ୪୨ କିଲୋମିଟର ଥିଲାବେଳେ ୪୨ ଓ ୩୫ କିଲୋମିଟର ପ୍ରତି ହଜାର ବର୍ଗକିଲୋମିଟରେ ଥିଲା ବେଳେ ଓଡ଼ିଶାରେ ତାହା ମାତ୍ର ୧୫ କି.ମି.।

ଓଡ଼ିଶାର ବହୁ ଜିଲ୍ଲା ସଦର ମହକୁମାକୁ ସ୍ୱାଧୀନତାର ୭୪ ବର୍ଷ ପରେ ମଧ୍ୟ ରେଳ ଲାଇନ ଯାଇପାରିଲା ନାହିଁ। ନୂଆ ରେଳମନ୍ତ୍ରୀ ଓଡ଼ିଶାର ସାଂସଦ ହୋଇଥିବା ଯୋଗୁ ଓଡ଼ିଶା ପ୍ରତି କରାଯାଇଥିଲା ରେଳ ବିଭାଗର ଚରମ ଅବହେଳାକୁ ସୁଧାରିବା ଦାବିରେ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଆଜି ନୂଆ ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ହସ୍ତକ୍ଷେପ ଦାବି କରି ଏକ ପତ୍ର ଲେଖାଯାଇଛି।

ପାର୍ଟିର ରାଜ୍ୟ ସଭାପତି ରବି ବେହେରାଙ୍କ ଦ୍ୱାରା ଲେଖା ଯାଇଥିôବା ଏହି ପତ୍ରରେ ଦର୍ଶାଯାଇଛି ଯେ ଓଡ଼ିଶା ରେଳ ମନ୍ତ୍ରଣାଳୟର ଅବହେଳାର ଶିକାର କ୍ରମାଗତ ଭାବରେ ହୋଇଚାଲିଛି। ଆପଣ ଯେତେବେଳେ ରେଳ ବିଭାଗର ଦାୟିତ୍ୱ ନେଇଛନ୍ତି ଏବଂ ଓଡ଼ିଶାରୁ ନିର୍ବାଚିତ ହୋଇଛନ୍ତି ସେହି ପରିପ୍ରେକ୍ଷୀରେ ଆମେ ଓଡ଼ିଶାର ନିମ୍ନୋକ୍ତ ରେଳ ପ୍ରକଳ୍ପ ପାଇଁ ଆପଣଙ୍କ ହସ୍ତକ୍ଷେପ ଦାବି କରୁଛୁ।

ଏହି ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ସମ୍ବଲପୁର-ଗୋପାଳପୁର-ଫୁଲବାଣୀ, ରାୟଗଡ଼ା-ଗୋପାଳପୁର ନୂଆ ରେଳ ଲାଇନ ଏବଂ କୋରାପୁଟ-ମାଲକାନାଗିରି, କୋରାପୁଟ-ନବରଙ୍ଗପୁର ନୂଆ ରେଳ ଲାଇନ କାର୍ଯ୍ୟ ତ୍ୱରାନ୍ୱିତ କରାଯାଉ। ଦ୍ୱିତୀୟତଃ ରାୟଗଡ଼ା, ରାଉରକେଲା-ଯାଜପୁର କେନ୍ଦୁଝର ରୋଡ଼ ଠାରେ ତିନୋଟି ରେଳ ଡ଼ିଭିଜନ ପ୍ରତିଷ୍ଠା କରାଯିବା ସଙ୍ଗେ ସଙ୍ଗେ କେନ୍ଦୁଝର-ମୟୁରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାର ଖଣିଜବହୁଳ ଅଞ୍ଚଳକୁ ଦକ୍ଷିଣ-ପୂର୍ବ ରେଳ ଜୋନରୁ ପୂର୍ବତଟ ରେଳ ଜୋନ୍‌କୁ ଅଣାଯାଉ।

ସେହିଭଳି ବଣାଇ, ରାଜଗାଙ୍ଗପୁର ଓ ଇବ୍ ଭ୍ୟାଲି ଶିଳ୍ପାଞ୍ଚଳକୁ ରାଉରକେଲା ଡ଼ିଭିଜନକୁ ଆଣି ପୂର୍ବତଟ ରେଳ ଜୋନ୍‌ରେ ଅନ୍ତର୍ଭୁକ୍ତ କରାଯିବାକୁ ଦାବି କରାଯାଇଛି। ଭୁବନେଶ୍ୱରରୁ ନୂଆଦିଲ୍ଲୀ ଭାୟା-ଢେଙ୍କାନାଳ-ଅନୁଗୁଳ-ତଳେଚର ଓ ସମ୍ବଲପୁର ଏବଂ ଭୁବନେଶ୍ୱର-ବେଙ୍ଗାଲୁର ଓ ଭୁବନେଶ୍ୱର-ମୁମ୍ବାଇ ମଧ୍ୟରେ ତିନୋଟି ନୂଆରେଳ ଚଳାଚଳ କରିବାକୁ ଏହି ପତ୍ରରେ ନୂଆ ରେଳମନ୍ତ୍ରୀଙ୍କ ପାଖରେ ଦାବି କରାଯାଇଛି।

ଏହା ବ୍ୟତୀତ ଚଳିତବର୍ଷ ଗାନ୍ଧିଜୀଙ୍କ ଓଡ଼ିଶା ଆଗମନର ଶତବାର୍ଷିକୀ ପାଳନ କରିବାକୁ ଯାଉଥିବା ପରିପ୍ରେକ୍ଷୀରେ କଟକ ରେଳ ଷ୍ଟେସନରେ ଗାନ୍ଧିଜୀଙ୍କର ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ କରିବା ଓ କଟକ ଷ୍ଟେସନକୁ ଏକ ‘ଐତିହ୍ୟ’ ଷ୍ଟେସନର ମାନ୍ୟତା ଦେବାକୁ ଶ୍ରୀ ବେହେରା ଦାବି କରିଛନ୍ତି। ପାଇକ ବିଦ୍ରୋହର ସ୍ମୃତିରେ ଏହାର ନେତୃତ୍ୱ ନେଇଥିବା ଓଡ଼ିଆ ଜାତିର ଗର୍ବ ଓ ଗୌରବ ବକ୍ସି ଜଗବନ୍ଧୁଙ୍କ ନାମରେ ଖୋର୍ଦ୍ଧା ରୋଡ଼ ରେଳଷ୍ଟେସନକୁ ନାମିତ କରିବାକୁ ନୂଆ ରେଳମନ୍ତ୍ରୀଙ୍କ ପାଖରେ ଦାବି କରାଯାଇଛି। ଆଶା କରାଯାଉଛି ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି ନୂଆ ରେଳମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ୱିନୀ ବୈଷ୍ଣବ ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଏଣିକି ବର୍ଷକୁ 70 ହଜାର କୋଟି ଟଙ୍କାର ମେକ୍ ଇନ୍ ଇଣ୍ଡିଆ ସାମଗ୍ରୀ କିଣିବ ବୋଲି ରେଳ ବିଭାଗର ନିଷ୍ପତି

ନୂଆଦିଲ୍ଲୀ, ରେଳବାଇ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋଏଲ ମେକ୍‌ ଇନ୍‌ ଇଣ୍ଡିଆ କାର୍ଯ୍ୟକ୍ରମରେ ଉତ୍ପାଦିତ ହେଉଥିବା ସାମଗ୍ରୀକୁ ରେଳବାଇ ପ୍ରୋତ୍ସାହିତ କରିବା ଏବଂ ସେସବୁ ସାମଗ୍ରୀ କିଣିବା ନେଇ ଥିବା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ଅବସରରେ ଶ୍ରୀ ଗୋଏଲ ସଂପୃକ୍ତ ଉଦ୍ୟୋଗଗୁଡିକ ମଧ୍ୟରେ ବିଶ୍ୱାସ ସୃଷ୍ଟି ସହିତ ଦୁର୍ନୀତିମୁକ୍ତ ତଥା ସ୍ୱଚ୍ଛ ଉପାୟରେ ରେଳବାଇ ସେମାନଙ୍କଠାରୁ ସାମଗ୍ରୀ କିଣିବା ଉପରେ ଜୋର୍‌ ଦେଇଛନ୍ତି ।

ଏହି ଅବସରରେ ମେକ୍‌ ଇନ୍‌ ଇଣ୍ଡିଆ ଦ୍ୱାରା ଉତ୍ପାଦିତ କେଉଁ କେଉଁ ସାମଗ୍ରୀ ରେଳବାଇ କିଣିପାରିବ ଏବଂ ଏ ଦିଗରେ କି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି ତାହାର ସେ ସମୀକ୍ଷା କରିଥିଲେ । ରେଳବାଇ ସାମଗ୍ରୀ କ୍ରୟ ବ୍ୟବସ୍ଥାରେ ସ୍ଥାନୀୟ ଭେଣ୍ଡରମାନଙ୍କୁ ସାମିଲ କରିବା ଉପରେ ମଧ୍ୟ ସେ ଗୁରୁତ୍ୱ ଦେଇଥିଲେ । ସାମଗ୍ରୀ କ୍ରୟ ନିୟମରେ ସ୍ଥାନୀୟ ସାମଗ୍ରୀ କିଣିବା ପାଇଁ ଏକ ଧାରା ରଖିବା ନିଷ୍ପତ୍ତି ନିଆଯାଇଛି । ଏଥିରେ ସ୍ଥାନୀୟ ଭେଣ୍ଡର ଓ ଯୋଗାଣକାରୀଙ୍କୁ ନିଲାମରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ । ଏହାଫଳରେ ଆତ୍ମନିର୍ଭର ଭାରତ ଅଭିଯାନର ଲକ୍ଷ୍ୟ ସଫଳ ହୋଇପାରିବ ବୋଲି ସେ କହିଛନ୍ତି । ନୀତି ନିୟମରେ ଉପଯୁକ୍ତ ସଂଶୋଧନ କରିବା ପାଇଁ ଏହି ଅବସରରେ ମନ୍ତ୍ରୀ ଡିପିଆଇଆଇଟିର ସକ୍ରିୟ ସହଯୋଗ ଲୋଡିଛନ୍ତି ।

ସମୀକ୍ଷା ଅବସରରେ ରେଳବାଇ ସାମଗ୍ରୀ କ୍ରୟ କ୍ଷେତ୍ରରେ ମେକ୍‌ ଇନ୍‌ ଇଣ୍ଡିଆ ଦ୍ୱାରା ଦେଶରେ ଉତ୍ପାଦିତ ସାମଗ୍ରୀ ଏବଂ ଏଥିରେ ସ୍ଥାନୀୟ ଯୋଗାଣକାରୀ ଓ ଭେଣ୍ଡରଙ୍କୁ ସଂପୃକ୍ତ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା । କ୍ରୟ ସମ୍ବନ୍ଧୀୟ ବିଭିନ୍ନ ବିଷୟ ଭେଣ୍ଡରମାନଙ୍କୁ ଅବଗତ କରାଇବା ପାଇଁ ଏକ ହେଲ୍ପଲାଇନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଏହାଛଡା ବାରମ୍ବାର ପଚରା ଯାଉଥିବା ପ୍ରଶ୍ନର ଉତ୍ତର ଦେବାକୁ ଏକ ସ୍ୱତନ୍ତ୍ର ବିଭାଗ ଖୋଲିବାକୁ ମଧ୍ୟ ମତପ୍ରକାଶ ପାଇଛି ।

ଏହି ସମୀକ୍ଷା ବୈଠକରେ ରେଳବାଇ ବୋର୍ଡର ସାମଗ୍ରୀ ପରିଚାଳନା ବିଭାଗର ସଦସ୍ୟ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ । ସରକାରୀ ଇ-ମାର୍କେଟ ବ୍ୟବସ୍ଥାରେ ମେକ୍‌ ଇନ୍‌ ଇଣ୍ଡିଆ କାର୍ଯ୍ୟକ୍ରମରେ ପ୍ରସ୍ତୁତ ଭାରତୀୟ ସାମଗ୍ରୀ କ୍ରୟ କରିବାପାଇଁ ଯେଉଁସବୁ ପଦକ୍ଷେପ ଗ୍ରହଣ କରାଯାଇଛି ସେ ବିଷୟରେ ସେ ଅବଗତ କରିଥିଲେ । ଏହି ସମୀକ୍ଷା ବୈଠକରେ ରେଳବାଇ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସୁରେଶ ଅଙ୍ଗାଡ଼ି, ରେଳବାଇ ବୋର୍ଡର ସମସ୍ତ ସଦସ୍ୟ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ/ଜିଇଏମ୍‌, ଡିପିଆଇଆଇଟି ଏବଂ ବାଣିଜ୍ୟ ମନ୍ତ୍ରଣାଳୟର ପ୍ରତିନିଧିମାନେ ଯୋଗ ଦେଇଥିଲେ ।

ରେଳବାଇ ସାମଗ୍ରୀ କ୍ରୟ ବ୍ୟବସ୍ଥାରେ ଅଧିକରୁ ଅଧିକ ଭାରତୀୟ ସେବା ପ୍ରଦାନକାରୀ ଓ ଦ୍ରବ୍ୟ ଉତ୍ପାଦକମାନଙ୍କୁ ସାମିଲ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ଏମାନଙ୍କୁ ସରକାରୀ ଇ-ମାର୍କେଟ ସହ ଯୋଡି ଅଭିନବ ଉପାୟରେ କିପରି ସେମାନଙ୍କଠାରୁ ସାମଗ୍ରୀ ଓ ସେବା ସହଜରେ କିଣିହେବ ତାହାର ଏକ ରଣନୀତି ପ୍ରସ୍ତୁତ କରିବାକୁ ମତପ୍ରକାଶ ପାଇଥିଲା । ରେଳବାଇ ମନ୍ତ୍ରୀ ଶ୍ରୀ ଗୋଏଲ କହିଥିଲେ ଯେ ରେଳ ମନ୍ତ୍ରଣାଳୟ ବର୍ଷକୁ ପ୍ରାୟ 70 ହଜାର କୋଟି ଟଙ୍କାର ସାମଗ୍ରୀ ଓ ସେବା କିଣୁଥିବାରୁ ଏହାକୁ ସରକାରୀ ଇ-ମାର୍କେଟ ପ୍ଲାଟଫର୍ମ ମାଧ୍ୟମରେ ବ୍ୟାପକ କରି ଦେଶର କୋଣ ଅନୁକୋଣରେ ଥିବା ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗରୁ ସାମଗ୍ରୀ କିଣିବାକୁ ରେଳବାଇ ନିଶ୍ଚିତ କରିବ ।

ରେଳବାଇ ଭାରତ ସରକାରଙ୍କର ଅନ୍ୟତମ ସର୍ବବୃହତ୍‌ ସାମଗ୍ରୀ କ୍ରୟକାରୀ ସଂସ୍ଥା । ଏହା ନିଜର କ୍ରୟ ବ୍ୟବସ୍ଥାକୁ ସରକାରୀ ଇ-ମାର୍କେଟ ପ୍ଲାଟଫର୍ମ ସହ ସଂଯୁକ୍ତ କରୁଛି । ଏହି ପ୍ଲାଟଫର୍ମର ସଂପୂର୍ଣ୍ଣ ଉପଯୋଗ କରି ଦେଶରେ ଉତ୍ପାଦିତ ହେଉଥିବା ସାମଗ୍ରୀ ଓ ସେବାକୁ ନିଜର ଆବଶ୍ୟକତା ଅନୁସାରେ କିଣିବା ପାଇଁ ରେଳବାଇ ଉଦ୍ୟମ ଜାରି ରଖିଛି । ଏହି ସାମଗ୍ରୀ କ୍ରୟ ବ୍ୟବସ୍ଥାକୁ ତ୍ରୁଟିଶୂନ୍ୟ ଓ ନିରବଚ୍ଛିନ୍ନ କରିବା ପାଇଁ ଆଇଆରଇପିଏସ୍‌ ଓ ଇ-ମାର୍କେଟ ବ୍ୟବସ୍ଥାକୁ ଇ-ବ୍ୟବସ୍ଥା ମଧ୍ୟରେ ସମନ୍ୱୟ ରଖିବା ଉପରେ ଗୁରୁତ୍ୱ ଦିଆଯାଉଛି ।

ବୈଠକ ଅବସରରେ ରେଳବାଇର କ୍ରୟ ବ୍ୟବସ୍ଥାକୁ ଦୁର୍ନୀତିମୁକ୍ତ ଏବଂ ସ୍ୱଚ୍ଛ କରିବାର ଉପାୟ ବାହାର କରିବା ଘେନି ଆଲୋଚନା ହୋଇଥିଲା । ଏଥିରେ ରେଳବାଇ ସହିତ ଡିପିଆଇଆଇଟି ଏବଂ ସରକାରୀ ଇ-ମାର୍କେଟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବାରୁ ଏହି 3 ବ୍ୟବସ୍ଥା ମଧ୍ୟରେ ସମନ୍ୱୟ ରକ୍ଷା କରିବା ଜରୁରି ବୋଲି ମତପ୍ରକାଶ ପାଇଥିଲା । ଏହାଛଡା ସ୍ଥାନୀୟ ଭେଣ୍ଡରମାନଙ୍କୁ କ୍ରୟ ବ୍ୟବସ୍ଥାରେ ସଂପୃକ୍ତ କରିବାକୁ ସ୍ଥାନୀୟ ଶିଳ୍ପସଂସ୍ଥାଗୁଡିକ ସହ ମଧ୍ୟ ସଂପର୍କ ରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଥିଲା ।

ଏହି ସମୀକ୍ଷା ବୈଠକ ଅବସରରେ ଭେଣ୍ଡରମାନଙ୍କ ପାଇଁ ଏକ ସରଳ ଓ ଉପଯୋଗୀ ୱେବ ଇଣ୍ଟରଫେସ୍‌ ବ୍ୟବସ୍ଥା ତିଆରି କରିବାକୁ ନିଷ୍ପତ୍ତି ନିଆଯାଇଛି । ଭାରତୀୟ ରେଳବାଇ ଏହା ତିଆରି କରିବ । ଏଥିରେ ରେଳବାଇ କିଣିବାକୁ ଥିବା ସାମଗ୍ରୀ, ସେବା ଏବଂ ଅନ୍ୟାନ୍ୟ ତଥ୍ୟ ସ୍ପଷ୍ଟଭାବେ ଉଲ୍ଲେଖ ରହିବ । ଏହି ତଥ୍ୟ ଆଧାରରେ ସ୍ଥାନୀୟ ଭେଣ୍ଡରମାନେ ରେଳବାଇକୁ ସ୍ଥାନୀୟ ଉତ୍ପାଦ ଓ ସେବା ସହଜରେ ଯୋଗାଇପାରିବେ ।